Unknown

 

 

 

 

 

 

 

 

 

 

 

ଘାସଫୁଲର ନିଜକଥା

ପୀତାମ୍ବର ପ୍ରଧାନ

 

ସୂଚୀପତ୍ର

 

୧.

ବାପାଙ୍କ ଲୁହ

୨.

ତ୍ର୍ୟହସ୍ପର୍ଶା ତିଥି କହି

୩.

ଛୋଟା ମାଷ୍ଟ୍ରେ

୪.

ବିଛଣାରୁ ବଳରାମପୁର

୫.

ମାଇନରରେ ନାଁ ଲେଖା

୬.

ବଇଁଶୀ ବାବୁ

୭.

ବୟାଳିଶି-ଆନ୍ଦୋଳନ

୮.

ପୂନେଇଁରେ ଅନ୍ଧାର

୯.

ପାଠପଢ଼ାରେ ଡୋରି

୧୦.

ବାଳିସିଂଗି ସାଆରେଈ

୧୧.

ଡୋରୀ ଫିଟିଲା

୧୨.

ଆଉ ଗୋଟିଏ ଫର୍ଦ୍ଦ

୧୩.

‘ନବ’ ପିଲାଗୁଡ଼ାଙ୍କୁ ବିଗାଡ଼ି ଦେଲା

୧୪.

ଆମ ଅର୍ଦ୍ଧାଶନ

୧୫.

କଟକ ଦେଖା ଓ ସାଇକେଲ୍ ଶିଖା

୧୬.

ଅରଣ୍ୟ ଅଜଗର ପ୍ରାୟେ

୧୭.

ସଂଗ୍ରାମର ଇତି ନାହିଁ

୧୮.

ତୁମରି ଇଚ୍ଛା ହେଉ ହେ ପୂର୍ଣ୍ଣ

୧୯.

ପୁଣି ପରୀକ୍ଷା

୨୦.

ରାହା ନାହିଁ

୨୧.

ତେପନରୁ ଅଣଷଠି

୨୨.

ନୂଆ ଜୀବନର ଡାକରା

୨୩.

ଯାଯାବରର ଡାଇରୀ

୨୪.

ଭବିଷ୍ୟତ ହିଁ ଉତ୍ତର ଦେଉ

୨୫.

ଏଥି ଭିତରେ ଓ ଏହା ପରେ

୨୬.

ବାପା ଚାଲିଗଲେ

୨୭.

ଚଲା ବାଟରେ

୨୮.

ଅଜ୍ଞାତବାସରୁ ପଦେ

୨୯.

ଗୁରୁଚରଣ ଓ ମୁଁ

୩୦.

ଏ ଡାକରାର ଶେଷ କେଉଁଠି ?

୩୧.

ପରିଶେଷରେ

Image

 

ଅଭିମତ

 

କଥା ଅଛି–“ଶୁଆ ମୂଲ ଶୁଆ କହେ” । ପ୍ରାଧ୍ୟାପକ ଶ୍ରୀ ପିତାମ୍ବର ପ୍ରଧାନଙ୍କ ‘ଘାସଫୁଲର ନିଜକଥା’ ପାଣ୍ଡୁ ଲିପି ଦେଖିଲି । ବାଟ ଅବାଟରେ ଚାଲିବାବେଳେ ଘାସଫୁଲଟିକ ଛାଏଁ ଯେମ୍‍ତି ଆଖିରେ ପଡ଼ିଯାଏ; ସେମିତି ଲାଗିଲା । ଲେଖକଙ୍କ ଲେଖାକୁ ପଢ଼ିବାକୁ ପଡ଼େ ନାହିଁ-। ସେ ଛାଏଁ ଆସି ଆଖିରେ ପଡ଼େ, ମନରେ ଲାଖେ । ଲେଖନୀ ତାଙ୍କର ଦୀର୍ଘଜୀବୀ ହେଉ–ଏତିକି ଆନ୍ତରିକ କାମନା ।

 

ସ୍ୱା: ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ

୧୧ । ୧୦ । ୧୯୮୧

Image

 

ବାପାଙ୍କ ଲୁହ

 

ବାପାଙ୍କ ପୁଅମାନଙ୍କ ଭିତରେ ମୁଁ ପଛପଛୁଆଣି, ଯମଅଇଁଠା, ଅପତ୍ୟାଣି କହିଲେ ବି ହେବନାହିଁ । ମୋ ପଛକୁ ମାଳ । ଝିଅ ଭିତରେ ସେତିକି । ମୋ’ ଆଗରୁ ବାପାଙ୍କର ଦି’ପୁଅ ଜନ୍ମିଥିଲେ । ବାପାଙ୍କ ଭାଷାରେ ରାଜାଛୁଆ ପରି ଡଉଲ ଡାଉଲ, ଗୋରାତକତକ । ସେ ଦୁହେଁ ଆସିଲେ ଏବଂ ବାହୁଡ଼ିଗଲେ-ଜଣେ ଏନ୍ତୁଡ଼ି ଗନ୍ଧ ନଯାଉଣୁଁ, ଆଉ ଜଣକ ଦୁଇଚାରି ମାସରେ । ବାପା ବୋଉଙ୍କ ଛାତିରେ ସେଦିନୁଁ ଯେଉଁ ଗହୀଡ଼ା ଗହୀଡ଼ା ଦାଗ ଛାଡ଼ିଗଲେ, ତାହା ହୁଏତ ଆଉ ଲିଭିଲା ନାହିଁ । ବୋଉର ଯେଉଁ ସ୍ଵାସ୍ଥ୍ୟ-ହାଡ଼ମାଉଁସ ଦି’ପଳ ହେବନି । ସେଥିରେ ଏମିତି ଗୋଟିକ ପରେ ଗୋଟିଏ ପିଲା ଚାଲିଯିବାପରେ ସେ ଆଉ ମୋ ଜେଜମା, ଯେଉଁ ବୁକୁଫଟା କାନ୍ଦ କାନ୍ଦି ଗାଣ୍ଠି ପଡ଼ିଯାଆନ୍ତି, ତାହାର ସ୍ମୃତି ବାପାଙ୍କଠୁଁ ଶୁଣିଲାବେଳେ ମୋ ପଥୁରିଆ ଆଖିରେ ଲୁହ ଜମିଯାଉଥିଲା । ଏମିତି ଗୋଟିକ ପରେ ଗୋଟିଏ ଧକ୍କା ବାପାଙ୍କର ଭାବପ୍ରବଣ ମନକୁ ବେଶ୍ ଦୋହଲାଇ ଦେଇଥାଏ । ପାଠଶାଠ ଓ ଈଶ୍ୱରଭକ୍ତିରେ ସେ ଭାରୀ ଟାଣୁଆ ହେଲେ ମଧ୍ୟ ସଂସାରର ଦାଉ ଧକ୍କାକୁ ତାଙ୍କର ଜୁ’ ଖୁବ୍ କମ୍ । ଅବଶ୍ୟ, ତାଙ୍କର ଏପରି ହେବାର କାରଣ ମଧ୍ୟ ବହୁତ୍ । ଆଗକାଳିଆ କୃଷି-ସଭ୍ୟତାରେ ତାଙ୍କ ଜୀବନ-ଗଢ଼ା । ଚାଷବାସ ଓ ଲାଖରାଜି-ମହାଜନି ତାଙ୍କର ସେ କାଳର ବେଉଷା । ସୁନାଥାଳ ପରି ଭୂଇଁ, ଫାଳେ ପକାଇଲେ ଗୋଟାଏ ହେଉଥିଲା । ସାହୁ-ଜମିଦାରରର ଦକ ନାହିଁ । ୪-୫ ବାଟି ଭୂଇଁକୁ ଦେଖାଚାହାଁ କରିବାକୁ ମେରୁମର୍ଦ୍ଦନପରି ଦାଦୀ ଦୁଇଟା । ବାହାରର ହାନିଲାଭକୁ ତାଙ୍କ ବାପା (ମୋ ଜେଜ ବାପା) । ବଡ଼ଭାଇ, ଘରର ମୁରବୀ । ରାମ ଲକ୍ଷ୍ମଣ ପରି ଚଳିଥାନ୍ତି । ଦଶଖଣ୍ଡି ଗାଁର ସାବିକ ଘରୁଆ ଭିତରେ ଏମାନଙ୍କର ନାଁ ଡାକ୍ ଥାଏ । ଖାଲି ଧନଜନ ଯୋଗୁଁ ନୁହେଁ । ଜେଜ ବାପା ଓ ତାଙ୍କ ବାପାଙ୍କର ଧର୍ମ-ଭୟ ଓ ନ୍ୟାୟପରାୟଣତା ଯୋଗୁଁ । ଧର୍ମଛଡ଼ା ବୁଦ୍ଧି କରିଥିଲେ ନଅଙ୍କ କାଳରେ ଆମ ଗାଁ ମାହାଲଟା ଆମ ବଂଶର ସମ୍ପତ୍ତି ହୋଇ ଯାଇଥାଆନ୍ତା । ସେସବୁରୁ କିଛିକିଛି ପରେ କହିବି । ବର୍ତ୍ତମାନ ବାପାଙ୍କ କଥା ପଡ଼ୁ ।

 

ଏ ପରିସର ମଧ୍ୟରେ ମହାଜନି ଇଲାକା ବୁଝାସୁଝା କରିବା ପାଇଁ ଯେତିକି ଶିକ୍ଷା ଦରକାର ବାପା ସେତିକି ପାଠସାରି ଜମିବାଡ଼ି କାଗଜପତ୍ରର ବେଶ୍ ଦୋରସ୍ତ ହୋଇଥିଲେ । ପରେ ଅବଶ୍ୟ ସେ ଆମଘର ଠାରୁ ୪ ମାଇଲ ଦୂର ଇଚ୍ଛାପୁରର ବଳଦେବଜୀଉ ପୀଠକୁ ଯାଇ ଶ୍ରୀଧର ସଂସ୍କୃତ ଟୋଲରେ ସଂସ୍କୃତ ପଢ଼ିଲେ ଓ ନିଜ ଚେଷ୍ଟାରେ ବଙ୍ଗଳା ଓ ସାମାନ୍ୟ ଇଂରାଜୀଜ୍ଞାନ ହାସଲ କଲେ । ପ୍ରାଚୀନ ସାହିତ୍ୟ ପ୍ରତି ତାଙ୍କର ବୁଢ଼ାଦିନେ ଯେପରି ମୋହ ଥିଲା ଯୌବନରେ ତା’ବି ଠିକ ସେପରି ଥିଲା । ବଡ଼ବାପାଙ୍କ ପରେ ସେ ଜେଜଙ୍କର ସାନପୁଅ ଥିବାରୁ ତାଙ୍କୁ ତାଙ୍କ ବାପଦାଦୀ ଭାରୀ ସ୍ନେହ କରୁଥିଲେ । ପିଲାଦିନେ ବେଶ୍ ଗୋରାତକତକିଆ ଚେହେରା । ବେକରେ ତାବିଜ ହାର ଝୁଲାଇ ଗାଁ’ ଚାଟଶାଳୀକୁ ପଢ଼ିବାକୁ ଗଲାବେଳକୁ ସମସ୍ତଙ୍କ ତୁଣ୍ଡରେ ତାଙ୍କ ପରିଚୟ ଥିଲା ‘ମାହାଜନ-ପୁଅ’ ବା ‘ସାନ-ମାହାଜନେ’ । ସବୁ ଗେଲବସର ପାଇ ସେ ଏତେ ମା’କାନି ତଳର ଛୁଆହୋଇ ଯାଇଥିଲେ ଯେ ଦିନକ ପାଇଁ ବାପାମା’ ପାଖ ଛାଡ଼ିବା, ତାଙ୍କୁ ଯୁଗପରି ଲାଗୁଥିଲା । ପିଲାଦିନୁ କିଛି ନା କିଛି ରୋଗବାଧକା ତାଙ୍କର ଚିର ସହଚର ହୋଇପଡ଼ି ଥିଲା । ତାଙ୍କ ବାପାଙ୍କର କଡ଼ା ଶାସନ ଯୋଗୁଁ ଜୀବନରେ ସେ ଅବାଟକୁ ଗୋଡ଼ ଦେଇ ନାହାନ୍ତି ସତ, କିନ୍ତୁ ଅତିମାତ୍ରାରେ ମନମରା ହୋଇଗଲେ । ନାହିଁନଥିବା ବୋହୂ କରିବାକୁ ଜେଜେ ଆମର ମୂଲକସାରା ନଖବଛା କରୁକରୁ ଦାଦୀପୁଅ ସାନଭାଇମାନଙ୍କ ପରେ ସେ ବହୁତ ଡେରିରେ (୨୫ ବର୍ଷରେ) ବିବାହ କଲେ । ଆଜିକାଲି ଏ ବଅସ ବିଭାଘରର ସାଧାରଣ ବୟସ ହୋଇଥିଲେ ମଧ୍ୟ ସେକାଳର ବାହାବଅସରେ ସେ ଦରବୁଢ଼ା ହୋଇଥିଲା ପରି ମନୁଥିଲେ । ଶେଷକୁ ଯେଉଁଠି ତାଙ୍କର ବାହା ବଢ଼ିଲା, ମୋ ବୋଉଙ୍କର ସୁଗୁଣ ଅପେକ୍ଷା ଅନ୍ୟ କେଉଁଥିରେ ସେ ବିଶେଷ ସନ୍ତୁଷ୍ଟ ଥିଲେ ବୋଲି କହିହେବ ନାହିଁ । କେବଳ ସେ କାଳର ସାମାଜିକ ରାତିରେ ସେ ସବୁକୁ କର୍ମଫଳ ବୋଲି ସେ ମାନିନେଲେ । ଏକା ତାଙ୍କ ଅବଚେତନ ମନ ଉପରେ ସାରା ଜୀବନ ଲାଗି ଏପରି ଏକ ଦୁଃଖରଗାର ଟାଣିଲା ଯାହାକି କେବେ ଲିଭିଲା ନାହିଁ । ଏମିତି ବହୁ ମାନସିକ ଦୁର୍ଘଟଣା ସାଙ୍ଗକୁ ଗୋଟିକ ପରେ ଗୋଟିଏ ପୁଅର ମୃତ୍ୟୁ, ତାଙ୍କୁ ଅଧିକ ଭାବପ୍ରବଣ କରି ଦେଇଥିଲା । ତେଣୁ ମୋ ଜନ୍ମଦିନ ସେ ଇନ୍ଦ ଅପା ଠାରୁ (ବଡ଼ବାପାଙ୍କ ଝିଅ) ପୁଅ ଜନମର ଖବର ପାଇ ମଧ୍ୟ ଆନନ୍ଦିତ ହୋଇନଥିଲେ । ବରଂ ବସିବା ଜାଗାର ଭୂଇଁ ଫାଳକ ତାଙ୍କ ଲୁହରେ ଭେଦାଇ ଦେଇଥିଲେ । କାରଣ ତାଙ୍କ ମନରେ ଭୟର ଏପରି ଗୋଟାଏ ଭୂତ ବସାବାନ୍ଧି ଯାଇଥିଲା ଯେ ସେ କେବେ ଭାବୁନଥିଲେ ମୁଁ ବଞ୍ଚିବି ବୋଲି । ମୋ ବଡ଼ ବାପାଙ୍କ ଝିଅ ଇନ୍ଦ ଅପା, ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ, “ଦାଦା, ଏଇଟା କାଳିଆ କଣ୍ଡରା ହୋଇଛି । ନିଶ୍ଚେ ବଞ୍ଚିବ । କାନ୍ଦୁଛ କାହିଁକି-?”-–ସତକୁ ସତ ମୁଁ ବଞ୍ଚିଲି । ହେଲେହେଁ ଶେଷ ନିଃଶ୍ୱାସ ଛାଡ଼ିବାଯାଏ ବାପାଙ୍କ ଆଖିରୁ ମୋ ପାଇଁ ଲୁହଧାର ଶୁଖିଲା ନାହିଁ । ଯେଉଁ ଲୁହରେ ଆସିଥିଲି, ଜୀବନଟା ତାଙ୍କର ସେହି ଲୁହର ବୈତରଣୀରେ ଭସାଇ ଚାଲିଲି ।

Image

 

ତ୍ର୍ୟହସ୍ପର୍ଶାତିଥି କହି

 

ଉଣେଇଶ ଅଣତିରିଶି ମସିହା କାର୍ତ୍ତିକ ପୂନେଇଁ ଦିନ ମୁଁ ଜନ୍ମ ହେଲି । ସେଦିନ କୁଆଡ଼େ ତ୍ର୍ୟୋୟୋଦଶୀ, ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମା–ଏ ତିନୋଟି ତିଥି ଏକାଦିନେ ଭୋଗ ହୋଇଥିଲା-। ଜ୍ୟୋତିଷ ମତରେ–

 

“ଏକ ଦିନେ ତିନି ତିଥି ହୁଏ ଯେବେ (ଯଦି) ଭୋଗ,

 

ତ୍ର୍ୟହସ୍ପର୍ଶା ତିଥି କହି ନୁହେଁ ସ୍ପର୍ଶ ଯୋଗ ।” –ତେଣୁ, ଏହା କୁଆଡେ଼ ଏକ ଶୁଭତିଥି ନୁହେଁ । ଏ ତିଥିରେ ଜନ୍ମ ହେଲେ ସନ୍ତାନ ପିତୃମାତୃ-ହନ୍ତା ବା ସନ୍ନ୍ୟାସୀ ହୁଏ । ସ୍ଥୁଳଦୃଷ୍ଟିରୁ ଦେଖିଲେ ଏଥିରୁ ମୁଁ କୌଣସିଟି ହେଲିନି । କିନ୍ତୁ ଏହାର ସୂକ୍ଷ୍ମବିଚାର କଲେ ମୁଁ ବୋଧହୁଏ ପିତୃମାତୃହନ୍ତା’ ହେଲି କହିଲେ ମିଛ ହେବନାହିଁ । ବାପାଙ୍କ କଥାରେ ‘ଏକପୁତ୍ରି’ ଅପୁତ୍ରି ସଙ୍ଗେ ସମାନ । ଗୋଟିକିଆ ପୁଅ ହୋଇଥିବାରୁ ମୋ ପାଇଁ ବାପା ବୋଉଙ୍କର ଚିନ୍ତା ସରିଲା ନାହିଁ । ମୋ’ ଜେଜେ’ମା ମୋତେ କିପରି ଭୟ ଆଶଙ୍କାରେ ସାରୁଗଛ ତଳ ବେଙ୍ଗରେ ପରିଣତ କରିଦେଇଥିଲେ ସେ ଅନୁଭୂତି ମୋର ପରବର୍ତ୍ତୀ ଜୀବନରେ ଲିଖିତ ଓ ‘ଝଙ୍କାର’ରେ ପ୍ରକାଶିତ ‘ଶ୍ୱେତସର୍ପ’ ଗଳ୍ପରେ ରୂପ ନେଇଥିଲା । ମୋଟକଥା ମୋ’ ପରି ପୁଅ ବା ନାତିକୁ ପାଇଁ କାହା ମନରୁ ଦକ ଛାଡ଼ିନଥିଲେ-। ଘାଟବାଟ, ସ୍କୁଲ ବା ନଈକୂଳ ଯେଉଠିକି ଗଲେ ସେମାନଙ୍କର ଭୟଥିଲା ମୁଁ କେତେବେଳେ, କେଉଁଠି ତାଙ୍କ ଅଜ୍ଞାତରେ ମରିଯିବି ନିଶ୍ଚୟ । ବିଶେଷତଃ ପିଲାଦିନେ ମୁଁ ଚାଲିଲା ଶଗଡ଼ରେ ହାତ ଦେଉଥିବାରୁ ତାଙ୍କର ଏ ଆଶଙ୍କା ବହୁଗୁଣ ଥିଲା । ପିଲାଳିଆ ସାଙ୍ଗସାଥି ମୋହରୁ ଥରେ ଅଧେ ମୁଁ ନଈରେ ବୁଡ଼ିଯାଇଛି । ଭଗବାନଙ୍କ ଦୟାରୁ ସୁଅରେ ଥୋଡ଼ାବାଟ ଭାସିଯାଇ ପୁଣି କୂଳରେ ଲାଗିଛି । ଥରେ ବଢ଼ିପାଣି, ଦିନେ ଜେଜେମା’ ସାଙ୍ଗରେ ଗାଁ’ ପୋଖରୀରୁ ଗାଧୋଇ ଘରକୁ ଆସୁଥିବାବେଳେ ଗୋଡ଼ ଦିଟା ଭାରି କାଦୁଅ ହୋଇଗଲା । ସମସ୍ତେ ଆଗେ ଆଗେ ଚାଲିଛନ୍ତି । ସେ ଦଳଟାଯାକ ବୁଢ଼ୀ । ତା’ଭିତରେ ମୋ ଜେଜେମା ଓ ଗାଁ’ର ଆଉ ଗୋଟିଏ ଅଶରଣିଆ ବୁଢ଼ୀ ମଣି-ମା’ ଥିଲେ ବୋଲି ମୋର ଠିକ ଠିକ ମନେପଡ଼ୁଛି । ଆମ ବାଡ଼ି ପଛ ଟୁବି ଗାଡ଼ିଆ ପାଖରେ ପହଞ୍ଚିବା କ୍ଷଣି ମୁଁ ଗାଡ଼ିଆ ଭିତରକୁ ଗୋଡ଼ ଧୋଇବାକୁ ପଶିଗଲି । କାହାରି ଲକ୍ଷ୍ୟନାହଁ । ମୋ ବଅସ ସେତେବେଳକୁ ଆଠ କି ନଅ ହୋଇଥିବ । ଗାଡ଼ିଆଟା ଅତଟ ହୋଇ ଖୋଳା ହୋଇଥାଏ । ମୋର ସେ ଧାରଣା ନାହିଁ । ଗୋଡ଼ ଧୋଉ ଧୋଉ ବୁଡ଼ିଗଲି । ତଥାପି ସମସ୍ତେ ଚାଲିଥାନ୍ତି । ମଣି–ମା’ ବୁଢ଼ୀ ପ୍ରଥମେ ନୀଘା କରି ରଡ଼ିଛାଡ଼ିଲା । ତା’ପାଟିରେ ସମସ୍ତେ ତାଟଙ୍ଗା ହୋଇ ଗାଡ଼ିଆ ପାଖକୁ ଆସିଲେ । ମୋ’ ଜେଜେମା ଦେହରେ ଜୀବନ ନଥାଏ । ମଣି’ମା ପାଟିଏ ପାଣିରୁ ମୋତେ ଛାଣି ଆଣିଲା । ସେମାନେ କହୁଥିଲେ ଏତେ ପାଣି ହେଲେବି ମୁଁ ହାତ ଦୁଇଟି ଉପରକୁ ଟେକି ପାଣିରେ ବୁଡ଼ିରହିଥାଏ । ମୋ ବୁଡ଼ିଲା ବୁଡ଼ିଲା ଆଙ୍ଗୁଠିର କେତେକ ଅଂଶ ଦେଖି ମଣିମା ମୋତେ ଠାବ କରିପାରିଲା । ତେବେ ଏହା କିପରି ସମ୍ଭବ ହେଲା ତାହା ଆଜି ସୁଦ୍ଧା ମୁଁ ଭାବିପାରେନା । କାରଣ ମଣି-ମା’କୁ ଯେଉଁଠି ପାଟିଏ ପାଣି ସେଠି ମୋ ଗୋଡ଼ ତଳେ ଲାଗିଥିଲେ ମୋତେ ଦୁଇ ପୁରୁଷରୁ ଅଧିକ ପାଣି ହୋଇଥାନ୍ତା । ତେଣୁ ଏତେ ଗହୀରରୁ ମୋ ହାତ ଦେଖାଯିବା ଅସମ୍ଭବ । ମୁଁ କେଉଁଠି ଗଙ୍ଗେଇଡ଼ୁବ୍ ମାରିଥାନ୍ତି । ତେବେ ପାଣିରେ ବୁଡ଼ିଯାଇ ଗୋଡ଼ ତଳେ ନଲାଗି ମୁଁ କିପରି ହାତ ଟେକି ରହିପାରିଲି ତାହା ଏକ ତାଜୁବ୍ କଥା । ଯାହାହେଉ ଏହା ମୋ ଜୀବନରେ ସତ ହୋଇଥିଲା । ଏ ଘଟଣାର ସାକ୍ଷୀ ମଣି–ମା’ । ସେ ଆଜି ମରି ସ୍ଵର୍ଗରେ । ତା’ ମଲାର କେତେ ମାସ ପରେ ମୁଁ ତା ସ୍ମୃତିରେ ଏକ କବିତା ଲେଖିଥିଲି । ତାହା ମୋର ଅପ୍ରକାଶିତ ‘ବିପଞ୍ଚୀ’ରେ ସ୍ଥାନ ପାଇଛି । ଏ ମଣି-ମା’ ମୋ ଜୀବନ ରଖିଥିବାରୁ ବାପା ମୋତେ ଉପଦେଶ ଦେଇଥିଲେ ‘ଜୀବନର ପଞ୍ଚ ମାତା’ ମଧ୍ୟରେ ତାକୁ ସ୍ଥାନ ଦେବାକୁ । ଗାଁ ହିସାବରେ ସେ ମୋର ଆଜୀ । ଅଭାବରୁ କୁଟୁଣ କୁଟେ, ବିରି କୋଳଥ ଓପଡ଼ା ଝୋପଡ଼ା କରେ, ଭାରୀ ଟକଟକୀ, ଟିକେ ହାତ ଉଠେଇ, ବେଳେବେଳେ କାହା ବାଡ଼ିରୁ କାକୁଡ଼ି କଷି ବା ଜହ୍ନି କଷିଟା ମଧ୍ୟ ଚୋରାଇ ନିଏ । ମଣି-ମା’ର ଏ ହାତଉଠା ପଣ ଓ ଟକଟକୀ ଖୋଇ ବହୁଥର ମୋ ନଜରକୁ ଆସିଛି । ହେଲେହେଁ ବୋଉବାପାଙ୍କ କଥା ଅକ୍ଷରେ ଅକ୍ଷରେ ମାନି ମୁଁ ତାକୁ କେବେ କିଛି କହିନାହିଁ । ମୁଁ ଜାଣେ ଗାଁରେ ତାକୁ କିଏ ଦଶବିଧା ମାରିଲେ ତାକୁ ଯେତେ ନ ବାଧିବ, ମୁଁ ତା ଚୋରୀ ଧରିଲେ ତାହା ତାକୁ ମରଣ ଠାରୁ ବଳି ଦୁଃଖ ଦେବ । ଏହା ବୋଧହୁଏ ସ୍ନେହର ଫଳ । ମୋ ପ୍ରତି ତାହାର ସ୍ନେହଟା ଏମିତି ସ୍ପର୍ଶକାତରତାରେ ବୋଧହୁଏ ରୂପ ନେଇଥିଲା । ଏସବୁ ସତ୍ତ୍ୱେ ମଣିମା ଥିଲା ଆମ ପ୍ରଧାନ-ସାହିର ହାତବାରିସି । ତେଣୁ ତା ମଲାଦିନ ଆମ ସାହିର ସମସ୍ତଙ୍କ ଆଖିରୁ ଲୁହ ବୋହିଥିଲା ।

 

ପିଲାଦିନର ଏମିତିକା କେତେକ ଘଟଣା ମୋ’ ମନରେ ଭଗବାନ ଅଛନ୍ତି ବୋଲି ଗୋଟାଏ ବିଶ୍ୱାସ ଜନ୍ମାଇଥିଲା । କଲେଜ ଜୀବନର ଆଉ ଏକ ଘାଟୀରେ ତାହା କିପରି ଦୃଢ଼ ହେଲା, ତାହା ପରେ କହିବି । ଅରକ୍ଷିତର ଦଇବ ସାହା ପରି ଏମିତି ବହୁ ବିପଦରେ ମୁଁ ଅଦେଖା ହାତର ସାହାଯ୍ୟ ଲାଭ କରିଛି । ସର୍ବୋପରି ବାପାଙ୍କର ଦୃଢ଼ ଈଶ୍ଵର ବିଶ୍ଵାସ ଓ ଜେଜେମା ତଥା ମୋ ବୋଉର ଧର୍ମପରାୟଣତା ମୋତେ କାଳକ୍ରମେ ସଚ୍ଚା ଦୈବବିଶ୍ଵାସୀରେ ପରିଣତ କରାଇଦେଲା । ଅବଶ୍ୟ, ଏଥିପାଇଁ ଭବିଷ୍ୟତରେ ବହୁ ଦାଉ ଧକ୍କା ସହିଲି । ସଂସାର-ଆଖିରେ ଅପାରଗ ବୋଲି ଗଣାହେଲି । ତଥାପି ପିଲାଦିନର ସେ ବିଶ୍ଵାସ ଯେ କୌଣସି ଅବସ୍ଥାରେ ମଧ୍ୟ କଞ୍ଚାହାଣ୍ଡିର ଦାଗ ପରି ମୋ ମନରୁ ଲିଭିଲା ନାହିଁ ।

 

ଏ ବିଶ୍ଵାସର ଆଉ ଗୋଟାଏ ଭଲ ଦିଗ ମଧ୍ୟ ମୁଁ ଜୀବନ କାଳରେ ଲକ୍ଷ୍ୟ କଲି । ବାପାଙ୍କର କଡ଼ା ଶାସନ ସତ୍ତ୍ୱେ ପହିଲି ଯୌବନରେ ମନ ଯେ ବେଳେବେଳେ ଅରମା ମାଡ଼ିଯିବାକୁ ଚାହିଁନି, ସେକଥା ନୁହେଁ । ବରଂ କୁସଙ୍ଗର ପ୍ରଭାବରେ ବୟସର ଏ ଅନର୍ଗଳ ପ୍ରକୃତି ସମୟେ ସମୟେ ଅରଣା ହୋଇ ଉଠିଛି । କିନ୍ତୁ ମୋ ଆଗ ପଛରେ କାହାର ଗୋଟାଏ ଉପସ୍ଥିତି ଓ ଶାସନ ମୁଁ ସବୁବେଳେ ଅନୁଭବ କରୁଥିବାରୁ ଜୀବନରେ କିଛି ଅକାର୍ଯ୍ୟ କରିବାକୁ ମୁଁ ସମର୍ଥ ହୋଇପାରିନାହିଁ । ଏଥିପାଇଁ ମୁଁ ‘ଜୀବନଦେବତାଙ୍କୁ’ ମୁଁ ବାରମ୍ବାର ଯୋଡ଼ ହାତରେ ପ୍ରଣତି ଜଣାଏ-। ଜୀବନରେ ଆଉ ଯେତେ ଲାଞ୍ଛନା ଦେଲେ ମଧ୍ୟ ସେ ଲାଞ୍ଛନାରୁ ମୋତେ ମରିବାଯାଏ ରକ୍ଷା କରନ୍ତୁ, ଏହାହିଁ ମୋର ତାଙ୍କ ପାଦରେ ନିରନ୍ତର ପ୍ରାର୍ଥନା ।

 

ହଁ, କହିବାକୁ ଭୁଲିଯାଇଛି ସେ ପିଲାଦିନେ ମୋ ରୂପକୁ ଚାହିଁ ମୋ ନାମ ରଖାଯାଇଥିଲା କାଳିନ୍ଦୀ ବା ‘କାଳିଆ’ । ପରେ ଗାଁ ସ୍କୁଲରେ ବାପା ମୋ ନାମ ବଦଳାଇ ନୂଆ ନାମ ଦେଲେ । ନୂଆ-ପୁରୁଣା ସବୁ ସେଇ ‘କୃଷ୍ଣ’ର ଛଳନା । ଯେତେ ଘାଟରେ ପାଣି ପିଇଲେ ବି ଜଳ ସବୁଠିଁ ଜଳ । ଏ ନାଁ’ ଦେବାଟା ମନର ଗୋଟାଏ ସଅକ । ମୁଁ ‘ଯମ ଅଇଁଠା’ ବୋଲି ଏମିତି ଗୋଟାଏ ଅପରଛନିଆ ନାଁ ଦେଲେ ହୁଏତ ଯମ ଆଉ ଛୁଇଁବ ନାହିଁ-ଏ ଧାରଣାରୁ ଏ ନାଁ, ଟି ହୁଏତ ଉଦ୍ଭବ ହୋଇଥାଇପାରେ । ଯାହାହେଉ କାଶିଆକୁ ଛାଡ଼ି କପିଳା, କପିଳେନ୍ଦ୍ର ଦେବ ହେଲେ ମଧ୍ୟ ବାଉଁଶ ବଇଁଶୀଟି ତାଙ୍କୁ ନ ଛାଡ଼ିଲା ପରି ବାପା ମୋ ନାଁ’କୁ ଯେତେ ସାଙ୍ଗିରେ ଉଠାଇବାକୁ ଚେଷ୍ଟାକଲେ ମଧ୍ୟ ମୁଁ ଅଧିକାଂଶଙ୍କ ପାଖରେ କାଳିଆ ହୋଇ ରହିଗଲି । ପାଠଶାଠ ପଢ଼ିବାରୁ ଗାଁ ଲୋକେ ମୋତେ ‘‘କାଳିନ୍ଦି–ବାବୁ’’ ବୋଲି ଡାକିଲେ । ହେଲେହେଁ ମୋ ବାଲ୍ୟ-କୈଶୋରର ସେ ‘କାଳିଆ’ ଡାକଠାରୁ ଏହା ଅଧିକ ମଧୁର ବୋଲି ମୋର ବିଶ୍ଵାସ ହୁଏ ନାହିଁ ।

 

ଆରମ୍ଭରୁ କହିଛି ଯେ ସୂକ୍ଷ୍ମ ବିଚାରରେ ମୁଁ ପିତୃମାତୃହନ୍ତା ହେଲି । ଠିକ୍ ଠିକ୍ କହିଲେ ମୁଁ ନିଜେ ନହେଲେ ମଧ୍ୟ ମୋ ସ୍ନେହରେ ସେମାନେ ଦିନକୁ ଦିନ ଲୁଣହାଣ୍ଡି ପରି ମିଳାଇବାକୁ ଲାଗିଲେ । ଷୋଳ ପଣି ସ୍ନେହର ବତିଶି ପଣି ଆଶଙ୍କା ସଦାସର୍ବଦା ତାଙ୍କ ଜୀବନର ଭଗାରି ଦେଲା-। ବୋଉ, ଅବଶ୍ୟ ବେଶୀଦିନ ବଞ୍ଚିଲା ନାହିଁ ।

 

ବାହାବେଦୀର ଅଳତାପଟି ନ ଲିଭୁଣୁଁ ଆମ ଘରକରଣାର ଘଣା ଭିତରେ ତାକୁ ପେଷି ହେବାକୁ ହୋଇଥିଲା । ବାହାହୋଇ ଆସିଲାବେଳକୁ ଘରକୁ ଘରଣୀ ବୋଇଲେ ସେ ଏକା । ବଡ଼ବୋଉ କଞ୍ଚା ବଅସରେ ଆଖି ବୁଜିବାରୁ ଘର ଚଳାଇବା ଲାଗି ଇନ୍ଦ ଅପାକୁ ବୋଉ ଆସିବାଯାଏ ଅଭିଆଡ଼ୀ କରି ରଖାଯାଇଥାଏ । ସେ ସମୟତ ବିବାହ ବୟସକୁ ଚାହିଁଲେ ଦାଦୀ-ଝିଆରୀଙ୍କ (ମୋ’ ବାପା ଓ ଇନ୍ଦୁ ଅପା) କପାଳ ପ୍ରାୟ ସମାନ । ମନର ସବୁ ରଙ୍ଗ ଫିକା ହୋଇ ଆସିବା ପରେ ସେମାନଙ୍କୁ ସଂସାରରେ ପଶିବାକୁ ପଡ଼ିଲା । ଏଥିପାଇଁ ହୁଏତ ଇନ୍ଦୁ ଅପା ଅପୁତ୍ରୀ ହେଲା । ଝିଅ ‘ଶୁକ’କୁ ଛାଡ଼ିଲେ ତା’ପାଟିରେ ପାଣି ଦେବାକୁ ତା, ରକ୍ତ ମାଂସର ଛୁଆ ବକଟେ ସେ ଅନ୍ତଫାଡ଼ି ଜନ୍ମ ଦେଇ ପାରିଲା ନାହିଁ । ଏହା ତାକୁ କମ୍ ଦୁଃଖ ଦେଇନାହିଁ ।

 

ଯାହାହେଉ, ଏଣେ ଘରକରଣାର ଘୋରଣା ଓ ତେଣେ ପିଲାଛୁଆର ଦକ୍ ମୋ ବୋଉକୁ ଅଳ୍ପ ବୟସରୁ ରୋଗିଣୀ କରିଦେଲା । ୧୯୪୭ ମସିହାରେ ମୁଁ ଦୋହଳି ଆଦର୍ଶ ଉଚ୍ଚବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥାଏ । ଖବର ପାଇଲି ବୋଉ ଶକ୍ତ ବେରାମ୍ । ଘରକୁ ଆସିଲି ! ଦିନକୁ ଦିନ ରୋଗ ବଢ଼ିଲା ବରଂ କମିଲା ନାହିଁ । ପାଠପଢ଼ା ଆଶା ଛାଡ଼ି ମୋ’ ପାରୁ ପର୍ଯ୍ୟନ୍ତ ବୋଉ ସେବାରେ ଲାଗିପଡ଼ିଲି । ଏହି ସମୟରେ ମୋର ଶିକ୍ଷକ ଓ ଓଡ଼ିଶାରେ ବର୍ତ୍ତମାନ୍ ବେଶ୍ ଜଣାଶୁଣା କର୍ମୀ ଶ୍ରୀଯୁକ୍ତ ବନମାଳୀ ବ୍ରହ୍ମଚାରୀ ମୋତେ ଆଶ୍ଵାସନା ଦେଇ ଯେଉଁ ଚିଠି ଲେଖିଥିଲେ ତାହାର ସ୍ମୃତି ଆଦ୍ୟାପି ମୋ ମନରେ ସାଇତା ହୋଇଛି । ତାହା ବିପଦବେଳେ ମୋତେ କମ୍ ବଳ ଦେଇ ନଥିଲା । ମୋ ପଢ଼ାରେ ଡୋରୀ ବନ୍ଧା ହେଲାନାହିଁ ସତ, କିନ୍ତୁ ବୋଉ ଆଉ ବଞ୍ଚିଲା ନାହିଁ । ସେଦିନ ହୋଇଥାଏ ଜ୍ୟୋଷ୍ଟମାସର ଦଶମୀ, ଗଙ୍ଗା ଦଶହରା ଓ ଗୁରୁବାର । ନିଶା ଗର୍ଜିବାର କେଇ ଘଡ଼ିପରେ ସେ ଆଖିବୁଜିଲା । ବଡ଼ ବାପା ଓ ବାପା ସେତେବେଳକୁ ସଦ୍ୟ ଭିନେ ହୋଇଥିଲେ ମଧ୍ୟ ଇନ୍ଦ ଅପା ଆମ ସଭିଙ୍କର । ତେଣୁ ବୋଉର ଯତ୍ନନେବାକୁ ସେ ଶାଶୁଘରୁ ଆସିଥାଏ । ଶେଷ ଅବସ୍ଥାରେ ସେ ଏକା ତା’ କଡ଼ ଲେଉଟାଉଥାଏ ।

 

ତା’ପ୍ରତି ମୋ ବୋଉର ଅମାପ ସ୍ନେହକୁ ସେ ଏଜନ୍ମରେ ଶୁଝାଇ ଦେଲା କହିଲେ ଭୁଲ୍ ହେବନି । ବୋଉ ଆଖି ବୁଜିବାର କେଇଟି ଘଣ୍ଟା ପୂର୍ବରୁ ସେ ତାକୁ ପଚାରୁଥାଏ, ‘ଖୁଡ଼ୀ, ତୋ ମନ ଡାକୁଚି ତୁ ବଞ୍ଚିଯିବୁ ବୋଲି”–ବୋଉର ପ୍ରାଣପବନ ସେତେବେଳକୁ ରୁନ୍ଧି ହୋଇଆସିଲାଣି । ଖନ ଖନ କରି ଉତ୍ତର ଦେଲା, “ନାଁ । ପୀର, (ଇନ୍ଦ ଅପାକୁ ସେ ସେଇ ନାଁରେ ଡାକେ) ମତେ କାଇଁ ମରିଗଲା ପରି ଲାଗୁନି । ମୋ କାଳିଆର ‘ଦୋଳମୁକୁଟ’ ଦେଖି ମୁଁ ଆଖିବୁଜିବି ।” –ତାହାର ସେ ଆଶା, ଆଶାରେ ରହିଗଲା । କେଇ ଘଡ଼ିପରେ ତା’ ତୁଣ୍ଡ ଆଉ ଖୋଲିଲା ନାହିଁ ।

 

ଏତ ଗଲା ବୋଉର ଜୀବନ । ବାପାଙ୍କ ଜୀବନ ଆହୁରି କରୁଣ । ବୋଉ ଆଖିବୁଜିବା ପରେ ଆମ ଘରୁ ସତେ ଯେପରି ଲକ୍ଷ୍ମୀ ଛାଡ଼ିଗଲେ । ମୋର ଏକମାତ୍ର ଭଉଣୀ ‘ମାଳତୀ’ର ବୟସ ସେତେବେଳକୁ ଦଶ କି ଏଗାର ହେବ । ମୁଁ ଘରଠାରୁ ସାତମାଇଲ ଦୂର ହାଇସ୍କୁଲ ଛାତ୍ରାବାସରେ ପ୍ରବାସୀ । ଘଡ଼ଘଡ଼ି ଓ ବିଜୁଳୀ ମାରିଲେ ମାଳ ଡରରେ ବାପାଙ୍କୁ ଜାବୁଡ଼ି ଧରେ-“ବାପା ମତେ ଡର ମାଡ଼ୁଛି” । ଏ ଆଖି ଲୁହ ସେ ଆଖିରେ ପୂରାଇ ବାପା ତାକୁ ବୋଧ ଦିଅନ୍ତି-“ନାଇଁଲୋ ମା, ଡର କ’ଣ ? ବର୍ଷାଦିନେ କ’ଣ ଘଡ଼ଘଡ଼ି ଚଡ଼ଚଡ଼ି ମାରେ ନାହିଁ । ‘ଅଗସ୍ତି’ ‘ଅଗସ୍ତି’ ସୁମରଣା କର । କିଛି ହେବ ନାହିଁ ।” ଏମିତି ବହୁକଥା । ଲେଖି ବସିଲେ ଗାଡ଼ିଏ ପୋଥି ହେବ । ନିଜର ଶରୀର ପୀଡ଼ା ସଙ୍ଗକୁ ଝିଅ ପୁଅର ଏଦଶା ଓ ପତ୍ନୀ ବିୟୋଗ, ଦିନ ରାତି ତାଙ୍କ ଜୀବନକୁ ପୋକପରି କାଟିଲା । ମଝିରେ ସେ ଦିନାକେତେ ଅଧା-ପାଗଳ ହୋଇଗଲେ । ପରେ ଅବଶ୍ୟ ସେ ସୁସ୍ଥ ହେଲେ । କିନ୍ତୁ ପରବର୍ତ୍ତୀ ଗୋଟିକ ପରେ ଗୋଟିଏ ଭାଗ୍ୟ ବିପାକ ତାଙ୍କୁ ଚିରବିଷାଦବାଦୀ କରି ରଖିଲା । ‘ହା’ ରାବରେ ତାଙ୍କର ପ୍ରାଣପକ୍ଷୀ ସବୁବେଳେ ଦୁଃଖର ଗହକି ହେଲା । ମୋଟା ମୋଟି ମୁଁ ବାପାବୋଉଙ୍କର ଜୀବନର ମୁଦେଇ ହେଲି । ମୋ ଚିନ୍ତାରେ ଜଣେ ମଝିବାଟରୁ ଓହ୍ଲାଇ ଗଲା । ତା ସାଙ୍ଗର ଆଉ ଯିଏ ଦଦରା ନାହାକୁ ବାହିନେବା ପାଇଁ ହେମତ୍ କଲେ ସେ’ ବି ଜିଇ ନ ଜିଇଲା ପରି-। “ଜୀବନ ନୁହେଁ ସେ ଜୀବନ୍ତ ମରଣ”–କବି ବାଣୀକୁ ସାର୍ଥକ କରି ସେ ବଞ୍ଚିଲେ । ତାଙ୍କ ଶୟନ, ସ୍ଵପନର ଚିନ୍ତା ହେଲୁ ଆମେ ଭାଇଭଉଣୀ । ‘ମାଳ’ ତ ପରଘରୀ ହେଲା ।

 

ତାଙ୍କ ପାଖରେ ରହିଲି ମୁଁ । ମୋ ଚିନ୍ତାଟା ତାଙ୍କୁ ବେଶୀ ଘାରିଲା । ମୁଁ ଜନ୍ମି ନଥିଲେ ବୋଧହୁଏ ସେମାନେ ଏହାଠୁଁ ବଳି ଶୋକ ସନ୍ତାପର ଭାଗୀ ହୋଇନଥାନ୍ତେ । ତେଣୁ ଏହି ସୁତ୍ରରେ ମୁଁ ପିତୃହନ୍ତା ହେଲି ।

Image

 

ଛୋଟାମାଷ୍ଟ୍ରେ

 

ପୂର୍ବରୁ କହିଛି, ପିଲାଦିନେ ମୁଁ ଭାରୀ ଚଗଲା ଥିଲି । ମାମୁଁ ଘରେ ଥିଲାବେଳେ ମାମୁଁ ଝିଅ ମାଳତୀ ଅପା ଉପରେ ଅହର୍ନିଶ ମାଡ଼ ଚଢ଼ାଏ । ପିଲାଦିନେ ହାତରେ ଯେଉଁ ମୋଟା ମୋଟା ଖଡ଼ୁ ନାଇଥିଲି, ତା’ ଭୟରେ କେହି ମୋ’ ପାଖ ପଶନ୍ତି ନାହିଁ । ଗୋଟିକିଆ ପୁଅ ହେତୁ ମାମୁଁ ଘରେ ଥିଲାବେଳେ ବାପା ବଡ଼ ଦକରେ ଥାଆନ୍ତି । ତାଙ୍କୁ ମୋ ଭଲମନ୍ଦର ଖବର ଦେବାକୁ ଆଠ ଦିନେ, ପନ୍ଦର ଦିନେ କୋକିଳ-ମା’ ଆମ ଘରକୁ ଆସେ । କୋକିଳ ମା’ ଜାତିରେ ଭଣ୍ଡାରୁଣୀ । ମାମୁଁ ଘର ଗାଁରେ ତାକୁ ଖାରିଆଣୀ ବୋଲି କହନ୍ତି । କାରଣ ଭଣ୍ଡାରୀ ପାଟକରେ ‘ଖାରିଆ’ ବୋଲି ଗୋଟେ ଉପଜାତି ଅଛନ୍ତି । କୋକିଳ-ମା’ ସେଇ ଖାରିଆ କୂଳର । ନାଁ’ଟା ଖାଲି କୋକିଳ-ମା’ ନୁହେଁ, କୋଇଲି ପରି ମିଠା ଗଳା । ପଦିଏ କଥାରେ ତାତିଲା ମନକୁ ଶୀତଳ କରିଦେବ । ବୋଉର ଗାଁ ଗାଁଉଲି ଝିଆରୀ ହିସାବରେ ମୋ ବାପାଙ୍କୁ ଡାକେ ପିଉସା । ଆମ ଘରକୁ ମୋ ନାଁ’ରେ ତାହାର ପ୍ରଥମ ନାଲିସ୍ ବାପାଙ୍କ ଆଗରେ । ସବୁ ପୁଣି ହସ ହସ ମୁହଁରେ । ତା’ ଚେକାଚୌରସ୍ ମୁହଁ ଓ ପିମ୍ପି କାଠିଆ ଦେହକୁ ତାହାର ପାନଖିଆ ପାଟିଟି ଭଲ ମାନେ । ତାହାର ଅଭିଯୋଗର ବିଷୟ ହେଲା, “ପି’ସା, ତମ ପୁଅ ସମସ୍ତିଙ୍କି ମାରି ଧୂଳ୍ ଧଂସନ୍ କରୁଛି । ଆମେ ଏଣିକି ତାକୁ ଖଟେଇ ପକେଇବୁ”–

 

ବୀରବର ପୁଅର ଏ କୃତିତ୍ୱ ଶୁଣି ବାପା ବେଶ୍ ଆତ୍ମପ୍ରସାଦ ଅନୁଭବ କରନ୍ତି ଏବଂ କୋକିଳ-ମା’କୁ ବାରମ୍ବାର ତାଗିଦ୍ କରି କହନ୍ତି, “ବୁଝି, ମା’କୁ ତାହାର କହିଦେବୁ, ପୁଅ ମୋର ଯେତେ ଦୁଷ୍ଟ ହେଲେବି ଆଙ୍ଗୁଠି ଟୋପା ଛୁଇଁବନି । ଦୁଧଖିଆ ବାଳୁତ, ଶୁଖିଯିବଟି ।”

 

କୋକିଳ-ମା’ ହସି ହସି ଉତ୍ତର ଦିଏ, “ନା, ମ ପି’ସା, ସତେ କଣ ତମ ପୁଅକୁ କିଏ ମାରୁଛି ? ସେ’ତ ଖଣ୍ଡ ମଣ୍ଡଳରେ ରାଜା ହୋଇଛି । ତାକୁ ପୁଣି ମାରିବାକୁ ହାତ ଯିବ କାହାର ?”

 

ବାଲ୍ୟକାଳରୁ ଏମିତିକା ସ୍ନେହ ପାଇ ମୁଁ ୬/୭ ବର୍ଷ ବେଳକୁ ଘରେ ଏମିତି ଦୌରାତ୍ମ୍ୟ କଲି ଯେ ବାପା ଦିନେ ମୋତେ ନେଇ ଗାଁ ଚାଟଶାଳୀରେ ଛାଡ଼ିଲେ । ପରେ ଏହି ଚାଟଶାଳୀ ନି : ପ୍ରା : ସ୍କୁଲ ହେଲା, ଓ ହେଡ୍‍ ପଣ୍ଡିତ ଟ୫ଙ୍କା ତଥା ସେକେଣ୍ଡ ପଣ୍ଡିତ ଟ୩ଙ୍କା ଦରମା ପାଇଲେ । ମୁଁ ସ୍କୁଲରେ ବସିଲାବେଳକୁ ହେଡ୍‍ ପଣ୍ଡିତ ଥିଲେ ଦାନପୁରର ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀ । ତାଙ୍କର ଗୋଟିଏ ଗୋଡ଼ ଛୋଟା ହେତୁ ସେ ସାଧାରଣରେ ‘ଛୋଟାମାଷ୍ଟ୍ରେ’ ନାମରେ ପରିଚିତ । ଦଣ୍ଡ-ମଣ୍ଡ ଉଭୟରେ ସେ ଥିଲେ ପାରଦର୍ଶୀ । ପାଠଶାଠ ସବୁଥିରେ ସେ ଗାଁ ଲୋକଙ୍କ ଭିତରେ ଗୋଲଡ୍‍ସ୍ମିଥଙ୍କର ‘ଭିଲେଜ୍ ସ୍କୁଲ୍ ମାଷ୍ଟର୍’ର ଆସନ ଦଖଲ କରିଥିଲେ । ପରେ ଏହି ସ୍କୁଲରେ ମୋ ବଡ଼ ବାପା ପୁଅ ଭାଇ ସେକେଣ୍ଡ୍ ପଣ୍ଡିତ ଭାବରେ ଟ୩ଙ୍କା ଦରମାରେ ଯୋଗଦେଲେ । ଆମ ଗାଁ’ ଦିମୁଣ୍ଡରେ ସେତେବେଳେ ବାଦବିବାଦିଆରୁ ଦୁଇ ଦୁଇଟା ସ୍କୁଲ୍, ଗଢ଼ି ଉଠିଥାଏ । ଏ ଯେଉଁ ସ୍କୁଲରେ ବାପା ନେଇ ମୋତେ ଛାଡ଼ିଲେ, ଏ ହେଉଛି ଆମ ବଂଶର ସ୍କୁଲ୍ । ସମ୍ପାଦକ ଥାଆନ୍ତି ମଝିଆ ଜେଜ । ତାଙ୍କ ବିବାଦୀ ପୁଣି–ତାଙ୍କ ଶଶୁର ଘର ସଙ୍ଗେ । ଧନ ମୁକୁମୁକୁ ହେଲେ ମଣିଷ କିପରି କଜିଆ ଭେଇ ବସେ, ଏ ସ୍କୁଲ୍ ଦୁଇଟି ତାହାର ଜ୍ୱଳନ୍ତ ସାକ୍ଷୀ । ପରେ ଅବଶ୍ୟ ଏ ସ୍କୁଲ୍ ଦୁଇଟି ମିଶି ଗାଁ’ରେ ଗୋଟିଏ ସ୍କୁଲ୍ ପାଇଁ ଗ୍ରାଣ୍ଟ୍‍ ମିଳିଲା ।

 

ଛୋଟାମାଷ୍ଟ୍ରେ ସ୍କୁଲ୍‍ଟିକୁ ନନ୍ଦନବନ କରି ରଖିଥିଲେ । ଅଳ୍ପଦୂରରେ ଆମ ବଉଁଶ ଓ ନାହାକିଆଙ୍କର ବାଉଁଶ ବଣ । ଏତେ ନିଘଞ୍ଚ ଯେ ଦିନରେ ବାଘ ପୁଅ ଜନ୍ମ କରିବ । ବରଗଛ ପରି ଡାଳ ମେଲାଇ ସ୍କୁଲ୍ ପଛକୁ ମସ୍ତବଡ଼ କଇଁଛ ଗଛ । ତା’ତଳେ ଗରିବ-ବୁଢ଼ୀ ଜହ୍ନ-ମା’ର କୁଡ଼ିଆ । ଜହ୍ନମା’ ନାହାକାଣୀ । ପୁଅ-ଝିଅ କେହି କେହି ନଥାନ୍ତି । ଆମର ସେଇ କଇଁଥ ଗଛ ମୂଳେ ସେ’ ଛୋଟ ପିଲାଟିଏ ମାରି ରହିଥାଏ ।

 

ମୋ ପିଲାଦିନର ବାଆ ତୋଫାନ୍ ଓ ବଢ଼ିବର୍ଷାରେ ଯେତେବେଳେ ବହୁ ଘରଦ୍ୱାର ଓ ଗଛ ଭାଙ୍ଗିଛି, ଆମ ଗାଁ ନଈ ଘାଉଆ ପାଣିରେ ବାଘଭାଲୁ ଭାସିଆସିଛନ୍ତି, ସେତେବେଳେ ଅଟଳ ରହିଛି ଜହ୍ନ-ମା’ର କୁଡ଼ିଆ । କବି ମାନସିଂହଙ୍କର ‘କୁଟୀର ଚିରନ୍ତନ’ର ସେ ଯେମିତି ଗୋଟାଏ ଅସଲରୂପ । ଏ ଜହ୍ନ-ମା’ ମରି ଉଡ଼ିଗଲା ପରେ ମଧ୍ୟ ତା’ କୁଡ଼ିଆ ଥିଲା । ଗୋରୁଗାଈ ଓ ପିଲାଛୁଆଙ୍କ ଦାଉରେ ପରେ ତାହା ମାଟିରେ ମଶିଗଲା । ଯାହାହେଉ ଜହ୍ନ-ମା’ର ସ୍ମୃତି ମୋ ମନରୁ ଲିଭିଲା ନାହିଁ । ମୁଁ ମୋର ପୂର୍ବୋକ୍ତ ‘ବିପଞ୍ଚୀ’ରେ ତା’ ସ୍ମୃତିରେ କବିତାଟିଏ ଲେଖିଥିଲି ବହୁବର୍ଷ ତଳେ ।

 

ଆଜି ସେସବୁ ଜାଗା ଓ ବାଉଁଶ ବଣ ‘କେରାଣ୍ଡିଆ’ ଗର୍ଭରେ ଲୁଚିଯାଇଛି । ଛୋଟା ମାଷ୍ଟ୍ରେ ମରି ସ୍ୱର୍ଗପୁରରେ ରହିଲେଣି । ସେତେବେଳର ସ୍ମୃତିଟା ଖାଲି ମୋ ମନରେ ସତେଜ ରହିଛି-। ଏ ବୟସରେ ଭାରି ଆନନ୍ଦ ଲାଗୁଛି ସେ ସ୍ମୃତିରେ ବୁଡ଼ିଯିବାକୁ । ତଥାପି ବାପା ଯେତେବେଳେ ପ୍ରଥମେ ମୋତେ ସେଠି ଛାଡ଼ି ଆସିଲେ ମୋତେ ସେ ଜାଗାଟା ଯମପୁରୀ ପରି ଲାଗିଲା । ମୋତେ ଶୁଣାଇ ଛୋଟମାଷ୍ଟ୍ରଙ୍କୁ କହି ଆସିଲେ, “ଟୋକାଟା ବଡ଼ ଦୁଷ୍ଟ ହେଉଛି । ତାକୁ ମାଡ଼ଦେଇ ଶାସନ କରିଦେବ ଯେମିତି ।’ ଛୋଟାମାଷ୍ଟ୍ରେ ଯେପରି ସଚ୍ଚୋଟ୍ ସେପରି ସ୍ପଷ୍ଟବାଦୀ । ଆମ ଘର ସହିତ ତାଙ୍କର ସମ୍ପର୍କ ମଧ୍ୟ ନିବିଡ଼ି । ତେଣୁ ମୁଁ ସେ ବୟସରେ ଆମ ଗାଁ’କୁ ଭିକ ମାଗିବାକୁ ଆସୁଥିବା ନାକୁଆ ଯୋଗୀକି କିପରି ଡରୁଥିଲି, ସେ କଥା ସେ ଭଲକରି ଜାଣିଥିଲେ । ପୁନ୍ଦାଳରୁ ଆସୁଥିବା ଏ ଯୋଗୀଟିର ନାକ ଗରମ ଖଣ୍ଡିଆ । ଛାମୁ ଦାନ୍ତ ଦୁଇଟା ମାଢ଼ି ସହିତ ବାହାରକୁ ଦିଶେ । ତେଣୁ ଭିକ ମାଗିଲେ ତା’ ସ୍ଵରଟା ନାକରେ କହିଲା ପରି ଶୁଭେ । ସେ ଯେତେବେଳେ ଆମ ଦୁଆରେ ଠିଆହୋଇ କେନ୍ଦରା ବଜାଇ “ପଁଧାନ ଘଁର ଭିଁକ୍‍କ ଦିଅ, ଭିଁକ” କହେ ମୁଁ ଚିର୍‍ଚିରେଇଲା ପରି ହୋଇ ବୋଉ ଛାତିରେ ମୁହଁ ଗୁଞ୍ଜିଦିଏ ।

 

ଛୋଟାମାଷ୍ଟ୍ରେ ଏକଥା ଭଲ ଭାବରେ ଜାଣନ୍ତି । ତେଣୁ ବାପାଙ୍କର ମାଡ଼ ଦେବାକଥା ଶୁଣି ସେ ଭୀଷଣ ଭାବରେ ରାଗିଗଲେ ଓ ସଙ୍ଗେ ସଙ୍ଗେ ବାପାଙ୍କୁ ଉତ୍ତର ଦେଲେ–“ତୁମ ପିଲାକୁ ତୁମେ ନେଇଯା, ଯେଉଁ ଛୁଆ ନାକୁଆ କାନୁଆକୁ ଦେଖି ଡରୁଚି, ମୁଁ ତାକୁ ମାଡ଼ଦେଇ ଶାସନ କରି ପାରିବି ନାହିଁ ।”

 

ବାପା ହସି ହସି କହିଲେ, “ପିଲାକୁ ଆକଟ କରିବା ପାଇଁ ମୁଁ ସେମିତି କହିଲି ନା । ଆଉ ପିଲାକୁ ଉଠାଇନେବି କାହିଁକି ? ତମ ଠାରୁ ଆଉ କଣ କିଏ ଅଧିକା ଶାସନ କରିବ ?”

 

ପାଠପଢ଼ା ‘ସିଦ୍ଧିରସ୍ତୁ’ରେ ଏ ହେଲା ଛୋଟାମାଷ୍ଟ୍ରଙ୍କ ସ୍ମୃତି । ପରେ ମାଟ୍ରିକ ପଢ଼ିବାକୁ ଯାଇ ତାଙ୍କୁ ଦୋହଳି ମଡେଲ୍ ହାଇସ୍କୁଲରେ ସ୍ଥାନୀୟ ଅଭିଭାବକ ଭାବରେ ପାଇଲି । ସେ ସେତେବେଳକୁ ବୁଢ଼ା ହୋଇଗଲେଣି । ତଥାପି ତାଙ୍କର ସ୍ପଷ୍ଟବାଦିତା ସଙ୍ଗେ ମୋ’ ପାଇଁ ତାଙ୍କର ଅମାୟିକ ସ୍ନେହ ସେତେବେଳକୁ ତାଙ୍କ ଅନ୍ତରରେ ବଞ୍ଚିରହିଥାଏ । ହାଇସ୍କୁଲରେ ନାମ ଲେଖାଇଲା ଦିନ ମୋତେ ଦେଖି ସେ କୋଟିନିଧି ପାଇଲା ପରି ହେଲେ । ନିଜ ହାତଗଢ଼ା ଛୁଆକୁ ଉନ୍ନତିର ପାହାଚରେ ଦେଖିଲେ ଜୀବନ ବଗିଚାର ଏଇ ମାଳିମାନଙ୍କ ମନରେ କି ଆନନ୍ଦ ଆସେ, ତାହା ମୁଁ ନିଜେ ମୋ ବେଉଷାରେ ପରେ ଅନୁଭବ କଲି । ସେ ଛାତ୍ର-ଶିକ୍ଷକ ସମ୍ପର୍କ କି ମଧୁର, ତା’ କଥାରେ କହିହେବ ନାହିଁ । ତାହା ବଚନ ବିଷୟ ନୁହେଁ, ହୃଦୟ କେବଳ ଅନୁଭବ କରିପାରେ । ଆଜିକାର ଗୁରୁ-ଶିଷ୍ୟ ବାଜପାରା ପାଲଟିଥିବା ବେଳେ ସେ କଥା ଆଉ କହିବ କାହିଁକି ? ତଥାପି ଟିକେ ନ ସୁଚାଇଲେ ଚଳୁନି । କାରଣ ଅତୀତର ଛିନ୍ନ-ଡାଏରୀର ସେ ବି ଏକ ପୃଷ୍ଠା । ଆକାରରେ ଦୀର୍ଘ ନହେଲେ ମଧ୍ୟ ପ୍ରଭାବରେ ବେଶ୍ ଗରୀୟାନ୍ ।

Image

 

ବିଚଣାରୁ ବଳରାମପୁର

 

ଛୋଟାମାଷ୍ଟ୍ରଙ୍କ ପାଖେ ବସିବା ଠାରୁ ଆରମ୍ଭ କରି ତୃତୀୟ ଶ୍ରେଣୀ ପାଠ ଶେଷ କରିବା ଯାଏ ମୁଁ ଗାଁ’ ନି.ପ୍ରା. ସ୍କୁଲରେ ପଢ଼ିଲି । ଆଜି ଅବଶ୍ୟ ଗାଁ’ରେ ମାଇନର୍ ସ୍କୁଲ୍ ଖୋଲିଲାଣି । ସେତେବେଳେ ମାଇନର୍ ସ୍କୁଲ୍ ବୋଇଲେ ଆମ ଗାଁ’ ଆଖପାଖରେ କରିଲୋପାଟଣା । ବାଟ ଅଧକୋଶ ହେବ । ସେଠିକି ଯିବା ପୂର୍ବରୁ ଗାଁ’ ସ୍କୁଲରେ ଯାହା ସବୁ ପଢ଼ିଥିଲି ସେ ପଢ଼ିବା ନ ପଢ଼ିବା ସଙ୍ଗେ ସମାନ । କାରଣ, ମୋ ଜୀବନ ଗଢ଼ିବାରେ ସେ ପଢ଼ା କିଛି ସାହାଯ୍ୟ କରିଛି ବୋଲି ମୋର ମନେ ହୁଏ ନାହିଁ । ବରଂ, ଏଇ ବେଳରେ ମୋ ପରିବାରର କେତେକ ପରମ୍ପରା, ମୋ ଅଜାଣତରେ ମୋର ଭବିଷ୍ୟତ ଜୀବନ ପାଇଁ ମୂଳଦୁଆ ପକାଇଛି । ଅମାପ ଧନ-ସମ୍ପଦ ଓ ବିଷୟ-ବାସନା ସଙ୍ଗକୁ ଉଚ୍ଚଶିକ୍ଷା ଯେ ଏକ ଆବଶ୍ୟକତା, ସେକଥା ସେତେବେଳେ ଆମ ଘରେ କେହି ବୋଧହୁଏ ଅନୁଭବ କରିନଥିଲେ । ତେଣୁ ଆଜିକାଲିର ସୌଦାଗରୀ ଶିକ୍ଷା ବା ‘ଚାକିରି ପାଇଁ ପାଠ’ ସେମାନଙ୍କ ଗୋଚରକୁ ନଆସିଥିବା ବିଚିତ୍ର କଥା ନୁହେଁ । ସୁତରାଂ, ନିହାତି ମାମୁଲି ରୀତିରେ ମୋ ପାଠପଢ଼ାଟା ଚାଲିଥାଏ । ଆଜିକାଲି ଯେଉଁ ବଅସରେ ପିଲାମାନେ ଖୁବ୍ ଆତ୍ମସଚେତନ ସେ ବୟସରେ ମୁଁ ଗାଁ’ ସ୍କୁଲରୁ ଫେରି ବୋଉ-ଥନରେ ମୁହଁ ପୂରାଇ କ୍ଷୀର ଖାଉଥିଲି । ବୋଉ, ବାପା, କି ଜେଜେମା ଏଥିପାଇଁ ହ’ ଅଟକ କରୁନଥିଲେ । କିନ୍ତୁ ମୋ ବଡ଼ବାପା-ପୁଅ-ଭାଇ ଏଥିଲାଗି ମୋତେ ବହୁଥର ପିଟିଥିବେ । ଏଡ଼େ ବଡ଼ଟା ହେବାଯାଏ ବୋଉଠାରୁ କ୍ଷୀର ଖାଇବା, ଆଜିକାଲିକା ପିଲାଙ୍କୁ ଅସଂଗତ ବୋଧ ହୋଇପାରେ । କିନ୍ତୁ ସେତେବେଳେ ପ୍ରତି ଗାଁ’ରେ ମୋ ପରି ଦି’ଟା ଉଦାହରଣ ବିରଳ ନଥିଲେ । ବାପା କହନ୍ତି, ବୋଉ କ୍ଷୀର ଛାଡ଼ିଲା ଦିନୁଁ ମୋ ଦେହ ଭାଂଗିଗଲା ଓ ପାଠଧୂଳି ପଡ଼ିବାରୁ ମୁଁ କୁଆଡ଼େ ଦିନକୁ ଦିନ ଶୁଖିଗଲି । ବେଶୀଦିନ ମା’କ୍ଷୀର ଖାଇ ଥିବାରୁ ମୋର ସ୍ମୃତି-ଶକ୍ତି ଖୁବ୍ ପ୍ରଖର ହେଲା ବୋଲି ସେ ଅନୁମାନ କରନ୍ତି । ଯାହାହେଉ ଏଇ ବୟସରେ ଆମେ ସବୁ ଗାଁ’ସ୍କୁଲରୁ ଆସିଲେ ଜାତି-ଅଜାତି ସଂଗରେ ପାଠ ପଢ଼ୁଛୁ ବୋଲି ଆମକୁ ଲଙ୍ଗଳା ହୋଇ ଘରକୁ ପଶିବାକୁ ହେଉଥିଲା । ଗାଧୁଆଗାଧି କରି ଆସିଲେ ଆମେ ପୁଣି ହକଳା ଲୁଗା ପିନ୍ଧି ଘରଲୋକଙ୍କ ସଙ୍ଗରେ ମିଶୁଥିଲୁ ।

 

ମୋଟ ଉପରେ କହିଲେ, ପଢ଼ାପଢ଼ି ଅପେକ୍ଷା ଭାଇଙ୍କି ଲୁଚାଇ ବୋଉଠାରୁ କ୍ଷୀର ଖାଇସାରିବା ପରେ ଜେଜେମା’ ଠାରୁ ଗପ ଓ ବାପାଙ୍କ ଠାରୁ ବୈଦେହୀଶ ବିଳାସ, ଲାବଣ୍ୟବତୀ ତଥା ବିଦଗ୍ଧ ଚିନ୍ତାମଣିର ଛାନ୍ଦବୋଲା ଶୁଣିବାକୁ ମୋତେ ବିଶେଷ ଭଲ ଲାଗୁଥିଲା । ଅତି ପିଲାଦିନେ ଡରରେ ଜେଜେବାପାଙ୍କ ପାଖ ମାଡ଼ୁନଥିଲି । ଆଉ ମଧ୍ୟ ମୋ’ ହେତୁ ପାଇଲାବେଳକୁ ସେ ସଂସାର ଛାଡ଼ି ଚାଲିଯାଇଥିବାରୁ ତାଙ୍କ ପାଖ ମୋ’ ପାଇଁ ଚିରଦିନ ଅମଡ଼ା ହୋଇ ରହିଗଲା । ବାପା ବେଳେ ବେଳେ ତାଙ୍କ ସାବିକ କାଳର କଥା କହି ବସନ୍ତି । ବାପାଙ୍କର ବିଶ୍ୱାସ, ଭଲ ହେଉ ବା ମନ୍ଦ ହେଉ ବଂଶର ଇତିହାସଟା ମନେରଖିବା ଉଚିତ । କାରଣ, ଏହା ବ୍ୟତୀତ ଜୀବନଟା ପୂର୍ଣ୍ଣାଙ୍ଗ ହୁଏନାହିଁ । ଏ କଥାର ଗୁରୁତ୍ଵ ସେତେବେଳେ ମୁଁ ବୁଝିପାରି ନଥିଲେ ମଧ୍ୟ ପରେ ଅନୁଭବ କରୁଛି ଏହା ଷୋଳପଣି ସତ୍ୟ । କାରଣ ଅତୀତକୁ ଛାଡ଼ି ଏକାନ୍ତ ବର୍ତ୍ତମାନର ଜୀବନଟା ପ୍ରାୟ ମୂଲ୍ୟହୀନ । ବିଶେଷତଃ ମୋ ଜୀବନରେ ପରମ୍ପରାର ଏ ସ୍ମୃତି, କେବଳ ସ୍ମୃତି ହୋଇ ରହିଲା ନାହିଁ-। ଏହା ମଧ୍ୟରୁ ମୁଁ ମୋର ଆଗାମୀ ଯାତ୍ରାପଥ ପାଇଁ ବହୁ ପାଥେୟ ମଧ୍ୟ ପାଇଲି । ତେଣୁ ‘ବିଚଣାରୁ ବଳରାମପୁର’ ଭଳି ବହୁସ୍ମୃତି ଭିତରେ ମଣିଷ ଜୀବନର ଯେଉଁ ଟାଣୁଆ ଟାଣୁଆ ଖିଅଟିମାନ ଲୁଚି ରହିଛି, ତାହା ଅନ୍ୟ ଆଖିରେ ଯେତେ ଅବାନ୍ତର ହେଲେ ମଧ୍ୟ ତାହାହିଁ ସେ କାଳରେ ମୋର ବାସ୍ତବ ଶିକ୍ଷାର ସୋପାନ ପକାଇଥିଲା । ଆଈମା ଓ ବାପାଙ୍କ ତୁଣ୍ଡରୁ ମୁଁ ସେଗୁଡ଼ିକୁ ରୂପକ ପରି ଶୁଣି ଯାଉଥିଲି । କିନ୍ତୁ ପରେ ଦେଖିଲି ଏହାର ଅନ୍ତରାଳରେ ଥିବା ଆଦର୍ଶଗୁଡ଼ିକ ମୋ’ପାଇଁ କେବଳ ରୂପକ ହୋଇ ରହିଲା ନାହିଁ । ଏହା ନିଛକ୍ ବାସ୍ତବତାରେ ପରିଣତ ହୋଇ ମୋ ଜୀବନର କନ୍ଦିବିକନ୍ଦିରେ ଏପରି ଲଟେଇ ପଟେଇ ହୋଇ ରହିଲା ଯେ ମୁଁ ଚେଷ୍ଟା କରି ସେଥିରୁ କୌଣସିଟିକୁ ମୋ ଅନ୍ତରରୁ କାଢ଼ି ଦେଇ ପାରିଲିନାହିଁ । ସେହେତୁ ସେ କେବଳ କେତୋଟି ସ୍ମୃତି ଏଠାରେ ଉଲ୍ଲେଖ କରିବା ବୋଧହୁଏ ଅସଂଗତ ହେବ ନାହିଁ ।

 

ଆମ ବଂଶର ଆଦି ଭୂଇଁ ଥିଲା ବିଚଣା । ଆମର ବର୍ତ୍ତମାନର ଘର ବଳରାମପୁର ଠାରୁ ତିନିକୋଶ ବାଟ ହେବ । ସେଠୁ ବାପାଙ୍କର ବହୁ ପିଡ଼ି ତଳର କେଉଁ ପୂର୍ବପୁରୁଷ, ଭାଇଆଳି କଳିରେ ଅତିଷ୍ଠ ହୋଇ ଏ ଭୂଇଁକୁ ଚାଲି ଆସିଥିଲେ । ଧର୍ମକୁ ସାକ୍ଷୀ କରି ସେ ଦେହେ ଦେହେ ପଳାଇ ଆସିଲେ । ଆସିଲାବେଳେ ଭାଇଆଳି ସମ୍ପତ୍ତିତ ଦୂରର କଥା, ଦା’ ବାଡ଼ି ଖଣ୍ଡେ ସୁଦ୍ଧା ସଙ୍ଗରେ ଆଣିଲେ ନାହିଁ । ଲୋକେ କହନ୍ତି ଧର୍ମକୁ ଆଶ୍ରାକରି ସେ’ଦିନ କେତୁଟାରେ ଏଠି ଭଲ ବିଷୟ ବାସନା କରିଗଲେ । ବଂଶ ପରମ୍ପରା କ୍ରମେ ଧନ, ଜନ ଓ ଗୋପଲକ୍ଷ୍ମୀର ସୁଅ ଛୁଟିଲା । ନଅଙ୍କ ସମୟର ଥିଲାବାଲା ଭାବରେ ମୋ’ ଅଣଅଜା ଅଭିରାମ, ଲୋକଙ୍କ ମୁହଁରେ ଢୋକେ ଦେଇ ସେମାନଙ୍କ ପ୍ରାଣ ବଞ୍ଚାଇବାକୁ ପଶ୍ଚାତ୍‍ପଦ ହୋଇ ନଥିଲେ । ତାଙ୍କର ସମସ୍ତ ଦାନ ଖୈରାତ୍ ଏପରି ଗୋପନରେ କରାଯାଉଥିଲା ଯେ ତହିଁରୁ ଦାତା କିଏ ଜାଣିବା, ଗ୍ରହୀତା ପକ୍ଷରେ ମଧ୍ୟ ସମ୍ଭବ ହେଉନଥିଲା । ଆଜିକାଲି ଯୁଗରେ ଦାନ ଯାହା ହେଉନା କାହିଁକି, ଦାତାର ନାଁ’ଟା କିପରି ଫିଟୁ,–ଏ ପନ୍ଥାର ସେ ତୀବ୍ର ବିରୋଧୀ ଥିଲେ । ସରଳ ଧର୍ମ ବିଶ୍ୱାସ, ତାଙ୍କ କର୍ମ ଜୀବନର ମୂଳମନ୍ତ୍ର ଥିଲା । ଏ ବିଷୟରେ ଗୋଟିଏ ସୁନ୍ଦର କାହାଣୀ ଅଛି ଓ ଏ କାହାଣୀର ସଜଳ ସ୍ମୃତି ଆଜିଯାଏ ଆମ ମନରେ ସାଇତା ରହିଛି । ପିଲାଦିନୁ ଏ କଥାଟି ବାପାଙ୍କଠାରୁ ଶୁଣି ଶୁଣି ଏହା ମୋତେ ଏତେ ଅଭିଭୂତ କରିଥିଲା ଯେ ଆଜିଠୁଁ ପ୍ରାୟ ୧୨।୧୩ ବର୍ଷ ତଳେ ଲିଖିତ ‘ତେଲଙ୍ଗା ତୁଠ’ ଓ ୮ ବର୍ଷ ତଳେ ଲିଖିତ ଏକ ଶିଶୁ ଉପଯୋଗୀ କବିତାରେ ମୁଁ ଏହାକୁ ରୂପ ଦେଇଥିଲି । କଥାଟି ହେଲା ଏହି ଯେ ଏବେ ଆମ ଗାଁ’ର ଉତ୍ତରରେ ବିଲ ବଳରାମପୁର ବୋଲି ଯେଉଁ ଗାଁଟି ଦେଖାଯାଏ ସେତେବେଳେ ତାହା ଆମ ଗାଁ’ର ସାମିଲ୍ ମୌଜା ଥାଏ । ତେଣୁ ଆଜିକାଲି ଆମ ଗାଁ’କୁ ଯେପରି ଡିହବଳରାମପୁର ଓ ସେ ଗାଁକୁ ବିଲବଳରାମପୁର କୁହାଯାଉଛି, ତାହା କହିବା ଦରକାର ପଡ଼ୁନଥାଏ । ସାଧାରଣରେ ଉଭୟର ନାଁ ଥିଲା ବଳରାମପୁର । ନଅଙ୍କ ପରେ କେନାଲ୍, ଯାଇ ଏକାଭୂଇଁକୁ ଦିଖଣ୍ଡ କରିଦେଇଛି । ସେତେବେଳେ କିନ୍ତୁ ଏ ପାର୍ଥକ୍ୟ ନଥିଲା । ଉଭୟ ଧୋଇଆ ଗାଁ’ । ମଝିରେ ରୂପାର ଖିଅପରି ଲୁଣୀ ନଈର ଧାର ଦି’ଗାଁ’କୁ ଏକ ସୁତ୍ରରେ ବାନ୍ଧି ଦେଇଥିଲା । ଧୋୟା ପୃଥ୍ଵୀକୁ ଅଧୋୟା କରି ବନ୍ଧବାଡ଼ କରିବାକୁ ଦକ୍ଷିଣରୁ ଜଣେ ଠିକାଦାର ଆମ ଏଠିକି ଆସିଥିଲେ । ବାପା ବଡ଼ବାପାଙ୍କ ଭାଷାରେ ତାଙ୍କ ନାମ ଥିଲା ପୁରସ୍ତମ ରାଢ଼ୁ । ଜାତିରେ ତେଲେଙ୍ଗା ଏମିତି ନାମ ବୋଧହୁଏ ତେଲଙ୍ଗ ଭୂମିରେ ନଥିବ । ପର ଜୀବନରେ ଦ୍ରାବିଡ଼ ଭାଷା ଉପରେ ଗବେଷଣା କଲାବେଳେ ଏ ନାମଟିର ପ୍ରକୃତ ତଥ୍ୟ ମୁଁ ପାଇଲି ।

 

ସେ ଭଦ୍ରଲୋକ ବର୍ତ୍ତମାନର ଆନ୍ଧ୍ର ବା ଗଞ୍ଜାମର କେଉଁ ମୂଲକର ହୋଇଥିବେ ନିଶ୍ଚୟ ଏବଂ ତାଙ୍କର ଅସଲନାମ ପି. ରାୟୁଡ଼ୁ ବା ପୁରୁଷୋତ୍ତମ ରାୟୁଡ଼ୁ ହୋଇଥିବା ଖୁବ୍ ସମ୍ଭବ । ହେଲେ ମୁଁ ତାଂକୁ ସେହି ପୁରସ୍ତମ ରାଢ଼ ନାମରେ ଡାକିବି । ସେ ଅନେକ ବର୍ଷ ଧରି ଏଠି ଠିକାଦାରି କରିବାପରେ ଏ ଅଞ୍ଚଳରେ ଜଣାଶୁଣା ହୋଇଯାଇଥିଲେ ଓ ଭାଷାଭାବରେ ପୂରା ଓଡ଼ିଆ ପାଲଟି ଯାଇଥିଲେ । ତାଙ୍କର ସୁଦିନ ଏଠି ଯେତିକି ଆନଂଦମୟ ତାଂକ ଦୁର୍ଦ୍ଦିନ ସେତିକି ଶୋକାବହ । ଏ ଅଞ୍ଚଳର ଗୋବିନ୍ଦ ମଂଗରାଜ ଅକାରଣରେ ଜଅକସ ରଖି, ଦାଉ ସାଧିବାକୁ ତାଙ୍କ ଉପରେ ଯେତେବେଳେ ୱାରଣ୍ଟ୍ ଜାରୀ କରାଇଲେ ସେ ଲଜ୍ଜା, ଅପମାନ ଭୟରେ କେତେଦିନ ଆମ ଅମାରତଳେ ଲୁଚିରହି ଆତ୍ମଗୋପନ କଲେ । ସେ ଵହୁତ କଥା, କହି ବସିଲେ ପୋଥିଏ ପାଠ ହେବ । ସେଇ ପୁରସ୍ତମ ରାଢ଼ୁ ଆସିବାର କେତେବର୍ଷ ହୋଇଗଲାଣି । କଟକ ଠାରୁ ମାର୍ଶାଘାଇ ଯାଏ କେନାଲ, ଖୋଳା ଚାଲିଥାଏ । ନଅଙ୍କ ଫେରନ୍ତା କଂକାଳଗୁଡ଼ିକ କୁଲି, ମଜୁରିଆ । ସାଙ୍ଗେ ସାଙ୍ଗେ ମୁଲ ନେଲେ ତାତିଲା ପେଟକୁ ଦାନା ତୋରାଣି ଦେବେ । ସେଥର ସରକାରୀ ଟଙ୍କା ମିଳିବାରେ ଡେରିଥାଏ । ଆଜିକାଲି ଭଳି ଯିଏ ପାରେ ସିଏ ପାଞ୍ଚଶ ହଜାରେ ଗଣିଦେବା ସେତେବେଳେ ସମ୍ଭବ ହେଉନଥିଲା । କାହା ପାଖରେ କିଏ ଟଙ୍କାର ମୁଦ୍ରା ଦେଖିଲେ ଲୋକେ ତାକୁ ଧନୀ ବୋଲି ଭାବୁଥିଲେ । ଏପରିକାବେଳରେ ମୋ’ ଅଣଅଜା (ଜେଜେଙ୍କର ବାପା) ଧାନ ଆଉ ଧନରେ ଟିକେ ଜୀଅନ୍ତିଆ ଥାଆନ୍ତି । ପୁରସ୍ତମ ରାଢ଼ୁ କୁଲିମଜୁରିଆଙ୍କ ପାଉଣା ଦେବାକୁ କେଉଁଠି ଟଙ୍କା ନ ପାଇ ଲୋକଙ୍କଠାରୁ ଖୋଜ୍ ଖବରନେଇ ଦିନେ ଖରାବେଳେ ତାଙ୍କ ପାଖରେ ପହଞ୍ଚିଲେ । ଦକ୍ଷିଣିଆ ଲୋକ, ବେଶ୍ ଚାଲାକ୍ ଚତୁର । ପୁରୀ ମହାପ୍ରସାଦରୁ ମୁର୍ତ୍ତିଏ ସଂଗରେ ଆଣିଥାନ୍ତି । କଥାବାର୍ତ୍ତା ହେଉହେଉ ଅଣଅଜାଙ୍କ ହାତରେ ମାହାର୍ଦ ଦେଇ ମିତ ବସିଲେ । କିଛକ୍ଷଣ ପରେ ବେଳଉଣ୍ଡି ତାଙ୍କ ହାରିଗୁହାରି ତାଙ୍କୁ ଜଣାଇଲେ । ଏତିକି କଥାରେ ମିତର ଦରଜ ବୁଝି ପୁଡ଼ାଏ ରୂପାଟଙ୍କା କାଖରେ ଜାକି ଅଣଅଜା ତାଂକ ମିତକୁ ବଳାଇ ଦେବା ଲାଗି ଆମ ବଡ଼ତୋଟା ଡେଇଁ ଲୁଣୀ ନଈ କୂଳଯାଏ ଗଲେ । ଦି’ପହର ନଇଁଲାଣି । ଲୁଣୀନଈର ନିଛାଟିଆ ବାଲିରେ ତାଙ୍କୁ ଟଙ୍କାପୁଡ଼ାଟି ବଢ଼ାଇଦେଲେ । ପୁରସ୍ତମ ରାଢ଼ୁ ଟଙ୍କା ପାଇ ସାରିବା ପରେ ତାଙ୍କ ମନ ବିଡ଼ିବା ପାଇଁ ପଚାରିଲେ, “ଆଚ୍ଛା ମିତ, ମୋ ଘରତ କେଉଁ ମୁଲକରେ ତୁମେ ଜାଣିନା । ବିନା ଦଲିଲ୍, ଦସ୍ତାବିଜ୍ ବା ସାକ୍ଷୀ ସବୁତରେ ତୁମେ ମୋତେ ଏତେଗୁଡ଼ାଏ ଟଙ୍କା ବଢ଼ାଇଦେଲା । ମୁଁ ଯଦି ନ ଦିଏ ??”

 

ଅଣଅଜା ହସି ହସି ଉପରକୁ ହାତ ଟେକିଲେ, ଅର୍ଥାତ୍ କେହି ନ ଦେଖିଲେ ଧର୍ମ ତ ଦେଖୁଛି । ଏହାକୁ ଫାଙ୍କିଦେଇ ତୁମେ କେଉଁଠି ରହି ପାରିବ କି ?

 

ଏହିପରି କେତେକ ଘଟଣା, ଦକ୍ଷିଣ ଦେଶରେ ଜଣେ ଠିକାଦାରଙ୍କୁ ଆମ ପରିବାର ସହିତ ଏପରି ସ୍ନେହମାୟାରେ ବାନ୍ଧି ଦେଇଥିଲେ ଯେ ସେ ବନ୍ଧବାଡ଼ କାମ ସାରି ନିଜ ଭୂଇଁକୁ ଫେରିଗଲାବେଳେ ଆମ ଘରେ ଗୋଟିଏ ସ୍ମୃତିର ସନ୍ତକ ରଖି ଦେଇଗଲେ, ଯାହା ଏବେ ବି ‘ପୁରସ୍ତମ ରାଢ଼ୁ’ଙ୍କୁ ଆମ ବଂଶର ଇତିହାସରେ ଜୀବନ୍ତ କରି ରଖିପାରିଛି ।

 

ସେ ସନ୍ତକଟି ହେଲା କଂସାରେ ତିଆରି ଖଣ୍ଡିଏ ସୁନ୍ଦର ଢାଳ । ତଳେ ତେଲୁଗୁରେ ଗୋଟିଏ ଅକ୍ଷର ଲେଖା ହୋଇଛି । ମୋ ଜେଜେବାପା ମରିବାଯାଏ ତହିଁରେ ଟଙ୍କା ପଶି ତାହା ସିନ୍ଦୁକରେ ରହୁଥିଲା । ଏବେ ଆଳିମାଳିକାରୁ ବାହାରି ତାହା ଚୋର ହସ୍ତଗତ ହୋଇସାରିଲାଣି । ଆମ ଅଞ୍ଚଳ ଛାଡ଼ିବାର ପୂର୍ବରାତି ପୁରସ୍ତମ ରାଢ଼ୁ ତାଙ୍କ ମିତକୁ ବନ୍ଧ ଉପରକୁ ଡକାଇନେଲେ । ଦୁଇମିତ ନୂଆ କେନାଲ ବନ୍ଧ ଉପରେ ବସି ବହୁବେଳଯାଏ ଗପସପ ହେଲେ । ଅଣଅଜା ଫେରିଲାବେଳକୁ ତାଙ୍କ ହାତକୁ ନିଜ ଦେଶରୁ ଅଣାଇଥିବା ଢାଳଖଣ୍ଡିକ ବଢ଼ାଇଦେଇ ସେ ଦରଦର କଣ୍ଠରେ କହିଉଠିଲେ—“ବୁଝିଲ ମିତ, କାଲି ଏତେବେଳକୁ ମୁଁ ଏଠି ନଥିବି କି ତମେ ଏଠି ନଥିବ-। ମୁଁ ଚାଲିଯିବି ମୋ ଦେଶକୁ, ତମେ ରହିବ ତମ ଦେଶରେ । ମଲେ ହଜିଲେ କେହି କାହାର ଖବର ପାଇବା ନାହିଁ । ଏ ଢାଳଖଣ୍ଡିକ ନିଅ । ଏଥିରେ ପାଣି ଖାଇଲାବେଳେ ମତେ ଅନ୍ତତଃ ମନ ପକାଉଥିବ ।” ଦୁଇ ମିତ ଲୋତକପୂତ ହୋଇ ଉଠିଲେ । ଅଣଅଜାଙ୍କର ବହୁ ମନା ସତ୍ତ୍ଵେ ସ୍ନେହର ସେ ଉପହାରଟି ତାଙ୍କୁ ଗ୍ରହଣ କରିବାକୁ ପଡ଼ିଲା । ଏସବୁର ସାକ୍ଷୀ ‘ତେଲଙ୍ଗା ତୁଠ’, ଆଜିସୁଦ୍ଧା ବିଲବଳରାମପୁର କେନାଲ କୂଳରେ ରହିଛି । ଅଣଅଜାଙ୍କ ଅନୁରୋଧରେ ପୁରସ୍ତମ ରାଢ଼ୁ ସେ ଗାଧୁଆ ତୁଠଟି କରାଇ ତା’ ନାଁ ରଖିଥିଲେ “ତେଲଙ୍ଗାତୁଠ” । ଏହିପରି ଅସୁମାରୀ ଘଟଣାରେ ଅଣଅଜା ଅମଳରୁ ଆଜିଯାଏ ମୁସଲ୍‍ମାନ, ଖ୍ରୀଷ୍ଟିୟାନ୍, ତେଲେଙ୍ଗା ଓ ବଙ୍ଗାଳୀ ଆମର ସୂର୍ଯ୍ୟ-ବଂଧୁ ।

 

ମଧ୍ୟବର୍ତ୍ତୀକାଳରେ ହିନ୍ଦୁ ସମାଜର ସଂକୀର୍ଣ୍ଣ ଜାତିଆଣ ଭାବ ଓ ଧର୍ମବିଦ୍ୱେଷ ସତ୍ତ୍ଵେ ସମସ୍ତ ଜାତି ଓ ଉପଜାତି ପାଇଁ ଆମର ଦ୍ୱାର ଉନ୍ମୁକ୍ତ ଥିଲା । ସୁତରାଂ ବାହାରୁ ଲଖରାଜିଦାର୍‍ର ରାଜତନ୍ତ୍ରୀ ଆଟୋପ ଥିଲେ ମଧ୍ୟ ହୃଦୟରାଜ୍ୟରେ ମୋ ପୂର୍ବପୁରୁଷମାନେ ଥିଲେ ସଚ୍ଚା ସାମ୍ୟବାଦୀ ବା ସମାନତାବାଦୀ । ଏହା ନ ହୋଇଥିଲେ ସାମାନ୍ୟ ସ୍ନେହଶ୍ରଦ୍ଧାରେ ସେମାନେ ଏତେଦୂର କିଣି ହୋଇ ଯାଇନଥାନ୍ତେ । ସମୟ ବିଶେଷରେ ମହାଜନି ଲାଖରାଜିର ଯେଉଁ କିଛି ଦମନଲୀଳାରେ ଆମ ଘରଟା ମୋ ଜନ୍ମ ପୂର୍ବରୁ ନିଃଶ୍ୱାସରୁନ୍ଧା ହୋଇ ଉଠି ଥିବାର ମୁଁ ଶୁଣେ, ତାହା ହୁଏତ ମୋ ବାପ ଗୋସ ବାପଙ୍କର ଅସଲ ରୂପ ନୁହେଁ । ଅବସ୍ଥାଚକ୍ରରେ ସେମାନେ ସିଂହ ବାଘର ଛାଲ ଘୋଡ଼ାଇ ହୋଇଥିଲେ ମଧ୍ୟ ତାଙ୍କ ହୃଦୟରେ ଦୟାମାୟା ଓ ଧର୍ମ ପାଇଁ ନିଶ୍ଚିତଭାବରେ ଏକ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଥିଲା । ତାହାହିଁ ସେମାନଙ୍କର ବ୍ୟକ୍ତିଜୀବନ ନିହାତି ନିଜସ୍ଵ । ମୋ ଜନ୍ମବେଳକୁ ମହାଜନିର ସେ ଧନଦୌଲତ ଓ ଅତ୍ୟାଚାର ପ୍ରାୟ ଲୋପ ପାଇ ଆସୁଥିଲା । ତେଣୁ ମୋ ପିଲାଦିନେ ମୋ ଜେଜେମା ଓ ବାପାବୋଉ ଇତ୍ୟାଦିଙ୍କୁ ମୁଁ କେତୋଟି ସରଳ ଧର୍ମପରାୟଣ ଜୀବ ଭାବରେ ଦେଖିବାକୁ ପାଇଥିଲି । ସେମାନଙ୍କ ସ୍ନେହ, ଭାବପ୍ରବଣତା ଓ ଦିଅଁ ଦେବତା ଭୟ ମୋ ଜୀବନର ଭବିଷ୍ୟତ ପାଇଁ କମ୍ ପ୍ରଭାବ ଛାଡ଼ିନଥିଲା । ଏସବୁ ଦିଗରେ ମୋ ଜେଜେମା’ର ପ୍ରଭାବ ବିଶେଷ ଶକ୍ତିଶାଳୀ । ମାଘମାସର ବାଘ ପରି ଜାଡ଼ରେ ମୁଁ ତା’ କୋଳରେ ଶୋଇ “ରାଧିକା ବୋଇଲେ ଦୂତିକା ମୋତେ ଜର କରିଛି” ଓ ସେ ଜରର ଅରୁଚି ଛଡ଼ାଇବାପାଇଁ ରାଧା କିପରି “କଦମ୍ବମୂଳିଆ-କଦଳୀଭଜା” ଓ “ଜନାର୍ଦ୍ଦନ– ଜହ୍ନିରାଇତା” ଇତ୍ୟାଦିକୁ ମନ ବଳାଇଛନ୍ତି, ତାହା ବହୁବାର ଶୁଣିଛି । ମୋର ସେକାଳର ଚପଳ ଜୀବନକୁ କ୍ରମେ ସ୍ଥିର ଓ ଶୀତଳ କରିବାରେ ଏ ସମସ୍ତ ଯେ କୌଣସି ଶିକ୍ଷାଠୁଁ ଅଧିକ କାମ ଦେଖାଇଛି । ସୁତରାଂ, ମୋର ବ୍ୟକ୍ତିଗତ ଜୀବନରେ ମୋ ସାଆନ୍ତ ମା ମୋର ସବୁଠାରୁ ବଳି ଅଧିକ ଆପଣାର । ଏ ଜନ୍ମରେ ସେ ଓ ମୋ ବୋଉ ମୋ’ଠାରୁ ଲୁଣକଡ଼ାକର ସୁଆଦ ପାଇନାହାନ୍ତି । କାରଣ ଆଗପଛ ଡକାଡକି ହୋଇ ସେମାନେ ଚାଲିଗଲେ । ମୁଁ କେବଳ ଜଳଜଳ ଆଖିରେ ସେମାନଙ୍କର ଯିବାପଥକୁ ଚାହିଁ ରହିଥିଲି । ତେଣୁ ସେମାନଙ୍କର ଋଣ ଜନ୍ମେ ଜନ୍ମେ ଅଶୁଝା ରହିଗଲା ।

Image

 

ମାଇନରରେ ନାଁ ଲେଖା

 

ଗାଁ’-ସ୍କୁଲ ପାଠ ସାରିଲାବେଳକୁ ମୋର ବୟସ ହୋଇଥାଏ ନ’କି ଦଶ । ଆଜିକାଲି ଯେଉଁ ବୟସରେ ପିଲାମାନେ ୫ମ ୬ଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି, ସେ ବୟସରେ ମୁଁ ୪ର୍ଥ ଶ୍ରେଣୀରେ ନାମ ଲେଖାଇଲି । ପୂର୍ବରୁ କହିଛି କରିଲୋପାଟଣା ଆମଘରଠାରୁ ସେତେ ଦୂର ନୁହେଁ । ସେଠିକା ସ୍କୁଲରେ ମୋର ନାମ ଲେଖାହେଲା । ସେତେବେଳକୁ କରିଲୋପାଟଣାରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ହୋଇନଥାଏ । କେବଳ ମାତ୍ର ମାଇନର୍ ସ୍କୁଲ୍ ଖୋଲିଥାଏ । ପ୍ରତିଷ୍ଠାତା ୰କାଶୀନାଥ ଦାସ (ଆଡଭୋକେଟ୍)ଙ୍କ ସ୍ଵର୍ଗତଃ ପିତା ଜୟରାମଦାସଙ୍କ ନାମାନୁସାରେ ଏହାର ନାମ ରଖାଯାଇଥାଏ ଜୟରାମ ମଧ୍ୟ ଇଂରାଜୀ ବିଦ୍ୟାଳୟ । ପରେ ଉକ୍ତ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଉଚ୍ଚ ଇଂରାଜୀ ହେଲାବେଳକୁ ଏହାର ନାମ ମଧ୍ୟ ‘ଜୟରାମ’ ଉଚ୍ଚ ଇଂରାଜୀ ବିଦ୍ୟାଳୟ ରଖାଗଲା ।

 

ସନ ୧୯୩୮ ମସିହାରେ ମୋର ମାଇନର ସ୍କୁଲରେ ନାମଲେଖା ହେଲା । ଦ୍ୱିତୀୟ ମହାସମରର ଏହା ଠିକ୍ ପୂର୍ବ ବର୍ଷ । ତେଣୁ ୨ୟ ମହାଯୁଦ୍ଧର କିଛି କିଛି ଅନୁଭୂତି ଆଜିସୁଦ୍ଧା ମନେରହିଛି । ଯୁଦ୍ଧବେଳର ଲୁଗା ଓ କିରୋସିନି ଅଭାବରୁ ପଡ଼ି-ବ୍ୟବସ୍ଥା (Control), ଷ୍ଟାଣ୍ଡାର୍ଡ-ଧୋତି ଓ A.R.P. କନା-ପ୍ରଚଳନ ପ୍ରଭୃତି ଯେପରି କାଲି କାଲି ଘଟିଗଲା ପରି ଲାଗୁଛି । ସବୁଠୁଁ ବେଶୀ ମଜାର କଥା ହେଉଛି, ମାଇନରରେ ଭର୍ତ୍ତି ହେବା ଦିନର ଅନୁଭୂତି । ଏବେ ଆମ ଗାଁ’ର ଦକ୍ଷିଣରେ ଥିବା କେରାଣ୍ଡିଆ ନଦୀ ପାରହେଲେ ତଳ ଗାଁ’ ଦେଇ ଯେଉଁ ବିରାଟ ବନ୍ଧଟା ଲୁଣା ଓ ଚିତ୍ରୋତ୍ପଳାର ତ୍ରିକୋଣଭୂମିରେ ଲମ୍ବିଯାଇଥିବାର ଦେଖାଯାଏ, ସେ ବନ୍ଧଟା ସେତେବେଳେ କାହାରି ସ୍ଵପ୍ନରେ ନଥିଲା । ଇଂରେଜ ଅମଳର ଅବହେଳିତ ଗାଁ ଗଣ୍ଡାର ଏକ ସାଧାରଣ ଚିତ୍ର ଭିତରେ ତଳଗାଁ ଘାଟ ତୁଠରୁ ବିଲେ ବିଲେ ଥୋଡ଼ାଏ ଦୂର ଉପରକୁ ଉଠିଲେ ତଳଗାଁ ଭିତରେ ଖଣ୍ଡିଏ ଛିଣ୍ଡା ପଇଁତରା ବାରିକ ମିସ୍ତ୍ରୀ (P.W.D) ବନ୍ଧ ପଡ଼ୁଥିଲା । ଏବେ ଲୋକେ ସେ ବନ୍ଧକୁ ହାଣି ତାଡ଼ି ଚାଷ ଜମିରେ ମିଶାଇଦେଲେଣି । ଏ ଥିଲା କରିଲୋପାଟାଣାକୁ ଗୋଟିଏ ବାଟ । ଅନ୍ୟ ବାଟଟି ଥିଲା ତଳଗାଁ ନାୟକ ବଂଶର ‘ବସନ୍ତ ବଗିଚା’ ପାଖ ଦଣ୍ଡାଦେଇ, ଦଣ୍ଡାଏ ଦଣ୍ଡାଏ ଫକୀରାବର ପାଖରେ ପହଞ୍ଚିବାକୁ । ତଳଗାଁ’ଠାରୁ କରିଲୋପାଟଣା ଯାଏ ଖୋଲାପଡ଼ିଆ, ମଝିରେ ମଝିରେ ବର, ଆମ୍ବ ଓ ବିଲାତୀ ବରଗଛ ଓ ଠିକ କରିଲୋପାଟଣା ଆରମ୍ଭରୁ ସ୍କୁଲଯାଏ କନିଆର ଓ କଣ୍ଟେଇକୋଳି ଗଛର ଶୋଭା ଓ ତା’ ଫୁଲର ମନମତାଣିଆ ଗନ୍ଧ ମୋର ପିଲାମନକୁ ସେଦିନ ଏପରି ଚହଲାଇ ଦେଇଥିଲା ଯାହାକି ଆଜି ମଧ୍ୟ ଠିକ ଠିକ ଭାଷାରେ ପ୍ରକାଶକରି ହେବନାହିଁ । ମୋର ଚିର ଘର-ପଶା ଜୀବନରେ (ଗୁରୁଜନଙ୍କ ସ୍ନେହ ଓ ଭୟ ହେତୁ) ଘଡ଼ିଏ ବାହାରକୁ ଆସି ମୋତେ ବୋଧହୋଇଥିଲା, କରିଲୋପାଟଣାଠାରୁ ଆଉ ସୁନ୍ଦର ଥାନ ଏ ଜଗତରେ ନାହିଁ, ନା, ମୁଁ ଯେଉଁ ଚୂନ ଧଉଳା ଘରଥିବା ନୂଆ ସ୍କୁଲରେ ନାମ ଲେଖାଇଲି ତାହାଠାରୁ ବଳି ଇନ୍ଦ୍ରଭୂବନ ଏ ଜଗତରେ ବିରଳ । ଏ ସ୍କୁଲ୍‍ର ମାଷ୍ଟରମାନଙ୍କ ଠାରୁ ବଳି ଜ୍ଞାନୀ, ମାନୀ, ପଣ୍ଡିତ ଓ ଗମ୍ଭୀର ବ୍ୟକ୍ତି ମଧ୍ୟ ପୃଥିବୀରେ ନାହାନ୍ତି । ଏହିଭଳି ଏକ ବିଚିତ୍ର ଅନୁଭୂତି ମୋର ସେତେବେଳେ ଜନ୍ମିଥିଲା । ଏ ଭାବପ୍ରବଣ, ସ୍ୱପ୍ନାଚ୍ଛନ୍ନ ଓ ତାଜୁବ୍ ଅନୁଭୂତିକୁ ସୂକ୍ଷ୍ମରେ Romantic କହିଲେ ବୋଧହୁଏ ଭୁଲ ହେବନାହିଁ । ଏହା ଅବଶ୍ୟ କେତେକ ମାସ ପରେ କଟିଗଲା । କିନ୍ତୁ ପ୍ରକୃତି ବା ପ୍ରାକୃତିକ ଦୃଶ୍ୟ ପ୍ରତି ଯେଉଁ ସ୍ଵପ୍ନାଳୁ ଭାବାବେଶଟା ବାଲ୍ୟକାଳରୁ ମୋର ଶିରାପ୍ରଶିରାରେ ଭେଦି ଯାଇଥିଲା, ତାହା ଏବେ ୫୩ ବର୍ଷ ବୟସରେ ପୂରା କଟିଲାଣି କି ନାହିଁ, ସେ ବିଷୟରେ ମୁଁ ସନ୍ଦିହାନ । କାରଣ ଏବେ ମଧ୍ୟ ମେଘର ଗୁରୁଗୁରୁ ତାନରେ ମୋ ଛାତି ତରଳିଯାଏ, ଶ୍ରାବଣର ଲହକା ବିଜୁଳୀରେ ମୁଁ ମୋତେ ବିକିଦିଏ, ଅଶିଣର ଗନ୍ଧରେ ମୁଁ ଆତ୍ମହରା ହୁଏ, ଏବଂ ପ୍ରତ୍ୟେକ ଋତୁ ଓ ସଞ୍ଜ-ସକାଳରେ ମୁଁ କେମିତି ଏକ ଆକାଶୀଭାବନାରେ ତନ୍ମୟ ହୋଇଉଠେ, ଅର୍ଥାତ୍ ପ୍ରକୃତିର ରୂପ-ରସ ଓ ବର୍ଣ୍ଣ-ଗନ୍ଧରୁ ମୁଁ ମୋତେ କୌଣସିମତେ ଅଲଗା କରିପାରେ ନାହିଁ । ତେଣୁ ମୋର ମନେହୁଏ, ଯିଏ ଯେତେ ବାସ୍ତବତାର ଚିତ୍କାର କଲେ ମଧ୍ୟ ଊଣା-ଅଧିକେ ପ୍ରତ୍ୟେକ ମଣିଷ ହୁଏତ ରୋମାଣ୍ଟିକ୍ । ସ୍ଵପ୍ନଧର୍ମିତା ମଣିଷର ସହଜାତ ପ୍ରବୃତ୍ତି ।

 

ହଁ କେଉଁଠୁ ଆସି କେଉଁଠି ପହଞ୍ଚିଲିଣି । ଏମିତିକା ଏକ ଅନୁଭୂତି ଭିତରେ ମୋର ମାଇନର୍ ସ୍କୁଲ୍ ଜୀବନ ଆରମ୍ଭ । ମୋ ପଢ଼ିଲାବେଳେ ପ୍ରଧାନ ଶିକ୍ଷକ ଥାଆନ୍ତି ଶ୍ରୀ ଜଳଧର କର । ସେ ଇଂରାଜୀ, ସ୍ଵାସ୍ଥ୍ୟରକ୍ଷା ଓ ପ୍ରକୃତି ପାଠ ପଢ଼ାନ୍ତି । ସେତେବେଳେ ଧର୍ମଶିକ୍ଷା ଓ ପ୍ରକୃତି ପାଠ, ପାଠ୍ୟନିର୍ଘଣ୍ଟର ଏକ ଅଙ୍ଗ ଥିଲା । ଶିକ୍ଷାଭାବରେ ପ୍ରକୃତି-ପାଠ ବେଶ୍ ସରସ ଓ ଆନନ୍ଦଦାୟକ ଶିକ୍ଷା ଥିଲା ବୋଲି ମୋର ମନେହୁଏ । ଏ ପିରିୟଡରେ ଛାତ୍ରମାନେ ସ୍କୁଲ୍-ବଗିଚାକୁ ଯାଇ କୌଣସି ଏକ ପତ୍ର ବା ଫୁଲ ଅଥବା ସେହିଦିନର ପାଗ-ପର୍ଯ୍ୟବେକ୍ଷଣ କରି ସେ ସଂବନ୍ଧରେ ପୁଙ୍ଖାନୁପୁଙ୍ଖ ବିବରଣୀ ଓ ଚିତ୍ର ପ୍ରକୃତି-ପାଠ ଖାତାରେ ଉଲ୍ଲେଖ କରୁଥିଲେ । ଶ୍ରେଣୀଗୃହର ଶିକ୍ଷା ଅପେକ୍ଷା ଏ ଶିକ୍ଷା ଅଧିକ ଉପଭୋଗ୍ୟ ହେଉଥିଲା ! ଏହାବ୍ୟତିତ ‘ଉଦ୍ୟାନକର୍ମ’ ପିରିଅଡରେ ଉଦ୍ୟାନକର୍ମ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଥିଲା । ପିଲାମାନେ ଉଦ୍ୟାନକୁ ପଟାଳି ପଟାଳି କରି ବାଣ୍ଟି ନେଉଥିଲେ । କିଏ ନିଜ ପଟାଳିରେ କୋବି ଲଗାଇଲାଣିତ ଆଉ କିଏ ତା’ପଟାଳିରେ ମୂଳା ଲଗାଇଲାଣି । ପ୍ରତି ପିଲା ପ୍ରତିଦ୍ଵନ୍ଦିତାରେ ଅନ୍ୟକୁ ଟପିଯିବାଲାଗି ନିଜ ପଟାଳିର ଫଳଫୁଲକୁ ଯେତେ ପାରେ ସେତେ ଭଲ କରିବାକୁ ଲାଗିଯାଆନ୍ତି । ପଟାଳିହିଡ଼ରେ ଛୋଟ ଛୋଟ ଖୁଣ୍ଟି ପୋତା ହୋଇ ପଟିଲ୍ କାଗଜରେ ପିଲାମାନଙ୍କର ନାମ ଓ ଶ୍ରେଣୀ ଲେଖା ହୋଇ ତହିଁରେ ଟଙ୍ଗାଇ ଦିଆ ଯାଇଥାଏ । କୌଣସି ପଟାଳିରେ ଗୋଟିଏ ଘାସ ଗଛ କି ଟିକିଏ ଅଳିଆ ଅସନା ଦୃଷ୍ଟିଗୋଚର ହୁଏ ନାହିଁ । ଜୟରାମ ଉଚ୍ଚବିଦ୍ୟାଳୟର ହତାରେ ଆଜିକାଲି ତ ହୁଣ୍ଡା ଡେଉଁଛି । ସେତେବେଳେ ତାହା କିନ୍ତୁ ସତରେ ଏକ ଶୋକପାସୋରା ଅପ୍‍ସରାଭୁବନ । ମଝିରେ ମୂଳା, ଆଳୁ, କୋବି, ଚିନାବାଦାମ, ଗାଜର, ମିଠାପାଳଙ୍ଗ ଓ ଖଟାପାଳଙ୍ଗ ଫସଲର ହର୍‍ରଙ୍ଗୀ ଢେଉ । ହିଡ଼ କଡ଼େ କଡ଼େ ବିଲାତୀ ମଦରଙ୍ଗା । ସ୍କୁଲରୁ ଫାଟକଯାଏ ରାସ୍ତାର ଦୁଇକଡ଼ରେ ବୁଦାଳିଆ ମଲ୍ଲୀର ନିଘଞ୍ଚ ବାଡ଼ । ବଗିଚା ଚାରିକଡ଼ରେ କ୍ରୋଟନ୍, ଗୋଲାପ, ମଧୁ-ମାଳତୀ, ସ୍ଥଳପଦ୍ମ, ଟଗର ପ୍ରଭୃତି ନାନା କିସମ ଓ ନାନା ଋତୁର ଫୁଲ । ସେସବୁ ଲେଖିବସିଲେ ଏହା ଆତ୍ମକଥା ନହୋଇ ସ୍କୁଲ ବିଷୟକ ଏକ ରଚନାରେ ପରିଣତ ହେବ ।

 

କଟକ ଜିଲ୍ଲାର ‘ମଧୁସାଗର’ ପରି କାଁ’ ଭାଁ’ ସ୍କୁଲ କେତୋଟିକି ଛାଡ଼ିଦେଲେ ଓଡ଼ିଶାର ଅନ୍ୟ କେଉଁଠି ଆଜିକାଲି ଏପରି ଉଦ୍ୟାନ ଦେଖିବାକୁ ମିଳେନାହିଁ । ଶିକ୍ଷକମାନଙ୍କ ସାଂଗକୁ ପିଲାମାନେ ବି କୋଢ଼ିଆ ପାଲଟିଲେଣି । ‘ଶ୍ରମ-ସମ୍ମାନ’ ଓ ‘ସମାଜବାଦ’ର ସ୍ଲୋଗାନ୍ ଯେତେ ପ୍ରବଳ ହେଉଛି, ଆମେ ସେତେ କର୍ମକୋଢ଼ି ହୋଇଯାଉଛୁ । ଛୋଟ ଫସଲ ପଟାଳିଟିଏର ବା ଫୁଲ ଚାରାଟିଏ ପୂର୍ଣ୍ଣଦାୟିତ୍ଵ ଜଣ ଜଣକ ଉପରେ ନ୍ୟସ୍ତଥିବାରୁ ତାହାର ଭଲ ମନ୍ଦ ପାଇଁ ସେ ଯେପରି ଦାୟୀ ମୁଦେଇ ହେଉଥିଲା, ଆଜି ସେ ରାତି ନାହିଁ । ତେଣୁ ସ୍କୁଲ କହ, ଦେଶ କହ, ଶାସନ କହ, ଏହା ଯେପରି ‘no man’s job’ ବା ପ୍ରତ୍ୟେକର ଦାୟିତ୍ଵ ଯେପରି କାହାର ଦାୟିତ୍ୱ ନୁହେଁ’ରେ ପରିଣତି ହୋଇଛି । ସେତେବେଳେ ତାହା ଘଟୁନଥିଲା । ଛାତ୍ର ଜୀବନରୁ ଅନ୍ୟ ସହ ସମନ୍ଵୟ ରକ୍ଷାକରି ନିଜ କାର୍ଯ୍ୟ ଲାଗି ନିଜେ ପୂର୍ଣ୍ଣତଃ ଦାୟୀ ରହିବାର ମନୋଭାବ ସେତେବେଳେ ଛାତ୍ରକୁ ଆତ୍ମନିର୍ଭରଶୀଳତା ଓ କର୍ମ-ବିନୋଦନ ଶିକ୍ଷା ଦେଇ ପାରୁଥିଲା । ଆମ ଦେଶର ‘ସମାଜ ବାଦରେ ତ୍ରୁଟି କେଉଁଠି’ ଦର୍ଶାଇବାକୁ ଯାଇ କେତେ ବର୍ଷତଳେ କଲେଜ ପିଲାଙ୍କର ଏକ ସଭାରେ ମୋର ଗୁରୁଦେବ ପ୍ରଫେସର ଶ୍ରୀ ବୈଦ୍ୟନାଥ ମିଶ୍ର ଠିକ୍ ଏହିପରି କେତେକ କଥା କହୁଥିଲେ । ତାଙ୍କ ମତରେ ପ୍ରତ୍ୟେକ କର୍ମୀର କର୍ମଦକ୍ଷତା, ତାହାର କାମରେ ବାସ୍ତବ ଫଳାଫଳ ଉପରେ ନିର୍ଣ୍ଣୀତ ହେବା ଆବଶ୍ୟକ । ଯଥା, ଯିଏ ସାର ଉତ୍ପାଦନ ବିଭାଗରେ ଉଚ୍ଚ କର୍ମଚାରୀ ଅଛନ୍ତି ତାଙ୍କୁ ନିର୍ଦ୍ଧିଷ୍ଟ ପରିଣାମର ସାର, ବା ଯିଏ ପରିବହନ ବିଭାଗରେ ଉଚ୍ଚ ପଦାରେ ଅଛନ୍ତି ତାଙ୍କୁ ପରିବହନ ବ୍ୟବସାୟରୁ ନିର୍ଦ୍ଦିଷ୍ଟ ପରିମାଣର ଆୟ ଦେଖାଇବାକୁ ବାଧ୍ୟ କରାଗଲେ ସେମାନେ ସ୍ୱ ସ୍ୱ ଦାୟିତ୍ଵକୁ ଏତେ ଖାମ୍‍ଖିଆଲି ଭାବରେ ଗ୍ରହଣ କରିପାରନ୍ତେ ନାହିଁ । ସେମାନେ ଯତ୍ପରୋନାସ୍ତି ଚେଷ୍ଟା ଓ ବ୍ୟକ୍ତିଗତ ପ୍ରଯତ୍ନରେ ଦେଶର ଉନ୍ନତି ପାଇଁ ଆଗୁସାର ହୁଅନ୍ତେ । ସବୁ ବିଭାଗର କଥା ଏହିପରି । ତେବେ ଏସବୁ ବଡ଼ କଥାର ଆରମ୍ଭ, ବିଦ୍ୟାଳୟ ଜୀବନରୁ କିପରି ହୋଇପାରିବ, ତାହାର ନଜିରରେ ଏତେ କଥା କହିବାକୁ ବାଧ୍ୟହେଲି ।

 

ପଢ଼ାପଢ଼ି କହିଲେ କଣ ବୁଝାଏ, ତାହା ମାଇନର ସ୍କୁଲରେ ମୁଁ ପ୍ରଥମ ଜାଣିଲି । ତେବେ ଏତେବେଳକୁ ମୋର ଚଗଲା ବୁଦ୍ଧି ଯେ ପୂରାପୂରି ଛାଡ଼ି ଯାଇଥାଏ ତାହାନୁହେଁ । କୁସଂଗର ପ୍ରଭାବରୁ ଏହି ସମୟରେ କେତେଥର ଯିବା ଆସିବା ବାଟରେ ପରକ୍ଷେତରୁ ବାଇଗଣ ବା ଲଙ୍କା ମରିଚଟା ଅଥବା ଆଖୁଖଣ୍ଡେ ହାତଉଠା ପଣ ଯେ ମୁଁ କରିନାହିଁ, ତା’ ନୁହେଁ ।

 

ତଳଗାଁ’ ଠାରେ ଥରେ କେତୋଟି ବାଇଗଣ ଚୋରି କରି ମୁଁ ଓ ମୋ ସାଙ୍ଗମାନେ ଧରା ପଡ଼ିଥିଲୁ । କଥାଟା ସ୍କୁଲ ଯାଇ ଗଲା । ପ୍ରଧାନ ଶିକ୍ଷକ ଜଳଧର ବାବୁ ଆମକୁ ଇଂରାଜୀରେ ‘ବାଇଗଣ ଚୋର’ ବୋଲି ବହୁଦିନ ଧରି ଭତ୍ସନା କଲେ । ତାଙ୍କ ଭତ୍ସନା ଆମ ଦେହକୁ ଏତେ ବାଧିଲା ଯେ, ସେହିଦିନୁ ଆମେ ପାର କ୍ଷେତରେ ମୋଟେ ହାତ ଦେଲୁନାହିଁ । ଅବଶ୍ୟ, ଯେଉଁ ଜଳଧର ବାବୁଙ୍କ ଯୋଗୁଁ ଆମ ଚରିତ୍ରରେ ଏପରି ସଂସ୍କାର ସମ୍ଭବ ହୋଇପାରିଲା, ସେ’ ସ୍କୁଲ ପାଣ୍ଠି କାରବାରରେ ସନ୍ଦେହର ଉଦ୍ଧ୍ୱରେ ନ ଥିବାରୁ ଅଭିଯୋଗ ପରେ ଶୁଣିବାକୁ ପାଇଲୁ । ଏଥିରୁ ଆଜିକାଲି ମୋର ମନେହୁଏ, ‘କହି ଦେଉ ଥାଏ ପରକୁ, ବୁଦ୍ଧି ନ ଆସେ ଘରକୁ’-ନୀତିଟା କୌଣସି କାଳରେ ଭଲ ନୁହେଁ । କେବଳ ଗୁଡ଼ାଏ ଶୁଷ୍କ ଉପଦେଶ ଦେବା ଅପେକ୍ଷା ଶିକ୍ଷକ, ନିଜେ ନିଜର କାର୍ଯ୍ୟ ଓ ଆଚରଣରେ ଉପଦେଶ ଗୁଡ଼ିକୁ ଯଥା ସମ୍ଭବ ଫୁଟାଇପାରିଲେ, ତାହା ଛାତ୍ରମାନଙ୍କ ପକ୍ଷରେ ବେଶ୍ ଆଦରଣୀୟ ହୋଇଥାଏ । ସେମାନେ ସ୍ଵତଃ ଏସବୁ ଆଡ଼କୁ ଆକୃଷ୍ଟ ହୋଇଥାନ୍ତି । ମୋର ପରବର୍ତ୍ତୀ ଜୀବନର କେତୋଟି ନଜିରରୁ ଏହା ସହଜରେ ଅନୁମାନ କରାଯାଇପାରିବ ।

 

ପୂର୍ବେ ଯେଉଁ ହାତ ଉଠାପଣ କଥା କହିଲି, ତାହା କୌଣସି ଅପରାଧ-ପ୍ରବଣ ମନୋବୃତ୍ତି ଅପେକ୍ଷା ସ୍କୁଲ୍-ଫେରନ୍ତା ବେଳର ଭୋକ ଦାଉରୁ ବିଶେଷଭାବରେ ଜନ୍ମ ନେଉଥିଲା ବୋଲି କହିଲେ ମିଥ୍ୟା ହେବନାହିଁ । କାରଣ ସକାଳେ ଆଠଟାରୁ ଘରେ ଯେଉଁ ଢୋକେ ତୁଣ୍ଡରେ ଦେଇ ଯାଇଥାଉ ସେତିକିରେ ସଞ୍ଜ ଘଣ୍ଟି ବାଜେ । ସବୁ ମଫସଲିଆ ସ୍କୁଲର ପିଲାଙ୍କ କପାଳ ସେତେବେଳେ ଏଇୟା । ଖେଳଛୁଟି ବେଳେ ଜଳପାନ କରିବା ବରପାଣ ପିଲାଙ୍କ ଭାଗ୍ୟରେ ଜୁଟେନାହିଁ । ମୋ ବାପା ଅବଶ୍ୟ ମୋତେ ଅଧିକାଂଶ ଦିନ ବିଶେଷ କରି କରିଲୋପାଟଣ ହାଟଦିନମାନଙ୍କରେ (ମଙ୍ଗଳବାର ଓ ଶନିବାର) ଜଳଖିଆ ଖାଇବାକୁ ଦୁଇ ଚାରି ପଇସା ଦେଇଥାନ୍ତି । ଯେଉଁଦିନ ତାଙ୍କଠାରୁ କିଛି ମିଳି, ନଥାଏ ବା ସାଙ୍ଗପିଲାମାନେ ମୋ ଜଳଖିଆ ଛଡ଼ାଇ ଖାଇଯାନ୍ତି, ସେହିଦିନ ମାନଙ୍କରେ ପେଟର ନିଆଁ ପ୍ରବଳ ହୁଏ । ଭୋକ ବିକଳରେ ଫକୀରା ବର-ଦଣ୍ଡାର କଣ୍ଟେଇ କୋଳି ବା ଯାହାହେଉ ତାହା, ତହିଁରେ ସେ ଜଠର-ଅଗ୍ନିକୁ ଥଣ୍ଡା କରିବାକୁ ଆମେ ବାଧ୍ୟ ହେଉ । ଏହିପରି ବେଳରେ ଖରାପ ସାଙ୍ଗମାନେ ଆମର ନେତା ପାଲଟିଯାଆନ୍ତି ଓ ତାଙ୍କର ବିଚକ୍ଷଣ ବୁଦ୍ଧି ଅବାଟରେ ବାଟ ବତାଇଦିଏ । ଥରେ ଏମିତିକା ସମୟରେ ଜଣେ ସାଙ୍ଗର ପ୍ରରୋଚନାରେ ପଡ଼ି ନଈକୂଳରେ ଭଙ୍ଗା ହୋଇ ପଡ଼ିଥିବା ଫାଳେ ନଡ଼ିଆ ଆମ୍ଭେମାନେ ଖାଇଗଲୁ-। ପରେ ଜଣାପଡ଼ିଲା ଏହା ପ୍ରେତ ଉଦ୍ଦେଶ୍ୟରେ ଉତ୍କୃଷ୍ଟ କାହାର ଦଶାହ ନଡ଼ିଆ । ସେଥିପାଇଁ ଅନୁତପ୍ତ ହୋଇ ଆମେ ଆମର ସାଙ୍ଗପିଲାଟିକୁ ଗାଳିଦେବାରୁ ସେ ଆମକୁ ମଶାଣୀରେ ପୋତା ହୋଇଥିବା ଗୋଟାଏ ବଙ୍କା ବାଡ଼ି ଧରି ପିଟିଲା ଓ ଆମ ପଛେ ପଛେ ମଶାଣୀଚଣ୍ଡିଆ ପରି କିଳିକିଳା ରଡ଼ି ଦେଇ ସେ ବାଡ଼ିଟି ଧରି ଗୋଡ଼ାଇଲା । ଏପରି ବହୁ କୁକାର୍ଯ୍ୟରେ ସେ ସାଙ୍ଗର ବେଶ୍ ନାଁ ଥାଏ । ଭବିଷ୍ୟତରେ ସେ ସମାଜରେ କି ରୂପରେ ଦେଖାଦେଇଥାନ୍ତା କେଜାଣି, ତାହା ଭଗବାନଙ୍କୁ ଜଣା । କିନ୍ତୁ ଅତି ଅଳ୍ପ ବୟସରେ ‘ବସନ୍ତ’ ନା ‘ହଇଜା’ରେ ସେ ବାଟ କାଟିଲା ।

 

ଆମ ଗାଁ’ର ସନାତନ ସେତେବେଳେ ଆମରି ପଢ଼ାସାଥି ଥିଲା । ଏଇକ୍ଷିଣା ନେପାଳ ଭୁଟାନରେ ଚାକିରି କରି ସେ ବେଶ୍ ଦୁଇ ପଇସା କମେଇଲାଣି । ପିଲାଝିଲାର ବାପା । କାରବାରୀ ଘର । କେଉଁଥିରେ ତାହାର ଅଭାବ ନାହିଁ । ସେତେବେଳେ କିନ୍ତୁ ତା’ ବାପା ପାଠପଢ଼ାରେ ତାକୁ ବଡ଼ ହୀନିମାନିଆ କରୁଥାଆନ୍ତି । ୬ଷ୍ଠ ଶ୍ରେଣୀଯାଏ ମ୍ୟାକ୍‍ମିଲାନ୍‍ସ ରିଡ଼ର୍ ଖଣ୍ଡିଏ କିଣିଦେଲେ ନାହିଁ । ସେ ପାଠ ଛାଡ଼ିଲା । ଆମ ଘର ପାଖରେ ତା’ ଘର ଥାଏ । ସେ ପାଠ ବୁଝିବାପାଇଁ ମୋତେ ଓ ମୋ ଦାଦିପୁଅ ଭାଇମାନଙ୍କୁ ତା’ ବାଡ଼ିର ବାଇଗଣ ଆଣି ଲାଞ୍ଚ ଦିଏ । ଆମେ ତାକୁ ପାଠ ବତାଇ ଦେଉ । ଯେଉଁଦିନ ତା ଘରଲୋକଙ୍କୁ ଲୁଚାଇ ସେ ବାଇଗଣ ଆଣିପାରିନଥାଏ, ସେଦିନ ଆମ ଦୁଇଭାଇଙ୍କ (ମୁଁ ଓ ମୋର ଦାଦା, ଯାହାଙ୍କୁ ମୁଁ ‘ସାନବାପା’ ବୋଲି ଡାକେ ତାଙ୍କ ସାନପୁଅ) ମାଡ଼ରୁ ତ୍ରାହି ପାଏ ନାହିଁ । କିପରି ପରିସ୍ଥିତିରେ ବାଇଗଣ ଆଣିବାକୁ ଫେଲ ମାରିଲା ତାହା ସେ ବୁଝାଇବାକୁ ଯେତେ କୈଫିୟତ ଦେଲେ ମଧ୍ୟ ଆମ୍ଭେମାନେ ବାଇଗଣ ନ ପାଇବାଯାଏ ନଛୋଡ଼ ବନ୍ଧା । ତେଣୁ ସନ୍ଧ୍ୟା ସୁଦ୍ଧା ଅଣ୍ଟାରେ ବା ବହିବସ୍ତାନୀରେ ଯେମିତି ହେଲେ ପୁଞ୍ଜା ଛ’ଟା ବାଇଗଣ ଆଣିବାକୁ ପ୍ରତିଶ୍ରୁତି ଦେଇ ସେ ଆମ ଦାଉରୁ ରକ୍ଷା ପାଏ । ଏବେ ଆମେ ସବୁ ପାଠଶାଠରେ ଉପରକୁ ଉଠିବା ପରେ ସନାତନକୁ ଦେଖିଲେ ଭାରୀ ସ୍ନେହ କରୁ । ସେ ବି ଆମକୁ ପାଇଲେ କୋଟିନିଧି ପାଇଲାପରି ହୁଏ । ତେବେ ଆମର ସେ ବେଳର ଚଣ୍ଡ ସ୍ୱଭାବ ଓ ତାହାର ସର୍ବସହଣି ଗୁଣ ମନେପଡ଼ିଲେ ଆମକୁ ଏବେ ଲାଜ ମାଡ଼େ । ଆମେ ଭାବିପାରୁନା ସେତେବେଳେ ଏତେ ନୀଚ ଅବସ୍ଥାକୁ ଖସିଯାଇଥିଲୁ କିପରି ? ଅଭିଭାବକମାନେ ଖାଲି ମାଡ଼ କହୁଣୀ ଦେଲେ ବା ଅଯତ୍ନ ସ୍ନେହ ଦେଖାଇଲେ ପିଲାଏ ଭଲ ହୁଅନ୍ତି ନାହିଁ, ଏକଥା ସେତେବେଳର ଅବସ୍ଥାରୁ ଆମେ ସହଜରେ ଉପଲବ୍ଧ କରୁ । ଯେଉଁ ସଶ୍ରଦ୍ଧ ଯତ୍ନ ଓ ନିରନ୍ତର ସତର୍କ ଦୃଷ୍ଟିରୁ ପିଲାମାନେ ଭଲ ହୁଅନ୍ତି ତାହା ବୋଧହୁଏ ଆମ ଅଭିଭାବକମାନେ ଜାଣିନଥିଲେ ବା ଜାଣିଥିଲେ ମଧ୍ୟ ତାହା ଆମ ପ୍ରତି ପ୍ରୟୋଗ କରିବାର ଚେଷ୍ଟା ସେମାନଙ୍କର ନଥିଲା । ତେଣୁ ବାରମେଳେଚ୍ଛା ପରି ଆମେ ବଢ଼ିଚାଲିଥିଲୁ । ୬ଷ୍ଠ ଶ୍ରେଣୀ ଯାଏ ଏହାହିଁ ଥିଲା ଆମର ଜୀବନ । ଯୁଦ୍ଧବେଳର ବ୍ଲାକ ଆଉଟ୍, ଆକାଶୀ ଆକ୍ରମଣ (Air-Raid) ଓ ଏ ଆକ୍ରମଣରୁ ରକ୍ଷା ପାଇବା ପାଇଁ କିପରି ଟ୍ରେଞ୍ଚ୍ ଖୋଳି ତହିଁରେ ପଶିବାକୁ ହେବ, ଏ ଶିକ୍ଷା ବ୍ୟତୀତ, ଡ୍ରିଲ; ସ୍କାଉଟିଂ ଓ ବାଟୁଳିଖଡ଼ା ମାରିବା ଇତ୍ୟାଦି ଆମ ଶିକ୍ଷାର ସ୍ମରଣୀୟ ଦିଗ ଥିଲା ବୋଲି ମନେହୁଏ ।

 

ଅସୁରେଶ୍ଵରରୁ ଆସିଥିବା ଅଣ୍ଟାଭଙ୍ଗା ଦାମବାବୁ ଆମର ଭୂଗୋଳ ଶିକ୍ଷକ ଥିଲେ । ପିଲାମାନେ ତାଙ୍କୁ ‘ମାଲୱା’ ବୋଲି ଡାକୁଥିଲେ । ଏହା ବୋଧହୁଏ ତାଙ୍କ ଭୂଗୋଳ-ପୋଥିର ମାଲବାର ଉପକୂଳର ଅପଭ୍ରଂଶ । ସେ ଧୋୟା ମାଟିରେ ଚାକିରି କରି ପ୍ରତିପାଳିତ ହେଉଥିଲେ ମଧ୍ୟ ପାଠ ନଆସିଲେ ଆମମାନଙ୍କର ବହିବସ୍ତାନୀ ଫିଙ୍ଗି, ନିସ୍ତୁକ୍ ଛେଚା ଦେଇ ଆମକୁ “କୋଳଥିଆ, ଧୋୟାପାରିଆ, ମାଣ୍ଡିଆ ଜାଉଖିଆ” ପ୍ରଭୃତି ବହୁ କଦର୍ଯ୍ୟ ଓ ଆକ୍ଷେପମୂଳକ ଗାଳିଦେଇ ଶ୍ରେଣୀରୁ ତଡ଼ି ଦେଉଥିଲେ । ତାଙ୍କ ଶୋଧା ଆମ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଥିଲେ ମଧ୍ୟ ଆମର କିଶୋର ମନର ଚପଳତାରେ ଏହା ଭୟଙ୍କର ପ୍ରତିକ୍ରିୟା ସୃଷ୍ଟି କରୁଥିଲା । ଆମେ ଘରମାଡ଼ ଓ ସ୍କୁଲମାଡ଼ ଖାଇ ଗୁଡ଼ାଏ ଭୀରୁ ଓ ଆଶଙ୍କାପ୍ରବଣ ଜୀବରେ ପରିଣତ ହୋଇଥିଲୁ ।

 

ସ୍କୁଲର ପ୍ରାକୃତିକ ପରିବେଶ ବ୍ୟତୀତ କ୍ଲାସଟା ଆମକୁ ଯମପୁରୀ ଭଳି ଲାଗୁଥିଲା । ପିଲା ବୟସରେ ଘରେ ଯେତିକି ଗେହ୍ଲା କରୁଥିଲେ ବର୍ତ୍ତମାନ ଟିକେ ବଡ଼ ହେବାରୁ ଆମ ଉପରେ ମାଡ଼ର ମାତ୍ରା ସେତିକି ବଢ଼ିଚାଲିଥାଏ । ଏପରି ଅବସ୍ଥାରେ ଆମେ ତିନି ଭାଇ (ସାନବାପାଙ୍କର ଦୁଇପୁଅ ଓ ମୁଁ) ‘ବଇଁଶୀବାବୁ’ ଏ ସ୍କୁଲରୁ ପ୍ରଧାନ ଶିକ୍ଷକ ହୋଇ ଆସିବା ପର୍ଯ୍ୟନ୍ତ ଆମ ଭିତରେ ଥିବା ମୌଳିକତା ବୃଦ୍ଧି କରିବାକୁ କୌଣସି ଅବକାଶ ପାଇପାରି-ନଥିଲୁ । ଆମ ଜୀବନ ଯାହା ଅନ୍ୟ ବହୁ ପିଲାମାନଙ୍କର ଜୀବନ ସେତେବେଳେ ସେ’ୟା ହୋଇଥିବ । ଉପଯୁକ୍ତ ଗୁରୁ ଅଭାବରୁ ପିଲାମାନଙ୍କର ନିଜସ୍ଵ ବଣ-ମାଳତୀ ପରି କିପରି ମନେ ମନେ ମଉଳିଯାଏ, ଏ ହେଲା ତାହାର ଏକ ପ୍ରତ୍ୟକ୍ଷ ଉଦାହରଣ ଓ ଅଙ୍ଗେଲିଭା ଅନୁଭୂତି ।

Image

 

ବଇଁଶୀବାବୁ

 

ପୂର୍ବୋକ୍ତ ଅଭିଯୋଗରେ ଜଳଧର ବାବୁ ସ୍କୁଲରୁ ଗଲେ । ତାଙ୍କ ପରେ ଆସିଲା ବଇଁଶୀବାବୁ । ପୂରା ନାମ ଶ୍ରୀ ବଂଶୀଧର ନାୟକ । ଘର ରାଜକନିକା । ଆମେ ତାଙ୍କୁ ‘ବଇଁଶୀ ବାବୁ’ ନାମରେ ଚିହ୍ନୁ । ଆଜିକାଲି ପରି ବି.ଏ.ପାଶ୍‍ଟା ସେତେବେଳେ ଏତେ ସୋଜା ନଥିଲା । ପାଟଣା ବିଶ୍ଵବିଦ୍ୟାଳୟ ଅମଳ । ଓଡ଼ିଶାରେ ବିଶ୍ଵବିଦ୍ୟାଳୟର ନାମ-ଗନ୍ଧ ନଥାଏ । ପରେ ପଣ୍ଡିତ ଗୋଦାବରୀଶଙ୍କ ଆକ୍ଳାନ୍ତ ଚେଷ୍ଟାରୁ ଓଡ଼ିଶାରେ ବିଶ୍ଵବିଦ୍ୟାଳୟ ସ୍ଥାପିତ ହେଲା । ତେଣୁ ସେତେବେଳର ବି.ଏ.ଫେଲ୍-ବାଲାକୁ ଆଜି ଦଶଗଣ୍ଡା ଏମ୍.ଏ., ମଧ୍ୟ ଲାଗିବେ ନାହିଁ ।

 

ବଇଁଶୀ ବାବୁ ବି.ଏ. ଫେଲ୍ ହୋଇ ଆମ ସ୍କୁଲରେ ପ୍ରଧାନଶିକ୍ଷକ ଭାବରେ ଯୋଗ ଦେଇଥିଲେ । ପାଠ ପଢ଼ାନ୍ତି ଯେମିତି, ସେମିତି ମଧ୍ୟ ଛାତ୍ର-ସ୍ନେହି । ଉତ୍ସାହ ଦେଇ ମାଟି ପିଣ୍ଡୁଳାକୁ କିପରି ମଣିଷ କରିବାକୁ ହୁଏ, ତାହା ତାଙ୍କୁ ବେଶ୍ ଜଣାଥିଲା । ଇଂରାଜୀ ଓ ଗଣିତ ଶାସ୍ତ୍ରରେ ସେ ବିଚକ୍ଷଣ ଶିକ୍ଷକ ।

 

ପରେ ବି.ଏ., ଡି.ଇ.ଡ଼ି. ହୋଇ ସେ ଯେତେବେଳେ ଆଠଗଡ଼ ଉଚ୍ଚ ବିଦ୍ୟାଳୟ ପ୍ରଭୃତିରେ ପ୍ରଧାନ ଶିକ୍ଷକ ହେଲେ ସେତେବେଳେ ମାଟ୍ରିକ୍ ପରୀକ୍ଷାରେ ବାରମ୍ବାର ଅକୃତ କାର୍ଯ୍ୟ ହୋଇଥିବା ବହୁ ଗୋବର ଗଣେଶଙ୍କୁ ସେ ହାତମାରି ସୁନା କରି ଦେଇଛନ୍ତି । ତାଙ୍କ ପାଖରେ ଟିଉସନ୍ ହେଉଥିବା ପିଲାମାନଙ୍କୁ ଇଂରାଜୀ ଓ ଗଣିତରେ ଯେତେ ନମ୍ବର ରଖାଇ ଦେବାକୁ ସେ ଆରମ୍ଭରୁ ଗ୍ୟାରେଣ୍ଟି ଦେଇଥାନ୍ତି, କାର୍ଯ୍ୟତଃ ତାହାହିଁ ଦେଖାଇ ଦିଅନ୍ତି । ଆଜିକାଲି ସେପରି ଶିକ୍ଷକ ବିରଳ । ସେ ଆଜି ସ୍ଵର୍ଗପୁରେ ଥିଲେ ମଧ୍ୟ ଆମ ଅଜ୍ଞାତରେ ଆମ ମଥା ତାଙ୍କ ପାଦରେ ନଇଁଯାଏ-। କାରଣ ସେ ବାସ୍ତବରେ ଥିଲେ ଗୁରୁଯୋଗ୍ୟ ଗୁରୁ । ଅନ୍ୟାନ୍ୟ କେତେକ ଶିକ୍ଷକଙ୍କ ପରି ଛାପଚିକଣିଆ ଧୋବ ଧାଉଳିଆ ପିଲାଙ୍କୁ ଦେଖି ‘ହେଲେ ଏଇ ଏକା ହେବେ’, ତୁମେ ଗୁଡ଼ା ଅକାଳ କୁଷ୍ମାଣ୍ଡ’–ଏଭଳି ହୀନ ମନ୍ତବ୍ୟ ସେ କେବେହେଲେ ଆମକୁ ବା ଅନ୍ୟ କାହାକୁ ଦେଇନାହାନ୍ତି । ବରଂ କୌଣସି ଛାତ୍ରଠାରେ ଟିକେ ଜ୍ଞାନ ଦେଖିଲେ ସେ ତାକୁ ଯଥେଷ୍ଟ ପ୍ରଶଂସା ଦେଇ ଉତ୍ସାହିତ କରୁଥିଲେ ଓ ଡରକୁଳା ପିଲାମାନଙ୍କୁ ପଛବେଞ୍ଚରୁ ଆଣି ଆଗ ବେଞ୍ଚରେ ବସାଉଥିଲେ ।

 

ସନ ୧୯୪୨ ମସିହା ହେବ ବୋଧହୁଏ । ଆମର ସେ ବର୍ଷ ସପ୍ତମ ଶ୍ରେଣୀ । କେନ୍ଦ୍ରାପଡ଼ାରେ ମାଇନର କେନ୍ଦ୍ର-ପରୀକ୍ଷା ହେଉଥାଏ ଅକ୍ଟୋବର-ନଭେମ୍ବର ଆଡ଼କୁ । କାରଣ ସେତେବେଳେ ଶିକ୍ଷାବର୍ଷ ଜାନୁୟାରୀ ମାସରୁ ଆରମ୍ଭ ହେଉଥିଲା । ତେଣୁ ମାଇନର ସ୍କୁଲଗୁଡ଼ିକରେ ବଛାବଛି ପରୀକ୍ଷା (Test. Exm.) ପ୍ରାୟ ଅକ୍ଟୋବର, ପୂର୍ବରୁ ସରିଯାଇଥାଏ । ମୋର ଠିକ୍ ମନେ ଅଛି ବଇଁଶୀବାବୁ ସେ ବର୍ଷ ଆମ ଟେଷ୍ଟ-ପରୀକ୍ଷା ଫଳ ବାହାରିବାପରେ ଆସି ସ୍କୁଲରେ ଯୋଗଦେଲେ । ଆମେ ସବୁ ଛାପଚିକଣିଆ ନଥିବାରୁ ଆମ ପ୍ରତି କେତେକ ମାଷ୍ଟ୍ରଙ୍କର ମନୋଭାବ କିପରି ଥିଲା, ତାହା ପୂର୍ବରୁ ସୂଚାଇଛି । ବିଶେଷତଃ, ଘରୁ ବାହାରୁ ପ୍ରେରଣାର ଅଭାବ ତଥା ଶିକ୍ଷକମାନଙ୍କର ଆମ ପ୍ରତି ତାତ୍ସଲ୍ୟକର ଦୃଷ୍ଟି ହେତୁ ଆମ ଜ୍ଞାନ ଭସ୍ମକୁଢ଼ ତଳେ ଅଗ୍ନିପରି ଛପିରହିଥିଲା ।

 

ତେବେ ମୁଁ ଓ ମୋ ସାନବାପା ପୁଅ ଭାଇ ନିହାତି ଖରାପ ଛାତ୍ର ଥିଲୁ ବୋଲି କୁହାଯାଇନପାରେ । ବିଚାରରେ ପାତର ଅନ୍ତର ନଥିଲେ ଆମେ ମଧ୍ୟ କେନ୍ଦ୍ରପରୀକ୍ଷା ପାଇଁ ବଛାହୋଇ ପାରିଥାନ୍ତୁ । ସାନବାପାଙ୍କର ସାନପୁଅର ଭାଗ୍ୟ ଟାଣ ହେତୁ ସେ କୌଣସି ମତେ ଖସିଗଲା । ତାଙ୍କ ବଡ଼ପୁଅ ଓ ମୁଁ ଅନ୍ୟପିଲାମାନଙ୍କ ସହିତ ଶିକ୍ଷକମାନଙ୍କର ଯମଦାଢ଼ରେ ପଡ଼ିଲୁ-। ସ୍କୁଲରେ ଆଭ୍ୟନ୍ତରୀଣ ପରୀକ୍ଷା ହେଲେ ମଧ୍ୟ ମୋ ଜୀବନରେ ‘ଫେଲ୍’ ହେବାର ଏ ହେଉଛି ପ୍ରଥମ ଓ ଶେଷ ଅନୁଭୂତି । ଆଜିକାଲି ସ୍କୁଲ୍-କଲେଜରେ Test ପରୀକ୍ଷାରେ ଚେୟାର, ବେଞ୍ଚ ମଧ୍ୟ ଉପରକୁ ଉଠୁଛନ୍ତି । ବୋର୍ଡ ବା ବିଶ୍ଵ-ବିଦ୍ୟାଳୟ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାର ଆଶଙ୍କା ଥିଲେ ପିଲାଏ ତାଙ୍କର ଦେଖିବା କାମ କରୁଛନ୍ତି । ଦେଶଟାଯାକ ବର୍ତ୍ତମାନ ‘ଦାରୁଭୁତୋ ମୁରାରି’, ସମସ୍ତେ ବଲବଲ ଚାହିଁ ରହିଛନ୍ତି । ସାଧୁତା ଓ ସଚ୍ଚୋଟପଣିଆର ହୁରିପଡ଼ିଛି । ପରୀକ୍ଷା-ସଂସ୍କାର ଓ ଶିକ୍ଷା-ସଂସ୍କାର ନା’ରେ ଖାଲି କଲମ ଚାଷ ଚାଲିଛି, ଫାଇଲ୍ ଗଦା ବଢ଼ୁଛି । ସେକାଳରେ ଆମର ଫେଲହେବାର ଖବର ଶୁଣିଲେ ଆମ ଅଭିଭାବକମାନେ ଆମକୁ ମାଡ଼ଗାଳି ଦେଉଥିଲେ, କେତେ ଭତ୍ସନା ବାଣୀ ଶୁଣାଉଥିଲେ । ତେଣୁ ପରୀକ୍ଷା ଫଳ ବାହାରିବା ଦିନ ଛାତିରେ ପଥର ବୋଝ ଲଦି ଆମେ ସ୍କୁଲ୍‍କୁ ଯାଉଥିଲୁ । ଫଳ ଭଲହୋଇଛି ଶୁଣିଲେ ମୁହଁରେ ଟିକେ ହସ ଫୁଟୁଥିଲା । ଏବେ ସେସବୁ କଥା ଚାଲିଯାଉଛି । ଦେଶ ଆଗେଇଛି ଅନ୍ୟ ଏକ ରାହାରେ । ପୁଅ, ଝିଅ ତାଙ୍କର ସବୁ ଚେଷ୍ଟା ସତ୍ତ୍ୱେ ପରୀକ୍ଷାରେ ହାତ ସଫେଇ ଦେଖାଇ ନପାରିଲେ, ବାପା ମା’ଙ୍କର ତବେଇ ନାହିଁ-। ସେମାନେ ଓଲଟି ଟଙ୍କାଟୋକର ବାନ୍ଧି ପରୀକ୍ଷକଙ୍କଠାରୁ ଟାବୁଲେଟରଙ୍କ ପର୍ଯ୍ୟନ୍ତ ଯେତେ ଯୁଆଡ଼େ ପାରନ୍ତି ଚକକର କାଟି ଘୁରିବୁଲୁଛନ୍ତି । ପରୀକ୍ଷା ହଲରେ ନିରୀକ୍ଷକମାନେ (invigilators) କେଉଁ ଉପରିକଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ପିଲାଙ୍କୁ ହାତଧରି ଲେଖାଇବାଠାରୁ ବହିଧରି ଡାକିବା ଓ ପିଲାଙ୍କର ଅଭିଭାବକମାନେ ପରୀକ୍ଷା ଗଲାର ମାସକ ପରେ ପିଲାଙ୍କୁ ସଙ୍ଗରେ ଧରି ପରୀକ୍ଷକଙ୍କ ଆଗରେ ପରୀକ୍ଷା ଖାତାରେ ଉତ୍ତର ଲେଖାଇବା ଇତ୍ୟାଦି ଅଭିନବ କୌଶଳ ଏ ଯୁଗରେ ଉଦ୍ଭାବିତ ହୋଇସାରିଲାଣି । ତେଣୁ ଆଜିକାଲି ଆମ ଦେଶରେ ପାଶ୍-ଫେଲ୍ ଏକ ସାମାନ୍ୟ କଥା ।

 

ଧୁରା ମୂଳା ଅଧୁଆ ମୂଳାର ବାଛ ବିଚାର ଥିଲେ କିଏ ସିନା ପଢ଼ାପଢ଼ି ପ୍ରତି ଦୃଷ୍ଟି ଦିଅନ୍ତା-। ସେ ସବୁତ ଏବେ ଅଭିଧାନ ବହିର୍ଭୂତ । ସାମ୍ୟବାଦୀ ଦେଶରେ ସବୁ ସମାନ ! ଏ ସମଦର୍ଶିତାକୁ ପ୍ରଶଂସା ନକରି ରହିହେବ ନାହିଁ । ତେବେ ଇଂରେଜ-ଶାସିତ ଭାରତ ଓ ଓଡ଼ିଶାରେ ଆମର ୯ମ ଶ୍ରେଣୀ ପର୍ଯ୍ୟନ୍ତ ଜୀବନ କଟିଥିବାରୁ ଆମେ ଏ ସମଦର୍ଶିତାର ମହୁକା ଚାଖି ପାରିଲୁ ନାହିଁ । କଲେଜ୍ ଜୀବନଟା ସ୍ଵାଧୀନ ଭାରତରେ କଟିଥିଲେ ମଧ୍ୟ, ସ୍ଵାଧୀନତାର ଶୈଶବରେ ଏସବୁ ହଟ୍ଟଚମଟ ବା ଭୋଜବାଜୀ ପିଲା ବା ଅଭିଭାବକମାନଙ୍କୁ ଜଣା-ନଥିଲା । ଆମ ଅଭିଭାବକମାନଙ୍କର ସ୍ଵଭାବ ତ ଆଗରୁ କହିଛି । ସେମାନେ ନୀତି-ଅନୀତି ନାମରେ ହଲିଲା ପାଣିକୁ ଗୋଡ଼ ନଦେବା ଲୋକ । ସୁତରାଂ, ତାଙ୍କଠାରୁ କିଛି ଆଶା କରିବା ବୃଥା । ତେଣୁ ଶିକ୍ଷକମାନେ ନ୍ୟାୟ-ଅନ୍ୟାୟର ଯେଉଁ ଗାର ମାରିଦେଲେ ତାକୁ କପାଳଲିଖନ ଭାବି ଆମେ ଦୁଇ ଭାଇ (ମୂରଲୀ ଭାଇ ଓ ମୁଁ) ସପ୍ତମ ଶ୍ରେଣୀରେ ଆଉ ବର୍ଷେ ବର୍ଷେ ପଢ଼ିଲୁ ।

 

ବଛାବଛି ପରୀକ୍ଷା ସରିବା ପରେ ସେଣ୍ଟପ (sent up) ହୋଇ ପାରିନଥିବା ପିଲାମାନଙ୍କ ପାଈଁ ସ୍ଵତନ୍ତ୍ର କ୍ଲାସ ସମୟ (Extra class) ନିଆଯାଉ ଥାଏ । ଆମର ପୂର୍ବର ମଳମୁର୍କୁଟିଆ ଭେକ (ସତରେ ଅସଫା ନହେଲେ ମଧ୍ୟ ନିହାତି ସାଧାରଣ) ବଦଳି ନଥାଏ । ଯାଇତାଇ ଧୋତି ଖଣ୍ଡେ ପିନ୍ଧି ଦେହରେ ସରୁ ଚାଦର ଖଣ୍ଡେ ଘୋଡ଼ାଇ ହୋଇ ଆମେ ସ୍କୁଲ ଯାଉ-। ବଇଁଶୀ ବାବୁ ନୂଆ ହୋଇ କ୍ଲାସକୁ ପଶିଆସିଲେ । କେତୋଟି ଟ୍ରାନସ୍ଲେସନ୍ (ଓଡ଼ିଆକୁ ଇଂରାଜୀରେ ଅନୁବାନ) ଓ ଇଂରାଜୀ ବ୍ୟାକରଣଗତ ପ୍ରଶ୍ନ ପଚାରି ମୁଁ ମୁରଲୀ ଭାଇଙ୍କ ଠାରୁ ସେଗୁଡ଼ିକର ଯଥାର୍ଥ ଉତ୍ତର ପାଇବା ପରେ ସେ ଏପରି ମୁଗ୍ଧ ହୋଇଗଲେ ଯେ ଆମ ଦୁହିଁଙ୍କୁ ସଙ୍ଗେ ସଙ୍ଗେ ପଛ ବେଞ୍ଚ ଛାଡ଼ି ଆଗରେ ବସିବାକୁ ନିର୍ଦ୍ଦେଶ ଦେଲେ । ଆମ ଦୁହିଁଙ୍କର ନାଁ, ଗାଁ’ ଓ ବଂଶ ପରିଚୟ ଜାଣିଲେ ଯେ ଆମ ବଡ଼ଭାଇ (ଅର୍ଥାତ୍ ବଡ଼ ବାପା ପୁଅ ଭାଇ) ତାଙ୍କର ମାଟ୍ରିକ ପଢ଼ାବେଳରେ ସାଥୀ ଥିଲେ ।

 

ଏସବୁ ସେଦିନ ମୁହୂର୍ତ୍ତକରେ ଚଳଚ୍ଚିତ୍ର ପରି ଘଟିଗଲା । ଆମକୁ ଭାରୀ ବିସ୍ମୟକର ଲାଗୁଥାଏ । କାରଣ ବହୁ ଗୁରୁଙ୍କର ଲାଞ୍ଛନା, ତାତ୍ସଲ୍ୟ ଓ ବ୍ୟଙ୍ଗବିଦ୍ରୁପର ପାତ୍ର ଆମେ ଆକାଳ କୁଷ୍ମାଣ୍ଡଗୁଡ଼ା ବଛା ବଛି ପରୀକ୍ଷାରେ ଅକୃତକାର୍ଯ୍ୟ ହେବାର ଅବ୍ୟବହିତ ପରେ କିପରି ଜଣେ ନବାଗତଙ୍କ ଚକ୍ଷୁରେ ‘କାଳ-କୁଷ୍ମାଣ୍ଡ’ ବା ମେଧାବୀ ଛାତ୍ର ବୋଲି ବିବେଚିତ ହେଲୁ, ଏହାହିଁ ଆମ ଦୁହିଁଙ୍କୁ ବିଶେଷ ସଂଦେହରେ ପକାଇଥାଏ ।

 

ଆମକୁ ଏପରି ଜ୍ଞାନ ଥିବା ସତ୍ତ୍ଵେ ଆମେ ‘ସେଣ୍ଟପ୍’ ହୋଇପାରି ନଥିବାରୁ ସେ ଆମ ପାଈଁ ବିଶେଷ ଦୁଃଖ ପ୍ରକାଶ କରି ଇଂରାଜୀରେ ଯାହା ଆଶ୍ୱାସନା ବାଣୀ ଶୁଣାଇଲେ ତାହା ଆଉ ଏବେ ମନେପଡ଼ୁ ନାହିଁ । ତେତେ ତାହାର ମର୍ମ ହେଉଛି, ‘‘ମୁଁ ବଡ଼ ବିସ୍ମିତ ଯେ ତୁମ ପରି ପିଲାଙ୍କୁ sent up କରାନଗଲା କିପରି ? ଯାହା ହେଉ, ହାତପାଣି କହୁଣୀକୁ ବହିଯାଇଛି । ଆଉ ଭାବି କିଛି ଲାଭ ନାହିଁ ।

 

ପ୍ରଥମ ସାକ୍ଷାତରେ ବଇଁଶୀ ବାବୁଙ୍କର ଏହି ଆଶା-ଆଶ୍ୱାସନା ଓ ସହାନୁଭୂତିର ବାଣୀ ତାହାପରେ ଆମ ଦୁଇ ଭାଇଙ୍କର ଜୀବନକୁ ପୁରାପୁରି ଓଲଟାଇ ଦେଲା । ଭିକ୍ଟର ହ୍ୟୁଗୋଙ୍କର ‘ଲା ମିଜରେବୁଲ୍’ ଉପନ୍ୟାସରେ ମହନ୍ତଙ୍କର କେଇପଦ ମିଠା କଥା ଓ ଗଭୀର ଆଶାବାଦ-କୁଖ୍ୟାତ ‘ଡାକୁ’ ଟାର ଜୀବନ ପଥକୁ ଆମୁଳ ଚୁଳ ପରିବର୍ତ୍ତନ କରିଦେଲାପରି ଆମେ ଦୁଇଜଣ ତାହା ପରେ ପରେ ଶ୍ରେଣୀରେ ସର୍ବଶ୍ରେଷ୍ଠ ଛାତ୍ର ହୋଇ ଦେଖାଦେଲୁ ।

 

ସେହିଦିନୁ ଆମର ଘଟାନ୍ତର ହେଲା କହିଲେ ଚଳେ । ବଇଁଶୀ ବାବୁଙ୍କ ତୁଣ୍ଡରେ ଆମର ପରିଚୟ ତେଣିକି ହେଲା ‘PRADHAN BROTHRTS’ (ପ୍ରଧାନ ବ୍ରଦର୍ସ) ବା ‘ପ୍ରଧାନ ଭ୍ରାତୃଦ୍ଵୟ’ । ଆମ ଉପରେ ପ୍ରଧାନ ଶିକ୍ଷକଙ୍କର ନଜର ପଡ଼ିବାରୁ ସବୁ ପିଲାଙ୍କର ମଧ୍ୟ ନଜର ପଡ଼ିଲା ।

 

ଆମେ ଇଂରାଜୀରେ ଦୁର୍ବଳ ଥିବା ପିଲାଙ୍କୁ ପଢ଼ାଇବା ଭାର ନେଲୁ । ସେ ବାର୍ଷିକ ପୁରସ୍କାର ବିତରଣୀ ସଭା ପାଈଁ କରାଯାଉଥିବା ବିଚିତ୍ରାନୁଷ୍ଠାନରେ ସାର୍ ଆମକୁ ବାଧ୍ୟକରି ଇଂରାଜୀ ଓ ଓଡ଼ିଆରେ ଚାରି ଛ’ଟା ଲେଖାଏଁ ପାର୍ଟ ଦେଲେ । ମୁଁ ମୁଁ ଓ ମୋ ଦାଦିପୁଅ ଭାଇ ତାଙ୍କ ଦୟାରୁ ଏଇଠି ପ୍ରଥମେ ମଞ୍ଚ ଉପରକୁ ଉଠିଲା । ଇଂରାଜୀ ଭାଷାରେ ଯାହା କିଛି ଅଭିନୀତ ହୋଇଥିଲା, ସେ ଲେଖାଗୁଡ଼ିକ ଥିଲା ସାର୍‍ଙ୍କର । ମୁଁ ଏକ ଭୂମିକାରେ ବଦୂଷକର ଝିଅ ଓ ଅନ୍ୟ ଏକ ଭୂମିକାରେ ଇଂରାଜୀ ପ୍ରଫେସର ହୋଇଥିଲା । ଝିଅ ବେଶ ପକାଇ ବାହାରିବାକୁ ମନା କରିବାରୁ ମୋତେ ‘ଜେଷ୍ଟରସ, ସନ୍’ ବା ବିଦୂଷକର ପୁଅ ବୋଲି ଡକାଗଲା । କିନ୍ତୁ ଅଭିନୟରେ ଯେଉଁ ଭାବଭଙ୍ଗୀ ଓ କାଯ୍ୟ କରିବାକୁ ପଡ଼ିଥିଲା ତାହା ମୁଖ୍ୟତଃ ଝିଅ ପିଲାଙ୍କର । ସଂଳାପଗୁଡ଼ିକ ଏତେ ଚିତ୍ତାକର୍ଷକ ଥିଲା ଯେ ଏତେ ବର୍ଷ ପରେ ବି ତହିଁରୁ ପଦେ ଅଧେ ମୋର ମନେ ଅଛି । ଅଭିନୟର ବିଷୟ ବସ୍ତୁ ଥିଲା ‘କାଲି ସକାଳେ ଷଣ୍ଢ କ୍ଷୀର ଆଣି ଯୋଗାଇବାକୁ ବିଦୂଷକଙ୍କୁ ରାଜାଙ୍କର ଆଦେଶ ଥାଏ । ଷଣ୍ଢ ଠାରୁ କିପରି କ୍ଷୀର ସମ୍ଭବ ହେବ, ଏହି ଚିନ୍ତାରେ ‘ବିଦୂଷକ ‘ରାଜନଅରରୁ ଫେରି ମହାଭାଳେଣିରେ ପଡ଼ିଥାନ୍ତି । କ୍ଷୀର ନଦେଲେ ରାଜା ଅବୁଝା, ନିଶ୍ଚୟ ମୁଣ୍ଡକାଟ ଶାସ୍ତିଦେବେ । ଉପାୟ କ’ଣ ? ଏହି ଅବସ୍ଥାରେ ମୋର ଡାଇଲଗ୍ (ସଂଳାପ) ଥିଲା “why Papa, What’s the matter with you ?” ଇତ୍ୟାଦି ।

 

ସେହିପରି ପ୍ରଫେସର୍ ଭୂମିକାରେ ମୋତେ “war and its evils” ସବଂଧରେ କ୍ଲାସରେ ଭାଷଣ (Lecture) ଦେବାକୁ ହୋଇଥିଲା । ପରବର୍ତ୍ତୀ ସେଣ୍ଟପ୍ ପରୀକ୍ଷାରେ ତାହା ମଧ୍ୟ ଇଂରାଜୀ Essay ଭାବରେ ପ୍ରଶ୍ନପତ୍ରରେ ପଡ଼ିଲା । ମୁଁ କେଇମାସ ତଳେ ଘୋଷିଥିବା ମୋ ଲେକ୍‍ଚର୍‍ଟିକୁ ନିର୍ଭୁଲ ଭାବରେ ଲେଖି ଭଲ ନମ୍ବର ପାଇଲି । ସେ ବର୍ଷ ପୁରସ୍କାର-ବିତରଣୀ-ସଭାରୁ ‘ନରାଜ’ ଓ ‘ପଲ୍ଲୀଛାୟା’ ଇତ୍ୟାଦି ଯେଉଁ ବହି କେଇଖଣ୍ଡ ପୁରସ୍କାର ପାଇଥିଲି ତାହା ମଧ୍ୟ ମୋର ଭବିଷ୍ୟତ ଜୀବନର ଲେଖାଲେଖି ଓ ସାହିତ୍ୟ ସେବା ପାଇଁ ଭିତ୍ତି ପକାଇଥିଲା ।

 

ଏହାଭିନ୍ନ ବଇଁଶୀ ବାବୁ ନିର୍ଭୂଲ୍ ଭବିଷ୍ୟତଦର୍ଶୀକି କ’ଣ, ସେ ମୋତେ ମଞ୍ଚାମାୟାରେ ଯେଉଁ ପ୍ରଫେସର ଭୂମିକା ପାଇଁ ଦିନରାତି ଲାଗିପଡ଼ି ଉପଯୋଗୀ କରାଇଥିଲେ, ସତକୁ ସତ ବାସ୍ତବ ଜୀବନରେ ମୁଁ ସେଇୟା ହେଲି । ମାଇନ୍‍ର ପରୀକ୍ଷାରେ ପାଶ୍ କରିବାଯାଏ ସେ ଧୋତିଚାଦର ଛାଡ଼ି ନଥିଲେ ମଧ୍ୟ ମୋର ଜଣେ ଅନ୍ୟ ଗୁରୁଙ୍କର ଭବିଷ୍ୟତ ବାଣୀ ‘ଅକାଳ କୁଷ୍ମାଣ୍ଡ’ ହେବାଟା ମୋ ଭାଗ୍ୟରେ ଜୁଟିଲା ନାହିଁ । ବରଂ, ସେ ଯେଉଁ ଦୁଇ ତିନିଜଣଙ୍କୁ ଅନୁଷ୍ଠାନର ନାମ ରଖିବେ ବୋଲି ଦୈବବାଣୀ କରୁଥିଲେ, ସେମାନଙ୍କ ଭିତରୁ କେହି କଲେଜ୍ ଦେଖିଲେ ନାହିଁ । ଆହୁରି ପରିତାପର ବିଷୟ ଏହି ଯେ ସେମାନଙ୍କ ମଧ୍ୟରୁ ଜଣେ ମଣିଷ-ମରା ମୋକଦ୍ଦମାରେ ସଶ୍ରମ କାରାଦଣ୍ଡ ଭୋଗି ତାଙ୍କର କୃତିତ୍ୱ ଦେଖାଇଲେ । ଏସବୁ ଲେଖିଲାବେଳେ ସେ ଗୁରୁଙ୍କ ପ୍ରତି ମୋର ଈର୍ଷା ବା ହେଷ ପ୍ରକାଶ କରୁନାହିଁ । କେବଳ ତୁଳନା କରି ଦେଖାଉଛି ବଇଁଶୀବାବୁ ଓ ସେମାନେ, ସମସ୍ତେ ମୋର ଗୁରୁର ଆସନ ଗ୍ରହଣ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ପ୍ରକୃତ ଗୁରୁ କିଏ । କେବଳ ଆସନ ଜୋରରେ ନୁହେଁ, ଗୁରୁର ଦାୟିତ୍ଵ ପାଳନରେ କିଏ ବାସ୍ତବରେ ମୋର ଜୀବନର ନିର୍ମାତା, କିଏ ପ୍ରକୃତରେ ମୋର ଇହ ପର କାଳରେ ନମସ୍ୟ । ଯାହାହେଉ, ଗୁରୁର ଭଲମନ୍ଦ ମୁଁ କେବେ ବିଚାରି ନାହିଁ । ଗୋବର ଗଦାକୁ ଗଣେଶ କହି ମୁଁ ଜୀବନଟା ଯାକ ମୁଣ୍ଡିଆ ମାରି ଆସିଛି । ଏଥିରେ ମୋର ଭବିଷ୍ୟତ ପାଇଁ ବହୁତ ଲାଭ ହୋଇଛି ବରଂ କ୍ଷତି ହୋଇନାହିଁ । କାରଣ ବର୍ତ୍ତମାନର ଲାଭାଲାଭକୁ ନେଇତ ଜୀବନର ମୂଲ କଷା ଯାଏ ନାହିଁ । ସ୍ଵାର୍ଥପର ଦ୍ରୋଣାଚାର୍ଯ୍ୟଙ୍କର ଘୃଣା କ’ଣ ଏକଲବ୍ୟ ପାଇଁ କମ୍ କରୁଣାର ବିଷୟ ? ଏହି ଦୃଷ୍ଟିରେ ମୁଁ ମୋର ଗୁରୁମାନଙ୍କୁ ଆଦରି ନେଇଛି । କଥା ପ୍ରସଙ୍ଗରେ ମନର କେତେକ ପ୍ରତିକ୍ରିୟା ଦର୍ଶାଇଲି । ନିତାନ୍ତ ଅପାରଗ ଓ ଦୁର୍ବଳ ଛାତ୍ରକୁ ମଣିଷ କରି ଗଢ଼ିଦେବାରେ ସଦଗୁରୁର ଭୂମିକା କିପରି ବଳିଷ୍ଠ ଓ ଅପରିହାର୍ଯ୍ୟ, ଏହା ସୁଚାଇବା ହୁଏତ ମୋର ଅଭିମତର ମୂଳ ଲକ୍ଷ୍ୟ ।

 

ଥରେ ନେପୋଲିଅନ୍ କୁଆଡ଼େ କହିଥିବାର ଶୁଣାଯାଏ, ଫ୍ରାନସର ଆଉ କିଛି ଦରକାର ନାହିଁ; ଫ୍ରାନ୍‍ସ ଚାହେଁ ଗୁଡ଼ିଏ ସୁମାତା (good mothers) । ସେହିପରି ଆମ ଦେଶର ସାଂପ୍ରାତିକ ଶିକ୍ଷା ଦୀକ୍ଷା ଓ ସାମାଜିକ ସଂକଟ କାଳରେ ମୋ ମତରେ ଦେଶ ଚାହେଁ; ଗୁଡ଼ିଏ ବଇଁଶୀ ବାବୁ ବା ଗୁଡ଼ିଏ ସୁଶିକ୍ଷକ; ଯାହାଙ୍କୁ ପାଇଲେ ଆମ ସ୍କୁଲ, କଲେଜର ପିଲାଏ ସେମାନଙ୍କର ଆଗକୁ ପଛକୁ କେହି ନାହାନ୍ତି ବୋଲି ରାଜେଶ ଖାନ୍ନା, ସାଇରାବାନୁ ଓ ବୈଜୟନ୍ତୀମାଳାଙ୍କୁ ତାଙ୍କର ନେତା-ନେତ୍ରୀ ଓ ନେତୃତ୍ଵର ଆସନ ଦେବାକୁ ଆଗେଇ ଆସନ୍ତେ ନାହିଁ-

Image

 

ବୟାଳିଶି-ଆନ୍ଦୋଳନ

 

ଭାରତର ଅନ୍ୟାନ୍ୟ ଗାଁ-ଗଣ୍ଡା ଭଳି କରିଲୋପାଟଣା ବର୍ତ୍ତମାନ ତାହାର ପୂର୍ବ ଗୌରବ ହରାଇ ବସିଥିଲେ ମଧ୍ୟ ଦିନେ ଏହା ପଣ୍ଡିତ ଶ୍ରୀ ରାମଚନ୍ଦ୍ର ମିଶ୍ର (ଓଡ଼ିଆ ଅମର କୋଷର ସଂଶୋଧକ), ଉତ୍କଳର ଅପ୍ରତିଦ୍ଵନ୍ଦୀ ବାଗ୍ମୀ ଓ ନେତା ଶ୍ରୀ ଯଦୁମଣି ମଙ୍ଗରାଜ, ଏକଦା ଉଚ୍ଚ ସରକାରୀ ପଦରେ ଅଧିରୁଢ଼ ଶ୍ରୀ ଭାବଗ୍ରାହୀ ମିଶ୍ର ପ୍ରଭୃତି ତ୍ୟାଗବୀର, ଜ୍ଞାନୀ ଓ ଗୁଣିମାନଙ୍କୁ କୋଳରେ ଧରି ଧନ୍ୟ ହୋଇଥିଲା । ବିଶେଷତଃ, ଇଂରେଜ ଅମଳରୁ ଏଠାରେ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଡ଼ାକଘର ଓ କ୍ଷୁଦ୍ର ଧରଣର ହାଟ ବଜାର ରହିଥିବାରୁ ଆଖ ପାଖ ଗାଁ ଅପେକ୍ଷା ଏ ଗାଁ ମାଟିର ନାଁ ଟିକେ ବେଶୀ ଡାକ ଥାଏ । ଆୟତନରେ ଗାଁଟି ସତର ବାଙ୍କିଆ ଏକ ବଡ଼ ଗାଁ । କଟକ ଠାରୁ ମୋଟେ ଷୋଳ ସତର କୋଶ ଦୂରରେ ଅବସ୍ଥିତ ଥିବାରୁ କଟକରେ ଯାହା କିଛି କାଶ ଛିଙ୍କ, ଆମ ସେ ଅଞ୍ଚଳରେ ପ୍ରଥମେ କରିଲୋପାଟଣାରୁ ଶୁଣାଯାଏ । ତେଣୁ ବାପୁଜୀଙ୍କର ଅସହଯୋଗ ଆନ୍ଦୋଳନ ଓ ଭାରତ ଛାଡ଼ ଇତ୍ୟାଦିର ଭୈରବ ପ୍ରତିଧ୍ଵନି ପ୍ରଥମେ ଏହି ଗାଁରୁ ଶୁଣାଯାଇଥିଲା ।

 

୧୯୪୨ ବେଳକୁ ‘ଭାରତଛାଡ଼୍-ଆନ୍ଦୋଳନ’ର ନିଆଁ ଏ ଅଞ୍ଚଳରେ ଖୁବ୍ ଜୋରସୋରରେ ଖେଳିଯାଇଥାଏ । ନେତା ପରେ ନେତା ଆସୁଥାଆନ୍ତି । ହାଟ ପଡ଼ିଆ ଲୋକ ଗହଳିରେ ଫାଟିପଡ଼ୁଥାଏ । ହାସ୍ୟରସିକ ଯଦୁମଣି ଓ ଅନ୍ୟାନ୍ୟ କର୍ମୀମାନଙ୍କର ଭାଷଣରେ ଗାଁ-ଗଣ୍ଡା କମ୍ପୁଥାଏ । ଜନତା, ଫୁଲମାଳ ଓ କରତାଳିରେ ନେତାମାନଙ୍କୁ ପୋତି ପକାଉଥାନ୍ତି । ପୋଲିସବାଲା ଲୁଚିଛପି କଣ ଟିପି ନେଉଥାନ୍ତି । ନେତା ଓ କର୍ମୀଗଣଙ୍କର ସେଥିପ୍ରତି ଖାତିର ନଥାଏ । ସଭା ଶେଷରେ ଜନତାର ହର୍ଷଧ୍ଵନି ବନ୍ଦ ନହେଉଣୁଁ ପୋଲିସ ସେମାନଙ୍କୁ ଆରେଷ୍ଟ କରି କେନ୍ଦ୍ରାପଡ଼ା ନେଇଯାଏ ଓ ସେଠାରେ ସେମାନଙ୍କର ଲୋକ ଦେଖାଣିଆ ବିଚାର ହୋଇ ସେମାନଙ୍କୁ ବିଭିନ୍ନ ଜେଲକୁ ପଠାଯାଏ ।

 

ଏହି ସମୟରେ କେନ୍ଦ୍ରାପଡ଼ାରେ ଏସ୍.ଡି.ଓ. ଥାଆନ୍ତି ମନି ବାବୁ (ଶ୍ରୀ ମନୀନ୍ଦ୍ରନାଥ ଗୁହ ବୋଧହୁଏ ?) । ଏ ଆନ୍ଦୋଳନର ସୁରା ଆବାଳ ବୃଦ୍ଧବନିତା, ସମସ୍ତଙ୍କୁ ଏପରି ମତୁଆଲ୍ କରିଥାଏ ଯେ ଦିନେ ସଭିଂଙ୍କ ଅଜାଣତରେ ସତିଆ ଭାଇ (ମାହାରାକୂଳ ଗାଁ’ର ଶ୍ରୀ ସତ୍ୟାନନ୍ଦ ରାଉତ, ଯେ କି ବର୍ତ୍ତମାନ ସ୍ଵାଧୀନତା-ଆନ୍ଦୋଳନର କର୍ମୀଭାବରେ ସରକାରଙ୍କଠାରୁ ଭତ୍ତା ପାଉଛନ୍ତି) ଏସ୍.ଡି.ଓ. ଙ୍କ ଇଜ୍‍ଲାସକୁ ପଶି ତାଙ୍କ ସାମ୍ନାରେ ବହୁ ନଥିପତ୍ର ଚିରିପକାଇଲେ । ମନିବାବୁ ବଡ଼ କଡ଼ା ହାକିମ । ତାଙ୍କ କଲମ ଗାରରେ ସତିଆ ଭାଇଙ୍କୁ ବର୍ଷେ ନା ଛମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା । ‘ଗ’ ଶ୍ରେଣୀର ବନ୍ଦୀ (‘C’ class prisoner) ଭାବରେ ତାଙ୍କୁ ଜେଲଖାନାରେ ବହୁ ନିର୍ଯାତନା ମଧ୍ୟ ସହିବାକୁ ହେଲା । ସପ୍ତମ ଶ୍ରେଣୀଯାଏ ପାଠ ପଢ଼ିଥାନ୍ତୁ ପଛେ ସେ ଠିକଣା ବେଳରେ ଦେଶର ଡାକ ଶୁଣି ତାର ଜବାବ ଦେଇପାରିଲେ । ତାଙ୍କ ପକ୍ଷରେ ଏହା କମ୍ ଗୌରବର କଥା ନୁହେଁ ।

 

ଏମିତିକା ଏକ ବେଳରେ ଆମେ ସବୁ ଚୁପ୍ ରହିଛୁ କିପରି ? ଜଗତସିଂହପୁରର ଜଣେ ଖଦଡ଼ ପିନ୍ଧା କର୍ମୀ ଆସି ଆମ କାନରେ ‘ଭାରତଛାଡ଼୍’ର ମନ୍ତ୍ର ଫୁଙ୍କି ଦେଲେ । ତେଣୁ ଆମେ ସପ୍ତମ ଶ୍ରେଣୀର ପିଲାମାନେ ପରଦିନ ଡାକଘରେ ନିଆଁ ଲଗାଇବା, ଟେଲିଗ୍ରାମ ଓ ଟେଲିଫୋନ ତାର କାଟିଦେବା ଇତ୍ୟାଦି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସ୍ଥିର କଲୁ । ଆମର ନେତା ହେଲେ ଦିଜ ମାମୁଁ । (ଡ: ଦୁର୍ଯ୍ୟୋଧନ ମଙ୍ଗରାଜ, ରସାୟନ ବିଭାଗର ଅଧ୍ୟାପକ, ଯେକି ରେଭେନସା କଲେଜ, କଟକ, ଖଡ଼ଗପୁର, କାନପୁର ଇତ୍ୟାଦି ବହୁ ସ୍ଥାନରେ କାର୍ଯ୍ୟ କରି ବର୍ତ୍ତମାନ ଆମେରିକାରେ ଥିବାର ଶୁଣେ) । ସେ ସେତେବେଳେ ମୋର ସହପାଠୀ ଥାଆନ୍ତି, ପରେ ମଉଳା ଶ୍ୱଶୁର ହେଲେ । ଦିଜ ମାମୁଁ ଯଦୁମଣି ମଙ୍ଗରାଜଙ୍କ ନିଜ ପୁତୁରା । ତେଣୁ ସିଂହ-ଶାବକ । ପାଠକୁ ଯେମିତି ନେତାଗିରିରେ ତତୋଽଧିକ (ଅବଶ୍ୟ, ମାଇନର ସ୍କୁଲ ପରେ ସେ ଆଉ କେବେ ନେତାଗିରିରେ ମନ ଦେଇ ନାହାନ୍ତି) । ତାଙ୍କ ନେତୃତ୍ଵରେ ପରଦିନ ଗାଧୁଆ ବେଳକୁ ଆମେ ସବୁ ଶ୍ରେଣୀ ବର୍ଜନ କରି ‘ଫକୀରା-ବର’ରେ ରୁଣ୍ଡ ହେଲୁ । ଦିଜ ମାମୁଁ ଅତି ଭାବପ୍ରବଣ ଭାବରେ ଅନର୍ଗଳ ବକ୍ତୃତା ଦେଲେ । ଆମେ ସବୁ ତାଙ୍କ କଣ୍ଠରେ କଣ୍ଠ ମିଳାଇ ସିଂହନାଦ (ସ୍ଲୋଗାନ) ଦେଲୁ-

 

ବନ୍ଦେ ମାତରମ୍ (୩ ଥର)

 

ଇଂରେଜ ସରକାର୍...ଭାରତ ଛାଡ଼୍ (୩ ଥର) ଇତ୍ୟାଦି ।

 

ଏତିକିରେ ସଭା ଭାଙ୍ଗିଲା । ସ୍ଥାନୀୟ ଡାକଘର ପୋଡ଼ିବାକୁ ମସୁଧା କରି ଆମେ କେତେକ ଛାତ୍ର ଡାକଘର ଏପଟ ସେପଟ ଘୁରି ବୁଲିଲୁ । ବଇଁଶୀ ବାବୁ କେଉଁଠୁ କେଜାଣି ଖବର ପାଇ ଆମଭଳି ନେତା, ଉପନେତା ଓ ଅନ୍ୟାନ୍ୟ କେତେକ ପିଲାଙ୍କୁ ଡକାଇଲେ । ତାଙ୍କ ଆଖି ରାଗରେ ପାଚି ଉଠିଥାଏ । ଅଫିସ ଘରୁ ଶକ୍ତ ଏକ ଲମ୍ବାବେତ ଅଣାଇ ଶୃଙ୍ଖଳାଭଙ୍ଗ ଅପରାଧରେ ସେ ଆମ ପ୍ରତ୍ୟେକଙ୍କୁ ପାଞ୍ଚ, ପାଞ୍ଚ ପାହାର ବେତମାଡ଼ ଦେଲେ । ତଥାପି ଆମର ଦୁଃଖ ନଥାଏ । କାରଣ ମାଆର ମୁକ୍ତି ପାଇଁ ଆମଭଳି କ୍ଷୁଦ୍ର ଗୁଣ୍ଡୁଚି ମୂଷାମାନଙ୍କର ସେତିକି ହୁଏତ ଥିଲା ସେ ବୟସର ଅବଦାନ ।

 

ତେଣୁ ବେତ ପାହାରର ନୋଳାଗୁଡ଼ିକୁ ମାଡ଼ର ଚିହ୍ନ ନ ବିଚାରି ଗୁଣ୍ଡୁଚି ପିଠିରେ ରାମଚନ୍ଦ୍ରଙ୍କର ଆଉଁସା ଚିହ୍ନି ବୋଲି ଭାବିବା ଠିକ୍ ହେବ । ଯାହାହେଉ ଏତିକିରେ ଆମ ଆନ୍ଦୋଳନର ଇତି ଘଟିଲା । ଆମେ ଯଥାରୀତି ଶ୍ରେଣୀରେ ଯୋଗଦେଲୁ ।

Image

 

ପୁନେଇଁରେ ଅନ୍ଧାର

 

ଯେତେଦୂର ମନେପଡ଼େ, ୧୯୪୩ରେ ମୁଁ ମାଇନର ପାଶ୍‍କଲି । କାରଣ ମୋ ମାଇନର୍ ପାଶ ବେଳକୁ ଯୁଦ୍ଧର ଘନଘଟା ଆଉ ନଥାଏ । ଗାଁ’ ଆକାଶରେ ଉଡ଼ାଜାହାଜର ଭଁ’ ଭାଁ’ ଶବ୍ଦ ମଧ୍ୟ ବନ୍ଦ ହୋଇ ଆସିଥାଏ । ସରକାର ଜିତିଲେ ବୋଲି କେତେ ଜାଗାରେ ମିଠେଇ ବଣ୍ଟା ହେଲା । ଏହି ସମୟରେ ଗାଁ’ ଗଣ୍ଡାର ଲୋକଙ୍କ ମୁହଁରୁ ବୋମା ବିଷୟରେ କେତେ କେଜାଣି ଅଜବ କାହାଣୀ ଶୁଣିବାକୁ ମିଳୁଥାଏ ।

 

ମୋ ଜେଜେମା’ ଏତେବେଳକୁ ଶେଷ ଶଯ୍ୟାରେ । ଜେଜେବାପା (ଅଜା) ତ ୬।୭ ବର୍ଷ ଆଗରୁ ବାଟ କାଟିଥିଲେ । ମୋ ମାଇନର ପାଶ ବେଳକୁ ବଞ୍ଚି ରହିଥିଲା ଜେଜେମା’ । ମୋତେ ପାଠୁଆ କରାଇ ବଂଶର ନାଁ ରଖିବାକୁ ତାହାର ଝୁଙ୍କ ଥିଲା ଅଧିକ । ହେଲେହେଁ ବୁଢ଼ୀ ଲୋକ । ତାହାର କାର୍ଯ୍ୟକ୍ଷେତ୍ରର ସୀମା ମଧ୍ୟ ସଂକୀର୍ଣ୍ଣ । ତାହା ପାରୁ ପର୍ଯ୍ୟନ୍ତ ସେ କେତେବେଳେ ମୋତେ ଧରମଛଡ଼ା ବୋଲି ଗାଳିଦେଇ ଅଥବା ମୋ ଫୁଟିଜଙ୍ଘ ଚିମୁଟି ମୋତେ ପାହାନ୍ତାରେ ପାଠ ପଢ଼ିବା ପାଇଁ ଉଠାଏ । ମୁଁ ରାଗରେ ଗରଗର ହୋଇ ତାକୁ ଓଲଟି ଚିମୁଟା ଦେଲେ ସେ ହସି ହସି ଗଡ଼ିଯାଏ ସିନା, କିନ୍ତୁ କେବେହେଲେ ତା’ପାଟିରୁ ‘ଧରମଛଡ଼ା’ ବ୍ୟତୀତ ଅନ୍ୟ ଗାଳି ବାହାରି ନାହିଁ-

 

ମୁଁ ବାପାଙ୍କର ବଡ଼ ପୁଅ ନହେଲେହେଁ ଜିଇ ବଂଚିରହିଥିବା ଏକମାତ୍ର ପୁଅ । ତେଣୁ ଫି’ ବର୍ଷ ପୋଢ଼ୁଆଁ ଅଷ୍ଟେଇଁରେ (ପ୍ରଥମାଷ୍ଟମୀ) ମାମୁଁଘର ଓ ଆମଘର ମୋତେ ପୋଢ଼ୁଆଁ କରନ୍ତି ।

 

କେବେ କୌଣସି ବର୍ଷ ମାମୁଁ ଘରୁ ପୋଢ଼ୁଆଁ ଲୁଗା ଆସିବାରେ ଡେରି ହୋଇଗଲେ ବା ଆମ ଘର ଲୁଗା ଆସିନଥିଲେ ବୁଢ଼ୀକୁ ଭାତ ରୁଚେ ନାହିଁ । ତା’ମନ୍ତ୍ର ଭ୍ରମର ଗୁମ୍ଫା ଧରିଯାଏ । ଗାଁ’ର କେଉଁ କଲିକତିଆକୁ ଅମାରରୁ ଧାନ ମାପି ଦେଇ ସେ ମୋ’ ପାଇଁ ୫/୬ ହାତୀ ଲୁଗା ଖଣ୍ଡିଏ ତାଙ୍କ ପାଖରୁ ଆଣେ । ତହିଁରେ ହଳଦୀ ଚନ୍ଦନ ମାରି ତାହା ମୋତେ ପିନ୍ଧାଇ ସାରିଲେ ତା’ମନର ଆନନ୍ଦ କହିଲେ ନସରେ । ଅଥଚ ଏଥିପାଇଁ ମୋ ବାପା-ବଡ଼ ବାପାଙ୍କର ଆଦୌ ନିଘା ନ ଥାଏ ।

 

ମୋର ମାଇନର୍-ପାଶ୍ ଖବର ପାଇବାର ଚାରି ଛ’ମାସ ପୂର୍ବରୁ ଜେଜେମା ବାଧିକି ପଡ଼ିଥାଏ । ତଥାପି ତାହାର ମନ ଜାଗି ରହିଥାଏ ମୋ ପାଶ୍-ଖବର ଶୁଣିବାକୁ । ତାହାର ଅନ୍ତିମ ମୁହୂର୍ତ୍ତ କି ଅନ୍ତିମ ମୁହୂର୍ତ୍ତର କିଛିଦିନ ଆଗେ ସମ୍ବାଦ ମିଳିଲା ଯେ ମୁଁ ପାଶ୍ କରିଛି । ଶୁଣାଶୁଣିରୁ ସେ ଜାଣିଲା ଯେ ତା’ର ଶେଷ ଆଶା ପୂର୍ଣ୍ଣ ହୋଇଛି । ତଥାପି ମନର ସନ୍ଦେହ ମେଣ୍ଟାଇବାପାଇଁ ସେ ବାପାଙ୍କୁ ପଚାରିଲେ କାଳନ୍ଦୀ ମୋର ପାଶ୍ କରିଚିନା ?

 

ବାପା ହଁ ଭରିଲେ । ତାହାର ରୋଗ ପାଣ୍ଡୁର ମୁହଁ ଓ ଶେତା ଶେତା ଆଖି ଦୁଇଟି କିଛିକ୍ଷଣ ଲାଗି ଉଜ୍ଜ୍ୱଳ ହୋଇ ଉଠିଲା । ତାହାପରେ ସେ ଆଉ କାହାକୁ କିଛି ନକହି ଆନନ୍ଦରେ ଶୋଇଆସିଲା । ଏହାପରେ ଆଉ ସେ ଶେଯରୁ ଉଠିଲାନାହିଁ । ଏ ସୁଖ ସମ୍ବାଦର ପୂନେଇଁ ତିଥିରେ ଘୋଟି ଆସିଲା ଅମେଇସାର ଅଂଧାର । ଆମଘରେ ଗୋଟିକପରେ ଗୋଟିଏର ମୃତ୍ୟୁ ପାଞ୍ଚ-ସାତ ବର୍ଷ ବ୍ୟବଧାନ ଭିତରେ ଘଟିଗଲା । ଅଜା ମଲାବେଳକୁ ମୋ ବୟସ ସାତ କି ଆଠ ହୋଇଥିବ । ମୁଁ ତାଙ୍କ ମୃତ୍ୟୁ ବିଛଣା ପାଖରେ ବସି ଭାଗବତ ପଢ଼ୁଥାଏ । ପୁଷମାସର ହେମାଳ ରାତି । କାଠୁଆ ଜାଡ଼ ଦେହର ମଞ୍ଜ ଥରାଇ ଦେଉଥାଏ । ହଠାତ୍ କଣ ହେଲା ସମସ୍ତେ ଉଦ୍‍ବିଗ୍ନ ହୋଇ ତାଙ୍କ ଶଯ୍ୟା ଚାରିକଡ଼େ ଘେରିବସିଲେ । ପାଟିରେ କ’ଣ ଟିକେ ପାଣିଦେଲେ । ତାହା ସେ ପାଖକୁ ଗଲାନାହିଁ, ଫେରିଆସିଲା । ତାହାପରେ ସମସ୍ତେ କାନ୍ଦି-ଉଠିଲେ । ମୋ ସାଆନ୍ତ ମା’ ଧୂଳି ସାଉଁଟିଲା ପରି ହୋଇ ‘ମୋ ରାଇଜ ରଜା’ କହି ବାହୁନି ଉଠିଲା । ମୁଁ କିଛି ବୁଝିପାରୁ ନଥାଏ । କେବଳ ଭୟରେ ଅବାକ୍ ହୋଇ ଯାଇଥାଏ । ମୋ ଜେଜେମା କାହିଁକି ଏପରି କାନ୍ଦୁଛି ଭାବି ମୁଁ ତାକୁ ତୁନି କରିବାକୁ ତା ପାଟିରେ ହାତ ଦେଇ “କନ୍ଦେନା ବା” ବୋଲି ଆଶ୍ଵାସନା ଦେଲି ।

 

ସେ ମୋ ହାତ ଛଡ଼ାଇ ମୋତେ ଓ ଅଜାଙ୍କର ନିଶ୍ଚଳ ଦେହଟିକୁ ଧରି ଅଧିକ ବିକଳ ହୋଇ କାନ୍ଦି ଚାଲିଲା । ଦେଖଣାହାରୀ ଲୋକ କହିଲେ ମୁଁ କୁଆଡ଼େ ଛୁଆଁ ହୋଇଗଲି । କିନ୍ତୁ ମୃତ୍ୟୁ କଣ, ଛୁଆଁ କଣ କିଛି ବୁଝିପାରୁ ନଥିଲେ ମଧ୍ୟ ମୁଁ ଜାଣିଲି ଯେ ଏ ନିଦ ଆଉ ଭାଙ୍ଗିବ ନାହିଁ । ଏହାପରେ ଜେଜେଙ୍କୁ ମଡ଼ାସାଙ୍ଗିଆ ମାନେ ଘରୁ କାଢ଼ିନେଲା ବେଳେ ମୁଁ ଭୟରେ ଜଡ଼ସଡ଼ ହୋଇ ଆସିଲି । ପୁଷମାସର ସେ ଶୀତୁଆ ରାତିରେ ସାଆନ୍ତମା ଓ ମୁଁ ନଈରେ ଗାଧୋଉଥିବା ବେଳେ ଘାଟକୂଳ ଆଡ଼ୁ ଆମ ବଂଶର ମଶାଣୀ ‘ସାହାଡ଼ା କୁଦ’ର ନିଆଁ କୁଆଡ଼େ ଦିଶୁଥାଏ । ସେ ନିଆଁ ମୁଁ ଦେଖିପାରୁ ନଥିଲେ ମଧ୍ୟ କୁଆଡ଼େ ଦିଶୁଥାଏ । ସେ ନିଆଁ ମୁଁ ଦେଖିପାରୁ ନଥିଲେ ମଧ୍ୟ ଆଈମା ତାହା ଦେଖି ବାୟାଣୀ ପରି କାନ୍ଦିକାନ୍ଦି ଝରି ପଡ଼ୁଥାଏ । ସେ ରାତି କି ଭୟଙ୍କର ଓ କି କରୁଣ : ଏବେ ସୁଦ୍ଧା ଭାବିଲେ ମୋ ଦେହ ଶୀତେଇ ଉଠେ ।

 

ଯାହାହେଉ ସାଆନ୍ତ ମା ଥିବାରୁ ଅଜାଙ୍କର ମରଣର ଧକ୍‍କା ଆମେ ସମସ୍ତେ ସମ୍ଭାଳି ନେଇଥିଲୁ । କିନ୍ତୁ ସାଆନ୍ତ ବାପା ଯିବାର ୫/୬ ବର୍ଷ ପରର ସେମିତି ଗୋଟାଏ ଶୀତୁଆ ରାତି (ମାଘମାସ) ରେ ଶେଷ ପ୍ରହରକୁ ବୁଢ଼ୀ (ସାଆନ୍ତମା) ଯେତେବେଳେ ଚାଲିଗଲା, ସେତେବେଳେ ଆମେ ଦେହଧରି ପାରିଲୁ ନାହିଁ । ଆମ ପରିବାରରେ ଦାରୁଣ ଦୁଃଖର ଲହରୀ ଖେଳିଗଲା । ଏହାର କେତେବର୍ଷ ପରେ ମୋ ବୋଉର ମୃତ୍ୟୁ ଆଗରୁ ସୂଚାଇଛି । ବୋଉ ମୃତ୍ୟୁ ପୂର୍ବରୁ ବଡ଼ବାପାଙ୍କର ମୃତ୍ୟୁ । ଏମିତି ଗୋଟିକ ପରେ ଗୋଟିଏ ମୃତ୍ୟୁର ଲୀଳା, ମୋ ଛାତିତଳେ ଏମିତି ଦାଗ କାଟିଗଲା ଯେ ଆଜିସୁଦ୍ଧା ଆମ ଘରେ କାହାର ଦେହ ପା’ ଖରାପ ହେଲେ ମୋ ଆଖିରେ ମୃତ୍ୟୁର କଳାଛାଇ ନାଚିଉଠେ; ଓ ଦେଶ ବିଦେଶରୁ ଫେରି ଗାଁ ଭୁଇଁକୁ ଗଲାବେଳେ ମୁଁ ଆଗ ଦେଖିନିଏ ଆମ ମଶାଣୀ ଭୁଇଁକୁ । ଏମିତି ଦୁଃଖ ଶୋକର ଗୋଟାଏ ମଲା ମାଇଲା ଜୀବନ । ଦୁଃଖର ସୁଅରେ ଭାସି ଚାଲିଛି ।

Image

 

ପାଠପଢ଼ାରେ ଡୋରି

 

ପୂର୍ବରୁ କହିଛି, ମୋ ମାଇନର ପଢ଼ାବେଳେ ଶିକ୍ଷାବର୍ଷ ଜାନୁଆରୀରୁ ଆରମ୍ଭ ହୋଇ ଡିସେମ୍ବରରେ ଶେଷ ହେଉଥିଲା । କିନ୍ତୁ ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ସଙ୍ଗେ ସଙ୍ଗେ ଜୁଲାଇରୁ ଶିକ୍ଷାବର୍ଷ ଆରମ୍ଭ ହେଲା । ସେ ବର୍ଷ ଜାନୁଆରୀରୁ ଜୁନ୍‍ଯାଏ ୬ଟି ମାସକୁ ନେଇ ଏକ ସଂକ୍ଷିପ୍ତ ଶିକ୍ଷା-ବର୍ଷ Short Session) ପ୍ରବର୍ତ୍ତନ କରାଯାଇଥିଲା । ମୁଁ ଓ ମୁରଲୀଭାଇ ସେଇବର୍ଷ ଅଷ୍ଟମ ଶ୍ରେଣୀରେ ନାଁ ଲେଖାଇ ଥିଲେ ୬ ମାସରେ ଗୋଟିଏ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାର ସୁଯୋଗ ପାଇଥାନ୍ତୁ । କିନ୍ତୁ ଜୀବନ-ଦେବତାର ଇଚ୍ଛା ଭିନ୍ନ । ମାଇନର ପାସ ପରେ ସେ ସଂକ୍ଷିପ୍ତ ଶିକ୍ଷା-ବର୍ଷକୁ ନେଇ ଦୁଇଟି ଶିକ୍ଷାବର୍ଷ (ଅର୍ଥାତ୍ ଦେଢ଼ୋଟି ବର୍ଷ) ଆମେ ଦୁହେଁ ଘରେ ବସିଲୁ । ଆଉ ଉପରକୁ ପାଠ ପଢ଼ିବାର-ଝୁଙ୍କଥିଲେ ବି ଆମ ମୁରବିମାନଙ୍କର ସେ ଦିଗରେ କୌଣସି ଉତ୍ସାହ ନଥିଲା । ଅପର ପକ୍ଷରେ ମୋତେ ଜମିବାଡ଼ି ଧନ୍ଦାରେ ଛନ୍ଦିଦେବାକୁ ବଡ଼ବାପାଙ୍କର ଏକାନ୍ତ ଆଗ୍ରହ ଥିଲା । ତା’ ସାଙ୍ଗକୁ କେଉଁଠି କେମିତି ଉପୁରି ଦି’ପଇସା ରୋଜଗାର କରିବାର ବାଟ ସେ ମୋତେ ବତାଉଥିଲେ । ଅବଶ୍ୟ ସେତେବେଳେ ‘ଉପରି’ର ଅର୍ଥ ଭିନ୍ନ ଥିଲା । ଆଜିକାଲି ପରି ଲାଞ୍ଚ ମିଛ ବା ଅଣ୍ଟାଗୁଞ୍ଜା ଅର୍ଥରେ ବ୍ୟବହୃତ ହେଉନଥିଲା ! ଚାକିରି ବାକିରୀର ନ୍ୟାୟୋଚିତ ରୋଜଗାରକୁ ସେତେବେଳେ ଏହି ନାଁ’ରେ ଡକାଯାଇଥିଲା ।

 

ଏହି ବାହାର ରୋଜଗାରର ନିଶା ତାଙ୍କୁ ଏତେ ଘାରିବାର ଯଥେଷ୍ଟ କାରଣ ଥିଲେହେଁ ସେ ଯେ ସ୍କୁଲ, କଲେଜ ଶିକ୍ଷା ବିଷୟରେ ଅତ୍ୟନ୍ତ ବିମୁଖ ଥିଲେ, ଏହା ଅସ୍ଵୀକାର କରିହେବ ନାହିଁ-। ମହାଜନି, ଲାଖରାଜି ପଡ଼ି ଆସିବାବେଳେ ମୋ ବାପାବଡ଼ବାପାଙ୍କ ଭଳି ପିଣ୍ଡାବସା ଲୋକଙ୍କର ଅର୍ଥନୈତିକ ସ୍ୱଚ୍ଛଳତା ପ୍ରାୟ ଭୁଷୁଡ଼ି ଆସୁଥିବାରୁ ସେ ଏହା ଚାହୁଁଥିଲେ ।

 

ହେଲେହେଁ ଅର୍ଥନୀତିର ନିକିତି ତଉଲରେ ମଣିଷ ଜୀବନର ସମ୍ଭାବନାକୁ ସେ ଏପରି ଆଖିବୁଜି ଦେଇଥିଲେ ଯେ ଆମ ଗାଁ’ରେ କିଛିଦିନ ଧରି ଛାଉଣି ପକାଇଥିବା ଏକ ଅମୀନ ଓ ଚେନ୍‍ମ୍ୟାନ୍‍ ସଙ୍ଗରେ ପଦିକାଧରି, ଚେନ୍‍ଟାଣି ଦୁଇ ପଇସା ରୋଜଗାର କରିବାଭଳି ବୃତ୍ତିକୁ ସେ ମୋ, ମାଇନର ପଢ଼ାର ଏକମାତ୍ର ଭବିଷ୍ୟତ ବୋଲି ଧରିନେଇଥିଲେ । ତା’ ସଙ୍ଗକୁ, ମୋ ବାପାଙ୍କର ଖିଆଲୀ ମନ ଓ ସବୁଥିରେ କିପରି ଏକ ଉଦାସୀନତା ମୋ ପାଠପଢ଼ାରେ ଡୋରି ବାନ୍ଧିଦେଲା । ତାହାଙ୍କର ପାନ ବଟୁଆ, ଛାନ୍ଦ ପୁରାଣବୋଲା ଓ ସଂସ୍କୃତ ଚର୍ଚ୍ଚା । ଭଲକି ସେ ଭଲ । ସାଜି ଘର ହେତୁ ବଡ଼ବାପାଙ୍କର ମର୍ଜି ଉପରେ ସବୁ ଛାଡ଼ିଦେଇ ସେ ନିରାଲମ୍ବ ସନ୍ନ୍ୟାସୀ ସାଜି ଚୁପହୋଇ ବସିପଡ଼ିଲେ ।

 

ଏଥି ମଧ୍ୟରେ ବାପା, ବଡ଼ବାପା ଭିନ୍ନେ ହେଲେ । ଭିନ୍ନେ ଘରର ଉତ୍କଟ କଳହ ଆମ ଘରେ ଦେଖାଯାଇ ନଥିଲେ ମଧ୍ୟ ଦୁଇ ଭାଇଙ୍କ ମଧ୍ୟରେ ପରସ୍ପର ପ୍ରତି ସନ୍ଦେହର ନିଆଁ ଯେ କୁହୁଳି ନଥିଲା, ଏହା କହିହେବ ନାହିଁ ।

 

ମୁରଲୀ ଭାଇଙ୍କ ସମସ୍ୟା ଟିକେ ଭିନ୍ନ ଥିଲା । ତାଙ୍କ ସାନଭାଇ ସେତେବେଳକୁ ଉଚ୍ଚବିଦ୍ୟାଳୟରେ ନାମ ଲେଖାଇ ପଢ଼ା ଆରମ୍ଭ କରିଥିବାରୁ ଦୁଇଟି ପୁଅଙ୍କୁ ଏକାବେଳେ ଶିକ୍ଷାବ୍ୟୟ ଯୋଗାଇବାକୁ ସାନବାପାଙ୍କର ସାହସ ନଥିଲା । ଏତେ ଜମିବାଡ଼ି ସତ୍ତ୍ୱେ ଗୋଟିଏ ଦିଓଟି ପିଲାଙ୍କୁ ଉଚ୍ଚଶିକ୍ଷା ଦେବାକୁ ଆମ ଅଭିଭାବକମାନେ କାହିଁକି ପଛାଉଥିଲେ, ତାହା ଏ କାଳରେ ପ୍ରଶ୍ନର ବିଷୟ ହୋଇପାରେ । ତେଣୁ କଥାଟା ଟିକେ ବୁଝେଇ ଦେବା ଦରକାର । ଏ ଯୁଗରେ ଟଙ୍କା ପଇସା ଯେମିତି ଶସ୍ତାହୋଇ ଯାଇଛି ତାହା ସେ କାଳରେ ନଥିଲା । ପୂର୍ବରୁ କହିଛି ଯେ ଗାଁ ଗହଳରେ ଖୁବ୍ ଥିଲାବାଲା ଘର ମଧ୍ୟ ସେତେବେଳେ ଫି’ବର୍ଷ ଚାରିଅଙ୍କ ବିଶିଷ୍ଟ ସଂଖ୍ୟାରେ ଟଙ୍କା ଗଣୁନଥିଲେ । ଭୂଇଁ ବେଶ୍ ଉର୍ବର ଥିଲା । ଫାଳେ ପକାଇଲେ ଗୋଟା ହେଉଥିଲା । ଆମ ଅଞ୍ଚଳ ପରିବାର ଫସଲୀ ରାଇଜରେ ଚାଷବାସର ଉତ୍ପନ୍ନି କହିଲେ ନସରେ । ହେଲେହେଁ ଏସବୁର ବଜାରଦର ଏତେ କମ୍ ଥିଲା ଯେ ଏକାବେଳେ ଶଏଟା ଟଙ୍କାର ଫସଲ ଗାଁ ଗଣ୍ଡାରେ ବିକ୍ରୀ ହୋଇ ପାରୁନଥିଲା । ମୋର ମନେ ଅଛି ଆମ ପିଲାଦିନେ ଭରଣେ ଦେଢ଼ଭରଣ (ପ୍ରାୟ ୬/୭ କ୍ୱଣ୍ଟାଲ) ଗହମ, କୋଳଥ ବା ବିରିମୁଗ ବିକିବାକୁ ବାପା ବଡ଼ ବାପା ଯାଜପୁର ବଳଦିଆଙ୍କୁ ଅନାଇ ରହୁଥିଲେ । ଧାନର ଦର ମଧ୍ୟ ସେହିପରି । ଟଙ୍କାକୁ ସାତ ଆଠ ଗୌଣୀ । ଏ ଅବସ୍ଥାରେ ଧାନ ଓ ଟଙ୍କା ମହାଜନି ତଥା ଲଖରାଜି ଆୟ ପଡ଼ିଆସିବାବେଳେ ଚାଷଧନକୁ ମୂଳକରି ପିଲାଙ୍କୁ ପାଠ ପଢ଼ାଇବା, ଆମ ଅଭିଭାବକମାନଙ୍କ ପକ୍ଷେ କାଠିକର ପାଠ ଥିଲା । ଅଥଚ ଏ ସମୟର ପ୍ରାୟ ପଚିଶିତିରିଶ ବର୍ଷ ପୂର୍ବରୁ ମୋ ତିନି ଅଜା ଚଳନ୍ତି ଅଚଳନ୍ତି ସଂପତ୍ତିରେ ନିଜ ନିଜ ଅଂଶ ନିର୍ଣ୍ଣୟ କରିବାପାଇଁ ପାଟଣା ହାଇକୋର୍ଟ ଯାଏ ଦୌଡ଼ି ପ୍ରାୟ ପଚିଶି ବର୍ଷର ମୋକଦ୍ଦମାରେ ପାଞ୍ଚ ଦଶ ଗରା ଟଙ୍କା (ଖାଣ୍ଟି ରୋପ୍ୟମୁଦ୍ରା) ଖର୍ଚ୍ଚ କରିଥିଲେ । କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଜମିଦାର ରାଧାଶ୍ୟାମ ନରେନ୍ଦ୍ର (କବି ଅଭିମନ୍ୟୁଙ୍କର ଶ୍ୱଶୁର ଘର) ବଂଶର ଅମିତ ଦାନ ଧର୍ମ ହେତୁ ଜମିଦାରୀର ଐଶ୍ୱର୍ଯ୍ୟ ସେତେବେଳକୁ ମଉଳି ଆସିବାର ବେଳ । ଏହି କାଳରେ ଫକୀରମୋହନ ସେନାପତିଙ୍କୁ ଇଷ୍ଟେଟର ମ୍ୟାନେଜର ରୂପେ କିଛିଦିନ କେନ୍ଦ୍ରାପଡ଼ା ଆସିବାକୁ ହୋଇଥିଲା । ଏ ଅବସ୍ଥାରେ ପ୍ରସିଦ୍ଧ ନରେନ୍ଦ୍ର ବଂଶର ଜମିଦାରୀରୁ କିଛି ଅଂଶ କିଣିବା ପାଇଁ ଏ ଟଙ୍କା ଗଚ୍ଛିତ ଥିଲା । କିନ୍ତୁ ଏହା ବ୍ୟୟିତ ହେଲା ଅନ୍ୟ ରୂପରେ । ମଧୁବାବୁ ଓ ଜାନକୀ ବାବୁ (ନେତାଜୀଙ୍କ ପିତା)ଙ୍କର ଜୁନିଅର ଓକିଲମାନେ ଏମାନଙ୍କର ମୋକଦ୍ଦମା ବୁଝାସୁଝା କରୁଥିଲେ । ତଳତେଲେଙ୍ଗା ବଜାରର ଏକ ତେଲୁଣୀ ଘର ଏତିନି ଭୟଙ୍କର ସ୍ଥାୟୀ ଭଡ଼ାଘର ଥିଲା । ଏମାନଙ୍କର ମୋକଦ୍ଦମା କରିବା ଓ ମୋକଦ୍ଦମାକୁ ଯିବା ରୀତି ମଧ୍ୟ ବିଚିତ୍ର ଥିଲା । ଜଗତପୁରଠାରୁ ମାର୍ଶାଘାଇ କେନାଲ କୂଳେ କୂଳେ ଲୋକନାଥପୁର, କେନ୍ଦୁପାଟଣା ଓ ବାରବୋଡ଼ିଆ ପ୍ରଭୁତି ଲକରେ ଥିବା ପୁରୁଣା ଦୋକାନୀମାନଙ୍କଠାରୁ ଆଜିଯାଏ ସେ ତିନି ଭାଇଙ୍କର କାହାଣୀ ଶୁଣିବାକୁ ମିଳେ । ଆଜି ଏହା କାହାଣୀ ପରି ଲାଗୁଥିଲେ ମଧ୍ୟ ଏହା ଥିଲା ସେ କାଳର ବାସ୍ତବତା । ଏଥିରେ ଲୋକଶିକ୍ଷାର ଖୋରାକ୍ କିଛି ଅଛି ବୋଲି ମୋର ଅନୁମାନ ।

 

ସେତେବେଳକୁ କେନ୍ଦ୍ରପଡ଼ା ରାସ୍ତାରେ ସେମିତି ବସ୍ ଚାଲିନଥାଏ । କେନ୍ଦ୍ରପଡ଼ା ବା ମାର୍ଶାଘାଇ ଆଡ଼ୁ କଟକ ଯିବା ପାଇଁ ଲଞ୍ଚ୍ ବା ଷ୍ଟିମବୋଟର ଆଶ୍ରୟ ହେଉଥିଲା । ବସ୍‍ ଅପେକ୍ଷା ଏଥିରେ ଯାତାୟାତ ଖର୍ଚ୍ଚ ଖୁବ୍ କମ ଥିଲା । ଏହା ସତ୍ତ୍ୱେ ଲୋକମାନେ ଚାଲି ଚାଲି କଟକ ଯାଉଥିଲେ । ତିନିଭାଇଯାକ ମୋକଦ୍ଦମା ଉଦ୍ଦେଶ୍ୟରେ କଟକ ଯାତ୍ରାକାଳରେ ଏକାଠି ଘରୁ ବାହାରୁଥିଲେ । କେବେ ଦାନପୁରଠାରୁ କଟକ ଯାତ୍ରା କରୁଥିଲେ । ଲେକନାଥପୁର, କେନ୍ଦୁପାଟଣା ଇତ୍ୟାଦି ସେମାନଙ୍କ ରହଣୀସ୍ଥଳ ଥିଲା ।

 

ମୋ ଅଜାଙ୍କର ସାନ ଦୁଇଭାଇ ମୋକଦ୍ଦମାରେ ପ୍ରତିବାଦୀ ହେଲେ ମଧ୍ୟ ବିଶ୍ରାମ ସ୍ଥଳରେ ତାଙ୍କୁ ସେବା ଶୁଶ୍ରୁଷା କରିବା ଠାରୁ ବଡ଼ଭାଇ ଭାବରେ ତାଙ୍କୁ ଭକ୍ତି କରୁଥିଲେ ଓ ତାଙ୍କଠାରୁ ସ୍ନେହଶ୍ରଦ୍ଧା ପାଉଥିଲେ । ବାଟଘାଟରେ କେହି ଏମାନଙ୍କୁ ମାଲି ମୋକଦ୍ଦମାର ବାଦୀ ପ୍ରତିବାଦୀ ବୋଲି ଭାବିପାରୁ ନଥିଲେ । କଟକ ବସାରେ ମଧ୍ୟ ତଦ୍ରୂପା କଟକ ବସାରେ ଖାଇପିଇ ସାରିବା ପରେ ସାନଭାଇ ଦୁହେଁ ବଡ଼-ଭାଇଙ୍କୁ ମୋଡ଼ି ଘଷି ଦେବାପରେ ଯେ ଯାହାର ଓକିଲ ମୁକ୍ତାରଙ୍କ ପାଖକୁ ଯାଆନ୍ତି । ଏଇ ମାଲି ମୋକଦ୍ଦମା ସତ୍ତ୍ୱେ ଆଜିକାଲିପରି ତାଙ୍କ ସ୍ତ୍ରୀମାନେ ଇତରସ୍ତରକୁ ଓହ୍ଲାଇ ଯିବାର କେହି ଦେଖିନାହାନ୍ତି । କଲେଜ୍ ପାଠରେ ପଢ଼ିଥିବା ଓ ପଢ଼ାଇଥିବା କା ‘ନୀତିର ଏ ହେଲା ଏକ ବିଚକ୍ଷଣ ଉଦାହରଣ । ଆଜିକାଲି ଏହା କେହି ମାନୁନାହାଁନ୍ତି ବା ମାନିବାର ଶକ୍ତି ଓ ସଂଯମ କାହାର ନାହିଁ । ତେଣୁ ସମାଜ କୁହ, ଶାସନ କୁହ, ସବୁ ଭୁଷୁଡ଼ି ପଡ଼ୁଛି ଏକା’ ନୀତି ଅଭାବରୁ । କିନ୍ତୁ ଜୀବନ ସାରା ଏ କା’ ନୀତି ବଞ୍ଚେଇ ଚାଲିଥିବାରୁ ମୋ ତିନିଅଜାଙ୍କୁ ଲୋକମାନେ ଧନ୍ୟ ଧନ୍ୟ କହନ୍ତି ।

 

ହଁ’ ମୁରଲୀଭାଇ ଓ ମୋ ପଢ଼ାରେ ଡୋରି ବିଷୟରେ କହୁକହୁ ଏତେ ବାଟ ଚାଲି ଆସିଲି । ପୁଣି ମୂଳକଥାକୁ ଫେରିଯାଏ ।

 

ପରିସ୍ଥିତି ଚାପରେ ପାଠ ପଢ଼ାରେ ଡୋରି ବନ୍ଧାହେଲା ସିନା, କିନ୍ତୁ ଆମ ଦୁହିଁଙ୍କ ମନରୁ ଉଚ୍ଚଶିକ୍ଷାର ବାସନା ଲୋପ ପାଇଲା ନାହିଁ । ଆମେ ବାଟ ଖୋଜିଲୁ କୌଣସି ନା କୌଣସି ବାଟରେ କେମିତି ହାଇସ୍କୁଲରେ ନାଁ ଲେଖାଇବାକୁ ।

 

କିଛି ବାଟ ମିଳିବା ପୂର୍ବରୁ ମୁରଲୀ ଭାଇଙ୍କର ଟୁଙ୍ଗୀଘରେ ଆମ ସାହିତ୍ୟ-ସାଧନା ଆରମ୍ଭ ହେଲା ଶ୍ରୀରାମପୁରୀ ବାଲି କାଗଜର ଏକ ଖାତାରେ । ଏ ଅବସ୍ଥାରେ ଆମକୁ ପତ୍ରପତ୍ରିକା ବା ବହି କିଣି ଯୋଗାଇବ କିଏ ? ବଂଶୀବାବୁଙ୍କ ବେଳେ ପୁରସ୍କାର-ବିତରଣ ଉତ୍ସବରୁ ପାଇଥିବା କେଇଖଣ୍ଡି ବହି ଓ ବାପାଙ୍କର ବସ୍ତାନିରେ ଥିବା ବୈଦେହୀସ ବିଳାସ, ଲାବଣ୍ୟବତୀ, ବିଦଗ୍ଧ ଚିନ୍ତାମଣି ପ୍ରଭୃତିକୁ ନେଇ ଆମ ସୃଷ୍ଟି ସ୍ଵପ୍ନର ମୂଳଦୁଆ ଗଢ଼ାହେଲା । କେବେ କେମିତି ମୁରଲୀଭାଇ ଏଠୁ ସେଠୁ ପୁରୁଣା ପତ୍ରପତ୍ରିକା ଖଣ୍ଡେ ଦି’ଖଣ୍ଡ ପାଇଗଲେ, ଆମେ ଦୁହେଁ ତାହାକୁ ମୂଳଚୂଳ କରି ପଢ଼ୁ । ଏମିତି ଅଳ୍ପ ମାଲ୍‍ମସଲାରେ ଆମର ସାହିତ୍ୟର ଜୀବନର ଆରମ୍ଭ ।

 

ସଞ୍ଜବେଳେ ଆମ ବୃନ୍ଦାବତୀ ପିଢ଼ ତଳେ ବାପା ଆମକୁ ପାଖରେ ବସାଇ ସାହିତ୍ୟ ଓ ବ୍ୟାକରଣରୁ ନାନା ପ୍ରଶ୍ନ ପଚାରନ୍ତି । ମୁରଲୀଭାଇ ସେଗୁଡ଼ିକରୁ ଅଧିକାଂଶର ଉତ୍ତର ଠିକ୍ ଠିକ୍ ଭାବରେ ଦିଅନ୍ତି । ମୁଁ ସେତେ ଭଲ ଉତ୍ତର ଦେଇ ପାରେନା । ତେଣୁ ମୋର ଗୋଟାଏ ଭୟ ଥିଲା ଯେ ମୁଁ କାଳ କାଳକୁ ସାହିତ୍ୟ ବ୍ୟାକରଣରେ କଚା ରହିଯିବି । କିନ୍ତୁ ଭବିଷ୍ୟତ୍‍କୁ ମୋର ସେ ଡର ଅମୂଳକ ବୋଲି ପ୍ରମାଣିତ ହେଲା ।

 

ଏହି ସମୟରେ ମୁଁ କବିତା ଓ ଉପନ୍ୟାସ ଲେଖିଥିଲି ଓ ମୁରଲୀ ବହି ଗପ ଲେଖୁଥିଲେ-। ପରେ ବେଣୁଧରର (ବର୍ତ୍ତମାନ ଡ. ବେଣୁଧର) ଉପଦେଶରେ ଆମେ ଗପ ଲେଖିଲୁ-। ଏ କାଳରେ ଲିଖିତ ଗଳ୍ପରୁ କେତୋଟି ମୋର ପ୍ରଥମ ଗଳ୍ପ ପୁସ୍ତକ ‘ପଲ୍ଲୀପଥେ’ରେ ପ୍ରକାଶ ପାଇଲା ବହୁବର୍ଷ ପରେ ।

 

ଲେଖାଲେଖି ଛାଡ଼ିଲେ ଗ୍ରାମ ସେବାରେ ମଧ୍ୟ ଆମ ଦୁହିଁଙ୍କର କିଛି କିଛି ବେଳ କଟୁଥିଲା । ଦଶଖଣ୍ଡି ଗାଁ’ରେ ନ୍ୟାୟ ନିଶାପ୍ ପାଇଁ ମୋ ସାଆନ୍ତବାପାଙ୍କର ଗୋଟାଏ ନାଁ ଥିଲା । ସଚ୍ଚୋଟ୍ ଲୋକ ଭାବରେ କେଉଁ ପକ୍ଷରୁ ପାନଖଣ୍ଡିଏ ନ ଧରି ସେ ଯେ କୌଣସି ବିବାଦର ସମାଧାନ କରିଦେଉଥିଲେ । ଏହା ତାହାଙ୍କର ନିହାତି ଶତ୍ରୁ ମଧ୍ୟ ଆଜିଯାଏ ସ୍ଵୀକାର କରନ୍ତି । କିନ୍ତୁ ସେ ଆଖି ବୁଜିବା ପରେ ଗାଁ’ ଭୂଇଁରେ ଯେଉଁ ଅରାଜକତା ଘୋଟିଲା କେତେକ ଗାଁ’ ଟାଉଟର ତାହାର ସୁବିଧା ନେଇ କଳାକୁ ଧଳା କରିବାକୁ ପଛାଇଲେ ନାହିଁ । ତେଣୁ ଜାତିଭେଦ, ଛୁଆଁ ଅଛୁଆଁ, ମାଛିଆ ପାତକ ଇତ୍ୟାଦି ଆଳରେ ସେମାନେ ଗୁଣ୍ଡି ଗରିବ, ରାଣ୍ଡଖଣ୍ଡି ଓ ନିଃସହାୟମାନଙ୍କ ଉପରେ ଏପରି ନିର୍ଯାତନା ଆରମ୍ଭ କରିଦେଲେ ଯେ ତାହା ମୁରଲୀଭାଇ ଓ ମୋ ବୟସର ପିଲାମାନଙ୍କୁ ସେମାନଙ୍କ ବିରୁଦ୍ଧରେ ବିଦ୍ରୋହୀ କରିଦେଲା । ନ୍ୟାୟନିଶାପରେ ବସିବାର ବୟସ ଆମର ହୋଇନଥିଲେ ମଧ୍ୟ ଲାଞ୍ଛ ତମାନଙ୍କର ଡାକରାରେ ଆମେ ନ୍ୟାୟ ଦରବାରରେ ବସି ମୂର୍ଖ ଗାଁଟାଉଟରମାନଙ୍କ କବଳରୁ ଏମାନଙ୍କୁ ରକ୍ଷା କରିବାକୁ ସମର୍ଥ ହେଲୁ । ଏମାନଙ୍କର ମୁଖା ଖୋଲିଦେବାକୁ ମୋ ଲେଖନୀରେ ବ୍ୟଙ୍ଗ ବିଦ୍ରୁପର ସ୍ୱର ଏହିକାଳରୁ ଦେଖାଦେଲା । ପରେ କଲେଜରେ ପଢ଼ିବାଯାଏ ଏ ସ୍ୱର ମୋ ଗପ ଓ କବିତାରେ ଅତୁଟ ଥିଲା ।

 

ଜଣେ ଗାଁ’ ଟାଉଟରଙ୍କୁ ଲକ୍ଷ୍ୟ କରି ସେ କାଳରେ ଲିଖିତ ଏକ କବିତାର କେତୋଟି ପଦ ଏଠାରେ ଉଦ୍ଧାର କରୁଛି । ଆଇ.ଏ. ପଢ଼ୁଥିବାବେଳେ (୨୨/୬/୫୦ରେ) ଏ କବିତାଟି ଲିଖିତ । ଏହାର ନାମ ଥିଲା “ନିଃସ୍ଵ-ନିବେଦନ” ।

 

ଦଳିତ ଭୂଇଁର

ପଳିତ ସାଇଁ ହେ

ନିବେଦେ ତୁମ୍ଭ ପୟରେ

ସଢ଼ିତ ଜନତା

ପୀଡ଼ିତ ହୁଅନ୍ତି

ନିରନ୍ତର ଅନାହାରେ ।।

କାନ୍ଦେ କୁଳବଧୂ

କାନ୍ଦେ ବାରବଧୁ

ମଣିମାଙ୍କ ମଣିମାରେ

ସାଂଧ୍ୟ ସମୀରେ

ବିଜନ ବେଳାରେ

ଆପଣଙ୍କ କଥା ପଡ଼େ ।।

ଭୁଭୃତ ବାଟୀରେ

ବିଧବା କୁଟୀରେ

ନିଦ୍ରା ଆଉ ନାହିଁ ମାଡ଼େ

ଭବଦୀୟ ଆଜ୍ଞା

ଅବଜ୍ଞା ନକରି

ଗରଭିଣୀ ବାଟ ଛାଡ଼େ ।।

ପାହାନ୍ତି ପହରେ

ଦଦରାଚାଳିରେ

ଅବଳା ବିଳପେ ଧୀରେ

ବେନାମ ସମ୍ପତ୍ତି

ବିକ୍ରୀହେବା ସ୍ମୃତି

ଅଭାଗିନୀ ବୁକୁ ଚିରେ ।।

 

+ + + +

 

ସୁମନ ଶିଖାରେ

ସୁମନଶିଖାରେ(୧)

ବିଚର ଯେବେ ଶାହ୍ୱଳ

ସ୍ପର୍ଶ ସୁଖ ଲଭି

ପତିତ ପ୍ରାନ୍ତର

ପ୍ରଶଂସେ ଧନ୍ୟ ମାତୁଳ(୨)

ଆବାଲ୍ୟ ବାର୍ଦ୍ଧକ୍ୟ

ଦୀନଘ୍ନ ହୋଇଛ

ଦୀନବନ୍ଧୁ ଯେଣୁ ତୁମେ

ତାମସୀ ଆଗମେ

ଦୀନପର(୩) ହୁଅ

ତମସା ଆବୃତ ଧାମେ ।।

ବିଧିର ପ୍ରଭାବେ

ବିଧୀର(୪) ପିତାର

ବିଧୀର ସନ୍ତାନ ହୋଇ

ଆଲୋକ କରୁଛ

ଅନାଲୋକ ପଲ୍ଲୀ

ଶିଖୀ ପଦବାଚ୍ୟ ପାଇଁ ।।

 

ଇତ୍ୟାଦି– ।

 

(୧) ‘ସୁମନ’ ଅର୍ଥାତ୍ ଭଲ ମନଥିବା ବ୍ୟକ୍ତିଙ୍କୁ ଶିଖାଇ ଖରାପ କରିବାରେ

 

(୨) ମାତୁଳ-ବାପାଙ୍କର ଶାଳକ (ବିଦ୍ରୁପାତ୍ମକ ପ୍ରୟୋଗ)

 

(୩) ଗରିବର ଶତ୍ରୁ

 

(୪) ମୂର୍ଖ ।

 

 

ମାଇନର୍ ସ୍କୁଲର ପୁରସ୍କାର ବିତରଣ ଉତ୍ସାହରେ ମୋ ସହପାଠୀ ରାଜୁ ସାମଲ କଣ୍ଠରେ ରାଜପୁତ ଗୌରବଗୀତି-‘ସ୍ଵାଧୀନତା ଲୀଳାସ୍ଥଳ, ବୀରଭୂମି ଏ ମିବାର’ ବା “ଏହି ପରା ବାରବାଟୀ ଗଢ଼ିଥିଲେ ଯହିଁ ଶ୍ରୀ ଅନଙ୍ଗ ଭୀମ ଦୁର୍ଗ ଏକ ପରିପାଟୀରେ ଓଡ଼ିଆ”–କେବଳ ମୋ’ ପାଇଁ କର୍ଣ୍ଣରସାୟନ ନହୋଇ ସେ କାଳରେ ମୋ ହୃଦୟରେ ବିରତ୍ଵର ଯେଉଁ ଶିହରଣ ଆଣୁଥିଲା, ତାହା ଠିକ୍ ସେହିପରି ଅଛି ।

 

ତେଣୁ ପାଠପଢ଼ାରେ ଡୋରି ବନ୍ଧା ହେଲେହେଁ ଏଇ କାଳଟି ଆମ ପାଇଁ ନିତାନ୍ତ କର୍ମ-ବିହୀନ ସମୟ ନଥିଲା ।

Image

 

ବାଳିସିଙ୍ଗି ସାଆରେଈ

 

ଆମେ ସବୁ ମାଇନର ସ୍କୁଲରେ ପଢ଼ିଲାବେଳେ ଘଡ଼ି ବା ଘଣ୍ଟା ମଫସଲର ପିଲାମାନଙ୍କ ପାଇଁ ସ୍ଵପ୍ନ ଥିଲା । ଛାଇ ମାପି ଠିକ୍ ସମୟରେ ସ୍କୁଲକୁ ଯିବା ଥିଲା ସେ ବେଳର ଚଳଣି । ଆପଣା ଆପଣା ଛାଇକୁ ପାଦରେ ମାପି କେତେ ପାଦ ହେଲେ କେତେବେଳେ ହେଲା, ତାହା ଆମ୍ଭେମାନେ ଠିକ୍ ଠିକ୍ ଜାଣି ପାରୁଥିଲୁ । ଆମ ଗାଁ ପାଖରେ ନଈ ପାରହୋଇ କରିଲୋପାଟଣା ଯିବାକୁ ପଡ଼େ । ତେଣୁ କେତେବେଳ ଡଙ୍ଗାରେ ଯିବ, ଓ କେତେବେଳେ ବାଟରେ ଯିବ ଏହା ଆମ୍ଭେମାନେ ପ୍ରତିଦିନର ଅଭିଜ୍ଞତାରୁ ଜାଣିଥାଉଁ । ଏହାସତ୍ତ୍ଵେ ଅନେକ ସମୟରେ ଘରୁ ବାହାରିବାରେ କିମ୍ଵା ଡଙ୍ଗା ପାରିହେବାରେ ଡେରି ହୋଇଯାଏ । ଡେରିରେ ଶ୍ରେଣୀଭିତରକୁ ଯାଇ ବାର ହେଙ୍ଗାମ୍ କରିବା, ଏବର ପିଲାମାନଙ୍କର ଏକ ଜନ୍ମଗତ ଅଧିକାର ହୋଇଗଲାଣି । କିନ୍ତୁ ଆମବେଳେ ଦୈବୀ ଦୁର୍ଘଟଣାରୁ କେବେ କେମିତି ଡେରି ହୋଇଗଲେ ପ୍ରାଣଭୟରେ ଥରି ଥରି ଆମ୍ଭେମାନେ ଶ୍ରେଣୀ ଗୃହର ଦ୍ୱାର ଦେଶରେ ଠିଆହୋଇ ଶିକ୍ଷକଙ୍କର ଦୟା ଭିକ୍ଷା କରୁଥିଲୁ । ସେ କୌଣସି ମତେ ଶ୍ରେଣୀ ଗୃହମଧ୍ୟକୁ ପ୍ରବେଶ କରିବାପାଇଁ ଅନୁମତି ଦେଲେ, ଆମ୍ଭେମାନେ କୃତ୍ୟ କୃତ୍ୟ ହେଉଥିଲୁ । ତେଣିକି ଯେତେ ଇଚ୍ଛା ସେତେ ବେତ ପାହାର ଆମ ପିଠି ଉପରେ ବର୍ଷିଯାଉପଛେ, ଆମର ସେଥିରେ ପ୍ରତିବାଦ ନଥିଲା । ମାଡ଼ପରେ ଶିକ୍ଷକମାନେ ଛଳେଇ ଛଳେଇ ଯେତେ ନିଆଁବାଣ ମାରୁଥିଲେ ତାହା ମାଡ଼ଠାରୁ ଅଧିକ ପୀଡ଼ା ଦେଉଥିଲା ।

 

ଏ ହେତୁ ଲଜ୍ଜା, ଅପମାନ ଓ ଗୁରୁଙ୍କ ନିସ୍ତୁକ୍ ପ୍ରହାରରୁ ରକ୍ଷା ପାଇବା ଲାଗି ବାଟରେ ଗଲାବେଳେ ଆମେ ତିନିଭାଇ (ମୁରଲୀଭାଇ, ବେଣୁ ଓ ମୁଁ) ତଳଗାଁ’ର କାଳିଆବୋଦା ଓ ବାଳିସିଂଗିର ସାଆରେଈଙ୍କୁ ଆମର ରକ୍ଷାକବଚ ବୋଲି ଧରିନେଇ ଥିଲୁ । ମାଇନର୍ ପାଶ୍ ଯାଏ ଆମେ ତିନିହେଁ ଏ ଦେବତା ଦୁଇଟିଙ୍କୁ ଯେତେ ଭୋଗରାଗ ଓ ଗଞ୍ଜେଇ ଲାଞ୍ଚ ଯାଚିଥିବୁ, ତାହା ଅଧ କ୍ୱିଣ୍ଟାଲରୁ କମ୍ ହେବନାହିଁ । ଲାଞ୍ଚ ଯାଚି ସଦ୍ୟ ବିପଦରୁ ଉଦ୍ଧାର ପାଇଛୁ । ହେଲେହେଁ ହଡ଼ା ମିଳିଲା ପରେ ‘ପୀର’ଙ୍କୁ ଠକିଦେଲା ପରି ଦିନେ ହେଲେ ଭୋଗରାଗ ଓ ଗଞ୍ଜେଇ ଆଣି ତାଙ୍କ ପାଦରେ ଲାଗି (ଭୋଗ) କରିନାହୁଁ । ଏହାର କାରଣ ଅନ୍ୟ କିଛି ନୁହେଁ । ଯେଉଁ ପରିସ୍ଥିତିରେ ଆମେ ପାଠ ପଢ଼ୁଥିଲୁ ତହିଁରେ ପଇସାଏ ଅଧଲାଏ ଆମ ହାତରେ ବଞ୍ଚିବା କେବେ ସମ୍ଭବ ହେଉନଥିଲା । ତେଣୁ ଠକିବାର ମନୋଭାବରୁ ନହେଲେ ମଧ୍ୟ ସୁଧୁ ପରିସ୍ଥିତିର ଚାପରେ ଆମ୍ଭେମାନେ ଠାକୁରଙ୍କୁ ଭଣ୍ଡେଇ ଚାଲିଥିଲୁ । ତେବେ ଠାକୁର ଅନ୍ତର୍ଯ୍ୟାମୀ ହୋଇଥିବାରୁ ସେ ଆମର ଏ ଅସୁବିଧା ଲାଗି ବିନା ଭୋଗରାଗ ଓ ଗଞ୍ଜେଇରେ ଆମର ସାହାପକ୍ଷ ହେଉଥିଲେ ।

 

ଆଜି ଦରବୁଢ଼ା ବଅସର ଡାଆଣିଆ ଖରାରେ ସେସବୁ କଥା ବେଶି ବେଶି ମନେପଡ଼େ-। ପିଲାଦିନକୁ ଫେରିଯିବାକୁ ଇଚ୍ଛା ହୁଏ ।

 

ହେଲେହେଁ ଆମ ଅତୀତର ସାକ୍ଷୀ ତଳଗାଁ’ର ସେ କାଳିଆବୋଦା ଆଉ ନାହାନ୍ତି । ଭଙ୍ଗା ମନ୍ଦିରଟା ଠିଆ ହୋଇଛି ନିହାତି ପରିତ୍ୟକ୍ତ ଅବସ୍ଥାରେ । ସାଆରେଈଙ୍କ ଅବସ୍ଥା ନିତାନ୍ତ ନିର୍ମାଖୀ । ତାଙ୍କର ସେ ପୂର୍ବ ଗାମ୍ଭୀର୍ଯ ବା ପୂର୍ବ ବୈଭବ ଆଉ ନାହିଁ ।

 

ଯେଉଁ ସାହାଡ଼ା ବଣଚୁଳାକୁ ନେଇ ତାହାଙ୍କର ସାହାଡ଼େଈ (ଅପଭ୍ରଂଶ:ସାଆରେଈ) ନାମକରଣର ସାର୍ଥକତା, ତାହା ଆଜି ମଣିଷ ହାତର କାର୍ସାଦିରେ ପତଳା ହୋଇଆସିଲାଣି । ଲଙ୍ଗଳ ମୁନର ଆଘାତରେ ଠାକୁରାଣୀଙ୍କ ବେଢ଼ାଟା ଦିନକୁ ଦିନ ସଙ୍କୁଚିତ ହୋଇ ଆସୁଛି । କେବେ କେମିତି ଭୋଟ୍ ପାଲା ବା ବିବାହ ବ୍ରତରେ ସେଠି ଟିକେ ଜୀବନର ଚହଲା ଉଠେ । ନଚେତ୍ ଅନ୍ୟ ସବୁ ସମୟରେ ନିସ୍ତରଙ୍ଗ ଶୂନ୍ୟତା ଏଠି ନୀରବରେ ହାଇଛାଡ଼େ ।

 

ମଣିଷ ମନର କଳାପାହାଡ଼ୀ ଆକ୍ରମଣରେ ଏହା ଆଉ କେତେଟା ବର୍ଷ ପରେ ହୁଏତ ପୂରା ଲୋପ ପାଇଯାଇପାରେ–ଯେମିତି ଲୋପ ପାଇଗଲା ଗାଁ’ଗାଁ’ରୁ ଭାଗବତ ଘର ଏବଂ କ୍ରମେ କ୍ରମେ ଉଭେଇଯାଉଛି ଦିଅଁ ଦେବତାଙ୍କ ମଣ୍ତପ ଓ ଦେଉଳ ଗହ୍ଵରା ।

 

ତେବେ ଆମ ସ୍ମୃତିର କାଳିଆବୋଦା ଏବଂ ସାଆରେଈଙ୍କୁ ଇସ୍ପାତଯୁଗର କୌଣସି ଯାନ୍ତ୍ରିକତା ବା ଜଡ଼ବାଦ ଆମ ମନରୁ କାଢ଼ି ନେଇପାରି ନାହିଁ । ପିଲାମନର ଏ ଚାରାଗୁଡ଼ିକ ବରଂ ଆସ୍ତେ ଆସ୍ତେ ନାହାକାଚେର ବାନ୍ଧୁଛନ୍ତି ଆସନ୍ନ ବାର୍ଦ୍ଧକ୍ୟର ଏ ଅପନ୍ତରା ଭୂଇଁରେ । ପିଲାଦିନର ସେ ରକ୍ଷାକବଚଗୁଡ଼ିକ ଆଜି ଶକ୍ତ ହେଉଛନ୍ତି ଜୀବନ-ସଂଗ୍ରାମର ତୁଳାଭିଣାରେ । ପୋଖତ୍ ମନର ଆଇନାରେ ପୁରୁଣା ଖିଅଗୁଡ଼ିକ ଦାଉ ଦାଉ ଦିଶୁଛନ୍ତି । ଏକ ସେତେବେଳେ ବହୁ ହେଉଥିଲେ । ଆଜି ବହୁ ପାଲଟୁଛନ୍ତି ଏକ-ଦଳ-ଚଣ୍ଡୀ (ଜୟଚଣ୍ଡୀ), ଜାଗୁଳେଈ, ମାଆଙ୍କ, କାଳିଆବୋଦା ଏବଂ ସାଆରେଈ ସବୁ ତେଣୁ ଭିନ୍ନତା ଭିତରେ ଏକତ୍ଵର ଏକ ସ୍ଵର-ଝଙ୍କାର । ଜୀବନ ଓ ଜୀବୀ ପାଇଁ ଏକ ଅବଲମ୍ବନ । ଏ ଅବଲମ୍ବନ ଅଭାବରେ ବିଶ୍ୱର ଚୌଦିଗରେ ଆଜି ଅସହାୟତାର ନାଗରା ବାଜିଉଠୁଛି । ତାହା ଆମକୁ ଛୁଇଁଲେ ମଧ୍ୟ ଆମର କଲିଜା ଥରାଇପାରୁନି ଆଉ ଏ ବୟସରେ । ଜଣାପଡ଼ୁଛି କିଏ ଜଣେ ଆଗକୁ ପଛକୁ ଅଛନ୍ତି । ଏ ଭାବଟା ଆମ ଶିକ୍ଷା, ଦୀକ୍ଷା କି ସଭ୍ୟତା ଆମକୁ ଦେଇନି, ଦେଇଛି ଜୀବନ ଦେବତାଙ୍କର ଦୟା ଓ ପିଲାମନର ସେହି ଠାକୁରଠାକୁରାଣୀ ଆନୁଗତ୍ୟ । ଭୌତିକତାର ପରିଭାଷାରେ ଏହାକୁ କୁସଂସ୍କାର ବା ଅନ୍ଧବିଶ୍ୱାସ ନାଁ ଦିଆଯାଇପାରେ-। ତଥାପି ଘାସଫୁଲର କ୍ଷୁଦ୍ର ଜୀବନରେ ଏହାହିଁ ବଞ୍ଚିରହିବାର ଧ୍ରୁପଦୀ । ଏହା ବିଶ୍ୱାସ ଓ ପ୍ରେମମୂଳକ । ସରଳ ନିରୀହ ପ୍ରେମ ଏବଂ ବିଶ୍ୱାସଗୁଡ଼ାକ ସଦାସର୍ବଦା ଅନ୍ଧ ହୋଇଥିବାରୁ ଏହାକୁ ଅନ୍ଧବିଶ୍ୱାସ କହିବାରେ କୌଣସି ତାତ୍ପର୍ଯ୍ୟ ନାହିଁ ।

Image

 

ଡୋରୀଫିଟିଲା

 

ବଡ଼ବାପାଙ୍କର ଇଚ୍ଛା ଅନୁଯାୟୀ ଖରାତରାରେ ଚେନ୍ ଟାଣୁ ଟାଣୁ ମୁଁ ହୁଏତ ଦିନେ ଅମୀନ୍ ବନିଯାଇଥାନ୍ତି । କିନ୍ତୁ ମୋ ବାପାଙ୍କର ଅନିଚ୍ଛା ଓ ମୋର ଘୃଣା ଯୋଗୁଁ ଏହା ହୋଇପାରିଲା ନାହିଁ । ଭିନ୍ନେ ଘର ହେବାପରେ ବଡ଼ବାପାଙ୍କର ସେ ବିଷୟରେ ଆଉ ମୁଣ୍ଡ ଖେଳାଇବା ଦରକାର ପଡ଼ିଲା ନାହିଁ । ଘରେ ବସିବାର ଦେଢ଼ବର୍ଷ ପରେ ବାପାଙ୍କର ଉଦାସୀନତା ସତ୍ତ୍ଵେ ମୁଁ ନୂଆକରି ଖୋଲୁଥିବା ଦୋହଳି ମଡେଲ୍ ହାଇସ୍କୁଲରେ ନାମ ଲେଖାଇଲି । ମୋ ସଙ୍ଗରେ ମୂରଲୀଭାଇ ମଧ୍ୟ । ବାପାଙ୍କୁ ଲୁଚିଛପି ନାମ ଲେଖାଇବାକୁ ସ୍ଥିରକରି ଆସିବା ପରେ ବାପା ମାସକୁ ମାସ ଟଙ୍କା ଯୋଗାଇବାକୁ ବାଧ୍ୟ ହେଲେ । ତେଣୁ ପଢ଼ା ଚାଲିଲା ।

 

୧୯୪୪-୪୫ରେ ଦୋହଳି ମଡେଲ୍ ହାଇସ୍କୁଲର ଆୟମାରମ୍ଭ । ଏହାର ଉଦ୍ୟୋକ୍ତାମାନଙ୍କ ମଧ୍ୟରୁ ଓଡ଼ିଶାରେ ସୁପରିଚିତ ଶ୍ରୀ ଅକ୍ଷୟ କୁମାର ଚକ୍ରବର୍ତ୍ତୀ (ନେତାଜୀଙ୍କ ସହପାଠୀ) ଓ ଶ୍ରୀ ବନମାଳୀ ବହ୍ମଚାରୀଙ୍କ ନାମ ସର୍ବ ପ୍ରଥମେ ସ୍ମରଣୀୟ । ଏମାନଙ୍କୁ ଶିକ୍ଷକ ଭାବରେ ପାଇ ମୋ ଜୀବନ ଧନ୍ୟ ହୋଇଛି । ଏ ଉଭୟ ମୋତେ ପୁଅଠାରୁ ଅଧିକ ଭଲ ପାଉଥିଲେ ।

 

ହାଇସ୍କୁଲ ମାଡ଼ିବା ମାତ୍ରେ ମୋର ପ୍ରବାସୀ ଆରମ୍ଭ ହେଲା । ଦୋହଳି ମୋ ଘରଠାରୁ ମାତ୍ର ନଅ ଦଶ କିଲୋମିଟର ଦୂରରେ ଅବସ୍ଥିତ ଥିଲେ ମଧ୍ୟ ଏଠିକା ଛାତ୍ରାବାସରେ ରହଣୀକୁ ମୁଁ ପ୍ରବାସୀ ଜୀବନ ନକହି ଆଉ କିଛି କହିପାରିବି ନାହିଁ । କାରଣ କରିଲୋପାଟଣା ଏମ୍:ଇ.ସ୍କୁଲ ଘରି ପାଖ ହୋଇଥିବାରୁ ନିତି ଯା’ଆସ କରି ସେଠି ଆମେ ପାଠ ପଢ଼ୁଥିଲୁ । ବାପ ମା’ ଛାଡ଼ି ଛାତ୍ରାବାସରେ ରହିବା ପ୍ରାୟ ମୋର ଅଭ୍ୟାସ ନଥିଲା । ନିହାତି ବାଧ୍ୟହେଲେ କେବେ କେମିତି ପରୀକ୍ଷାବେଳେ କେଉଁ ବନ୍ଧୁ ଘରେ କେଇ ରାତି ବଡ଼ ମନ ଦୁଃଖରେ କଟାଇଦିଏ । କିନ୍ତୁ ଉଚ୍ଚବିଦ୍ୟାଳୟରେ ଦୂରତା ଯୋଗୁଁ ତାହା ସମ୍ଭବ ହୋଇପାରିଲା ନାହିଁ । ସ୍କୁଲଛାତ୍ରାବାସରେ ରହିବାକୁ ମୁଁ ବାଧ୍ୟ ହେଲି ।

 

ଅଧୋୟା ଜାଗା ହୋଇଥିବାରୁ ଏଠାରେ ମଶାମାନଙ୍କର ପ୍ରାଦୁର୍ଭାବ ଖୁବ୍ ବେଶୀ । ସ୍କୁଲରେ ନାଁ ଲେଖାଇବାର କେଇଦିନ ପରେ ମେଲେରିଆ ମୋର ସହଚର ହୋଇପଡ଼ିଲା । ଫି’ବର୍ଷ କୁଇନାଇନ୍ ଗିଳି ମଲାମାଇଲା ଚେହେରାରେ ଚାରୋଟି ବର୍ଷ ଏଠି ଦୁଃଖେକଷ୍ଟେ କଟାଇବାକୁ ପଡ଼ିଲା । ଶ୍ରୀଯୁକ୍ତ ବ୍ରହ୍ମଚାରୀ ଏ ଅଞ୍ଚଳରେ ‘ପଣ୍ଡିତେ’ ଭାବରେ ପରିଚିତ । ମୋ’ ରୋଗଶଯ୍ୟାରେ ବାପ ମା’ ଭଳି ସେ ମୋର ଯତ୍ନ ନିଅନ୍ତି-ଓଷଦ ଗିଳାନ୍ତି, କ୍ଷୀର ପିଆନ୍ତି, ଘରୁ ସରୁଭାତ ଅଣାଇ ରୋଗଟିକେ କମିଲା ମାତ୍ରେ ପଥି ଖୁଆନ୍ତି ।

 

ଏସବୁରେ ତାଙ୍କର ମୋଟେ ସ୍ୱାର୍ଥ ନଥିଲା ବୋଲି କହି ହେବନାହିଁ । ସଂକୀର୍ଣ୍ଣ ସ୍ଵାର୍ଥ ନହେଲେ ମଧ୍ୟ ଏକ ବୃହତ୍ତର ସ୍ଵାର୍ଥ ଓ ସମ୍ପକୀ-ମାୟା ଏଥିରେ ଜଡ଼ିତ ଥିଲା । ପୂର୍ବେ ଯେଉଁ ଛୋଟାମାଷ୍ଟ୍ରଙ୍କ କଥା କହିଛି, ସମ୍ପର୍କରେ ପଣ୍ଡିତ ହେବେ ତାହାଙ୍କର ଭାଣିଜୀ ଜୋଇଁ । ତେଣୁ ମୋ ନାମଲେଖା ଦିନୁଁ ବାପାଙ୍କ ଉପସ୍ଥିତିରେ ସେ ପଣ୍ଡିତଙ୍କୁ ତାଗିଦ୍ କରି କହିଥିଲେ-“ବୁଝିଲ ବନମାଳୀ, ପୀତାମ୍ବରକୁ ତୁମେ ମୋ ପିଲା ବୋଲି ଭାବି ତାର ସବୁ ଯତ୍ନ ନେବ । ଧନଦୌଲତ ଘରେ ତାହାର ଜନ୍ମ । ଘରୁଆ ଘରର ପିଲା । ଆଜିଯାଏ ବିଦେଶ କଣ ଜାଣିନଥିଲା । ତା’ ବାପଅଜାଙ୍କ ସହିତ ମୋର ସମ୍ପର୍କ ଖୁବ୍ ଘନିଷ୍ଠ ।”

 

ଏ ହେଲେ ସମ୍ପର୍କୀ-ମାୟା, ଯାହା ପଣ୍ଡିତଙ୍କ ହୃଦୟରେ ମୋ’ ପାଇଁ ଏକ ନିରୂପିତ ସ୍ଥାନ ରଖାଇଥିବା ଆଦୌ ଅସମ୍ଭବ ନୁହେଁ । ଏହାଭିନ୍ନ ପଣ୍ଡିତେ, ଅକ୍ଷୟ ବାବୁ ଓ ତାଙ୍କ ଭଳି ଆଉ କେତେକ ଉଦ୍ୟୋକ୍ତାମାନଙ୍କର ଆମେ ଥିଲୁ ଆଶାଭରସାର ସ୍ଥଳ । ଆମକୁ ବଞ୍ଚାଇ ରଖିଲେ ଅନୁଷ୍ଠାନ ବଞ୍ଚିବ । ଆମେ ମଲେ ଗଲେ ଆମ ସଙ୍ଗରେ ଅନୁଷ୍ଠାନଟି ମରି ଶୋଇବ ।

 

ଏ କଥାର ଅସଲ ରହସ୍ୟ ଏଠି ଫେଡ଼ିଦେବା ଆବଶ୍ୟକ । ଦୋହଳି ଠାରୁ ୪।୫ କିଲୋମିଟର ଦୂରରେ ଅସୁରେଶ୍ୱର । ସେଠି ଦୋହଳି ପରି ଏକ ଉଚ୍ଚବିଦ୍ୟାଳୟ ନୂଆ ହୋଇ ଖୋଲିଥାଏ । ସେତେବେଳକାର ପରିସ୍ଥିତି ଦୃଷ୍ଟିରୁ ଏତେ ପାଖାପାଖି ଦୁଇଟି ଅନୁଷ୍ଠାନ ମଞ୍ଜୁର କରିବାକୁ କର୍ତ୍ତୃପକ୍ଷ ଟାଳ୍‍ଟୁଳ୍ ନୀତି ଧରିଥାଆନ୍ତି । ତେଣୁ ଆମ ଉଚ୍ଚବିଦ୍ୟାଳୟର କର୍ମକର୍ତ୍ତାଙ୍କଠାରୁ ଶୁଣାଯାଉଥାଏ ଯେ ଅସୁରେଶ୍ୱର ବାଲା ଏ ଅନୁଷ୍ଠାନ ମଞ୍ଜୁର କରାଇ ନଦେବା ଲାଗି ପ୍ରାଣପଣେ ଲାଗିପଡ଼ିଛନ୍ତି । ଏହା ସତ କି ମିଛ ମୁଁ କହିପାରିବି ନାହିଁ । ତେବେ ଏତିକି ସତ ଯେ ଆମେ ଦଶମ ଶ୍ରେଣୀରେ ପଢ଼ିବାଯାଏ ଆମ ସ୍କୁଲକୁ ମଞ୍ଜୁରୀ ମିଳିନଥିଲା । ତେଣୁ ମୋ ସାଙ୍ଗରେ ନାଁ ଲେଖାଇଥିବା ଅନେକ ପିଲା ଏ ସ୍କୁଲଛାଡ଼ି ଅନ୍ୟତ୍ର ପଳାଇଲେ । ମୁରଲୀଭାଇ, ମୁଁ ବୈକୁଣ୍ଠ (ହୋତା), ମୋ ସଙ୍ଗାତ ବଳରାମ ପ୍ରଭୃତି କେତେକ ପିଲା କର୍ମକୁ ଆଦରି ଏଠି ପଡ଼ିରହିଲୁ ।

 

ଅଧାଅଧି ପିଲା ଏଣେତେଣେ ଚାଲିଯିବାରୁ ସ୍କୁଲର ଆର୍ଥିକ ଅବସ୍ଥା ଭଲନଥାଏ । ପ୍ରତି ମାସରେ ଶିକ୍ଷକ ବଦଳି ହୁଅନ୍ତି । ଏ ଯୋଗୁଁ ନବମ ଶ୍ରେଣୀରୁ ଏକାଦଶଯାଏ ହର୍ ଘଡ଼ି ଅପ୍ସନାଲ୍ ବଦଳ ଚାଲିଥାଏ । ମାଷ୍ଟ୍ରଙ୍କୁ ଚାହିଁ ପିଲାଏ ଅପ୍ସନାଲ୍ ନେବାକୁ ବାଧ୍ୟ ହେଉଥାନ୍ତି । ମୋର ମନେଅଛି ମୁଁ ପ୍ରଥମେ ‘ମାଥମେଟିକ୍‍ସ’ (ଗଣିତ), ତାପରେ ଫିଜିଓଲୋଜି ହାଇଜିନ୍ (ଶରୀର ବିଜ୍ଞାନ ଓ ସ୍ଵାସ୍ଥ୍ୟରକ୍ଷା) ଓ ସବାଶେଷରେ ସଂସ୍କୃତ ଅପ୍ସନାଲ, ନେଇ ପରୀକ୍ଷା ଦେଲି ।

 

ପାଠପଢ଼ାଇବାରେ ଯୋଗ୍ୟତା ବିଚାର ମଧ୍ୟ ଗୌଣ ଥାଏ । ମାଇନର୍ ସ୍କୁଲର ଶିକ୍ଷକମାନେ ହାଇସ୍କୁଲରେ ବରାବର କ୍ଲାସ ନିଅନ୍ତି । ଆଉ ଯେଉଁ ପଢ଼ାଟା ହେଉନା କାହିଁକି ମୋର ଯେତେଦୂର ମନେହୁଏ ଭୂଗୋଳ, ସଂସ୍କୃତ ଓ ସାହିତ୍ୟ ପଢ଼ାଟା ବେଶ୍ ଜୋର୍ ଚାଲିଥାଏ । ନବ ବାବୁ, ସୁର ବାବୁ, ଗୋବିନ୍ଦ ବାବୁ ଓ ମୁରଲୀ ବାବୁ ପ୍ରଭୃତି ଯୋଗ ଦେବାପରେ ଇଂରାଜୀ, ଜ୍ୟାମିତି, ସାହିତ୍ୟ ଓ ପୃଥିବୀ ଇତିହାସ ପଢ଼ାପାଇଁ ବାଟ ଫିଟିଲା । ଆମ ମ୍ୟାଟ୍ରିକ୍ ପରୀକ୍ଷାପୂର୍ବରୁ ପୂର୍ବବଙ୍ଗର ଜଣେ ଆଶ୍ରୟପ୍ରାର୍ଥୀ ବଙ୍ଗାଳୀ ଶିକ୍ଷକ କିଛିଦିନ ପାଇଁ ଦେଖାଦେଇଥିଲେ । ସେ ମଧ୍ୟ ଚମତ୍କାର ଇଂରାଜୀ ପଢ଼ାଉଥିଲେ ।

 

ମୁକ୍ତ ରଙ୍ଗମଞ୍ଚର ଯାତ୍ରା (ଅପେରା) ଦେଖାଳି ଯେ କୌଣସି ଦର୍ଶକଙ୍କର ମନେଥିବ ଯେ ଯାତ୍ରାବାଲା ଠିକ୍ ସମୟରେ ବେଶପଟା ହୋଇପାରିନଥିଲେ ଶ୍ରୋତାମାନଙ୍କୁ ବସାଇରଖିବା ପାଇଁ ଯାତ୍ରା ଓସ୍ତାତ୍ ଯେପରି ମଝିରେ ମଝିରେ ନାଚଟିଏ ଖଞ୍ଜିଦିଅନ୍ତି, ସେମିତି ଆମ ସଂସ୍କୃତ ପଣ୍ଡିତେ (ସ୍ଵର୍ଗତ ଭାବଗ୍ରାହୀବାବୁ) ସବୁଦିନେ ଦଶଟାଠାରୁ ଚାରିଟାଯାଏ କୌଣସି ସମୟରେ ସମାଜ ପଡ଼ିଆ ପଡ଼ିବାକୁ ଛାଡ଼ନ୍ତି ନାହିଁ । ଶିକ୍ଷକ ଅଭାବରୁ କୌଣସି ପିରଅଡ୍ ଖାଲି ପଡ଼ୁଥିଲେ ସେ ବେଶପଟା ଭିଡ଼ି ବାହାରି ଆସନ୍ତି । ଆମ ପାଠ୍ୟକୁ ଛାଡ଼ି ପାଠ୍ୟ ବହିର୍ଭୁତ ରଘୁବଂଶ, କୁମାରସମ୍ଭବ, ମାଘ, ନୈଷଧ ଓ ଭଟ୍ଟି ଇତ୍ୟାଦିର ଚର୍ଚ୍ଚା ଚାଲେ । ସହଜେ ତ ଆମପିଲାଙ୍କୁ ସଂସ୍କୃତ ପାଠ ଗନ୍ଧାଏ, ଅନ୍ତତଃ ଇଂରାଜୀ ପରି ମହମହ ବାସେନା । ତହିଁରେ ପୁଣି ହାଇସ୍ କୁଲିଆ ଛୁଆମାନଙ୍କ ଆଗରେ ସଂସ୍କୃତ କାବ୍ୟରାଜ୍ୟର ଦିଗ୍ଶଙ୍କୁମାନଙ୍କୁ ଆଣି ଥୋଇବାବେଳେ ପଣ୍ଡିତ ମହାଶୟ ଆତ୍ମବିହ୍ଵଳ ହୋଇ ଉଠୁଥିଲେ । କିନ୍ତୁ ଅଧିକାଂଶ ପିଲାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼େନାହିଁ । ତେଣୁ ବୈକୁଣ୍ଠ ଓ ମୋ’ଭଳି କେତୋଟି ପିଲାଙ୍କୁ ଛାଡ଼ିଦେଲେ (ଆମର ଟିକେ ସଂସ୍କୃତ ଭଲ ହେଉଥିବାରୁ ଅନ୍ୟମାନଙ୍କୁ ଏହା କାଲ ଆଗରେ ମୂଳା ଚୋବାଇବା ପରି ବୋଧହୁଏ ।

 

ସେ ଯାହାହେଉ ଏଇଭଳି ରୀତିରେ ପାଠପଢ଼ା ଚାଲିଥିବାବେଳେ କେତେବେଳେ ବୈକୁଣ୍ଠ ଓ କେତେବେଳେ ମୁଁ ଶ୍ରେଣୀରେ ପ୍ରଥମ ହେଉ । ମୋର ଇଂରାଜୀ, ଓଡ଼ିଆ ସାହିତ୍ୟ, ସଂସ୍କୃତ, ବିଜ୍ଞାନ ଭଲ ହେଉଥିଲେ ମଧ୍ୟବୈକୁଣ୍ଠ ମୋ ଠାରୁ ଗଣିତ ଶାସ୍ତ୍ରରେ ଭଲ କରୁଥିଲା । ମୋଟକଥା, ସ୍କୁଲର ନାଁ ପାଣି ରଖିବା ପାଇଁ ଆମ ଗୁରୁଜନମାନେ ଆମଉପରେ ଯେଉଁ ଆଶାଭରସା ରଖିଥିଲେ, ତହିଁରେ ଆମେ ଖିଲାପ କରିନଥିଲୁ । ପ୍ରଥମ ବର୍ଷର ମାଟ୍ରିକ୍ ପରୀକ୍ଷାରେ ଯେଉଁ ଆଠଦଶ ଜଣ ଉତ୍ତୀର୍ଣ୍ଣ ହେଲେ ସେମାନଙ୍କ ମଧ୍ୟରେ ବୈକୁଣ୍ଠ ଓ ମୁଁ ଉଚ୍ଚ ଦ୍ୱିତୀୟ ଶ୍ରେଣୀ (ହାୟର ସେକେଣ୍ଡ ଡିଭିଜନ)ର ନଂବର ରଖିଥିଲୁ । ଆମ ଫଳାଫଳ ଉପରେ ସ୍କୁଲର ଅସ୍ଥାୟୀ ମଂଜୁରୀକୁ ପରେ ସ୍ଥାୟୀ କରାଯାଇଥିଲା ।

 

ପୂର୍ବରୁ ବନମାଳୀ ବାବୁଙ୍କର ଯେଉଁ ସ୍ନେହଶ୍ରଦ୍ଧା କଥା କହୁଛି ତାହାର ପ୍ରଧାନ କାରଣ ଥିଲା ସ୍କୁଲର ସେତେବେଳର ଟଳମଳ ଅବସ୍ଥାରେ ଆମର ଭୂମିକା-ଆମ ଦୁଃଖ କଷ୍ଟ ସହିବାର ଶକ୍ତି, ବହୁ ଉଦ୍ୱେଗ ଓ ନୈରାଶ୍ୟ ମଧ୍ୟରେ ଆମର ଧୈର୍ଯ୍ୟ, ତ୍ୟାଗ ଓ ନିଷ୍ଠା । କୌଣସି ଗୁଜବ (ସ୍କୁଲ ଭାଙ୍ଗିଯିବାର ଗୁଜବ୍)ରେ ନଭୁଲି ଅଜଗର ପରି କର୍ମକୁ ଆଦରି ଏଠି ପଡ଼ି ରହିବାକୁ ଉଦ୍ୟୋକ୍ତାମାନେ ଖୁବ୍ ପସନ୍ଦ କରୁଥିଲେ ।

 

ସ୍କୁଲଟି ଗଢ଼ି ଥୋଇବାକୁ ସ୍ଥାନୀୟ ଶିକ୍ଷକମାନଙ୍କର ମଧ୍ୟ କମ୍ ତ୍ୟାଗ ନଥିଲା । ମାଇନର ସ୍କୁଲରେ ପାଠ ପଢ଼ାଇବା ସାଙ୍ଗକୁ ପାହୁଲାଏ ଅଧଲାଏ ଅଧିକାନଦେଇ ଖଗେଶ୍ଵର ବାବୁ, ଶଶୀ ବାବୁ, ରାଧାମୋହନ ବାବୁ ଓ ବାଞ୍ଛାନିଧି ବାବୁ ପ୍ରଭୃତି ହାଇସ୍କୁଲ ପାଇଁ ଯେତେ ଖଟୁଥିଲେ, ତାହା ଆଜିକାଲି ଯୁଗରେ ସ୍ଵପ୍ନ । ଏମିତି ଆମ ସଭିଙ୍କ ତ୍ୟାଗରେ ଦୋହଳି ମଡ଼େଲ୍ ହାଇସ୍କୁଲର ଷଠୀଘର କାମ ବଢ଼ିଲା । ଆଜିର ବେବର୍ତ୍ତାମାନେ ଏକଥା ବୁଝୁନାହାନ୍ତି । ଶସ୍ତା ବାହାବାହା ନେବାକୁ କିଛି ଗୋଟାଏ ଆରମ୍ଭ କରିଦେଇ ତାହାପରେ ଲଗାଇଛନ୍ତି ଷଣ୍ଢଲଢ଼େଇ । ଭୋକିଲା କୁକୁର ପରି ଶୁଖିଲା ହାଡ଼ ଖଣ୍ଡିକ ପାଇଁ ଟଣାଓଟରା । କିଛିନହେଲେ ଅନୁଷ୍ଠାନ ବହାନାରେ କୁତ୍ସିତ ରାଜନୀତିର ବାଦୀ-ପାଲା ଲଗାଇ ନିଜମନକୁ ନିଜେ ଗୋଟାଗୋଟା ନେତା ଓ ରାଜନୀତିଞ୍ଜ ବନିଯାଉଛନ୍ତି ଏବଂ ପଞ୍ଝାଏ ଅପଦାର୍ଥକୁ ମତାଇ ଦେଶସାରା ହରିଲୁଟ୍ ଚଳାଇଛନ୍ତି । ଏ ରୋଗ ଆମ ହାଇସ୍କୁଲ, ଜୀବନରେ ଦେଖା ନଥିଲା । କାମ କରିବା ପାଇଁ ଲୋକେ କାମ କରୁଥିଲେ । କର୍ମଥିଲା ସେମାନଙ୍କ ପାଇଁ ଆନନ୍ଦ । ଏ ଆନନ୍ଦ ନଥିଲେ ଭାବଗ୍ରାହୀ ବାବୁ (ଆମ ସଂସ୍କୃତ ପଣ୍ଡିତେ) ସମସ୍ତଙ୍କ ଠାରୁ ବେଶି ଖଟି କମ ପାଇ [ବେତନ] ଆତ୍ମବିହ୍ଵଳ ହୋଇ ପାରୁନଥାନ୍ତେ ।

 

ଆଜି ସବୁ କେମିତି ଯାନ୍ତ୍ରିକ, ହୋଇ ପଡ଼ିଛି । କର୍ମରେ ଆତ୍ମବିସ୍ମୃତିର ପ୍ରଶ୍ନନାହିଁ । ତେଣୁ ଆମର କୌଣସି କର୍ମ ଅନ୍ୟହୃଦୟକୁ ଛୁଇଁ ପାରୁନାହିଁ । ଝାଳନାଳ ହୋଇ ଆମକୁ ସଂସ୍କୃତ ପଢ଼ାଇବା ବେଳେ ପଣ୍ଡିତ ମହାଶୟଙ୍କର ଯେଉଁ ଆତ୍ମବିସ୍ମୃତି ହାଇସ୍କୁଲରୁ ମୋ ଭିତରେ ଗଜାମାରିଥିଲା, ତାହା ଡାଳପତ୍ର ମେଳିଲା କଲେଜ ଜୀବନରେ ଓ ପରେ ଶିକ୍ଷକ ଜୀବନରେ । ଏ ନିଷ୍ଠା ଅଭାବରୁ ଆଜି ଶିକ୍ଷକ, ଛାତ୍ରଭିତରେ ବାଜ-ପାରା ସଂବନ୍ଧ ଦେଖାଦେଇଛି ଓ ଶିକ୍ଷକର କୌଣସି ଛାପା ଛାତ୍ର ଉପରେ ପଡ଼ୁନାହିଁ । କାଁ’ ଭାଁ କେତେଜଣ ନିଷ୍ଠାପର ଶିକ୍ଷକଙ୍କୁ ଛାଡ଼ିଦେଲେ ଏବର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଜାଲିଆ, ଟାଉଟର ଓ ପାଠ ନାମରେ ଅପାଠ ବେପାରୀଙ୍କ ଭିଡ଼ ବଢ଼ିଛି । ଅବଶ୍ୟ ଏହା କହିଲାବେଳେ କୌଣସି ବ୍ୟକ୍ତିବିଶେଷ ମୋ ଦୃଷ୍ଟିରେ ନାହାନ୍ତି ବା ନିଜକୁ ମୁଁ ଏଥିରୁ ଅଲଗା କରୁନାହିଁ ।

 

ମଫସଲିଆ ହାଇସ୍କୁଲଟିରେ ବହୁ ମଡ଼ାମକଚା ଖାଇ ପାଠପଢ଼ୁଥିବାବେଳେ ସେ ପରିବେଶର ସୁଦିଗ ଓ କୁଦିଗ ମୋତେ କିପରି କରିଥିଲା ତାହାପରେ ବଖାଣିବି ।

Image

 

ଆଉଗୋଟିଏ ଫର୍ଦ୍ଦ

 

ନିହାତି ଖାମଖିଆଲୀ ନୀତିରେ ଦୋହଳି ମଡେଲ୍ ହାଇସ୍କୁଲର ନାମକରଣ କରାଯାଇଥିଲା । ପିଲାମାନଙ୍କୁ ନୂତନ ମଡେଲରେ ପକାଇ ଆଦର୍ଶ ଛାତ୍ରଛାତ୍ରୀ କରିବାର ବାସନା ଏ ବିଦ୍ୟାଳୟର ଆରମ୍ଭରୁ କର୍ମକର୍ତ୍ତାମାନଙ୍କର ଲକ୍ଷ୍ୟ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଆଜିକାଲି ପରି ସ୍କୁଲ୍ ବା କଲେଜରେ ସେତେବେଳେ ଏନ୍.ସି.ସି ବା ଏନ୍.ଏସ: ଏସ ଭଳି ସଂସ୍ଥାର ପ୍ରଶ୍ନ ଉଠିନଥାଏ ତଥାପି ବିଭିନ୍ନ ଗଠନ ମୂଳକ କାର୍ଯ୍ୟ ମାଧ୍ୟମରେ ଆମ ଶିକ୍ଷକମାନେ ଆମକୁ କର୍ମଠ, ଚରିତ୍ରମାନ ଓ ଦେଶସେବୀ କରିବାକୁ ମୂଳରୁ ଚେଷ୍ଟା କରୁଥିଲେ ।

 

ବନମାଳୀ ବାବୁ ସ୍କୁଲର ମଜୁରୀ ପାଇଁ ଆମ୍ଭମାନଙ୍କର ପୋଥିଗତ ଉପରେ ଅଧିକ ଜୋର୍ ଦେଉଥିଲେହେଁ ପାଠ ସମୟେ ସମୟେ ସେ ଆମ ଆଗରେ ଗାଂଧୀ, ତିଳକ ଓ ଦୟାନନ୍ଦ ସରସ୍ୱତୀଙ୍କର ଜୀବନୀ କହି ଆମ୍ଭମାନଙ୍କର ନୈତିକ ଚରିତ୍ର ଗଠନ ନିମନ୍ତେ ପ୍ରେରଣା ଦେଉଥିଲେ-। ଏହାଭିନ୍ନ ଗାଁ ଗଣ୍ଡାରେ କେଉଁଠି କିଛି ଦୈବୀ ଘଟିଲେ ଆମକୁ ସଂଗରେ ନେଇ ଗ୍ରାମବାସୀମାନଙ୍କୁ ବିପଦ ମୁଖରୁ ରକ୍ଷା କରୁଥିଲେ ।

 

ଆମ ନୈତିକ ଚରିତ୍ର ଦୃଢ଼କରିବା ପାଇଁ ଅକ୍ଷୟ ବାବୁଙ୍କର ପନ୍ଥା କିନ୍ତୁ ଭିନ୍ନ ଥିଲା । ସେତେବେଳେ କଂଗ୍ରେସ ଏକ ଦେଶସେବୀ ଅନୁଷ୍ଠାନ ଥିବାରୁ ସେ ଆମ୍ଭମାନଙ୍କୁ ଚାରିଅଣିଆ (ଏବର ପଚିଶି ପଇସା) କଂଗ୍ରେସ ସଭ୍ୟ କରିବା ଠାରୁ ଆରମ୍ଭ କରି ଶ୍ରେଣୀ ଗୃହକୁ ସୁରୁଚିର ପୋଷାକ ପିନ୍ଧିଯିବା ପାଇଁ କଡ଼ା ନିର୍ଦ୍ଦେଶ ଦେଉଥିଲେ ।

 

ଥରକର କଥା । ଆମ ସହପାଠିନୀ ଦୁଇଜଣ ଝିଅଙ୍କ ମଧ୍ୟରୁ ଜଣେ ଖଣ୍ଡେ ପତଳା ଶାଢ଼ୀ (ଅବଶ୍ୟ ଆଜିଭଳି ନଗ୍ନ ରୁଚିର ନୁହେଁ) ପିନ୍ଧି କ୍ଲାସକୁ ଆସିଥିଲେ । ଅକ୍ଷୟ ବାବୁଙ୍କ ଦୃଷ୍ଟିରେ ତାହା ପଡ଼ିବା ମାତ୍ରେ ସେ ମନ୍ଦ୍ରଗମ୍ଭୀର କଣ୍ଠରେ ସେ ଝିଅଟି ଉଦ୍ଦେଶ୍ୟରେ ଯାହା ସତର୍କ ବାଣୀ ଶୁଣାଇଥିଲେ ତାହା ଏବେ ମଧ୍ୟ ମୋ ଛାତି ତଳେ ଲେଖା ରହିଛି–

 

–“Don’t come to the class in such undesirable robes” (ଏଭଳି ଅବାଂଛିତ ପୋଷାକ ପିନ୍ଧି କ୍ଲାସକୁ ଆସନାହିଁ) । ଝିଅଟି ସେଦିନ ଲାଜରେ ଆଉ କ୍ଲାସରେ ବସିପାରିଲେ ନାହିଁ । କିନ୍ତୁ ସେହିଦିନୁ ସେ ଧଳା ମୋଟାଶାଢ଼ୀ ବ୍ୟତୀତ ରଙ୍ଗଢ଼ଗିଆ ଶାଢ଼ୀ ପିନ୍ଧି କେବେ କ୍ଲାସକୁ ଆସନ୍ତିନାହିଁ ।

 

ଆଉ ଗୋଟିଏ ଘଟଣା । ଦିନେ ଭୂଗୋଳ ପଢ଼ାଉଥିବା ବେଳେ ଅକ୍ଷୟବାବୁ ଅତ୍ୟନ୍ତ ବିମର୍ଷ ଥିବାର ଦେଖାଗଲା । ଏସିଆ ମହାଦେଶର ମାନଚିତ୍ର ଉପରେ ଘୁରିବୁଲୁଥିବା ତାଙ୍କ ହାତର ପଏଣ୍ଟରଟା ମଧ୍ୟ ଥରିଉଠିଲା । ତାହାପରେ ସେ ଶୋକ ଗଦ୍ ଗଦ୍ କଣ୍ଠରେ କହି ଉଠିଲେ “ଦେଖ ପିଲାମାନେ, ମୋର ପତ୍ନୀ ପୁତ୍ରବିହୀନ ଜୀବନ ମଧ୍ୟରେ ତୁମମାନଙ୍କୁ ସଂବଳ କରି ମୁଁ ଏ ବୃଦ୍ଧ ବୟସରେ ଆଗେଇ ଚାଲିଥିଲି । ମୋର ନିଃସ୍ଵତାକୁ ଭୁଲିଯିବାକୁ ଚେଷ୍ଟା କରୁଥିଲି । କିନ୍ତୁ ତୁମେମାନେ ଆଜି ମୋର ସେ ଆତ୍ମ ପ୍ରତ୍ୟୟକୁ ଧୂଳିସାତ୍ କରିଦେଇଛ । ତୁମମାନଙ୍କ ଭିତରେ ଏପରି କେହି ଛାତ୍ର ଅଛି ଯେ କି ରାତିରେ ହାତଦେଇ କହିପାରିବ ଯେ କନ୍ୟାସମା ଏ ତରୁଣୀ ଝିଅ ମଧ୍ୟରୁ (ଆମ ସହପାଠିନୀଙ୍କୁ ଲକ୍ଷ୍ୟ କରି) କୌଣସିଟିକୁ ସଙ୍ଗରେ ନେଇ ନିରାପଦରେ ମୋ ଘରେ ପହଞ୍ଚାଇଦେବ । ନା, ମୁଁ ଜାଣେ ସେ ସତ୍‍ସାହସ ତୁମମାନଙ୍କର ନାହିଁ ।”

 

ଏହାପରେ ସେ କାନ୍ଦି ପକାଇଲେ । ଆମ ଭିତରୁ କେତେକ ତାଙ୍କ ଚାଲେଞ୍ଜରେ ହଁ ମାରିବାକୁ ମନେ ମନେ ପାଞ୍ଚୁଥିଲେ ବି ଆର୍ଯଋଷି ସଦୃଶ ଦୀପ୍ତିମାନ ସେ ପୁରୁଷ ସମ୍ମୁଖରେ ଠିଆ ହୋଇ ଉତ୍ତର ଦେବାକୁ କାହାର ସାହସ ହେଲାନାହିଁ । ଘଟଣାଟି କେବଳ ତୁହାଇ ତୁହାଇ ଆମ ମନରେ ପ୍ରଶ୍ନବାଚକ ସୃଷ୍ଟି କଲା । ସ୍କୁଲ୍ ଛୁଟିପରେ ଜାଣିବାକୁ ପାଇଲୁ ଯେ ଆମର ଜଣେ ସହପାଠୀ ଆମ ସଙ୍ଗରେ ପଢ଼ୁଥିବା ସେ ଦୁଇଟି ଝିଅ ମଧ୍ୟରୁ ଜଣଙ୍କପାଖକୁ କଣ ପତ୍ର ଦେଇଥିବାରୁ ସାର୍‍ଙ୍କ ମନରେ ତାହା ଏପରି ଝଡ଼ ସୃଷ୍ଟି କରିଥିଲା । ତାହାପରେ ହସତାମସାରେ ଅନେକ ସେ କଥାଟିକୁ ଉଡ଼ାଇଦେଲେ ।

 

କିନ୍ତୁ ସାରଙ୍କ ଆଖିର ସେ ଗଙ୍ଗାଯମୁନା ମୋ ଛାତି ତଳେ ଚିରଦିନ ପାଇଁ ବଞ୍ଚିରହିଲା । ଭବିଷ୍ୟତରେ ଚଲାପଥରେ ସେ ପବିତ୍ର ଧାରାଦୁଇଟି ମୋତେ ସଙ୍କେତ ଦେଇଚାଲିଲା ଷୋଳପଣି ଚରିତ୍ରବାନ୍ ହେବାକୁ । ତେଣୁ ବାପାଙ୍କ ଲୁହ ପରେ ସାର୍‍ଙ୍କ ଆଖି ଲୁହରେ ମୋ ଜୀବନ ସେହିଦିନୁ ଧୁଆହେଲା । ନୈତିକ ଜୀବନର ଏ ଗଙ୍ଗାସ୍ନାହାନରୁ ମିଳିନଥାନ୍ତା ।

 

ମୋଟାମୋଟି କହିଲେ ଅକ୍ଷୟବାବୁ ଅତି ବିଚକ୍ଷଣ ଭାବରେ ଜୀବନବୃନ୍ତକୁ ଦୋହଲାଇ ପାରୁଥିଲେ । ତାଙ୍କ ଆବେଦନରେ ଥିଲା ମର୍ମକୁ ଛୁଇଁବାର ସୂକ୍ଷ୍ମ କଳା-କୌଶଳ । ଉଚ୍ଚବିଦ୍ୟାଳୟରେ ନାଁ ଲେଖାଇବା ଦିନର ଗୋଟିଏ ଛୋଟିଆ କଥାରୁ ଏହା ଅନୁଭବ କରାଯାଇପାରିବ । ନାମ ଲେଖାଇସାରିବା ପରେ ମୁଁ ତାଙ୍କୁ ଭୂମିଷ୍ଠ ପ୍ରଣାମ କରି ଗାଁକୁ ଫେରିବାକୁ ବ୍ୟଗ୍ର ଥାଏ । ତାଙ୍କ ତୁଣ୍ଡରୁ ଆଶୀର୍ବାଦ ଆସିଲା-“Die Young” । (ଅଳ୍ପ ବୟସରେ ମୃତ୍ୟବରଣ କର) । ଏଭଳି ଆଶୀର୍ବାଦ ମୋତେ କିମିତି କିମିତି ଲାଗିଲା । ମନଟା ମରିଆସିଲା ଦୁଃଖରେ । ସେ ତାହା ଲକ୍ଷ୍ୟକରି ପାଖକୁ ଡାକି ସଙ୍ଗେ ସଙ୍ଗେ ବୁଝାଇଦେଲେ–“Whom God loves, dies young” । (ଈଶ୍ୱର ଯାହାକୁ ଭଲ ପାଆନ୍ତି, ସେ ଶୀଘ୍ର ତାକୁ ପାଖକୁ ନେଇଯାନ୍ତି) । “ତେଣୁ ପ୍ରଭୁ ତୁମକୁ ଭଲ ପାଆନ୍ତୁ, ଏହାହିଁ ମୋ କଲ୍ୟାଣର ଇଙ୍ଗିତ ।”

 

ଏତ ଗଲା ଅକ୍ଷୟବାବୁଙ୍କ ବିଷୟ । ଆମ ପଣ୍ଡିତ ଆପଣେ (ଭାବଗ୍ରାହୀ ବାବୁ) ପୂରାପୂରି ସ୍ନେହପ୍ରେମର ଏକ ଭାବପ୍ରବଣ ଗ୍ରନ୍ଥ । କିନ୍ତୁ ତାଙ୍କ ମନ ତୁଟିଗଲେ ଗାଳିରେ ବାଡ଼ବତା ନଥାଏ । ସେ ସବୁ ସେହି ଗଭୀର ପ୍ରେମର ନିଦର୍ଶନ । ଏଥିରେ କୌଣସି ଛନ୍ଦ କପଟ ବା ଈର୍ଷା ନଥାଏ ।

 

ଆମ ଦଶମ କି ଏକାଦଶ ଶ୍ରେଣୀ ବର୍ଷ । ଡ: ମାୟାଧର ମାନସିଂହ ପରିଦର୍ଶକ ଭାବରେ ଆମ ସ୍କୁଲକୁ ଆସିଥାଆନ୍ତି । ଆମ ଶ୍ରେଣୀ ପରିଦର୍ଶନ କଲାବେଳେ ପଣ୍ଡିତ ମହାଶୟ ସଂସ୍କୃତ ପଢ଼ାଉଥାଆନ୍ତି । “ଆଜି କିଏ ସ୍କୁଲକୁ ଆସିଛନ୍ତି ଇତ୍ୟାଦି ସଂସ୍କୃତରେ “କଥୋପକଥନ କରିବାକୁ ପିଲାମାନଙ୍କୁ କହନ୍ତୁ”–କହି ସେ ସିଂହ ଠାଣିରେ ଆମ କ୍ଲାସରେ ଠିଆହୋଇ ରହିଲେ । ପୂର୍ବୋକ୍ତ ବୈକୁଣ୍ଠ ଓ ମୁଁ ସଂସ୍କୃତରେ ଯେତେ ଦୋରସ୍ତ ହେଲେ ମଧ୍ୟ ଟୋଲ୍ ରୀତିରେ ସଂସ୍କୃତରେ କଥୋପକଥନ କରିବାକୁ ଆଦୌ ଅଭ୍ୟସ୍ତ ନଥିଲୁ । ତେଣୁ ପ୍ରଥମେ ପ୍ରଥମେ ଟିକେ ଥଙ୍ଗେଇଲୁ । ବୈକୁଣ୍ଠ ବ୍ରାହ୍ମଣିଆ ପିଲା । କୌଣସିମତେ ଚଳାଇନେଲା । ହେଲେହେଁ ତାହାର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସଂସ୍କୃତରେ ମୁଁ ଯାହା ସ୍ଥିରକଲି ‘ଇନ୍‍ସପେକ୍ଟର’ ଶବ୍ଦର ତର୍ଜମା (ପରିଦର୍ଶକ) ମନେ ନପଡ଼ିବାରୁ କିଛିକ୍ଷଣ ପାଇଁ ମୁଁ ବଡ଼ ହଡ଼ବଡ଼େଇ ଗଲି । ମାନସିଂହ ମହାଶୟ ମୋତେ ପଚାରିଲେ–‘କି, ତାଙ୍କ ପ୍ରଶ୍ନର ଉତ୍ତର ଦିଅ ।” ମୁଁ ଉତ୍ତରଦେଲି-‘ଭାବୁଛି’ । ସେ ମହାଶୟ ଥଟ୍ଟା କରି କହିଲେ, “ପରୀକ୍ଷା ହଲରେ ବସି ସେମିତି ଭାବୁଥିବ ।”

 

ଏହାପରେ ସେ ଆମ ଶ୍ରେଣୀ ଛାଡ଼ି ଅନ୍ୟ ଶ୍ରେଣୀ ପରିଦର୍ଶନରେ ଗଲେ । ଏତେବେଳକୁ ଭାବଗ୍ରାହୀବାବୁଙ୍କ ମୁଖମଣ୍ଡଳ କ୍ରୋଧରେ ଆରକ୍ତ ଦେଖାଯାଉଥାଏ । ମାନସିଂହ ସ୍କୁଲ୍ ଛାଡ଼ିଥିବେ କି ନାହିଁ ସେ ଆମକୁ ଯାଇଚ୍ଛା ତାହା ବକି ସଂସ୍କୃତ ବହି ଫିଙ୍ଗି ଝଡ଼ ପରି କ୍ଲାସ୍ ଛାଡ଼ି ପଳାଇଗଲେ । ସେଦିନୁଁ ପ୍ରାୟ ଦୁଇତିନି ଦିନ ସେ ଆମ କ୍ଲାସ୍କକୁ ଆସିଲେ ନାହିଁ । କ୍ଲାସ୍କକୁ ଆସିଲେ ମଧ୍ୟ ସେ ମୋତେ ଆଠ ଦଶଦିନ ଧରି ରାମ୍ କି କୃଷ୍ଣ କିଛି କହିଲେ ନାହିଁ । ବାରୁଣାର ଆଖଡ଼ାଶାଳାରେ ଅର୍ଜୁନର ସାମାନ୍ୟ ତ୍ରୁଟିରେ ଦ୍ରୋଣାଚାର୍ଯ୍ୟ ହୁଏତ ଏତିକି ମାନ ଅଭିମାନ କରିଥିବେ କି ନାହିଁ ସନ୍ଦେହ ।

 

ତେବେ ଏ ଅଭିମାନରୁ ମୁଁ ପଣ୍ଡିତ ମହାଶୟଙ୍କ ଗଭୀର ପ୍ରୀତିର ସନ୍ଧାନ ପାଇଥିଲି । ତେଣୁ ୧୯୪୯ରେ ରେଭେନ୍ସା କଲେଜରେ ନାମ ଲେଖାଇ ସାରିବାପରେ ମୁଁ ତାଙ୍କ ନିକଟକୁ ଯେଉଁ ଚିଠି ଲେଖିଥିଲି, ତହିଁରେ ଉଲ୍ଲେଖ କରିଥିଲି-‘ସାର୍, ଏଠି ଦୋମହଲା ଘରେ ବିଜୁଳୀ ପଙ୍ଖାତଳେ ବସି ଅଧ୍ୟାପକଙ୍କଠାରୁ “ଲେଡ଼ିଜ୍ ଏଣ୍ଡ୍ ଜେଣ୍ଟିଲ୍ ମେନ୍” ଶୁଣିଲାବେଳେ ଆପଣ ମନେ ପଡ଼ନ୍ତି । ମନେପଡ଼େ ଆପଣଙ୍କର ଶୋଧା, ଗାଳି ଓ ଅଭିମାନ ଯାହାର ଅଭାବରୁ ଜୀବନଟା ଏଠି ବଡ଼ ନୀରସ ଓ ଯାନ୍ତ୍ରିକ ।”

 

ଏତ ଗଲା ଭାବଗ୍ରାହୀବାବୁଙ୍କ କଥା । ଆମ ଭବିଷ୍ୟତ୍ ଜୀବନରେ ଯେ ଆମର (ମୁରଲୀଭାଇ ଓ ମୋର) ସବୁଠୁଁ ଅଧିକ ଆପଣାର ହୋଇ ରହିଗଲେ ସେ ହେଉଛନ୍ତି ନବବାବୁ-ଆମ ପଡ଼ୋଶୀ ଗାଁ ସେଠି ଲୋର ଶ୍ରୀ ନବକିଶୋର ମହାନ୍ତି, ଏମ୍.ଏ. । ସେତେବେଳେ ସେ କଲିକତାରୁ “ବି.କମ୍” ଫେଲ୍ ହୋଇ ଆମ ସ୍କୁଲରେ ଯୋଗଦେଇଥାଆନ୍ତି । ସେ ବର୍ଷ ବୋଧହୁଏ ଆମର ନବମ ଶ୍ରେଣୀ । ସେ ଇଂରେଜୀ, ଓଡ଼ିଆ, ପୃଥିବୀ ଇତିହାସ ଓ ଇଂଲଣ୍ଡ୍-ଇତିହାସ ପଢ଼ାନ୍ତି । ସେ ପ୍ରଥମେ ଯେଉଁଦିନ ଆମ କ୍ଲାସ୍ ନେଲେ ସେଦିନ “Lead Kindly light” କବିତାଟି ଅତି ମର୍ମସ୍ପର୍ଶୀ ଭାବରେ ପଢ଼ାଇଥିଲେ । ମୁଁ ମେଲେରିଆ ନାଡ଼ିରେ କୁଇନାଇନ୍ ଗିଳି ସେଦିନ କ୍ଲାସକୁ ଯାଇଥାଏ । ମୁରଲୀଭାଇ ଗାଁ’କୁ ଆସିଥାଆନ୍ତି । ସନ୍ଧ୍ୟାବେଳକୁ ସ୍କୁଲରେ ପହଞ୍ଚି କଣ ପଢ଼ାହେଲା ବୋଲି ମୋତେ ପଚାରିଲେ । ମୁଁ ତାଙ୍କ ସଙ୍ଗରେ ସଞ୍ଜବୁଲାରେ ବାହାରି ସ୍କୁଲଠାରୁ ପ୍ରାୟ ଦୁଇ ତିନି କିଲୋମିଟର ବାଟ ଲୁଣା ବନ୍ଧେ ବନ୍ଧେ ପୂର୍ବକୁ ଚାଲିଲି ଓ ସେହି ବୁଲାଚଲା ସମୟରେ ନବବାବୁ କଣ ପଢ଼ାଇଥିଲେ ଅବିକଳ ତାଙ୍କ ଇଂରାଜୀରେ ମୁରଲୀଭାଇଙ୍କୁ ବୁଝାଇବାରେ ଲାଗିଲି । ଗୁଡ଼ାଏ ଗପିବା ଫଳରେ ଛାତ୍ରାବାସକୁ ଫେରିଲାବେଳକୁ ମୋର ଆଉ ବାହ୍ୟଜ୍ଞାନ ନଥିଲା । ମୁଁ ପାଗଳଙ୍କ ପରି ଇଂରାଜୀରେ ପ୍ରଳାପ କରି ଚାଲିଥିଲି ବୋଲି ତାହା ପରଦିନ ସାଙ୍ଗ ପିଲାମାନେ କହିଲେ ।

 

ଏତଗଲା ପ୍ରଥମ ଦିନର ଅନୁଭୂତି । ସତକୁ ସତ ନବବାବୁ ଆମମାନଙ୍କୁ ତାଙ୍କ ଆଦର୍ଶରେ ପାଗଳ କରିଦେଲେ । ଏ ଆଦର୍ଶର ବଂଧନ କ୍ରମେ ଆମ ଦୁଇଭାଇଙ୍କୁ ତାଙ୍କ ପରିବାରରେ ମିଶାଇନେଲା । ତେଣୁ ଆମ ନିକଟରେ ତାଙ୍କ ସୁଖ ଦୁଃଖର କୌଣସି କଥା ଅଛପା ରହିଲା ନାହିଁ ।

Image

 

‘ନବ’ ପିଲାଗୁଡ଼ାଙ୍କୁ ବିଗାଡ଼ିଦେଲା

 

ନବବାବୁ ଆମମାନଙ୍କ ପାଇଁ କେବଳ ଶିକ୍ଷକ ନଥିଲେ । ପାଶ୍ଚାତ୍ୟରୀତିରେ ତାଙ୍କୁ ଆମର ଫ୍ରେଣ୍ଡ୍, ଫିଲୋସୋଫର୍ ଓ ଗାଇଡ୍ ବୋଇଲେ ମଧ୍ୟ ଠିକ୍ ହେବନାହିଁ । ବସ୍ତୁତଃ ସେ ଥିଲେ ହର୍ତ୍ତା, କର୍ତ୍ତା ଓ ଦଇବ ବିଧାତା । କଲିକତା ପୃଥ୍ଵୀରୁ ଗାନ୍ଧୀ ଯୁଗର ଆନ୍ଦୋଳନ, ସେବା ଓ ସଙ୍ଗଠନର ସ୍ୱପ୍ନ ତଥା ସଚ୍ଚା ଅଧ୍ୟାତ୍ମବାଦର ଯେଉଁ ଆଦର୍ଶ ଘେନି ସେ ଓଡ଼ିଶା ମାଟିରେ ପାଦ ପକାଇଥିଲେ, ତହିଁରେ ଆମକୁ ତନ୍ମୟ କରିଦେବାକୁ ସେ ଅଧୀର ହୋଇ ଉଠୁଥିଲେ । ପାଠବେଳେ ପାଠ ବ୍ୟତୀତ ଅନ୍ୟ ସମୟରେ ସମାଜ-ସେବା ଓ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟରେ ସେ ଆମକୁ ସର୍ବଦା ବ୍ୟସ୍ତ ରଖୁଥିଲେ । ଛୋଟ ହେଉ, ବଡ଼ ହେଉ, ମଣିଷର ଅମର୍ଯ୍ୟାଦା ସେ କୌଣସି କ୍ଷେତ୍ରରେ ସହିପାରୁନଥିଲେ । ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ଅହିଂସା ଆନ୍ଦୋଳନ ଓ ଅନଶନ ସାହାଯ୍ୟରେ ସେ ଅନ୍ୟାୟର ରୋକ୍‍ଠୋକ୍ ଜବାବ ଦେଉଥିଲେ ।

 

ଆମ ପଢ଼ିଲାବେଳକୁ ସଠିଲୋ ମହାନ୍ତି ବଂଶର ଆର୍ଥିକ ସ୍ଵଚ୍ଛଳତା ବଢ଼ି ମରୁଡ଼ି ଓ ଜମିବାଡ଼ି ବାଲୁଚର ହୋଇଯିବା ପ୍ରଭୃତି ପ୍ରାକୃତିକ ବିପଦ ଯୋଗୁଁ ପ୍ରାୟ ଭୁଷୁଡ଼ି ଆସିଥାଏ । ଏହା ସତ୍ତ୍ଵେ ଛାତ୍ରଛାତ୍ରୀମାନଙ୍କ ପାଇଁ ସାର୍‍ଙ୍କର ଘର ଥିଲା ସଦାବର୍ତ୍ତୀ ମଠ । ସାର୍‍ଙ୍କର ଧର୍ମପରାୟଣା ଜନନୀ ପିଲାମାନଙ୍କୁ ସ୍ନେହ ସମାଦର ଓ ଚର୍ଚ୍ଚାବର୍ଚ୍ଚାରେ କିଣି ନେଉଥିଲେ । ଏ ହେତୁ ନବବାବୁ ଛାତ୍ର ସମାଜରେ ଥିଲେ ଅତ୍ୟନ୍ତ ପ୍ରିୟ । ଏହା ସତ୍ତ୍ଵେ କର୍ତ୍ତୃପକ୍ଷ ତାଙ୍କ ଉପରେ ଅନେକ ସମୟରେ ବିରକ୍ତ ହେଉଥିଲେ ଓ ‘ନବ’ ଛାତ୍ରମାନଙ୍କୁ ଶିଖାଉଛି ବୋଲି ଅଭିଯୋଗ କରୁଥିଲେ ।

 

ସତକଥା କହିଲେ ସେ ଆମକୁ କେବେ କୁଶିକ୍ଷା ଦେଉନଥିଲେ । ତାଙ୍କ ସୁଶିକ୍ଷାରେ ଆମେ ବାଟଘାଟରେ ମରି ପଡ଼ିଥିବା କେତେ ଅଜଣା ଶବର ସଂସ୍କାର କରିଛୁ, ବଢ଼ି ବର୍ଷା ଓ ଝଡ଼ଝଞ୍ଜାକୁ ଖାତିର ନକରି ଗାଁ’ଗଣ୍ଡା ବୁଲି କନ୍ୟା ସାହାଯ୍ୟ ସଂଗ୍ରହ କରିଛୁ ଏବଂ ହାରହାର ସୁଅ କାଟି ଲକଲକିଆ ବିଜୁଳୀ ଓ ଘଡ଼ଘଡ଼ିତଳେ ବନ୍ୟାବିପନ୍ନଙ୍କ ପାଖରେ ତାହା ପହଞ୍ଚାଇଛୁ । କେଉଁଠି ଭାଇ ଭାଇରେ ଭିନ୍ନେ ଘରହେଲା ବା କଳି ତକ୍‍ରାଲ୍ ଘଟିଲେ ରାତିରାତି ଅନଶନ କରି ତାହା ମେଣ୍ଟାଇଛୁ ଓ ପ୍ରକୃତ ବୁଝାମଣା ପାଇଁ ବାଟ ଫିଟାଇଛୁ ।

 

ତରୁଣ ବୟସର ଆରମ୍ଭରେ ଏସବୁ ଗୋଟାଏ ନିଶାପରି ଆମକୁ ବୁଡ଼ାଇ ରଖିଥିଲା । ଏ ନିଶାରୁ ଆଉ ଅଧିକ ରଖିବା ଲାଗି ଆମେ (ବିଶେଷତଃ ମୁରଲୀଭାଇ ଓ ମୁଁ) ସ୍କୁଲ ଛୁଟିହେବା ମାତ୍ରେ ପ୍ରତିଦିନ ସାରଙ୍କ ସଙ୍ଗେ ସଠିଲେ ଘାଟଯାଏ ଚାଲି ଚାଲି ଯାଉଥିଲୁ ଏବଂ ସାର୍‍ଙ୍କୁ ତାଙ୍କ ଗାଁ ସିଧାରେ ଛାଡ଼ି ହାଇସ୍କୁଲ୍ ଛାତ୍ରାବାସକୁ ଫେରି ଆସୁଥିଲୁ । ଛାତ୍ରାବାସରେ ପହଞ୍ଚିଲାବେଳକୁ ଅଧିକାଂଶ ଦିନ ରାତି ୮ଟା ହୋଇଯାଉଥିଲା । ତେଣୁ ପ୍ରତିଦିନ ଏ ଅସମୟରେ ଛାତ୍ରାବାସକୁ ଫେରୁଥିବା ଖବର କାହାକାହା ମନରେ ନବବାବୁଙ୍କ କ୍ରିୟାକଳାପ ନେଇ ସନ୍ଦେହ ସୃଷ୍ଟି କରିଥାଇପାରେ ।

 

ତେବେ ସେ ଯାହାହେଉ ସତ୍ୟ ଓ ନ୍ୟାୟପାଇଁ ସାର୍ ଆମକୁ ମତାଇଲା ପରି ମତାଉଥିଲେ । ଯେ କୌଣସି ସତକର୍ଯ୍ୟ ପାଇଁ ସେ ଖାଲି କର୍ଣ୍ଣରେ ମନ୍ତ୍ର ଫୁଙ୍କିଲା ପରି ଟିକେ ସୁତ୍ର (କ୍ଲୁ) ବତାଇଦେଲେ ଫଳାଫଳକୁ ଅପେକ୍ଷା କରୁଥିଲେ । ପ୍ରାୟ ସବୁ ସ୍ଥଳରେ ଗୁଳିଟା ଠିକ ଲକ୍ଷସ୍ଥଳରେ ବାଜୁଥିଲା । ସେ ଭରତ-ବାଟୁଳି କେବେ ଲକ୍ଷ୍ୟଭ୍ରଷ୍ଟ ହେଉନଥାଏ ।

 

ଦାନପୁର ସାହେବ ଗୋଦାମରେ ବିପ୍ଳବ, ଆମ ସେ କାଳରେ ବିପ୍ଳବୀ ଜୀବନର ଏକ ସ୍ମରଣୀୟ ଘଟଣା । ସ୍କୁଲ୍‍ଠାରୁ କେଇ ଫର୍ଲଙ୍ଗ୍ ଦୂରରେ ‘ସିଂ କେୟାର୍ ମରେ’ କମ୍ପାନୀର ଏକ ବଡ଼ ଧରଣର ଝୋଟ ଗୋଦାମ ଥାଏ । କମ୍ପାନୀ ତରଫରୁ ଏଠି ଯେଉଁ କର୍ମଚାରୀ ଜଣକ ବ୍ୟବସାୟ ପରିଚାଳନା କରୁଥାଆନ୍ତି ତାଙ୍କୁ ସ୍ଥାନୀୟ ଲୋକ ଆରଥୁନ୍ ସାହେବ ବୋଲି ଡାକନ୍ତି । ତାଙ୍କ ପ୍ରତି ଗରିବ ଓଡ଼ିଆ ଶ୍ରମିକମାନଙ୍କର ମେହେରବାନ କହିଲେ ନସରେ । ତାଙ୍କୁ, ତାଙ୍କ କୁକୁରକୁ ଓ ଫି’ମାସରେ ସେ କଲିକତା ବା ମାନ୍ଦ୍ରାଜରୁ ଉଡ଼ାଇ ଆଣୁଥିବା ତାଙ୍କର ଅସ୍ଥାୟୀ ମେମ୍ ସାହେବାଙ୍କୁ ସେମାନଙ୍କର ଭକ୍ତି କାହିଁରେ କ’ଣ । ତେଣୁ ସ୍ଵାଧୀନ ଭାରତରେ ବା ସ୍ଵାଧୀନତା ଆସିବାର ବର୍ଷକ ପୂର୍ବେ ସେ ଓଡ଼ିଆ ଗୁଣ୍ଡାଙ୍କୁ ମଣିଷ ବୋଲି ଭାବୁନଥିଲେ ।

 

ଦିନେ ଝୋଟ ଓଜନ ବେଳେ ଜଣେ ଓଡ଼ିଆ ଶ୍ରମିକର ସାମାନ୍ୟ ଭୁଲ୍ ଯୋଗୁ ସେ ତାକୁ କଷିକରି ଦୁଇ ଚାପୁଡ଼ ବସାଇଲେ । ସାହେବ୍ ହାତର ମାଡ଼ ଅବଶ୍ୟ ଓଡ଼ିଆ ପୁଅଙ୍କୁ ସେତେ ବାଧିନଥିଲା । ନ ବାଧିବାର କଥା, ସାହେବ୍ ଯେତେବେଳେ ସେମାନଙ୍କର “ଅନ୍ନଦାତା” । ସାରଙ୍କଠାରୁ ଏକଥା ଶୁଣିବା ମାତ୍ରେ ଆମ ରକ୍ତ ଟଳମଳ ହୋଇ ଫୁଟି ଉଠିଲା ଓ ପରଦିନ ଆମେ ଶ୍ରମିକମାନଙ୍କୁ ମତାଇ ସାହେବ ଗୋଦାମରେ ପୂରାପୂରି ହରତାଳ କରାଇଦେଲୁ । ସେତେବେଳକୁ ବ୍ୟବସାୟ-ବର୍ଷର ଶେଷ ବେଳ । ଓଡ଼ିଆମାନଙ୍କର ରକ୍ତ ପିଇ ଆଗାମୀ ବର୍ଷକୁ ଆହୁରି ତାଜାରକ୍‍ତ ପିଇବାକୁ ସାହେବ ପକ୍ଷକୁ ବେଶ୍ ନାଚ ତାମସାର ଆୟୋଜନ ଚାଲିଥାଏ । କଟକରୁ ନା ପୁରୀରୁ ଅନ୍ନପୂର୍ଣ୍ଣାଥିଏଟର୍ ଦଳ ଅଣାଯାଇଥାନ୍ତି । ନିର୍ଲଜ ଓଡ଼ିଆ ପୁଏ ତଥାପି ଭିଡ଼ ବାନ୍ଧିଥାନ୍ତି ଅଭିନୟ ଦେଖିବାକୁ । ସାହେବ୍‍ର ମନ ତୁଷ୍ଟି ପାଇଁ ଆମ ସ୍କୁଲ୍‍ରୁ ବିନା ଆପତ୍ତିରେ ଚେୟାର୍ ବେଞ୍ଚ୍ ଯୋଗାଇ ଦିଆଗଲା । ନବବାବୁଙ୍କ ବ୍ୟତୀତ ଅନ୍ୟ କୌଣସି ଶିକ୍ଷକ ଏ ଘଟଣାରେ ବିଚଳିତ ଥିଲାପରି ଜଣାପଡ଼ୁନଥିଲେ ।

 

ସଂଧ୍ୟାବେଳକୁ ଆମ ବାନରସେନା ସାହେବ୍ ଗୋଦାମ ନିକଟରେ ରୁଣ୍ଡ ହେଲେ । ଅସୁରେଶ୍ୱର ପିଲାଏ ଆମ ସଙ୍ଗରେ ଯୋଗଦେଲେ । ଅଭିନୟ ବନ୍ଦରଖିବା ଲାଗି ଆମ୍ବେମାନେ ପ୍ରେକ୍ଷାଗୃହର ଚତୁର୍ଦ୍ଦିଗରେ ସ୍ଲୋଗାନଦେଲୁ । ସାହେବ ପ୍ରଥମ ହଟ୍ଟଚମଟ ଦେଖାଇଲେ ମଧ୍ୟ ଶେଷକୁ ବାଧ୍ୟହୋଇ ଅଭିନୟ ବନ୍ଦ କରାଇଲେ କିନ୍ତୁ ଓଡ଼ିଆ ଶ୍ରମିକଙ୍କ ନିକଟରେ ମୁଣ୍ଡନୁଆଁଇବା ପାଇଁ ରାଜି ହେଲେନାହିଁ ।

 

ଦ୍ଵିତୀୟ ରାତ୍ରିର ଅବସ୍ଥା ତାହାହେଲା । ତୃତୀୟ ରାତ୍ରିରେ ଅନ୍ନପୂର୍ଣ୍ଣା ଦଳ ଫେରିଗଲେ ବୋଲି ପ୍ରଚାର କରି ଦିଆଗଲା । ତାହାର ପ୍ରମାଣ ସ୍ୱରୁପ ଆମ ସ୍କୁଲର ବେଞ୍ଚ ଚେୟାର ମଧ୍ୟ ଦିନ ଥାଉଁ ଥାଉଁ ଫେରାଇ ଦିଆଗଲା । ‘ଡାଇନାମୋ’ର ଧପ୍ ଧପ୍ ଶବ୍ଦ ସ୍କୁଲ୍ ଆଡ଼କୁ ନ ଶୁଭିବା ପାଇଁ ବ୍ୟବସ୍ଥା କରାଗଲା । ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ପାଖକୁ କଡ଼ା ଚିଠି ଆସିଲା ଆମ ମାନଙ୍କୁ ଜବତ କରିବା ପାଇଁ । ସବୁଠୁଁ ବଳି ଆଶ୍ଚର୍ଯ୍ୟ, ଓଡ଼ିଆ ପୁଏ ଏ ଘଟଣାରେ ଓଡ଼ିଆ ପୁଅଙ୍କର ଚେର କାଟିବାକୁ ପଛାଇଲେନି । ଅବଶ୍ୟ ଇତିହାସରେ ବିଦ୍ରୁପରେ ବହୁଥର ଏହା ଘଟିଛି ଓ ଘଟୁଛି । ଓଡ଼ିଆ, ଓଡ଼ିଆର ବଡ଼ ଶତ୍ରୁ । ଏଣୁ ଅଣ ଓଡ଼ିଆଙ୍କୁ ଆଖି ମିଟିକା ମାରି ଲାଭ କଣ ?

 

ସାହେବ୍‍ର ଏ ଚାଲବାଜି ଆମକୁ ଅଛପା ରହିଲା ନାହିଁ । ତେଣୁ ଶିକ୍ଷକ ମାନଙ୍କର ତର୍ଜନ ଗର୍ଜନ ସତ୍ତ୍ୱେ ଆମେ ପୁଣି ସାହେବ ଗୋଦାମରେ ରୁଣ୍ଡ ହେଲୁ । ଥିଏଟର ସେତେବଳକୁ ଆରମ୍ଭ ହୋଇଗଲାଣି । ପ୍ରେକ୍ଷାଗୃହର ଟିଣ କାନ୍ଥରେ ହାତ ବାଡ଼େଇ ଆମ୍ଭେମାନେ ଅଭିନୟ ବନ୍ଦ କରିବାକୁ ଚେଷ୍ଟା କଲୁ । ଆଗ ଚେୟାରରେ ବସି ଅଭିନୟ ଦେଖିବାକୁ ଆମକୁ ପ୍ରଲୋଭିତ କରାଗଲା । ତଥାପି ଆମ ଜିଦ୍ ଉପରେ ଆମେ ଅଟଳ ରହିବାରୁ ସାହେବ୍ ବନ୍ଧୁକ ଦେଖାଇ ଆମ ଆଡ଼କୁ ଛୁଟି ଆସିଲେ । ଆମେ ଅଟଳ ହୋଇ ତାଙ୍କ ସାମ୍ନାରେ ଛିଡ଼ାହୋଇ ରହିଲୁ ।

 

“ଆରାଥନ୍ ଓଡ଼ିଶା ଛାଡ଼୍

ଶ୍ରମିକ ଶକ୍ତି ଏକଜୁଟ୍ ହୁଅ–”

 

ଇତ୍ୟାଦି ଓଡ଼ିଆ ଓ ଇଂରାଜୀ ସ୍ଲୋଗାନରେ ଆକାଶ କମ୍ପିଲା । ଫଳତଃ ସେ ରାତିରେ ମଧ୍ୟ ଅଭିନୟ ହୋଇ ପାରିଲା ନାହିଁ ।

 

ପରଦିନ ଅନ୍ନପୂର୍ଣ୍ଣା ଥିଏଟର ଦଳ ବିଦା ହୋଇଗଲେ । ଓଡ଼ିଆ ଶ୍ରମିକମାନଙ୍କ ନିକଟରେ ସର୍ବସମକ୍ଷରେ କ୍ଷମା ମାଗିବାକୁ ସାହେବ୍ ରାଜି ହେଲେ ।

 

ତା’ ପରଦିନ ସ୍କୁଲଠାରୁ ଅଳ୍ପ ଦୂରରେ ଥିବା ‘ହଦ ପଡ଼ିଆ’ରେ (ହ୍ରଦପଡ଼ିଆ) ସାଧାରଣ ସଭା ବସିଲା । ଆଖିପାଖି ଗାଁ ଗୁଡ଼ିକର ହଜାର ହଜାର ଲୋକ ଏ ସଭାରେ ଯୋଗଦେଲେ । ଅତି ଦୟନୀୟ ଭାବରେ ସାହେବ୍ ସଭିଙ୍କ ପାଖରେ ମୁଣ୍ଡ ନୁଆଁଇଲେ ଓ ପରଦିନ ଠାରୁ ସାହେବ୍ ଗୋଦାମରେ ସ୍ଵାଭାବିକ୍ ପରିସ୍ଥିତି ଫେରିଆସିଲା ।

 

ଏ ଘଟଣା ଆମକୁ କମ୍ ମନବଳ ଦେଇ ନଥିଲା । ହେଲେହେଁ ସେଇଦିନୁ ନବବାବୁ ସ୍କୁଲର ଉଦ୍ୟୋକ୍ତାମାନଙ୍କର ପ୍ରତ୍ୟେକ୍ଷ ବିଷ ଦୃଷ୍ଟିରେ ପଡ଼ିଲେ । ଅବଶ୍ୟ ସେଥିପ୍ରତି ତାଙ୍କର ଖାତିର୍ ନଥାଏ । ବରଂ ଅଧିକ ଉତ୍ସାହରେ ସେ ଆମ୍ଭମାନଙ୍କୁ ନେଇ ତାହାଙ୍କର ସଂଗଠନ କାମରେ ଲାଗି ପଡ଼ିଲେ ।

 

ସାର୍‍ଙ୍କ ଗାଁ ସଠିଲୋ, ଦୋହଳିଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଅବସ୍ଥିତ । ସ୍କୁଲ ଛୁଟିପରେ ଆମେ ସାରଙ୍କ ସଙ୍ଗେ ସଠିଲୋ ଯାଇ ରାତି ନଅଟା ଦଶଟା ଯାଏ ଏ ଅଞ୍ଚଳର ପ୍ରଥମ ମୌଳିକ ବିଦ୍ୟାଳୟପାଇଁ ମାଟି ହାଣୁ, ଇଟା ବୋହୁ । ଜମି ମାଲିକ ମାନଙ୍କୁ ବୁଝାଇ ସୁଝାଇ ଜମି ଭିକ୍ଷାକରୁ । ବିନୋବାଂକର ଭୂଦାନ ଯଜ୍ଞ ପୂର୍ବରୁ ଏ ବୋଧହୁଏ ଥିଲା ଆମମାନଙ୍କର ଛୋଟକାଟିଆ ଭୂଦାନ ବିପ୍ଳବର ଆଦ୍ୟ ଅଧିବାସ । ଏଥିରୁ ବହୁ ଭଲ ବାହାରିଲା । ଭେଲ ବି ବାହାରିଲା । ଜଣେ ଜମିଦାର ତାଙ୍କ ଜମି ନଦେବାକୁ ଜିଦ୍ ଧରିବାକୁ ତାଙ୍କ ଜମି ଉପରେ ସତ୍ୟାଗ୍ରହ, ଅନଶନ ଓ ଧାରଣା ଆରମ୍ଭ କରାଗଲା । ଦୁଃଖର ବିଷୟ ଏସବୁ କାମରେ ଆମେ ଆଗକୁ ଆସି ପାରିଲୁ ନାହିଁ । କଣ ଗୋଟାଏ ଛୁଟିଥିବାରୁ ଆମ୍ଭେମାନେ ଯେ ଯାହାର ଗାଁରେ ଥାଉ ।

 

ଖୋଦ ସାର୍ ‘ଭାଗବତ ବାବୁ (ବର୍ତ୍ତମାନ କେନ୍ଦ୍ରାପଡ଼ାର ନାମଜାଦା ଆଡଭୋକେଟ୍) ଓ ଈଶ୍ୱର ବାବୁ (ମୌଳିକ ବିଦ୍ୟାଳୟର ଶିକ୍ଷକ) ପ୍ରଭୃତି ଏ ଆନ୍ଦୋଳନରେ ଜମିଦାରଙ୍କର ରକ୍ତମୁଖା ବାହିନୀର ସମ୍ମୁଖୀନ ହେଲେ । ଜମିଉପରେ ଶୋଇରହିଥିବାବେଳେ ଜମିଦାରଙ୍କର ହଳୁଆ ଓ ଭଡ଼ାଟିଆ ଗୁଣ୍ଡାମାନଙ୍କର ଠେଙ୍ଗାବାଡ଼ି ଓ ପାଞ୍ଚଣ ମାଡ଼ରେ ଈଶ୍ୱରବାବୁ ଓ ଭାଗବତ ବାବୁଙ୍କର ଅବସ୍ଥା ଅତ୍ୟନ୍ତ ସାଂଘାତିକ ହୋଇଉଠିଥିଲା ।

 

ସେମାନଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ନିଆଯିବାପରେ ଆମ୍ଭେମାନେ ଏ ସମ୍ବାଦ ପାଇ ବଡ଼ ବ୍ୟଥିତ ହେଲୁ ଏବଂ ଆମ୍ଭମାନଙ୍କର ଏକ ଅବଶୋଷ୍ ରହିଗଲା ଯେ ଏପରି ଏକ ବିପ୍ଳବରେ ଆମ୍ଭେମାନେ ଯୋଗଦେଇ ପାରିଲୁ ନାହିଁ ।

 

ଏତେ କାଣ୍ଡ ପରେ ଜମିଦାର ହାର୍ ମାନିଲେ ଓ ତାଙ୍କ ଜମି ଉପରେ ମୌଳିକ ବିଦ୍ୟାଳୟର ମୂଳଦୁଆ ପଡ଼ିଲା । ‘ମହାତ୍ମା-କଷଣ’ ଅକାରଣ ହେଲା ନାହିଁ ।

 

ଘାସଫୁଲ ନିଜକଥାରେ ଏ ସବୁର ଏତେ ବିବରଣୀ ଦେବାର ଏକ ସ୍ଵତଂନ୍ତ୍ର ଭୂମିକା ରହିଛି । ଯେଉଁ ମାଟି, ପାଣିପବନକୁ ନେଇ ଏ ଘାସଫୁଲଟା ଫୁଟିବାକୁ ସମର୍ଥ ହେଲା ସେସବୁକୁ ବାଦ୍ ଦେଇ ତା ଜୀବନ କାହାଣୀ କୁହାଯାଇପାରେ କି ?

 

ଉଛୁଳା ବୟସର ଖସଡ଼ା ତୁଠରେ ଏଭଳି ଶିକ୍ଷକ ଓ ଉପଦେଷ୍ଟା ନପାଇଥିଲେ ଜୀବନଟା ହୁଏତ ଅନ୍ୟ ରାହା ଧରିଥାଆନ୍ତା । ହାଇସ୍କୁଲ ମାଡ଼ିବା ମାତ୍ରେ କୁସଙ୍ଗ ପ୍ରଭାବରୁ ବିଡ଼ି, ଗୁଡ଼ାଖୁ ତ ଧରିଥିଲା । ଆଗରୁ ପାନ ଅଭ୍ୟାସଟା ମୋତେ ପ୍ରାୟ କାବୁ କରିନେଇଥିଲା । ମାଟ୍ରିକ୍ ପରୀକ୍ଷାବେଳେ ସିଗାରେଟ୍ କେମିତି ଲାଗେ, ଏ କୌତୁହଳରୁ ସିଗାରେଟ୍ ଟାଣିବାକୁ ଆରମ୍ଭ କଲି-। ସୁତରାଂ, ନବବାବୁଙ୍କର କର୍ମମୁଖର ଆଦର୍ଶ ଓ ଧର୍ମ ଧାରଣା ଏତିକିବେଳୁ ମୋ ଭିତରେ ଚେର ମେଲି ନଥିଲେ ଜୀବନଟା ନିଶ୍ଚୟ ଅମଡ଼ା ମାଡ଼ି ଚାଲିଥାଆନ୍ତା । ମୋ ବାପାବୋଉ ଏବଂ ଆଈମା’ଙ୍କର ଧର୍ମଭୟ ମଧ୍ୟ ମୋତେ ଅସତ୍ ପଥରେ ପାଦ ପକାଇବାକୁ ଛାଡ଼ି ନାହିଁ । ତେଣୁ ସେ ସମସ୍ତଙ୍କୁ ଓ ଜୀବନ ଦେବତାଙ୍କୁ ଏଥିପାଇଁ କୋଟି କୋଟି ନମସ୍କାର ।

Image

 

ଆମ ଅର୍ଦ୍ଧାଶନ

 

ପଣ୍ଡିତେ (ବନମାଳୀ ବାବୁ) ଛାତ୍ରାବାସର ତତ୍ତ୍ଵାବଧାରକ ଥିଲେ ମଧ୍ୟ ଛାତ୍ରାବାସର ରୋଷେୟା ବଳିଆ ନନାଙ୍କୁ ଆମେ ତାଙ୍କଠାରୁ ଅଧିକ ଡରୁଥିଲୁ । କାରଣ ସେ କାଳରେ ସେ ମାଇନର୍ ପାଶ୍ କରିଥିଲେ ଓ ନିୟମିତ ଖବରକାଗଜ ପଢ଼ି ପୃଥିବୀର ସମ୍ବାଦ, ଜିଭ ଅଗରେ ରଖିଥିଲେ । ରେଡ଼ିଓ ତ ସେ କାଳରେ ସ୍ଵପ୍ନ ।

 

ପୃଥିବୀର କେତୋଟି ଆଶ୍ଚର୍ଯ୍ୟ ଭିତରୁ ଆମପାଇଁ ତାହା ଏକ ଆଶ୍ଚର୍ଯ୍ୟ ଥିଲା । ପୂର୍ବୋକ୍ତ ଝୋଟ ଗୋଦାମର କର୍ମଚାରୀ ଅନାଥ ବାବୁଙ୍କର ଖଣ୍ଡିଏ ରେଡ଼ିଓ ଥାଏ । ବାପୁଜୀଙ୍କର ହତ୍ୟା ଓ ତାହାଙ୍କର ଅନ୍ତିମ କ୍ରିୟା ଇତ୍ୟାଦିର ତାଜା ସମ୍ବାଦ ଶୁଣିବାଲାଗି ଆମେ ସ୍କୁଲରୁ ଚାଲି ଚାଲି ଝୋଟ ଗୋଦାମଯାଏ ଯାଇଥିଲୁ ।

 

ଏ ଅବସ୍ଥାରେ ଚଳନ୍ତି ଏନ୍‍ସାଇକ୍ଳୋପିଡ଼ିଆ ଭାବରେ ବଳିଆ ନନାଙ୍କର ଗୋଟାଏ ନାଁ ଥିଲା ଆମ ଛାତ୍ର ମହଲରେ । ତାଙ୍କୁ ଆମେ ରୋଷେୟା ସୁଲଭ ବ୍ୟବହାର ଦେଖାଉନଥିଲୁ । ଏହାର ସୁଯୋଗ ନେଇ ସେ ଆମର ଖୁଣ୍ଟିନାଣ୍ଟି ଫୋଡ଼ି ପଣ୍ଡିତ ମହାଶୟଙ୍କର ହାତବାରିସି ହେବା ସଙ୍ଗେସଙ୍ଗେ ଖାଦ୍ୟ ପରିବେଷଣ ଓ ବ୍ୟବହାରରେ ପିଲା ପିଲା ମଧ୍ୟରେ ଅନ୍ତରପାତର ଦେଖାଇଲେ । କେତେଜଣ ଧୋବଧାଉଳିଆ ପିଲାଙ୍କଠାରୁ ଅକାଳେସକାଳେ ଅଣ୍ଟାଗୁଞ୍ଜା ପାଇଁ ସେ ଆମ ପରି ମଳିମୁଣ୍ଡିଆକୁ (ମୁରଲୀ ଭାଇ ଓ ମୋ ପରି) ନଗଣ୍ୟ ଦୃଷ୍ଟିରେ ଦେଖିଲେ । ଏହା ଏକ ସମୟରେ ଏତେ ଉତ୍କଟ ହୋଇ ଉଠିଲା ଯେ ଘରୁ ବୋଡ଼ିଂ ପାଇଁ ଯାଉଥିବା ମାସିକ ଚାଉଳ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ଘଟିଲେ ଆଗେ ମୂରଲୀ ଭାଇ ଓ ମୋର ମିଲ୍ ବନ୍ଦ୍ କରିବାକୁ ଆନ୍ତରିକ ଭଲ ପାଉ-ନଥିଲେ । କିନ୍ତୁ ବଲିଆନନାର ପ୍ରରୋଚନାରେ ବିଚାରଗତ ସମତାର ଦ୍ୱାହି ଦେବାକୁ ସେସବୁ ମଳିମୁଣ୍ଡିଆଙ୍କ ସଙ୍ଗେ ମୋ ମିଲ୍ ମଧ୍ୟ ବନ୍ଦ୍ କରୁଥିଲେ ! ଅଥଚ ବହୁ ଧୋବ ଧାଉଳିଆଙ୍କ ପ୍ରତି ଏ ନୀତି ଖାଟୁନଥିଲା । ଜଣେ ରୋଷେୟାର ପ୍ରରୋଚନାରେ ଚାଳିତ ଏ ମନମୁଖୀ ଶାସନରେ ପ୍ରତିବାଦ କରି ଥରେ ମିଲ ବନ୍ଦ ମାତ୍ରେ ମୁଁ ଓ ମୁରଲୀଭାଇ ଛାତ୍ରାବାସ ନଛାଡ଼ି ୫/୬ ଦିନ ଅର୍ଦ୍ଧାଶନ କଲୁ । ଅର୍ଦ୍ଧାଶନ ଅର୍ଥ ପ୍ରଥମ ଦିନେ ଅଧେ ନୀରୋଳ ଉପବାସ ରହିବାପରେ ଆଉ ତିନି ଚାରି ଦିନ ମୁଠେ ମୁଠେ ଚୂଡ଼ା ଖାଇ ବଂଚି ରହିଲୁ ।

 

ଶେଷଦିନ ପ୍ରବଳ ମେଘପବନ ଲାଗି ରହିଥାଏ । ମାଠିଆରେ ପାଣି ଢାଳିଲା ପରେ ବର୍ଷା ବର୍ଷି ଚାଲିଥାଏ । ଜୀବନ ପଣକରି ଆମେ ଦୁଇଭାଇ ଗାଁ’କୁ ଯିବା ଉଦ୍ଦେଶ୍ୟରେ ଖୋଲା ଆକାଶ ତଳକୁ ଗୋଡ଼ ବଢ଼ାଇଦେଲୁ ।

 

ମୁଣ୍ଡରୁ ଥପ୍ ଥପ ପାଣି ନିଗୁଡ଼ୁଥାଏ ଓ ଘଡ଼ଘଡ଼ି ଶବ୍ଦରେ କଲିଜା ଥରିଯାଉଥାଏ । ତଥାପି ଆମ ଦୁର୍ଭାଗ୍ୟକୁ ନିଲଠ ପରିହାସ କରି ଆମେ ଦିଭାଇ ଚାଲିଥାଉ ତିନିକୋଶରୁ ଅଧିକ ବାଟ । ଆମ ଗାଁ’ ଘାଟକୂଳରେ ପହଂଚିଲୁ । ଦି’ଭାଇ ଡଙ୍ଗା ନପାଇ ନଦୀରେ ପହଁରିଲୁ । ତଥାପି ମଲୁ ନାହିଁ, କୌଣସି ମତେ ପ୍ରାଣ ଧରି ଆମ ଗାଁ’ରେ ପହଂଚିଲୁ । ଆମ ଘରଲୋକେ ଏ ବାଆ ବତାସରେ ଆମକୁ ଏପରି ଅଭବ୍ୟ ଅବସ୍ଥାରେ ଦେଖି ଗୋଟିପଣ ତାଟଙ୍ଗା ହେଲେହେଁ ପରେ ସେମାନେ ବୁଝିଲେ କାହିଁକି ଜୀବନ ପଣ କରି ଆମେ ଆଜି ଧାଇଁ ଆସିଲୁ ଗାଁ’କୁ ।

 

ଏମିତିକା ଛୋଟ ଛୋଟ ଘଟଣା ମାନଙ୍କରୁ ଯେଉଁ ସଙ୍କଳ୍ପ ଆମଭିତରେ ଗଢ଼ି ଉଠିଥିଲା, ତାହା ମୋତେ ଓ ମୁରଲୀଭାଇଙ୍କୁ ବହୁ ସାହାଯ୍ୟ କଲା ଭବିଷ୍ୟତ ଜୀବନରେ । ତେବେ ନବବାବୁଙ୍କ ମାଧ୍ୟମରେ ବାପୁଜୀଙ୍କର ଏଭଳି କେତେକ ଆଦର୍ଶକୁ ଯେ ପିଲାଦିନୁ ଆମେ ସାଧନାକରୁଥିଲୁ ଏହା ସୁନିଶ୍ଚିତ ।

 

ନବମ ଦଶମ ଶ୍ରେଣୀର ସନ୍ଧିସ୍ଥଳରେ ଗାନ୍ଧିଜୀ ତ ଚାଲିଗଲେ ବିରଳା ଭବନର ପ୍ରାର୍ଥନା ସଭାରେ । ମୁଁ ଓ ମୁରଲୀଭାଇ ତାଙ୍କ ତିଳତର୍ପଣ କରି ଖିଅରବାଆର ହେଲୁ ଆମ ଗାଁ ନଈ ତୁଠରେ-। ଏହା ଦେଖି ମୋ ବଡ଼ବାପା ଆମକୁ ସେଦିନ ‘ବାଳୁଙ୍ଗା’ ବୋଲି କହିଥିଲେ ସୁଦ୍ଧା ଆମେ ତିଳେମାତ୍ର ଶଂକି ନଥିଲୁ ତାହାଙ୍କର ସେ ମରହଟ୍ଟିଆ କଥାରେ । କାରଣ ନବବାବୁଙ୍କର ସୁସ୍ଥିର ଆଦର୍ଶର କାଉଁରୀ, ଆମକୁ ସବୁ ଦୁଃଖ କଷ୍ଟ ଓ ବାଧାବିଘ୍ନ ମଧ୍ୟରେ ମରଣଭୁଲା ମନ୍ତ୍ର ଦେଉଥାଏ-

Image

 

Unknown

କଟକଦେଖା ଓ ସାଇକେଲ୍ ଶିଖା

 

କୋଡ଼ିଏ ବର୍ଷ ବୟସରେ ମାଟ୍ରିକ ପରୀକ୍ଷାଦେବାକୁ ଯାଇ ମୁଁ ପ୍ରଥମେ କଟକ ଦେଖିଲି ଓ ତେଇଶି ବର୍ଷ ବୟସରେ ବାହା ହୋଇସାରି କର୍ଯ୍ୟାନୁରୋଧରେ ସାଇକେଲ ଶିଖିଲି । ଏହା ଶୁଣି ଆଜିକାଲିର ପିଲାଏ ନିଶ୍ଚୟ ହସି ଉଡ଼ାଇଦେବେ । ତେବେ ଲୋକହସା ହେବା ଭୟରେ ସତକୁ ମିଛ କରି ବା ମିଛକୁ ସତ କରି ଗପିବି କିମିତି ?

 

ଏତେ ଡେରିରେ କଟକ ଦେଖିବାର କାରଣ, ମୁଁ ପିଲାଦିନୁଁ ବାପାମା’ଙ୍କର ଆଖି ଥିବାରୁ ମୋତେ ସେମାନେ ଗାଁ’ ଏମୁଣ୍ଡରୁ ସେମୁଣ୍ଡକୁ ଛାଡ଼ିଦେଉନଥିଲେ । ତେଣୁ କଟକ ତ ଦୂରର କଥା, ଯାନିଯାତ୍ରା ଦେଖିବାକୁ ଘର ଠାରୁ ଦୁଇତିନି କିଲୋମିଟର ବାଟ ମୁଁ ସ୍ଵଇଚ୍ଛାରେ ଯାଇପାରୁନଥିଲି । ପରବର୍ତ୍ତୀକାଳରେ ମୁଣ୍ଡକୁ ହାତ ପାଇଲାବେଳେ ମଧ୍ୟ ବାପା ମୋତେ ଦୂରଦୂରାନ୍ତକୁ ଛାଡ଼ିବାକୁ ଆଦୌ ଭଲ ପାଉନଥିଲେ । ଏହି କାରଣରୁ ବି. ଏ. ପାଶ୍ କରିବା ପରେ “ଶାନ୍ତିନିକେତନ”ରେ ଏମ୍.ଏ. ପଢ଼ିବାର ଆଶା ମୋର ବିଫଳ ହୋଇଥିଲା । କୋଡ଼ିଏ ଏକୋଇଶି ବର୍ଷର ସରକାରୀ ଚାକିରି ଭିତରେ ପ୍ରତି ଛୁଟିରେ ଖାସ୍ ଏଥିପାଇଁ ପିଲାକବିଲା ଧରି ଗାଁ’କୁ ଆସିବାକୁ ହେଉଥିଲା ।

 

ସାଇକେଲ୍ ଶିଖିଲେ କାଳେ ପଡ଼ିଯିବି ବୋଲି ମୋର ଓ ବାପାଙ୍କର ଭାରି ଭୟ ଥିଲା । ମାଇନର୍ ସ୍କୁଲରେ ଥରେ ବୀରତ୍ଵ ଦେଖାଇ ଫକୀରାବର ନଈ ଅତଡ଼ିରେ ‘ହାଇଜମ୍ପ୍’ କରି ମୁଁ ଖବିରା ହୋଇଯାଇଥାନ୍ତି । ସେ ଭୟଟା ମୋ ଅବଚେତନରେ ଆଜିଯାଏ ରହିଯାଇଛି । ବିଶେଷତଃ ସାଆନ୍ତ ମା, ବାପା ଏବଂ ବୋଉ ପିଲାଦିନୁଁ ମୋ ଚୌଦିଗରେ ଭୟରେ ଯେଉଁ ପାଚେରୀ ତୋଳିଦେଲେ ତାହା ମୋତେ ଡରକୁଳା କରିଦେଲା । ପ୍ରେୟ ବ୍ୟକ୍ତି ପାଇଁ ଏ ଡର କ୍ରମେ ଚିରସ୍ଥାୟୀ ଆଶଙ୍କାରେ ପରିଣତ ହେଲା ।

 

ଅତ୍ୟଧିକ ସ୍ନେହର ଏ କୁଫଳଟା ମୁଁ ଯେମିତି ଭୋଗିଥିଲି, ମୋର ଏକମାତ୍ର ଝିଅ ‘ଶେଲୀ’ ମଧ୍ୟ ତହିଁରୁ ଥୋଡ଼ା ଥୋଡ଼ା ଉତ୍ତରାଧିକାରୀ ସୂତ୍ରରେ ଭୋଗକଲା । ଆମ ସଙ୍ଗରେ ବୁଲି ଓଡ଼ିଶାର କେତେ ମୁଲକ ସିନା ସେ ଦେଖିଲା, କିନ୍ତୁ ଦିନେ ହେଲେ ମୁଁ ତାକୁ ତାହାର ସାଙ୍ଗ ପିଲାମାନଙ୍କ ଗହଣରେ କେଉଁଠି ବଣଭୋଜୀ ବା ଦେଶବିଦେଶ କରିବାକୁ ଛାଡ଼ିଲି ନାହିଁ । ଏମ୍. ଏ. ପଢ଼ିବା ଭିତରେ ଦୁଇଟି ବର୍ଷ ଯାହା ସେ ଆମ ପାଖଛଡ଼ା ହୋଇଥିଲା । ଏ ଭିତରେ ଦିନେ ଅଧେ ଛୁଟି ପାଇଲେ ପୋଷା ଶୁଆଶାରୀ ପରି ସେ ବସା (ହଷ୍ଟେଲ) ଛାଡ଼ି ସେ ଆମ ବସାରେ ହାଜର୍ ହୁଏ । ଥରେ ଅଧେ କେବେ କେମିତି ସାଙ୍ଗରେ ଜଣେ ଦି’ଜଣ ଧରି ପୁରୀ ଯାଇଥିବ ଦିଅଁ ଦର୍ଶନ କରିବାକୁ । ଏଇଟା ଭଲଗୁଣ ବୋଲି ମୁଁ କହୁନି । ପରିସ୍ଥିତି ଚାପରେ ଆମେ ବାପଝୁଏ କିନ୍ତୁ ଏମିତି ହେବାକୁ ବାଧ୍ୟ ହୋଇଥିଲୁ । ଏତେ ଗୁଡ଼ାଏ ମୋହାମାୟା ଓ ତଜ୍ଜନିତ ଆଶଙ୍କା କେବଳ ଅଶାସ୍ତ୍ରୀୟ ନୁହେଁ, ଅପାଙକ୍ତେୟ ମଧ୍ୟ । ଏହା ବୁଝୁଥିଲେ ହେଁ ସ୍ଵଭାବଟା ଛାଡ଼ିବା ବଡ଼ କାଠିକର ପାଠ । ତାକୁ ଯେତେ ଛାଡ଼ିବାକୁ ବସିଲେ ମଦ ଗଞ୍ଜେଇ ନିଶାପରି ସେ ତୁମକୁ ଛାଡ଼ିବାକୁ କେବେ ରାଜିନଥାଏ ।

Image

 

ଅରଣ୍ୟେ ଅଜଗର ପ୍ରାୟେ

 

ପୂର୍ବରୁ କହିଛି, ମୁଁ ନବମ ଶ୍ରେଣୀରେ ପଢ଼ୁଥିବାବେଳେ ବୋଉ ଚାଲିଗଲା । ଘରେ ସାନଭଉଣୀ ମାଳ ଓ ବାପା । ମୋର ଏ କଅଁଳ ବୟସରୁ ଘରଟା ମଠ ପାଲଟିଗଲା । ଦୋହଳି ସ୍କୁଲରୁ ଗାଁ’କୁ ଆସିଲେ ମୁଁ ଓଳିବାଡ଼ ଧରି କାହାକୁ ଖୋଜିଲା ପରି ଚାହିଁରହେ । ବାପା ବୁଝନ୍ତି ମୋର ମନର ବେଦନା । ସେ କାନ୍ଦନ୍ତି, ମୁଁ କାନ୍ଦେ । ମାଳତୀଟା ଅଜୀବ ପିଲା । ସେ ଜୁଳୁଜୁଳୁ କରି ଅନାଇ ରହିଥାଏ ।

 

ପିଲାଦିନରୁ ଏ ପରିବେଶ ମୋତେ ମନମରା କରିଦେଲା । ଗାଁ’ ଅବଧାନମାନେ (ଜ୍ୟୋତିଷୀ) ଯୋଡ଼ ବରଷ ଦେଖି (ବାଇଶି, ବତିଶି ଇତ୍ୟାଦି) କିଛି ନା କିଛି ଗୋଟାଏ ରିଷ୍ଟ ଖଞ୍ଜି ଦେଇଥାନ୍ତି ଜାତକରେ । ବାଇଶି ନା ବତିଶରେ ମୋର କୁଆଡ଼େ ରାଜଦଣ୍ଡ ଥିଲା ବୋଲି ଗାଁ’ ଜ୍ୟୋତିଷେ ମୋ ବାପା ବୋଉ ଓ ସାଆନ୍ତ ମା’ଙ୍କୁ ବାରମ୍ବାର ସତର୍କ କରାଇଦେଉଥିଲେ । ମୋର କିନ୍ତୁ ଏଥିରେ ବିଶ୍ଵାସ ନଥିଲା । ବାପମା’ଙ୍କର ଦୁଃଖ କିନ୍ତୁ ଏ ଯୋଗୁଁ ଅନ୍ତଃସଲିଳା ହୋଇ ବହି ଚାଲିଥାଏ । ଏ ହେତୁ ହସଖୁସି ଓ ଚପଳ ଉନ୍ମାଦନାର ବୟସଗୁଡ଼ା ପିଲାଦିନୁ ମୋର ଗୁରୁଗମ୍ଭୀର ହୋଇଉଠିଲା ଆଶଙ୍କା ଆଉ ସନ୍ତର୍ପଣରେ । କଅଁଳ ପ୍ରଜାପତିର ନୂଆହୋଇ ଗଜରୁଥିବା ଡେଣାରେ ଶକ୍ତ ଶକ୍ତ ବୋଝଗୁଡ଼ାଏ ଗୋଟିକ ପରେ ଗୋଟିଏ ଲଦି ହୋଇଗଲା ଅବେଳରେ । ତେଣୁ ଅତି ସୁକୁମାର ବୟସରୁ ଭାଗ୍ୟ ଛଡ଼ା ପଥ ନାହିଁ ବୋଲି ନିର୍ବିବାଦରେ ମାନିନେଲି । ଏହା ମୋତେ କାଳକ୍ରମେ ବିଷାଦବାଦୀ ଓ ଭାଗ୍ୟସଚେତନ କରାଇଦେଲା ।

 

ତାହା ବୋଲି କେଉଁ କ୍ଷେତ୍ରରେ ଉଦ୍ୟମରେ ଯେ ମୁଁ ହେଳା କରିଛି ତାହା ନୁହେଁ । କିନ୍ତୁ ମୋ ଉଦ୍ୟମ ମୋ ପାଇଁ କିଛି ଫଳ ଆଣିନି ।

 

ଈଶ୍ଵରେଚ୍ଛାରେ, ମୁଁ ଭାସିଚାଲିଛି–ଏ କୂଳରୁ ସେକୂଳ ଓ ଏ ଘାଟରୁ ସେ ଘାଟଯାଏ । ସେ ଯେତେବେଳେ କୂଳରେ ଲଗାଇଛନ୍ତି ମୁଁ କୂଳରେ ଲାଗିଛି । ନଚେତ୍ ଭାସିଚାଲିଛି ମଝି ଦରିଆରେ । ମୋ ଚେଷ୍ଟା ଚରିତ୍ର ମୋ ପାଇଁ କିଛି କରିପାରିନି–ଏହା ପିଲାଦିନୁଁ ଶହ ଶହ ବଢ଼ିଛି ଏବଂ ବିଡ଼ୁଥିବ ଶେଷନିଃଶ୍ୱାସ ମାରିବାଯାଏ ।

 

‘ଭବଭୂତି’ ମୋର ରସଚେତନାରେ ଗୁରୁ ଏବଂ ’କରୁଣ ମୋ ଲାଗି ଏକମାତ୍ର ରସ’ । ଇଂରେଜ କବି ଶେଲୀଙ୍କର ସିଦ୍ଧାନ୍ତଗୁଡ଼ା ସେହେତୁ ମୋ ମନକୁ ଭାରୀ ଭଲପାଏ । ତାଙ୍କ ପରି କରୁଣତାର ଗହକି ମୁଁ । ଦୁଃଖଶୋକର ଝଙ୍କାରରେ ମୁଁ ବାସ୍ତବ ମାଧୁର୍ଯ୍ୟର ସନ୍ଧାନ ପାଏ, ଏବଂ ଆମର ମନଖୋଲା କେଉଁ ମିଠା ହସରେ ଦୁଃଖ-ଯନ୍ତ୍ରଣାର ମୋଟେ ଛିଟା ନାହିଁ ବୋଲି ମୁଁ କେବେ ବିଶ୍ଵାସ କରେନାହିଁ । ଏହେତୁ ମୋର ପ୍ରତ୍ୟେକ ଯନ୍ତ୍ରଣାକୁ ମୁଁ ପ୍ରୀତିପଦ ଯନ୍ତ୍ରଣା [Pleasant suffering] ନାଁ ଦେଇ ଡାକେ ।

 

ସେ ଯାହାହେଉ, ଘରଟା ମଠ ବନିଯିବା ପରେ ଘରକୁ ବୋହୂଟିଏ ଆଣିବାର ସ୍ଵପ୍ନ, ମୋତେ ପନ୍ଦର ଷୋଳ ବର୍ଷ ହେଲାବେଳକୁ ବାପାଙ୍କୁ ଅଥୟ କରିଥିବାର ଜଣାଯାଏ । ମୋ ମାଟ୍ରିକ୍ ପରୀକ୍ଷା ଫଳ ବାହାରିବା ସଙ୍ଗେସଙ୍ଗେ ସାର୍ (ନବବାବୁ) ବାହାଘର ପ୍ରସ୍ତାବଟିଏ ଧରି ଆମ ଘରକୁ ଆସିଲେ । ଆଗରୁ ଚାଲିଥିବା ଫୁସ୍‍ଫୁସ୍ ଏଥର ପ୍ରକାଶ୍ୟ ରୂପ ଧରି ମୋ ଆଗରେ ଠିଆ ହେଲା ।

 

ମୋର ଏତେ କମ୍ ବୟସରେ ‘ସାର୍’ ଗୋଟିଏ ବିବାହ ପ୍ରସ୍ତାବ ଧରିଆସିବା, ମୋତେ କିପରି ଅଖାଡ଼ୁଆ ଲାଗୁଥିଲା । କିନ୍ତୁ ଏ ପ୍ରସ୍ତାବ ମୂଳରେ ମୋର ଭବିଷ୍ୟତ ଉନ୍ନତି, ତାହାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ବୋଲି ପରେ ସେ ପ୍ରକାଶ କଲେ ।

 

ବାପା ଏ ପ୍ରସ୍ତାବରେ ରାଜି ଥିଲେ ମଧ୍ୟ ଏ ବିବାହ ହୋଇପାରିଲା ନାହିଁ । ଖଣ୍ଡାୟତମାନଙ୍କ ମଧ୍ୟରେ ‘କ’, ‘ଖ’, ‘ଗ’, ଏମିତି ଶ୍ରେଣୀବିଭାଗ କରି ମୋ ମଉଳା ବଂଶ ସେ ବିବାହ-ପ୍ରସ୍ତାବରେ ଅମଙ୍ଗ ହେଲେ ।

 

ତେଣୁ ସେ ପ୍ରସ୍ତାବଟି ଭାଙ୍ଗିଗଲା । ନିଜକୁ ଶ୍ରେଷ୍ଠ ଖଣ୍ଡାୟତ ବୋଲି ଦେଖାଇ ଆମ ତରଫରୁ ଲୋକେ ବେଶ୍ ଆତ୍ମପ୍ରସାଦ ଲାଭକଲେ । ସାମାଜିକ ନୀତି ଦୃଷ୍ଟିରୁ ମୁଁ ସେମାନଙ୍କ ସହିତ ଏକମତ ହୋଇପାରିଲି ନାହିଁ । ଯେତେ ଗୀତ, ଭାଗବତ ପଢ଼ିଲେ ମଧ୍ୟ ଆମ ସମାଜରୁ ଆଜିଯାଏ ଜାତିଆଣ ସଂକୀର୍ଣ୍ଣତାର ଏ ବ୍ୟାଧି ଅପସରି ଗଲାନହିଁ । ବରଂ ଧର୍ମର ଦ୍ୱାହି ଦେଇ ଏମିତି କେତେ କଣ ନୂଆ ନୂଆ ସାମାଜିକ କଳଙ୍କଗୁଡ଼ିକୁ ଆମେ ଆମ ଭିତରେ ଓ ବାହାରେ ଆଜି ସୁଦ୍ଧା ବଢ଼ାଇଚାଲିଛେ । ଆମ ବଡ଼ ପଣ୍ଡାମାନଙ୍କର ତେଣିକି ନଜର ବା ନିଘା ନାହିଁ । ସମାଜ ଓ ସାମାଜିକତା ନାମରେ ଆମେ ଆଦିମ ତାର କେଉଁ ମହାରଣ୍ୟ ଆଡ଼କୁ ଧାଇଁଚାଲିଛେ । ସତେ ଯେମିତି ନିସ୍ତାର ନାହିଁ ନରକର ଏ ଦୁରନ୍ତ ଅଭିସାରରୁ ।

Image

 

ସଂଗ୍ରାମର ଇତି ନାହିଁ

 

ସନ ଉଣେଇଶ ଅଣଚାଶ ମସିହା । ମୋତେ ସେତେବେଳକୁ କୋଡ଼ିଏ ଚାଲିଥାଏ । ଆଜିକାଲି ଯେଉଁ ବୟସରେ ପିଲାଏ ବି.ଏ. ପାସ୍ କରୁଛନ୍ତି, ସେ ବୟସରେ ମୁଁ ଆଇ.ଏ. ରେ ନାଁ ଲେଖାଇଲି । ଅବଶ୍ୟ ମୋ ବୟସରେ ଅନେକ ପିଲା ମୋର ସହପାଠୀ ଥିଲେ । ସାଧାରଣତଃ ବହୁ ପିଲା ସେ ସମୟରେ ପାକଳ ବୟସରେ ଉଚ୍ଚଶିକ୍ଷା ଆରମ୍ଭ କରୁଥିଲେ । କଲେଜ୍ ତ କଲେଜ, ମୁଁ ମାଇନର୍ ପଢ଼ିଲାବେଳକୁ କୋଡ଼ିଏ ଏକୋଇଶି ବର୍ଷିଆ ଅନେକ ପିଲା ମୋ ସାଥିରେ ପାଠ ପଢ଼ୁଥିଲେ । ମାଇନର୍ ପରୀକ୍ଷା ନସରୁଣୁଁ ସେମାନଙ୍କର ମଧ୍ୟରୁ କେତେକ ବାହାସାଦୀ ହୋଇ ସଂସାର ଧନ୍ଦାରେ ପଶିଲେ । ତେଣୁ ଡେରିରେ ପାଠପଢ଼ିବା, ଅଥଚ ଅଠର ଊଣେଇଶି ନ ପୂରୁଣୁଁ ଗୃହସଂସାର କରିବା, ଆମବେଳକୁ ଏକ ବିଚିତ୍ର ସାମାଜିକ ରୀତି ଥିଲା । ମୋଟକଥା, ପାଠପଢ଼ାଟାକୁ ଘରସଂସାର କରିବା ପରି ସେତେ ଗୁରୁତ୍ୱ ଦିଆଯାଉନଥିଲା ସେତେବେଳର ସମାଜରେ ।

 

ଆମ ବେଳର କଲେଜ୍ କହିଲେ ରେଭେନ୍‍ସାକୁ ବୁଝାଯାଉଥିଲା । ଆଜିକାଲି ଭଳି ଘୋଡ଼ାଶାଳ ଓ ଭୂତଖାନାକୁ ସେତେବେଳେ କଲେଜ୍ କୁହାଯାଉନଥିଲା । ଟେରି କାଟିବା, ହିପୀ ଛାଡ଼ିବା ବା ‘ବେଲ୍’ ପିନ୍ଧି ବାହା ବଜାରରେ ମୂଲ ବଢ଼ାଇବା ପାଇଁ ସେ ବେଳରେ କେହି କଲେଜ ଯାଉନଥିଲେ । ସଂଭ୍ରାନ୍ତ ରୁଚିର ପିଲାମାନେ ବାସ୍ତବ ଶିକ୍ଷାଦୀକ୍ଷା ନିମିତ୍ତ କଲେଜରେ ଯୋଗ ଦେଉଥିଲେ ଓ ବହୁଦୁଃଖ କଷ୍ଟ ସହି ଏକଲବ୍ୟର ବ୍ରତ ଆଚରଣ କରୁଥିଲେ । ଜୀବନ-ସାଧନା ସେମାନଙ୍କର ଲକ୍ଷଥିବାରୁ ବୁଦ୍ଧ, ଗାନ୍ଧୀ, ଜବାହାର, ସୁବାସ, ଟଲ୍‍ଷ୍ଟୟ, ଲେନିନ୍, ଓ ଷ୍ଟାଲିନ୍ ଭଳି ତୁଙ୍ଗ ବ୍ୟକ୍ତିତ୍ଵକୁ ସମ୍ମୁଖରେ ରଖି ସେମାନେ ଯାତ୍ରାପଥରେ ଅଗ୍ରସର ହେଉଥିଲେ । ତେଣୁ ଅଧ୍ୟାପକ ଓ ଅଧ୍ୟାୟୀ ଜୀବନ ତଥା ଅଧ୍ୟାପନାରେ ବାସ୍ତବ ଶାନ୍ତି ଓ ପବିତ୍ରତା ବିରାଜୁଥିଲା । ଅଧ୍ୟାପକ ଅଧ୍ୟାପିକାମାନେ ପିଲାମାନଙ୍କର ବେଶବାସ, କୁରୁଚି ଓ ‘ବୋଲି-ବାଣୀ’କୁ ଅନୁକରଣ କରି ସେମାନଙ୍କର ପ୍ରିୟ ହେବାକୁ ଅପଚେଷ୍ଟା କରୁନଥିଲେ । ଓଲଟି ଅଧ୍ୟାପକମାନଙ୍କୁ କଥାକଥାକେ ଅନୁସରଣ କରିବା, ସେ ଯୁଗର ଛାତ୍ର ଛାତ୍ରୀମାନଙ୍କର ସାଧାରଣ ରୀତି ଥିଲା । ତାହାବୋଲି କାଁ, ଭାଁ ଦୁଷ୍ଟପିଲା ବା ବଦରସିକ ଯେ ସେତେବେଳେ କଲେଜରେ ନଥିଲେ, ଏହା କହି ହେବନାହିଁ । ହେଲେହେଁ ସେମାନଙ୍କର ଦୁଷ୍ଟାମି ଓ ବଦରସିକତା ଆଜିକାଲି ପରି ସାଂଘାତିକ ନଥିଲା । ଗଜା ବୟସର ଚପଳ ଉନ୍ମାଦନା ଭାବରେ ସେଗୁଡ଼ିକ ଅବହେଳା କରାଯାଇ ପାରୁଥିଲା । ଶିକ୍ଷକମାନଙ୍କୁ ସେଥିପାଇଁ ପୋଲିସ ସାଜି ଛାତ୍ରଛାତ୍ରୀମାନଙ୍କୁ ଚିରଦିନ ଦାଗୀ ଆସାମୀ ବା ସଂଦେହ ଦାଗୀ ତାଲିକାରେ ରଖିବାକୁ ପଡ଼ୁନଥିଲା । ଅଧ୍ୟାପକ ଓ ଛାତ୍ରଛାତ୍ରୀ ବେଶ୍ ଶାନ୍ତିରେ ଜୀବନ କାଟୁଥିଲେ । ଏବେର ଅଧ୍ୟାପକମାନଙ୍କ ଭଳି ହାଣ୍ଡିକଳା ନପଡ଼ୁଣୁ ସେ କାଳର ଅଧ୍ୟାପକମାନଙ୍କୁ ବାରଦ୍ୱାର ସୁଣ୍ଡିପିଣ୍ଡା ହେବାକୁ ହେଉନଥିଲା ।

 

ମୋର ସ୍ପଷ୍ଟ ମନେଅଛି ଯେ ମୁଁ ରେଭେନ୍‍ସା କଲେଜରେ ପାଦ ଦେବା ମାତ୍ରେ ଭବିଷ୍ୟତରେ କିଛି ବୃତ୍ତି ଧରିଲେ, ଅଧ୍ୟାପନା ବୃତ୍ତି ଧରିବି ବୋଲି ସଙ୍କଳ୍ପ ନେଇଥିଲି । କାରଣ ଏ ସମ୍ମାନଜନକ ପେଷା ଓ ଏହାର ଭବ୍ୟ ପରିବେଶ ସତକୁ ସତ ମୋତେ ସେତେବେଳେ ବିଶେଷ ପ୍ରଲୁବ୍‍ଧ କରିଥିଲା । ହେଲେହେଁ ସେ ସ୍ଵପ୍ନତ ବହୁ ଦୂରରେ । କଷ୍ଟେ ମଷ୍ଟେ ନାମ ଲେଖାଇ ସାରିବା ପରେ କେଉଁଠି ରହିବି, ଏ ଚିନ୍ତା ମୋତେ ଅହରହ ଘାରୁଥିଲା ।

 

ପୂର୍ବ ପଶ୍ଚିମ ଛାତ୍ରାବାସରେ ସ୍ଥାନ ନାହିଁ । ଆମଠାରୁ ଅଧିକ ନମ୍ବର ରଖିଥିବା ପିଲାମାନେ ସେତେବେଳକୁ ଗଗନରେ ଉଡ଼ୁଥାନ୍ତି । ତେଣୁ ଆମଭଳି ଶିମୁଳି ତୁଳାକୁ ପଚାରେ କିଏ-? ବସାଘର, ମେସ୍ ଓ ଲଜିଙ୍ଗ୍‍ର ସମ୍ବାଦ ମିଳେ, କିନ୍ତୁ ଘର ମିଳେନା । କଟକ ପରିକ୍ରମା ସାରହୁଏ-। ସବୁଠି ‘ନାହିଁ’, ‘ନାହିଁ’, ‘ନାହିଁ’ । ଏ ଘର ପାଇଁ ଅମୁକ ଏଡ୍‍ଭାନ୍‍ସ ଦେଇଯାଇଛନ୍ତି, ଏ ଘରର ଇଟା, ସିମେଣ୍ଟ କିଣା ହୋଇଛି ଅମୁକ ବାବୁଙ୍କ ବହିନା ଟଙ୍କାରେ । ଆଗରେ ଦେଖନ୍ତୁ–ସେଠିଥିବ, ଥାଇପାରେ, ଇତ୍ୟାଦି ନାନା କଥା । ଏହି ଅବସ୍ଥାର ଯନ୍ତ୍ରଣା ସନ୍ତୁଳା ଅନୁଭୂତିରୁ ଗୋପୀନାଥ ମହାନ୍ତିଙ୍କର ‘ଘର’ ଗଳ୍ପ ଜନ୍ମ ନେଇଥିଲା ।

 

ଜନ୍ମରୁ ଦୁଃଖ, ଜୀବନରେ ଦୁଃଖ । ହାଇସ୍କୁଲର ଦୁଃଖ ଯାଇଛି କି ନାହିଁ, ପୁଣି କଲେଜ ସୋପୋନର ଦୁଃଖ । “ଏକସ୍ୟ ଦୁଃଖସ୍ୟ ନ ଜାବଦାନ୍ତଂ.....” ପୁଣି ଆକାଶ ତଳେ ଛାତ ଖଣ୍ଡିଏ ଖୋଜିବାରେ କି ଯାତନା ! କି କ୍ରୁର ପ୍ରବଂଚନ ଏ ନିଷ୍ଠୁର ସମୟର !! –ଏହା ଭାବୁ ଭାବୁ ଦୁଃଖର ଦିନଗୁଡ଼ିକ ଅସରା ଜଣାପଡ଼େ । ଲମ୍ବି ଲମ୍ବି ଆସୁଥିବା ବିଷାଦର ଛାଇତଳେ ଜୀବନଟା ହୀନପ୍ରଭ ବୋଧହୁଏ । ଅନ୍ତତଃ ପକ୍ଷେ ଟ୍ରଙ୍କ ଖଣ୍ଡିତ ଓ ବିଛଣା ପତ୍ର ଦି’ଖଣ୍ଡି କେଉଁଠି ଥୋଇଦେବାକୁ ସ୍ଥାନ ମିଳିଲେ ତ୍ରାହି ପାଆନ୍ତି । ଶତ ଶତ ଚେଷ୍ଟା ପରେ ସେତକ ମଧ୍ୟ ଜୁଟିଲା ନାହିଁ ।

 

ଦିନେ ଜଣେ ସାଙ୍ଗପିଲା ଠାରୁ ଖବର ପାଇଲି ଯେ କଲେଜ ପଛ ପାଖରେ (ଗ୍ୟାସ-ଟାଂକି ପୂର୍ବକୁ) ସେ ଏକ ପରିତ୍ୟକ୍ତ ‘ଆଉଟ୍ ହାଉସ୍’ର ସଂଧାନ ପାଇଛି, ଯାହା ଆଡ଼ଦୀର୍ଘରେ ୪×୬ ଫୁଟ ହେବ । ସେଠି ସେ ଓ ମୁଁ ଆନନ୍ଦରେ ଟ୍ରଂକ ପତ୍ର ରଖି କେତୋଟି ରାତି କରାଇଦେଇ ପାରିବୁ । ଏଥିପାଇଁ ଭେଦିଆ ପିଅନକୁ ମାସିକ ଚାରି ପାଞ୍ଚ ଟଙ୍କା ଦେବାକୁ ହେବ । କାରଣ ଏ ‘ଡେନ’ର (ମୋ ଭାଷାରେ) ଚାବି କୁଆଡ଼େ ତା’ ହାତରେ ଥାଏ ।

 

ଏ ସୁଖ ସଂବାଦରେ ମୁଁ ଆତ୍ମହରା ହୋଇ ଉଠିଲି । ବର୍ଷା କାକର ଓ ପାଣି ପବନରୁ ରକ୍ଷା ପାଇବା ପାଇଁ ଆକାଶ ତଳେ ଛାତି ଖଣ୍ଡିଏ-ଏତେ ପାଖରେ ଏବଂ ଏତେ ସୁବିଧାରେ । ଏଥିରେ ଆଉ ଭାବିବାର କ’ଣ ଅଛି ? ସାଙ୍ଗେ ସାଙ୍ଗେ ଆମେ ଦୁଇ ବଂଧୁ ଟ୍ରଙ୍କ୍ ପତ୍ର ଉଠାଇ ନେଇ ସେଠି ଆସ୍ଥାନ ଜମାଇ ଦେଲୁ ।

 

ଘର ଖୋଜା ସମସ୍ୟାର ସାମୟିକ ସମାଧାନ ହେଲା ବୋଲି ଆମେ ସୁଖର ସ୍ଵପ୍ନ ଦେଖିଥିଲୁ । କିନ୍ତୁ ଦିନାକେତେ ପରେ ସେ ପିଅନଟି ଆସି ଆମକୁ ଜଣାଇଦେଲା ଯେ ଆମେ ସେଠି ଆଉ ଅଧିକ ଦିନ ରହିପାରିବୁ ନାହିଁ । କଥାଟା ବାର କାନ ହୋଇ ଅଧ୍ୟକ୍ଷଙ୍କ ଯାଏ ଯାଇଛି । ଏ ପରିତ୍ୟକ୍ତ ଡେନ୍ ପାଇଁ ଆହୁରି ପାଞ୍ଚ ଛ’ଜଣ ପ୍ରାର୍ଥୀ ତାଙ୍କ ପାଖରେ ଆପତ୍ତି ଜଣାଇଛନ୍ତି ।

 

ଅଗତ୍ୟା ଆମର ସେ ଅତିପ୍ରିୟ ‘ଡେନ୍’ରୁ ଦିନେ ରବିବାରିଆ ସକାଳେ ବିଦାୟ ନେଲୁ । ମୋର ସେ ସାଙ୍ଗଟି ଭାରୀ ନେଇ ଆଣି ଥୋଇପାରେ ସେ ବିଦ୍ୟା ବଳରେ ତାହାର କେଉଁ ବନ୍ଧୁର ବନ୍ଧୁ ଯୋଡ଼ି, ସେ ଏଠୁ ଯାଇ ସତର ବାଙ୍କରେ ହେଉଥିବା ସେ ବଂଧୁ ଘରେ ଆଶ୍ରୟ ନେଲା । କିନ୍ତୁ ମୁଁ ଯିବି କୁଆଡ଼େ ? ଏତେବଡ଼ ପୃଥିବୀଟା ମୋତେ ସଖା ସହୋଦର ହୀନ ହେଉଥାଏ । ଶୁଣିବାକୁ ପାଇଲି, ତଳତେଲଙ୍ଗା ବଜାରରେ ଗୋଟିଏ ହୋଟେଲରେ କେତେଜଣ ସେକ୍ରେଟାରୀଏଟ୍ ଚାକିରିଆ ରହୁଛନ୍ତି । ସେମାନଙ୍କ ଭିତରୁ କେତେକ ଆମ କେନ୍ଦ୍ରାପଡ଼ା ଆଡ଼ର । ତେଣୁ ଆଶା ହେଲା ସେଠି ଅକ୍ଳେଶରେ ଆସ୍ଥାନ ଖଣ୍ଡିଏ ମିଳିଯାଇ ପାରେ । ରିକ୍ସା ଖଣ୍ଡିଏ ଧରି ତଳଢେଲଙ୍ଗା ବଜାର ଆଡ଼େ ଚାଲିଲି ।

 

ସେ ହୋଟେଲବାଲା ଭରସା ଦେଲେ, କିନ୍ତୁ ପୂର୍ଣ୍ଣଆଶ୍ରା ଦେଇ ପାରିଲେ ନାହିଁ । ତାଙ୍କ ହୋଟେଲରେ ମାସିକିଆ ଖାଉଟି ହେବାକୁ ରାଜି ହେବାରୁ ସେ ଦୟାକରି ଆଳନ୍ଧୁ ଓ ଆବର୍ଜନାଭରା ତାଙ୍କ ରୋଷ ଘରେ ମୋ ଟୁଙ୍କଟି ରଖାଇଲେ । ପାଖରେ ସତୀର୍ଥ ନଦିୟା ବିହାରୀଙ୍କ (ବର୍ତ୍ତମାନ କଟକ, ‘ଆକାଶବାଣୀ’ର ନଦିୟା ବାବୁ) ଘର । ଉପର ମହଲାରେ ସେ ଓ ତାଙ୍କ ପରିବାର ରହୁଥିଲେ । ତଳେ ଗୋଟିଏ ବଖରା ଗୋଟେ ବିସ୍କୁଟ୍ କମ୍ପାନୀକୁ ଭଡ଼ା ଦିଆଯାଇ ଥାଏ । ବଖରାଟିକୁ ଲାଗି ୩ । ୪ ଫୁଟ ଓସାରର ଛୋଟ ବାରଣ୍ଡା ଖଣ୍ଡେ । ବିସ୍କୁଟ କମ୍ପାନୀଙ୍କ ଅନୁଗ୍ରହରୁ ସେଠି ସୁଆବସା କରିବାକୁ ଅନୁମତି ପାଇଲି ।

 

ଜୁଲାଇ ଶେଷ । ଶୁଆତିଆ ପାଗ ଓ ଲଗାୟତ୍ ବର୍ଷାରେ ମୋ ବସିବା ସପରୁ ବାରପଣ ତିନ୍ତିଯାଏ । ବାରଣ୍ଡାକୁ ଲାଗି ରହିଥିବା କୂଅ ସେପଟୁଁ ବର୍ଷାଭିଜା ପାଇଖାନାର ନକଫଟା ଗନ୍ଧ ଭାସି ଆସେ । ନାକ ଚିପିଧରି ମୁଁ ‘ସେନ୍ ଏଣ୍ଡ ଦାସ’ (ଅର୍ଥନୀତି) କିମ୍ବା ‘ଡଡ୍ଲିଷ୍ଟାମ୍ପ’ (ଭୂଗୋଳ) ମଧ୍ୟରେ ମୋର ଭବିଷ୍ୟତ୍ ଅନ୍ଵେଷଣ କରୁଥାଏ ।

 

ଏକ କଲେଜରେ ପଢ଼ୁଥିବା ହେତୁ ନଦିୟା ବାବୁଙ୍କୁ ମୁଁ ମୋର ସତୀର୍ଥ କହିଛି । ନଚେତ୍ ସେ ଆଇ.ଏସ୍.ସି. ପଢ଼ିଲା ବେଳକୁ ମୁଁ ଆଇ.ଏ. ପଢ଼ୁଥାଏ । ସାଙ୍ଗ ହୋଇ କଲେଜ ଯିବାଆସିବା ଫଳରେ ଚିହ୍ନାପରିଚୟ ଘଟେ ଓ କ୍ରମେ ଏହା ମାମୁଲି ବନ୍ଧୁତାରେ ପରିଣତ ହୁଏ ।

 

କେବେ କେମିତି ଟାଉନ୍‍ବସ ନତୁବା ଅଧିକାଂଶ ଦିନ ଚାଲି ଚାଲି କଲେଜ ଯାଏ । ଝୁପୁରୁ ଝୁପୁରୁ ବର୍ଷା ଏବଂ କଟକୀ ରାସ୍ତାର ପାଣିକାଦୁଅ ଭିତରେ ମୁଁ ହାଲିଆ ହୋଇପଡ଼େ । ଲୁଗାପଟା ଦରତିନ୍ତା ହୋଇଯାଇଥାଏ । କମନ୍‍ରୁମରେ ପଙ୍ଖା ଖୋଲିଦେଇ ଖବରକାଗଜ ମେଲୁ ମେଲୁ ନିଦ ଆସିଯାଏ । ପାଠପଢ଼ାରେ ମୋଠାରୁ ସିନିୟର୍‍ ବେଣୁ (ମୁରଲୀଭାଇଙ୍କ ସାନଭାଇ) ବେଳେ ବେଳେ କମନ୍‍ରୁମ୍‍କୁ ଆସି ମୋ ନିଦ ଭାଙ୍ଗେ । ଦିନେ ଅତି ହତାଶ ହୋଇ ମୁଁ ତାକୁ କହିବାର ମନେ ପଡ଼େ–“The news of my death will reach your ear very soon.” ।

 

ବେଣୁ ମୋତେ ଆଶ୍ଵାସନା ଦେଇ ଭାଙ୍ଗି ନପଡ଼ିବା ପାଇଁ ପରାମର୍ଶ ଦିଏ । ହେଲେ ତାହାର ସେ ଉପଦେଶ ମୁଁ ସେତେ ସହଜରେ ଗ୍ରହଣ କରିପାରେନା । ସେ ସମସ୍ୟା ସମାଧାନ କରିବାକୁ ସେ ମଧ୍ୟ ନିରୁପାୟ । କଲେଜ ପାଖ ମିନର୍ଭା ମେସରେ ସେ କୌଣସିମତେ ନିଜପାଇଁ ଚାଖଣ୍ଡେ ଥାନ ବାଛି ନେଇଥାଏ ।

 

ତଳ ତେଲେଙ୍ଗା ବଜାରର ସେ ହୋଟେଲରେ ମଧ୍ୟ ନିସ୍ତାର ନାହିଁ । ସେଠି ହୋଟେଲ ମାଲିକଙ୍କ ଝିଅ ନ ଝିଆରୀର ବିବାହ ବିଷୟରେ ମୋତେ ମୂଳ କରି ଗୋଟାଏ ଫୁସ୍ ଫାସ୍ ଆରମ୍ଭ ହୋଇଗଲା । ବୁଝିବାରେ ଜଣାଗଲା ଯେ ମାଟ୍ରିକ ପାଶ୍ ପରେ ଯେଉଁ ଭଦ୍ରଲୋକ ନବ ବାବୁଙ୍କ ହାତରେ ପ୍ରସ୍ତାବ ପଠାଇଥିଲେ ଏ ହୋଟେଲ ମାଲିକ ହେଉଛନ୍ତି ତାହାଙ୍କର ଭାଇବିରାଦର । ଏହାଙ୍କ କବଳରୁ ଶୀଘ୍ର ମୁକ୍ତ ନ ହେଲେ ସାଧନାରେ ଡୋରୀ ବାନ୍ଧିବାକୁ ହେବ–ଏହା ଭାବି ତା’ ପରଦିନ ହୋଟେଲର ଦେୟ ବୁଝାଇ ଦେଇ ମୁଁ ରିକ୍ସା ଧରିଲି ମିନର୍ଭା ମେସ୍‍କୁ ।

 

ପୂର୍ବରୁ ସୁଚାଇଛି ଯେ କଲେଜ ପାଖରେ ଏ ମେସ୍ଟିରେ ବେଣୁ ରହୁଥାଏ । ତା’ ସହିତ ଆଗରୁ କଥାବାର୍ତ୍ତା ନ କରି ମୁଁ ହଠାତ୍ ସେଠି ପହଞ୍ଚିଯିବା, ହୁଏତ ସାଧାରଣ ଆଚାର ବିରୋଧୀ ହୋଇପାରେ । କିନ୍ତୁ ଏକାନ୍ତ ନିରୁପାୟ ଅବସ୍ଥାରେ ରକ୍ତର ଡାକ ମୋତେ ସେତେବେଳେ ତା’ ପାଖରେ ପହଞ୍ଚାଇ ଥିଲା କହିଲେ ଅସଙ୍ଗତ ହେବନାହିଁ ।

 

ମୋତେ ଦେଖି ବେଣୁ ପ୍ରଥମେ ଟିକେ ନିଷ୍ପ୍ରଭ ହୋଇଥିଲେ ମଧ୍ୟ ସେ ରହୁଥିବା ଚାଖଣ୍ଡେ ସ୍ଥାନରୁ ମୋତେ ଅଧେ ଛାଡ଼ିଦେବା ବ୍ୟତୀତ ତାହାର ଅନ୍ୟ ପନ୍ଥା ନଥିଲା । ସେ ମେସର ଅନ୍ୟ ବନ୍ଧୁମାନେ ମୋର ଏ ଅଚାନକ ପ୍ରବେଶରେ ଆଦୌ ସୁଖୀ ନଥିଲେ । ମୋତେ ନ କହି ସେମାନେ ବେଣୁ ଉପରେ ବିରକ୍ତ ହେଉଥିବାର ସୂଚନା ପାଇବାକୁ ମୋତେ ଅଧିକ ସମୟ ଲାଗିଲା ନାହିଁ । ସୁତରାଂ ‘ମିନର୍ଭା’ର ଦିନଗୁଡ଼ିକ ମୋତେ ଅତ୍ୟନ୍ତ ଦୂର୍ବହ ବୋଧ ହେଉଥିଲା । ଏହାର ପରିସମାପ୍ତି ଲାଗି ମୁଁ ଛଟପଟ ହୋଇ ଉଠିଥିଲି । ଯୋଗକୁ ରାଣୀହାଟ ଚାଉଳକଳ ପାଖରେ ଗୋଟିଏ ନୂଆ ମେସ୍ ଖୋଲିଲା । ସେଥିରେ ଜାଗା ଖଣ୍ଡିଏ ମିଳିବାର ପ୍ରତିଶ୍ରୁତି ପାଇବାମାତ୍ରେ ମୁଁ ମିନର୍ଭା ଛାଡ଼ିଲି ଏବଂ ବେଣୁ ମୋ ଚିନ୍ତାରୁ ରକ୍ଷା ପାଇଲା ।

 

ସେଠୁ ପୁଣି ଅବସ୍ଥା ଚକ୍ରରେ ମେଡ଼ିକାଲ ପାଖ ‘ନେହେରୁ ମେସ’କୁ ଆସ୍ଥାନ ଉଠାଇବାକୁ ପଡ଼ିଲା । ହେଲେହେଁ ଭାଗ୍ୟ ବିଡ଼ମ୍ବନାର ଶେଷ କାହିଁ ?

Image

 

ତୁମରି ଇଚ୍ଛା ହେଉ ହେ ପୂର୍ଣ୍ଣ

 

ବାପାଙ୍କର ପିଲା ପିଲି ବଞ୍ଚୁ ନଥିଲେ ବୋଲି ମୁଁ ଜନ୍ମ ହେବା ମାତ୍ରେ ମୋତେ ଫୁଲନାଡ଼ ସହ ଆମ ଗାଁ ହରିଜନ ସାହିର ମାନଯେନା ଭାର୍ଯ୍ୟାକୁ ଟେକି ଦିଆଯାଇଥିଲା । ପୂର୍ବୋକ୍ତ ସାନବାପା ମଧ୍ୟ ମୋତେ ପୁଅକରି ନେଇ ଥିଲେ । ମୁଁ ଆମ ଘରଛାଡ଼ି କେଉଁଠି ଯାଇନଥିଲେ ମଧ୍ୟ କେବଳ ଜୀଇ ବଂଚି ରହିବାକୁ ମୋତେ ବହୁ ଲୋକଙ୍କ ନାଁ’ରେ ପାଣି ଛଡ଼େଇ ଦେଇ ମୋ ବାପା ବୋଉ ଭାଗ୍ୟ ଦେବତାର କରୁଣା ଭିକ୍ଷା କରୁଥିଲେ । ହେଲେହେଁ ଭାଗ୍ୟ ଦେବତା ଯେ ମୋ ପାଇଁ ଅତ୍ୟନ୍ତ ସାଲିସହୀନ, ଏକଥା ବୁଝିବାକୁ ସେମାନଙ୍କର ବାକୀ ରହିଥିଲା । ହରିଜନ ବସ୍ତିର ସେ ଉଦାର ମାତୃମୂର୍ତ୍ତିଟି ଫୁଲନାଡ଼ ସହ ମୋତେ ତୋଳି ନେଲା ବେଳୁ ଆଜିଯାଏ ଦୈବୀ ପରୀକ୍ଷାର ବିରତି ନାହିଁ । ଗୋଟିକ ପରେ ଗୋଟିଏ ଚଳଚିତ୍ର ଗତିରେ ଗଡ଼ି ଚାଲିଛି । ସତେ ଯେପରି ଇତି ନାହିଁ ଏହାର ।

 

ଆଇ.ଏ.ରେ ନାମ ଲେଖା ପରେ ଘଡ଼ି ଘଡ଼ି ବସାବଦଳ, ଗଭୀର ମର୍ମପୀଡ଼ା ଓ ଖାଇବା ପିଇବାରେ ଅବ୍ୟବସ୍ଥା ହେତୁ ମୋ ପଢ଼ାପଢ଼ିରେ ବିଶେଷ ବାଧା ସୃଷ୍ଟି ହେଉଥାଏ । ଅବଧୂତଙ୍କର ବହୁଗୁରୁ ମଧ୍ୟରୁ ବୁଢ଼ୀଆଣୀକୁ ମୁଁ ମୋର ଅଜ୍ଞାତରେ ଗୁରୁବୋଲି ମାନି ନେଇଥିଲି । ୧୯୭୩ ମସିହା ଡିସେମ୍ବର ୨୧ ତାରିଖ ପାହାନ୍ତି ପହରେ ଏ ନିଜକଥାର ଯୋଜନା କରିବାକୁ ବସିଲା ବେଳେ ମୋର ସେହି ଗୁରୁଟି ବହିଥାକରେ ତଳମୁହାଁ ହୋଇ ଆଠଟି ଗୋଡ଼ ମେଲାଇ ବସିଥିବାର ଦେଖିଲି । ଏହି ‘ଅଷ୍ଟପଦୀ’ର ଅନ୍ତରାଳରେ ବାରଂବାର ବ୍ୟର୍ଥ କାମ ରବର୍ଟବ୍ରୁସଙ୍କର ଅମର ମୂର୍ତ୍ତି ମୋ ଆଗରେ ଆସି ଠିଆ ହେଲା । ଆବାଲ୍ୟରୁ ଉଠାପକା ଜୀବନର ତିକ୍ତ ରଣଧନ୍ଦୋଳରେ ଲହୁ ଲୁହାଣ ହୋଇ ମାଡ଼ି ଚାଲିଥିବା ଅଷ୍ଟପଦୀ ଭାବରେ ମୁଁ ମୋର ପରିଚୟ ପାଇଲି ସେହିଦିନ । ଆଇ. ଏ. ବେଳର ସଂଗ୍ରାମ-କ୍ଷତ ପଞ୍ଜିରରେ ସେହି ଅଷ୍ଟପଦୀର ଇତିହାସ ଯେ ବହୁଦିନୁ ଲେଖା ଚାଲିଥିଲା ତାହା ମୁଁ ସେଦିନ ଅନୁଭବ କଲି । ଆଜିଯାଏ କେବଳ ମାଡ଼ି ଚାଲିଥିଲା-ଛୋଟ ହେଲେ ବି ବହୁ ସଂଗ୍ରାମର ରକ୍ତ ସ୍ୱାକ୍ଷର ଘେନି । ଏହେତୁ କଲେଜ-ପ୍ରବେଶ ମାତ୍ରେ ବୁଢ଼ିଆଣୀ ଥିଲା ମୋ ପାଇଁ ନିରବଚ୍ଛିନ୍ନ ସଂଘାତ ଓ ସଂଘର୍ଷର ପ୍ରତୀକ । ତାହା ମଧ୍ୟରେ ସୃଷ୍ଟି କରିବାର ଏକ ଦୁରନ୍ତ ଇଚ୍ଛା ମୁଁ ଲକ୍ଷ୍ୟ କଲି ବହୁ ବିଳମ୍ବରେ । ଝିଲିମିଲି ଜାଲଟିଏ ବୁଣିବା, ତାହାର ସୃଷ୍ଟି-ଶକ୍ତିର ଅପୂର୍ବ ଚମତ୍କାରିତା-ହେଉପଛେ ଏହା ପୋକଜୋକ ଧରିବା ପାଇଁ । ଏଥିଲାଗି କି ସଂକଳ୍ପ ତାହାର !! ଯେତେ ବାଧା ପାଇଲେ ମଧ୍ୟ ସେ ତାହାର ସୃଷ୍ଟି ପଥରେ ଅବିଚଳିତ ।

 

ଏ ଭାବନା ଆଇ.ଏ. ବେଳକୁ ମୋର ଅବଚେତନର ବିଷୟ ହୋଇ ଥାଇପାରେ । ହେଲେହେଁ ଏହା ଚେତନ ସ୍ତରରେ ରୂପନେଲା ୧୯୭୩ରେ । ୨୬ । ୧ । ୭୫ ର ରାତିପାହି ସକାଳ ହେଲା ବେଳକୁ (ଅର୍ଥାତ୍ ୨୭ ତାରିଖର ବ୍ରାହ୍ମ ମୁହୂର୍ତ୍ତରେ) ସ୍ୱପ୍ନରେ କିଏ ମୋତେ କହିଗଲା-“କୌଣସି ଆଶା ବା ଆଶଙ୍କା ରଖି କର୍ମ କଲେ ସାଂସାରିକ ଫଳପ୍ରାପ୍ତି ହୋଇପାରେ । କିନ୍ତୁ ଏହା ନରଖି କର୍ମରେ ମନ ଦେଲେ ଜୀବନ ସାତ୍ତ୍ୱିକ ହୁଏ” । ଏ ବାଣୀ ଆଇ.ଏ. ବେଳକୁ ନୀରବ ଭାଷାରେ ମୋ ଭିତରେ ଲେଖା ହେଉଥିଲା କି କଣ, କର୍ମ ପ୍ରତି ବିଶେଷ ଆସକ୍ତି ନରଖି ମୁଁ କର୍ମ କରିଯାଇଥିଲି ଅତି ଉଦାସୀନ ଭାବରେ ।

 

ଆଇ: ଏ: ପରୀକ୍ଷା ପୂର୍ବରୁ ଭାଗ୍ୟ ବିଡ଼ମ୍ବନା ଉତ୍କଟ ହୋଇ ଉଠିଲା । ବାପା ଶକ୍ତ ବେମାରରେ ପଡ଼ିଲେ । ବିଲବାଡ଼ି ସବୁ ଅଧା ପଡ଼ିଆ ଅଧା ଉଠିଆ ହୋଇଥିବା ଫସଲ ବିଲରେ ଉଜୁଡ଼ିଲା । ବାପାଙ୍କର କଡ଼ ଲେଉଟାଇବାକୁ ଘରେ ମାଳତୀ ଭିନ୍ନ ଆଉ କେହି ନ ଥାନ୍ତି । ଘରୁ ଚିଠିଟିଏ ସାତ ସପନ ହେଲା । ତେଣୁ ଟଙ୍କା ଟୋକର କଥା ପଚାରେ କିଏ ? ଦୁଇ ତିନି ମାସରେ ଥରେ ଟଙ୍କା ମିଳେ । ତାହା ପୁଣି ଖର୍ଚ୍ଚକୁ ଚାହିଁ ଖୁବ୍ ଅଳ୍ପ । ତେଣୁ ମଝିରେ ମଝିରେ ମୋତେ ଉପାସ ରହିବାକୁ ପଡ଼େ । ଆଇ.ଏ. ଟେଷ୍ଟ ପରୀକ୍ଷା ଓ ବିଶ୍ଵବିଦ୍ୟାଳୟ ପରୀକ୍ଷାରେ ଅନେକ ଥର ଭୋକ ଉପାସରେ ମୁଁ ପରୀକ୍ଷା ଦେଇଛି । ବିଶେଷତଃ ଇଂରାଜୀ ପରୀକ୍ଷା ଦିନମାନଙ୍କରେ ଭାଗ୍ୟର ଏ ପରିହାସ ମୋତେ ବେଶୀ ସହିବାକୁ ପଡ଼େ । ପରୀକ୍ଷା ପାଇଁ ରାତି ଅନିଦ୍ରା ରହି ପାଠ ପଢ଼ା, ଓ ତା ସଙ୍ଗକୁ ଏ ଭୋକ ଉପାସ ଫଳରେ ପରୀକ୍ଷା ହଲରେ ବସିଥିବା ସମୟରେ ପେଟ ବିନ୍ଧେ । ଯନ୍ତ୍ରଣାରେ ଅସ୍ଥିର ହେଉଥିଲେ ମଧ୍ୟ ପେଟକୁ ଚିପି ଧରି ମୁଁ କୌଣସି ମତେ ପ୍ରଶ୍ନଗୁଡ଼ିକର ଉତ୍ତର ଦିଏ ।

 

ଏ ପରିସ୍ଥିତିରେ ପରୀକ୍ଷା-ସଂକଟଟା ପାର ହୋଇଗଲି । ଫଳ ଯାହା ହେବାର କଥା, ହେଲା । ତୃତୀୟ ଶ୍ରେଣୀରେ ଆଇ.ଏ. ଟା ପାଶ୍ କଲି । କିନ୍ତୁ ବିଶ୍ଵବିଦ୍ୟାଳୟ ପରୀକ୍ଷା ପୂର୍ବରୁ ଆଉ ଏକ ଘଟଣା ଘଟିଗଲା, ଯାହା ନ କହିଲେ ସତ୍ୟର ଅପଳାପ ଘଟିବ । ପୂର୍ବ କଥିତ ନିଅଣ୍ଟିଆ ପରିସ୍ଥିତିରେ ମୋର ଜଣେ ସାଙ୍ଗଙ୍କ ଠାରୁ ପଚିଶି ତିରିଶି ଟଙ୍କା ଧାର ଆଣିଥିଲି । ପରିଶୋଧ କରିବାର ବେଳ ଗଡ଼ିଯିବାରୁ ଦିନେ ସେ ମୋତେ ଅପମାନଜନକ ଭାଷାରେ ଭଲକରି ଦୁଇପଦ ଶୁଣାଇଦେଲେ । ସବୁ ବଦଳରେ ଯେଉଁ ମାନବିକ ମର୍ଯ୍ୟଦା ବଞ୍ଚାଇ ରଖିବା ଲାଗି ମୁଁ ଆଜିଯାଏ ଉଦ୍ୟମ କରି ଆସିଥିଲି, ତହିଁରେ ଆଞ୍ଚ ଆସିଥିବା ଅନୁଭବ କରି ମୁଁ ସେଦିନ ଭଗବାନଙ୍କ ନାମରେ ଜୀବନ-ଦୀପଟିକୁ ଲିଭାଇ ନିଷ୍ଠୁର ସଂକଳ୍ପ ନେଲି ।

 

ଅକାଳ ମୃତ୍ୟୁ ପୂର୍ବରୁ ଅନୁଭୂତି କିଭଳି ମର୍ମନ୍ତୁଦ ଏବଂ କିଭଳି, କରୁଣ, ତାହା ମୁଁ ସେଥର ଗଭୀର ଭାବେ ଉପଲବ୍ଧି କଲି । ସନ୍ଧ୍ୟା ହେବା ଆଗରୁ ମେସ ଛାଡ଼ି ମୁଁ ସିଧା ସିଧା କଲେଜ ପରିସର ମଧ୍ୟକୁ ଗଲି । ଜୀବନର ଶେଷ ଦିନ ହେତୁ ଆଖିରେ କେତେ କେଜାଣି ଅମାନିଆ ଲୋତକ ଜମି ଯାଉଥାଏ । ରେଭେନ୍ସା କଲେଜ ପ୍ରଧାନ ଫାଟକରୁ ଅଫିସ ଯାଏ ଲମ୍ବି ଯାଇଥିବା ପିଚୁଢ଼ଳା ବସ୍ତାର କେଡ଼େକେଡ଼େ ଯେଉଁ ଅନାମୀ ଗଛଗୁଡ଼ା ମୁଣ୍ଡଟେକି ଉଭା ହୋଇଛି, ସେଗୁଡ଼ିକ ସେତେବେଳକୁ ପେନ୍ଥା ପେନ୍ଥା ହଳଦିଆ ଫୁଲରେ ଗଭାମଣ୍ଡଣି କରିଥାନ୍ତି । “ଯାସ୍ୟତ୍ୟଦ୍ୟ ଶକୁନ୍ତଲେତି”–କହିଲା ବେଳେ କଣ୍ୱମୁନିଙ୍କର ସ୍ୱର ଯେତେ ବାଷ୍ପଚ୍ଛନ୍ନ ହୋଇଥିବ, ତାହାଠାରୁ ଅଧିକ ବାଷ୍ପଚ୍ଛନ୍ନ କଣ୍ଠରେ ମୁଁ ସେ ବୃକ୍ଷ ଲତାମାନଙ୍କ ନିକଟରୁ ବିଦାୟ ନେଲି-। ଚାଉଳିଆଗଞ୍ଜ ଡାକଘର ଆଗକୁ ପୂର୍ବେ ଯେଉଁଠି ଉତ୍କଳ ବିଶ୍ୱବିଦ୍ୟାଳୟ ଥିଲା, ତାହାର ଖୁବ୍ ପାଖରେ ବେଣୁଧର ରହୁଥାଏ । ଶେଷ ଦେଖା କରିବାକୁ ମୁଁ ତାହା ମେସ୍‍କୁ ଗଲି । ତାକୁ ଦେଖିବା ମାତ୍ରେ ଭୋ’ ଭୋ’ ହୋଇ କାନ୍ଦି ପକାଇଲି । ସେ ମୋ ଆଖିରୁ ଲୁହ ପୋଛି ବୋଧ ଦେଲା । କିନ୍ତୁ ତାକୁ ଏ ଅଥୟ ଅଶ୍ରୁର କାରଣ ନ କହି ମୁଁ ଏକମୁହାଁ ହୋଇ ପୂର୍ବ ଛାତ୍ରାବାସ କଡ଼େକଡ଼େ ଷ୍ଟେସନ ଆଡ଼େ ଛୁଟିଲି ।

 

ସଂଧ୍ୟା ସେତେବେଳକୁ ଉତ୍ତୀର୍ଣ୍ଣ ପ୍ରାୟ । କଳା ଘୂମର ଅନ୍ଧକାର ଗାଢ଼ରୁ ଗାଢ଼ତର ହୋଇ ଆସୁଥାଏ । ‘ତାଳଚେର ପସେଞ୍ଜର’ ଆସିବାକୁ ଆଉ ଅଳ୍ପ ସମୟ ବାକୀ । ତାହାର ଘୂର୍ଣ୍ଣାୟମାନ ଚକ୍ରତଳେ ଆଉ ଘଡ଼ିକ ପରେ ଚାପିହୋଇଯିବି ଏବଂ ଚିରଦିନ ପାଇଁ ଲିଭିଯିବ ଏ ଆଲୋଡ଼ା ଜୀବନର ଯେତେ କିଛି ଦହନ । ଏ ଚିନ୍ତାରେ ମଗ୍ନ ହୋଇ ପାଦ ପରେ ପାଦ ପକାଇ ମୁଁ ଚାଲିଥାଏ ରେଳବାଇ ପାର୍କ ଆଡ଼େ । ସେ ବାଟ ଦେଇ ଷ୍ଟେସନ୍ ଗଲେ ମୋତେ କେହି ଦେଖିବେ ନାହିଁ-ଏହାହିଁ ଥିଲା ମୋର ଉଦ୍ଦେଶ୍ୟ ।

 

ଦୂରରୁ ରେଳଗାଡ଼ିର ହୁଇସିଲ୍ ଶୁଭିଲା । ମୋ ଛାତିର ସ୍ପନ୍ଦନ ଅସମ୍ଭବ ଗତିରେ ବଢ଼ି ଚାଲିଲା । ତଥାପି ଭୀଷ୍ମ-ସଂକଳ୍ପରେ ମୁଁ ଆଗେଇ ଚାଲିଥାଏ ମନେ ମନେ ଈଶ୍ୱରଙ୍କୁ ‘ଚାଲେଂଜ୍’ କରି ।

 

ପାର୍କ-ଗେଟ୍ ପାଖ ହୋଇ ଆସିଲାଣି । ଆଗରେ କିଏ ଜଣେ ମୋତେ ଆଗୁଳି କରି ରଖିଲା ପରି ବୋଧହେଲା । ମୁଁ ତାକୁ ଏଡ଼ାଇ ଦେଇ ଚାଲିଯିବାକୁ ସବୁବଳ ଏକାଠି କଲି । କିନ୍ତୁ ପାରିଲି ନାହିଁ । ସର୍ବାଙ୍ଗ ଅବଶ ହୋଇ ଆସିଲା । ଠିଆହେବା ଜାଗାରୁ ପଦେ ସୁଦ୍ଧା ହୁଙ୍କିବାର ଶକ୍ତି ନଥିଲା ମୋର ।

 

ତାଜୁବ୍ ହୋଇ ପ୍ରାୟ ପନ୍ଦର କୋଡ଼ିଏ ମିନିଟ ସେଠି ଠିଆ ହେଲି । ଦେହ ମୁଣ୍ଡରୁ ଘମ୍ ଘମ୍ ଝାଳ ବୋହି ଯାଉଥାଏ । ତାଳଚେର ଟ୍ରେନ୍ ହୁଇସିଲ ବଜାଇ ଷ୍ଟେସନ୍ ଛାଡ଼ିଲା । ବମ୍ବେର ଟିଣ ଛାତଦିଆ ଗୋଦାମରେ ନିଜକୁ ନିଜେ ଗୁଳିଟିପି ବ୍ୟର୍ଥକାମ ହୋଇଥିବା କ୍ଲାଇବ୍‍ଙ୍କ ପରି ମୁଁ ଚାହିଁ ରହିଲି ମୋ ନିଜ ଆଡ଼େ ।

 

–“ପ୍ରଭୁ, ତୁମେ ଜିତିଗଲ । ମୁଁ ହାରିଲି । କିନ୍ତୁ ହେ ଜିବନଦେବତା ! ବୁଝିପାରିଲି ନାହିଁ ତୁମର ଏ ରହସ୍ୟ । ସତେ କ’ଣ ତୁମର କିଛି ଉଦ୍ଦେଶ୍ୟ ଅଛି ଅଲୋଡ଼ା ଜୀବନର ଏ ନିଲଠ ପରିହାସରେ ? ତା’ ଯଦି ହୋଇଥାଏ ମୁଁ ଫେରିଯାଉଛି ପ୍ରଭୁ ! ତୁମର ଇଚ୍ଛା ପୂର୍ଣ୍ଣ ହେଉ ।”

 

ଅଗତ୍ୟା ମୁଁ ଫେରିଲି । ଈଶ୍ୱର ହୁଏତ ରଖିଲେ ବୋଲି ଏ ଘଟଣାରୁ ଏକ ଦୃଢ଼ ଧାରଣା ହେଲା ।

Image

 

ପୁଣି ପରୀକ୍ଷା

 

ବି: ଏ: ପଢ଼ାବେଳକୁ ବାପାଙ୍କର ଦେହ ସେତେ ଭଲ ହୋଇ ନଥିବାରୁ ମୋର ଆର୍ଥିକ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିଥାଏ । ମାଗିଯାଚି ପାଠ ପଢ଼ିବାକୁ ମୁଁ ଆଦୌ ପସନ୍ଦ କରୁନଥିଲି । ଥରେ ହାତ ପାତିଲେ ମଣିଷ ଭିତରେ ଭିକ୍ଷା କରିବାର ପ୍ରବୃତ୍ତି କ୍ରମେ ବଢ଼ିଚାଲେ, ବୋଲି ମୋର ବିଶ୍ୱାସ ଥିଲା । ଟିଉସନ ଇତ୍ୟାଦି କରି ପଢ଼ାଖର୍ଚ୍ଚଟା ତୁଲାଇବାର କୌଣସି ଆଶା ମଧ୍ୟ ଦେଖିପାରିଲି ନାହିଁ ।

 

ତେବେ ଏହି ସମୟରେ କଟକର ବିଶିଷ୍ଟ ଆଇନଜୀବୀ ଏବଂ ସାହିତ୍ୟକ ଶ୍ରୀ ଚିନ୍ତାମଣି ଆଚାର୍ଯ୍ୟଙ୍କ ନିକଟକୁ କବିତାରେ ପତ୍ର ଖଣ୍ଡିଏ ଲେଖିଥିଲି । ତହିଁରେ ସାହାଯ୍ୟର ବିଷୟ କୌଣସି ସ୍ଥଳରେ ଉଲ୍ଲେଖ ନଥିଲା । ମୋ ଜୀବନ-ସଂଗ୍ରାମର ସୂଚନାମାତ୍ର ତହିଁରେ ପ୍ରକାଶିତ ହୋଇଥିଲା । ତାହାପାଇଁ ଦାନ-ବତ୍ସଳ ଶ୍ରୀଯୁକ୍ତ ଆଚାର୍ଯ୍ୟ ୨୧ । ୮ । ୫୨ ରେ ମୋ ନିକଟକୁ ଲେଖିଥିଲେ–

 

ଆଶୀର୍ବାଦ–

 

ତୁମର କବିତାରେ ଲିଖିତ ପତ୍ର ପାଇଲି । ତୁମେ ମୋ ସଙ୍ଗେ ତା ୧ । ୨ ରିଖ (ଏକତାରିଖ କିମ୍ବା ଦୁଇତାରିଖ) ବେଳକୁ ଦେଖା କରିବ । ମୁଁ କିଛି ସାହାଯ୍ୟ ଦେବି । X X X

 

ଯଥା ସମୟରେ ମୁଁ ତାଙ୍କୁ ଦେଖା କରିଥିଲି । ସେ ମୋତେ ଦଶଟିଟଙ୍କା ଦେଇ ପ୍ରତିମାସରେ ଏତିକି ଲେଖାଏ ସାହାଯ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ହେଁ ସେହି ଦଶଟା ଟଙ୍କା ଆଣିବା ପରେ ମୁଁ ଆଉ ତାଙ୍କ ନିକଟକୁ ଗଲିନାହିଁ । କାରଣ ଦାନ-ଖୈରାତ୍ ଗ୍ରହଣ କରିବା ମୋର ପ୍ରବୃତ୍ତି ବିରୁଦ୍ଧ ଥିଲା । ତେଣୁ ଦେବାରେ ମୁଁ ଯେତିକି ଆନନ୍ଦ ପାଏ, ଆଣିବାରେ ତହିଁରୁ କଡ଼ାକର ଆନନ୍ଦ ପାଉଥିଲେ ମୋର ସେତେବେଳର ଅବସ୍ଥାରେ ହାତ ପାତି ବହୁଜାଗାରୁ ଧନ ଆଣି ପାରିଥାନ୍ତି ।

 

ଏ ସୃଷ୍ଟି ଛଡ଼ା ପ୍ରକୃତି ହେତୁ ଥାର୍ଡଇୟର ଶେଷଯାଏ ଓଡ଼ିଆ ଅନର୍ସ ଓ ଅର୍ଥନୀତି ପ୍ରଭୃତିର ଖଣ୍ଡିଏ ସୁଦ୍ଧା ବହି କିଣାଯାଇ ପାରିନଥାଏ ।

 

ମାଟ୍ରିକ ପରୀକ୍ଷାବେଳକୁ ବିବାହର ବଂଧନ ଏଡ଼ାଇ ଆସୁଥିଲେ ମଧ୍ୟ ଥାର୍ଡଇୟର ଶେଷରେ ସେ ବଂଧନରେ ଆବଦ୍ଧ ହେବାକୁ ପଡ଼ିଲା । କରିଲୋପାଟଣାର ପ୍ରସିଦ୍ଧ ଦାରୋଗା ବଂଶର ଶ୍ରୀ ରାମଚରଣ ଦାସଙ୍କ କନ୍ୟା ଶ୍ରୀମତୀ ମନୋରମାଙ୍କ ସହିତ ମୋର ବିବାହ ହେଲା ୧୯୫୩ ମସିହାର ପହିଲି ବସନ୍ତରେ । ହେଲେହେଁ ଜୀବନ-ବସନ୍ତର କୌଣସି ଉନ୍ମାଦନା ନଥିଲା ଆମ ବିବାହରେ । ଆମଘରକୁ ଚାହିଁ ମନୋରମା ସୁଗୃହିଣୀ ବନିଲେ । କର୍ତ୍ତବ୍ୟ ଓ ଦାୟବଦ୍ଧତା ଆମଦୁହିଁକୁ ଅକାଳରେ ଲୁହାରମଣିଷ କରିଦେଲା । ବିବାହର ସ୍ୱପ୍ନରଞ୍ଜିତ ମାଦକତା ଅପେକ୍ଷା ବି. ଏ. ପରୀକ୍ଷା ପାଇଁ ଆର୍ଥିକ ସମ୍ବଳ ସଂଗ୍ରହ ଏ କାଳରେ ଆମ ଦୁହିଁଙ୍କର ଚିନ୍ତାର ବିଷୟ ଥିଲା ।

 

କୌଣସି ମତେ ବିବାହ କାମଟା ବଢ଼ିବା ମାତ୍ରେ ମୁଁ କଟକ ଚାଲିଲି । ଦାରୁଣ ଅର୍ଥାଭାବର ପ୍ରେତଟା ମୋ ଆଗେ ଆଗେ ମାଡ଼ି ଚାଲିଥାଏ । ଗୋଡ଼ରୁ ଅଳତା ପାଟି ନ ଲିଭୁଣୁଁ ଏହାହିଁ ବଧୂ ମନୋରମାକୁ ଗୃହିଣୀ ମନୋରମାରେ ପରିଣତ କରିଥିଲା । ଫଳତଃ ଜୀବନ ଝଡ଼ର ତାଳେ ତାଳେ ତାଙ୍କ ଦାରୁଣ୍ୟର ସ୍ୱପ୍ନ ସବୁ ହଜିଗଲା । ତାଙ୍କ ପାରୁ ପର୍ଯ୍ୟନ୍ତ ସେ ମୋତେ ବି.ଏ. ପରୀକ୍ଷାକୁ ବାଟ କଢ଼ାଇନେଲେ ।

 

କଷ୍ଟେମେଷ୍ଟ ବି.ଏ. ପରୀକ୍ଷା ଦେଲି ଓ ଅନର୍ସ ସହିତ ବି.ଏ. ପାଶ୍ କଲି । ଏ ସମୟକୁ ବାପାଙ୍କର ଦେହ ପା’ ଓ ମନର ଅବସ୍ଥା ସ୍ଵାଭାବିକ ହୋଇ ନଥାଏ । ତେଣୁ ଶାନ୍ତିନିକେତନରେ ଏମ୍.ଏ. ପଢ଼ିବାର ଆଶାହିଁ ଆଶାରେ ରହିଗଲା । ଆଖିରେ ଆଖିଏ ଲେଖାଏ ଲୁହଧରି ବାହୁଡ଼ି ଆସିଲା ଗାଁ’କୁ ।

Image

 

ରାହାନାହିଁ

 

କଲେଜ ପଢ଼ାରେ ଡୋରି ବାନ୍ଧି ଗାଁକୁ ଫେରିଲା ସତ, କିନ୍ତୁ ସେଠାରେ ଭବିଷ୍ୟତ୍‍ର ରାହା କାହିଁ ? ଘରେ ବାହାରେ ଏକ ନିଷ୍ଠୁର ପୃଥିବୀ, ନିଉରସୀ ଜୀବନ । ଦୁର୍ଦ୍ଦିନର ଏକ ସହାନୁଭୂତିହୀନ ମେଘ ମେଦୁରତା ମୋର ଛୋଟିଆ ସଂସାରକୁ ଚୌଦିଗରୁ କାବୁ କରି ରଖିଥାଏ । ବାପା ତହିଁରେ ବ୍ୟଥିତ ହୁଅନ୍ତି । ସେ ବ୍ୟଥାର ନାଦ ବାଜେ ମୋର ମର୍ମସ୍ଥଳରେ ।

 

‘ଆଲୋ ମଉସା, ମୂଳ ପଇସା’–ଏ ଉକ୍ତିଟା ଏ ଜଗତରେ ଏତେ ସତ୍ୟ ବୋଲି ପୂର୍ବରୁ ଜାଣିନଥିଲି । ଧୋବଧାଉଳିଆର ଏ ପୃଥ୍ୱୀ-ନୁଖୁରା ମୁଣ୍ଡର ସବୁ ଖାନ୍ଦାନି ଏବଂ ବିଦ୍ୟାବୁଦ୍ଧି ଯେ ଅନ୍ୟମାନଙ୍କର ହସଟାହୁଲିର ବିଷୟ, ଏହା ସେ କାଳରେ ମୋର ଅନୁଭୂତିକୁ ଆସିଲା । ଏ ଦୁର୍ଦ୍ଦିନରେ ମୋ ଶଶୁରଘର ଲୋକେ ମଧ୍ୟ ଆମକୁ ନ୍ୟୂନ ଦୃଷ୍ଟିରେ ଦେଖୁଥିଲେ ।

 

ମୋଟା ମୋଟି, ମୋ ଜୀବନର ଏ ଭଙ୍ଗାଗଢ଼ା ପର୍ଯ୍ୟାୟଟି ବଡ଼ କରୁଣ । ଭୁଷୁଡ଼ି ପଡ଼ିଥିବା ସଂସାରଟାକୁ ସଜାଡ଼ି ନେବାପାଇଁ ମୋତେ କମ୍ ମୂଲ୍ୟ ଦେବାକୁ ପଡ଼ିନଥାଏ । ଏହା ସତ୍ତ୍ଵେ ମୋ ସାହିତ୍ୟ-ସେବାକୁ ଅବ୍ୟହତ ରଖିବା ନିମନ୍ତେ ମୁଁ ଚେଷ୍ଟା ଚଳାଇଥାଏ । ଏମ୍.ଏ. ପଢ଼ି ଅଧ୍ୟାପକ ହେବାର ମୋର ଉସୁକୁଢ଼ ତଳର ଅଗ୍ନି ପରି ମୋତେ ସମୟର ଉର୍ଦ୍ଧ୍ଵକୁ ଉଠିବାର ପ୍ରେରଣା ଯୋଗାଉଥାଏ ।

 

ମୁଁ ଯେଉଁ ମଧ୍ୟଇଂରାଜୀ ବିଦ୍ୟାଳୟରେ ପଢ଼ୁଥିଲି, ତାହା ଏତେବେଳକୁ ଉଚ୍ଚଇଂରାଜୀ ବିଦ୍ୟାଳୟରେ ପରିଣତ ହୋଇଥାଏ । କଟକର ଆଇନ୍-ବ୍ୟବସାୟୀ ଶ୍ରୀ କାଶୀନାଥ ଦାସ ସଂପ୍ରତି ସ୍ଵର୍ଗତ) ତାହାର ସମ୍ପାଦକ ଥାଆନ୍ତି । ହିସାବରେ ସେ ମୋର ଅଜାଶୁର ହୁଅନ୍ତି । ତାଙ୍କ ପିତାଙ୍କ ନାମରେ ନାମିତ ଉକ୍ତ ଉଚ୍ଚ ବିଦ୍ୟାଳୟରେ କିଛିଦିନ ଶିକ୍ଷକତା କରିବା ନିମନ୍ତେ ତାଙ୍କଠାରୁ ଡାକରା ଆସିଲା । ସାକ୍ଷାତରେ ବୁଝିଲି ଇଂରାଜୀ, ଓଡ଼ିଆ ଏବଂ ଭୂଗୋଳ ପଢ଼ାଇବା ପାଇଁ ସେଠି କେହି ଶିକ୍ଷକ ନଥିବାରୁ ତାହାଙ୍କର ଏ ଜରୁରୀ ନିମନ୍ତ୍ରଣ ।

 

ଏତିକିବେଳେ ବଇଁଶୀ ବାବୁଙ୍କ କଥା ମନେ ପଡ଼ିଲା । ସେ ଆମକୁ ଅନେକ ସମୟରେ କହିଥିଲେ–“ଏଠୁ (ମାଇନର ସ୍କୁଲରୁ) ନେଇଥିବା ଋଣ ଶୁଝିବାର ବାଟ ହେଲା ଭବିଷ୍ୟତରେ ଏଠି ଶିକ୍ଷକତା କରିବା” । ଗୁରୁବଚନର ମଧୁର ସ୍ମୃତି ଏବଂ କାଶୀ ବାବୁଙ୍କର ସେତେବେଳର ସ୍ନେହଶ୍ରଦ୍ଧା (ପରେ ଅବଶ୍ୟ ଏହା ରହିଲା ନାହିଁ) ମୋତେ ଏ ଅଚାନକ ନିଯୁକ୍ତି ଗ୍ରହଣ କରିବାକୁ ବାଧ୍ୟ କଲା । ନଚେତ୍ ହାଇସ୍କୁଲରେ ଶିକ୍ଷକଗିରି କରିବାକୁ ମୁଁ ଆଦୌ ରାଜିନଥିଲି । ମୋର ଆଶଙ୍କା ହେଉଥିଲା ମଫସଲି ଉଚ୍ଚବିଦ୍ୟାଳୟଟିରେ ଶିକ୍ଷକତା କରୁ କରୁ କାଳକ୍ରମେ ମୋର ଏମ୍.ଏ. ପଢ଼ିବାର ବାସନା ଲୋପ ପାଇଯିବ । ବିଶେଷତଃ, ଶଶୁରଘର ଓଳି ତଳେ କୌଣସି ବୃତ୍ତି ଧରିବାକୁ ମୁଁ ପସନ୍ଦ କରୁ ନଥିଲା । ଅବଶ୍ୟ ମୋ ପସନ୍ଦ, ଅପସନ୍ଦରେ କିଛି ଯାଏ ଆସେନା । ଯେଉଁ ଜୀବନ-ଦେବତାଙ୍କ ହାତରେ ମୁଁ ଆଜିଯାଏ ପେଣ୍ଡୁଟି ପରି ନାଚି ଆସିଥିଲି ତାହାଙ୍କ ନିର୍ଦ୍ଦେଶରେ ମୁଁ ଏ ନିଯୁକ୍ତି ଗ୍ରହଣ କଲି ।

Image

 

ତେପନରୁ ଅଣଷଠି

 

ବର୍ଷେ ଅଧେ ପାଇଁ ଯାଇ ବହୁଦିନ ଅଟକି ଗଲି । ଉଣେଇଶ ତେପନରୁ ଅଣଷଠୀ । ପୂରା ଛ’ଟି ବର୍ଷ । ମାଷ୍ଟରି ଜୀବନରେ କଟିଗଲା । ଫେରିବା ପାଇଁ କେତେଥର ଗୋଡ଼ କାଢ଼ିଛି । ପିଲାମାନଙ୍କର ସ୍ନେହ ଆଗୁଳି କରେ । ମୋହମାୟା ପଛକୁ ଟାଣେ । ଫେରିବା, ଫେରିବା ହୋଇ ଫେରିପାରେନା । କର୍ମର ନିଶା କୁହୁକ ଲଗାଏ । ରୋଜଗାରର ଝୁଙ୍କ ସ୍ୱପ୍ନ ବାହାରେ । ଯେତେଦୂର ମନେପଡ଼େ, ମାସିକ ଶଏ ଟଙ୍କାରୁ ଶିକ୍ଷକତା ଆରମ୍ଭ କରି, ବୋଧହୁଏ, ଦେଢ଼ଶ ଟଙ୍କାଯାଏ ଯାଇଥିଲି ଛ’ ବର୍ଷରେ ।

 

ମୋର ଘନିଷ୍ଠ ବନ୍ଧୁ ଓ ସହକର୍ମୀ ଶ୍ରୀ ସୂର୍ଯ୍ୟନାରାୟଣ ପାଢ଼ୀ ଏବଂ ଶ୍ରୀ ରାମାନାଥ ପ୍ରହରାଜଙ୍କ ଅବସ୍ଥା ମଧ୍ୟ ତଦ୍ରୁପ ଥିଲା । ଆମ ତିନିଙ୍କୁ ବଡ଼ବଡ଼ ପିଲାଏ ‘ତ୍ରୟୀ’ (Trio) ବୋଲି ଡାକୁଥିଲେ । ସତ କହିଲେ, ଟଙ୍କା ପଇସା ଅପେକ୍ଷା ନୂଆ ନୂଆ ପରୀକ୍ଷା ନିରୀକ୍ଷାର ଲାଳସା ଆମ ତିନିଙ୍କୁ ଏ ଅନୁଷ୍ଠାନରେ ବାନ୍ଧି ରଖିଥିଲା ।

 

ସ୍କୁଲ୍‍ର ଗ୍ରନ୍ଥାଗାର ଓ କ୍ରୀଡ଼ା କସରତ୍‍ର ଉନ୍ନତି ପାଇଁ ରମାନାଥବାବୁ ଏବଂ ମୋ ଅପେକ୍ଷା ସୂର୍ଯ୍ୟନାରାୟଣ ବାବୁଙ୍କର ଆଗ୍ରହ ଥିଲା ଅଧିକ । ଆମେ ଦୁହେଁ ନୀରୋଳ କଳାତ୍ମକ ଦିଗଗୁଡ଼ିକର ବିକାଶରେ ଲାଗିପଡ଼ିଥିଲୁ । ସ୍ଥୂଳତଃ, ରୀତିମତ ପଢ଼ାଶୁଣା ବ୍ୟତୀତ ଆମ୍ଭମାନଙ୍କ ଚେଷ୍ଟାରେ ମଫସଲ ଅନୁଷ୍ଠାନଟିରେ ପ୍ରତି ଶନିବାରେ ‘ସଙ୍ଗୀତ-ଚକ୍ର’ ଓ ବର୍ଷକରେ ଥରେ କଳାପଞ୍ଚକ (ପାଞ୍ଚଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ) ଅନୁଷ୍ଠିତ ହୋଇପାରୁଥିଲା । ଜୟରାମ ଉଚ୍ଚବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ଝରାଶ୍ରୀ’ ଏହିକାଳରେ (୧୯୫୪) ଜନ୍ମ ନେଇଥିଲା । ମୁଁ ଏହାର ସମ୍ପାଦକ ଥିଲି ।

 

ପାଢ଼ୀବାବୁଙ୍କର ଉଦ୍ୟମରେ ‘ଫୋନିକସ ଲାଇବ୍ରେରୀ’ ଏହି ବେଳର ସୃଷ୍ଟି । ସ୍କୁଲ, କଲେଜ ଉପଯୋଗୀ ଓଡ଼ିଆ, ଇଂରାଜୀ ଏବଂ ସଂସ୍କୃତ ପୁସ୍ତକରେ ଏହା ସମୃଦ୍ଧ ଥିଲା । ମୁଁ ଏହି ସମୟରେ ଘରୋଇ ଭାବରେ ଓଡ଼ିଆ ଏମ୍.ଏ. ଦେବାକୁ ପ୍ରସ୍ତୁତ ହେଉଥିବାରୁ ଏହିଭଳି ଏକ ଗ୍ରନ୍ଥାଗାରର ଅବଦାନ ମୋ ନିମନ୍ତେ ଅମୂଲ୍ୟ ଥିଲା ।

 

ଜୟରାମ ଉଚ୍ଚବିଦ୍ୟାଳୟରେ ଏ ଯୁଗକୁ କେହି କେହି ‘ସୁବର୍ଣ୍ଣ ଯୁଗ’ ବୋଲି କହନ୍ତି । ଅନୁଷ୍ଠାନଟିର ସର୍ବାଙ୍ଗୀନ ଉନ୍ନତି ଓ ପିଲାମାନଙ୍କର ନୈତିକ ଚରିତ୍ରର ବିକାଶ ପାଇଁ ଆମ୍ଭେମାନେ ମନେ ପ୍ରାଣେ ଲାଗି ପଡ଼ିଥିବାରୁ ଅଳ୍ପ କୋତୋଟି ବର୍ଷ ମଧ୍ୟରେ ଏହା ଏ ଅଞ୍ଚଳରେ ଏକ ଦୃଷ୍ଟି ଆକର୍ଷଣକାରୀ ଶିକ୍ଷା କ୍ଷେତ୍ରରେ ପରିଣତ ହୋଇପାରିଥିଲା । ବିଶେଷତଃ କଳା-ପଞ୍ଚକ ଭଳି ସାସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନଙ୍କ ବ୍ୟତୀତ ଆମ୍ଭେମାନେ ଏ ଅଞ୍ଚଳର ଅଭିନୟ, ସଙ୍ଗୀତ, ନୃତ୍ୟ ଓ ବୟନ ଶିଳ୍ପ ଇତ୍ୟାଦିକୁ ଲୋକଲୋଚନକୁ ଆଣିବାକୁ ସକ୍ଷମ ହୋଇଥିଲୁ ।

 

ଉଚ୍ଚବିଦ୍ୟାଳୟର ପରିଦର୍ଶକଗଣ ଆମ୍ଭମାନଙ୍କର ଏ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଥିଲେ, ଏବଂ ଏଥିପାଇଁ ନିୟମିତ ଅର୍ଥବ୍ୟବସ୍ଥା ସକାଶେ JRC. (କର୍ଣ୍ଣାଲ-ରେଡ଼ିଓ-କଲଚର) ନାମକ ଏକ ସ୍ଵତନ୍ତ୍ର ପାଣ୍ଠି ସୃଷ୍ଟି କରିବାକୁ ଅନୁମତି ପ୍ରଦାନ କରିଥିଲେ । ଆଜିସୁଦ୍ଧା ପିଲାମାନଙ୍କଠାରୁ ଏହା ଆଦାୟ କରାଯାଉଥିବାର ମୁଁ ଶୁଣେ । କିନ୍ତୁ ‘ଝରାଶ୍ରୀ’ ଓ କଳାପଞ୍ଚକର ସେ ନିରବଚ୍ଛିନ୍ନ ପ୍ରାଣ-ପ୍ରବାହ ଆଜି ସ୍ତିମିତ ହୋଇ ଆସିଛି ବୋଲି ମୋର ଧାରଣା ।

 

ଓଡ଼ିଆ ପ୍ରତିକା-ସାହିତ୍ୟର ଇତିହାସରେ ‘ଝରଶ୍ରୀ’ ର ଏକ ନିଶ୍ଚିତ ସ୍ଥାନ ରହିଛି । ଏହାର ଲେଖାଲେଖି ନିର୍ବାଚନ ଓ ସମ୍ପାଦାନ-ପଦ୍ଧତିର ସରସତା, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ନିମ୍ନଲିଖିତ ପତ୍ରରୁ ଅନୁମେୟ:-

 

ଭୁବନେଶ୍ଵର

୨୨ । ୧୦ । ୫୫

 

ଶ୍ରଦ୍ଧେୟ ବନ୍ଧୁ,

 

ଆପଣଙ୍କ ଦ୍ଵାରା ସମ୍ପାଦିତ ‘ଝରାଶ୍ରୀ’ ପତ୍ରିକାର ଦ୍ଵିତୀୟ ବର୍ଷ ଦ୍ଵିତୀୟଖଣ୍ଡ ଆପଣ ମୋ ନିକଟକୁ ପଠାଇଥିବାରୁ ଧନ୍ୟବାଦ ଜଣାଉଛି । ବିଷୟ ନିର୍ବାଚନ ଓ ଲେଖା ଭଲ ହୋଇଛି । ଲେଖା ଲମ୍ବା ନୋହିଥିବା ଯୋଗେ ପଢ଼ିବାରେ କ୍ଳାନ୍ତି ଆସୁନାହିଁ । ପଞ୍ଚମ ଶ୍ରେଣୀର ଛାତ୍ର ‘ହସକୌତୁକ’ ଯେପରି ଭାବରେ ପରିବେଷଣ କରିଛନ୍ତି, ସେଥିରୁ ମୌଳିକତା ଜଣାଯାଉଛି । ମୋର ସ୍ମରଣ ହେଉଛି ଯେଉଁ ବୟସର ଛାତ୍ରଛାତ୍ରୀ ମାନେ ଏଥିରେ ଲେଖିଛନ୍ତି, ସେ ବୟସକୁ ମୁଁ ଏପରି ଲେଖି ପାରୁନଥିଲି । ଏହା ଆମ ସମାଜର ମାନସିକ ଅଗ୍ରଗତି ସୂଚାଉଛି । କିନ୍ତୁ ଭାଷାରେ ଟିକିଏ ଶୈଳୀର ଅଭାବ ରହିଯାଇଥିଲାପରି ମନେ ହେଉଛି । ତେବେ ବର୍ତ୍ତମାନ ଭାଷାରେ ଗୋଟାଏ ପରିବର୍ତ୍ତନ ଆସୁଛି । ତାହା ଭାଷାର ସମୃଦ୍ଧି ପାଇଁ କି ନୁହେଁ, ସେ କଥା ବିଚାରର ବିଷୟ ।

 

ଆପଣଙ୍କର

ଗୋଦାବରୀଶ ମିଶ୍ର

 

ଏସବୁ ବାହାରେ ଏଠି ଆଖପାଖ ମୌଜାରେ କୌଣସି କଳିତକରାଳ ବା ସଂପ୍ରଦାୟିକ ଦଙ୍ଗାହେଙ୍ଗାମ୍ ଘଟିଲେ ଆମ୍ଭେମାନେ ତାହାର ସୁସମାଧାନ ପାଇଁ ପ୍ରାଣପଣେ ଚେଷ୍ଟା କରୁଥିଲୁ । କରିଲୋପାଟଣା ‘ଯଜ୍ଞ’ ରେ ପଶାପାଲି ବନ୍ଦ କରିବାକୁ ଯାଇ ଆମେ ତିନିଜଣ ବହୁ ତାମସାଖୋର୍ ଲୋକଙ୍କ ବିଷଦୃଷ୍ଟିରେ ପଡ଼ିଥିଲୁ । ଆମକୁ ଅପଦସ୍ଥ କରିବା ଲାଗି ଆମ ପଛରେ ଗୁଣ୍ଡା ଲଗାଯାଇଥିଲା । କିନ୍ତୁ ଆମର ଉଦ୍ଦେଶ୍ୟ ମହତ୍ ଥିବାରୁ କେହି ଆମର କିଛି କ୍ଷତି କରି ପାରିନଥିଲେ । ଆମ ଅନୁରୋଧ କ୍ରମେ ସାତ୍ତ୍ଵିକ ରୀତିରେ ଯାଗଯଜ୍ଞ କାର୍ଯ୍ୟ ସମ୍ପାଦିତ ହୋଇଥିଲା-

 

୧୯୫୬ ମସିହାରେ ଦ୍ଵିତୀୟ ଶ୍ରେଣୀରେ ପ୍ରଥମ ହୋଇ ମୁଁ ଓଡ଼ିଆ ଏମ୍.ଏ. ପାଶ୍ କଲି-। ପରୀକ୍ଷାର ପ୍ରାୟ ମାସକ ପୂର୍ବରୁ ଏପରି ଏକ ଦୈବୀ ଦୁର୍ଘଟଣା ଘଟିଲା, ଯହିଁରେ ମୁଁ ଆଉ ଏମ୍.ଏ. ପରୀକ୍ଷା ଦେଇପାରିବି ବୋଲି ମୋର ବିଶ୍ଵାସ ନଥିଲା ।

 

ଘଟଣାଟି ହେଲା ଏହି ଯେ ମୁଁ ଶିକ୍ଷକ ଥିବାରୁ ଏମ୍.ଏ. ପରୀକ୍ଷା ଦେବାପାଇଁ ମୋର ଚୂଡ଼ାନ୍ତ ଆବେଦନ ପତ୍ରଟି (ଫାଇନାଲ୍ ଆପ୍ଲିକେସନ୍) ସଂପୃକ୍ତ ସ୍କୁଲ୍ ବିଭାଗୀୟ ପରିଦର୍ଶକଙ୍କ ଜରିଆରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଥିଲା । ଏହା ସହିତ ମୋର ଫଟୋ, ବି.ଏ. ଯାଏ ସମସ୍ତ ଯୋଗ୍ୟତା ପତ୍ର, ଏବଂ ପରୀକ୍ଷା ଫିଜ୍ ଦେଇଥିବାର ପ୍ରମାଣ ସ୍ୱରୂପ ବ୍ୟାଙ୍କ୍ ରସିଦ ପ୍ରଭୃତି ଯୋଡ଼ା ଯାଇଥାଏ ।

 

ହାଇସ୍କୁଲ ମାଡ଼ିଲା ଦିନୁଁ ସବୁ ବିଷୟରେ ଅତିମାତ୍ରାରେ ମାପଚୁପା ଓ ସତର୍କ ଥିବାରୁ ନିର୍ଦ୍ଧାରିତ ସମୟର ବହୁପୂର୍ବରୁ ରେଜିଷ୍ଟ୍ରୀ ଡାକରେ ଉକ୍ତ ଆବେଦନ ପତ୍ରଟି ପଠାଇଦେଇ ମୁଁ ନିଶ୍ଚିନ୍ତ ଥାଏ । ସ୍କୁଲ୍‍ରୁ ଦୁଇମାସ ଛୁଟି ନେଇ ପ୍ରଫେସର୍‍ପଡ଼ାର ଏକ ମେସରେ (ଡ: ତ୍ରିପାଠୀଙ୍କ ଘର ପଛ) ରହି ଜୋରସୋରରେ ପଢ଼ାପଢ଼ି ଚଳାଇଥାଏ । କେତେକ ଦୁଷ୍ପ୍ରାପ୍ୟ ଗ୍ରନ୍ଥ ମୋଟେ ଦେଖି ନଥିବାରୁ କନିକା ଗ୍ରନ୍ଥାଗାର ଓ ରେଭେନ୍‍ସା କଲେଜ ଓଡ଼ିଆ ସେମିନାରକୁ ଯାଇ ସେଗୁଡ଼ିକୁ ‘ଶ୍ରୁତି’ (ବେଦ) ରୀତିରେ ମନରେ ଧରି ରଖିବାକୁ ଚେଷ୍ଟା କରୁଥାଏ ।

 

ପହିଲି ରଜ ହେବ କି କଣ । ସକାଳୁ ମନଟା ଫୁର୍ତ୍ତି ଲାଗୁଥାଏ । ପରୀକ୍ଷା-ପ୍ରସ୍ତୁତି ସନ୍ତୋଷଜନକ ହୋଇଥିବାରୁ ପ୍ରଥମ ଶ୍ରେଣୀଟା ମିଳିଯିବ ବୋଲି ବିଶ୍ୱାସ ହେଉଥାଏ । ପୂର୍ବ ନିଧାର୍ଯ୍ୟ ଅନୁଯାୟୀ ପରୀକ୍ଷା ଆଉ ସାତ ଆଠଦିନ ବାକୀ ।

 

ମେଡ଼ିକାଲ୍ ପାଖ ପୁରୁଣା କୋଠାରେ ସେତେବେଳକୁ ଉତ୍କଳ ବିଶ୍ୱ ବିଦ୍ୟାଳୟର ଅଫିସ୍ ଥାଏ । ହଠାତ୍ ଡେପୁଟୀ ରେଜିଷ୍ଟ୍ରାରଙ୍କ ଠାରୁ ଚିଠି ପାଇଲି ଯେ ମୋର ପ୍ରାଥମିକ ଆବେଦନ ପତ୍ର (ପ୍ରିଲିମ୍‍ନାରୀ ଆପ୍ଲିକେସନ) କ୍ରମେ ମୋତେ ଏକ ସମୟରେ ସମଗ୍ର ଏମ୍. ଏ. ପରୀକ୍ଷା (Whole M. A. Examination) ଦେବାକୁ ଅନୁମତି ଦିଆଯାଇଥିଲେ ମଧ୍ୟ ଚୂଡ଼ାନ୍ତ ଆବେଦନ ପତ୍ର ଅଭାବରୁ ମୁଁ ସେ ପରୀକ୍ଷା ଦେଇ ପାରିବିନାହିଁ ।

 

ମଥା ଉପରେ ଚଡ଼କ ପଡ଼ିଲା ପରି ଲାଗିଲା । କିଛି ବୁଦ୍ଧିବାଟ ଦିଶିଲା ନାହିଁ । ବସିବା ଜାଗାରୁ ଉଠିବାର ଶକ୍ତି ହରାଇ ବସିଥାଏ । ବନ୍ଧୁ ରାଇଚରଣ ଚୌଧୁରୀ ଏବଂ ଆଶାମୁକୁଲ୍ ମିତ୍ରଙ୍କ ଠେଲାପେଲାରେ ରିକ୍ସା ଖଣ୍ଡିଏ ଧରି ଚାନ୍ଦିନୀଚୌକ ଡାକଘରକୁ ବାହାରିଲି । ବହୁ ଅନୁନୟ ବିନୟ ପରେ ସେଠିକା ଡାକବାବୁ (ପୋଷ୍ଟମାଷ୍ଟର) ଖଣ୍ଡିଏ ସାର୍ଟିଫିକେଟ ଦେଲେ ସେ ସୂଚିତ ରେଜିଷ୍ଟ୍ରୀ ଡାକଟି ପରିଦର୍ଶକଙ୍କ କାର୍ଯ୍ୟାଳୟର ହେଡ୍ କ୍ଲର୍କ୍ ଶ୍ରୀ ବୈଦ୍ୟନାଥ ଜେନାଙ୍କର ସ୍ପଷ୍ଟ ସ୍ଵାକ୍ଷରରେ ଗୃହୀତ ହୋଇଅଛି । ତେଣୁ ତାହା ହଜିବାର ପ୍ରଶ୍ନ ଉଠୁନାହିଁ ।

 

ବୈଦ୍ୟନାଥ ବାବୁ ବିଡ଼ାନାସୀ ଆଖପାଖରେ ରହୁଥାଆନ୍ତି । ତାଙ୍କ ବସାକୁ ଦୌଡ଼ିଲି । ଡାକବାବୁଙ୍କର ଏଭଳି ସାର୍ଟିଫିକେଟ୍ ଓ ବିଶ୍ୱବିଦ୍ୟାଳୟର ପତ୍ର ଦେଖିବାପରେ ସେ ହତଭମ୍ବ ହୋଇ ବସିପଡ଼ିଲେ ।

 

କାଠଯୋଡ଼ି ସେ ପାଖରେ ଆସନ୍ନ ସଂଧ୍ୟାର ସୂଚନା ଖେଳିଗଲାଣି । ତାଙ୍କଠାରୁ “କାଲିକି ଆସନ୍ତୁ, ଦେଖିବା” ଶୁଣିବା ପରେ ମୁଁ ଫେରିଲି ମେସ୍କୁ । ମନ ଦୁଃଖରେ ଦିନସାରା ଅଖିଆ ଅପିଆ । ରାତିରେ ମଧ୍ୟ କିଛି ଖାଇଲା ନାହିଁ । ସକାଳେ ଯାହାଟିକେ ଜଳଖିଆ ଖାଇଥିଲି । ସେତିକିରେ ରାତି ବିତିଗଲା ।

 

ପରଦିନ ସକାଳ । ରିକ୍ସା ଧରିଲି ବୈଦ୍ୟନାଥ ବାବୁଙ୍କ ଘରକୁ । ସେ ମୋ ସଙ୍ଗରେ ଇନ୍‍ସପେକ୍ଟର ଅଫିସକୁ ଆସିଲେ । ବହୁ ଖୋଜାଖୋଜି ପରେ ପୂର୍ବୋକ୍ତ ଆବେଦନ ପତ୍ରର କୌଣସି ଚିହ୍ନବର୍ଣ୍ଣ ମିଳିଲା ନାହିଁ । ଇନ୍‍ସପେକ୍ଟର ଅଫିସ ଏହା ଜଣାଇ ସେତେବେଳେକାର ଅସ୍ଥାୟୀ ଡେପୁଟି ରେଜିଷ୍ଟ୍ରାରଙ୍କ ନିକଟକୁ ଚିଠି ଲେଖିଲେ । ମୁଁ ବିଧିବଦ୍ଧ ଆପିଡେବିଟ୍ କରି ମୋର ହଜି ଯାଇଥିବା ଯୋଗ୍ୟତା ପତ୍ର ଗୁଡ଼ିକର ନକଲ ଆଣିଲି । ଏଥିରେ ପ୍ରାୟ ଚାରିଦିନ କଟିଗଲା । ପରୀକ୍ଷା ଆଉ ତିନି ଚାରିଦିନ ଥାଏ । ପରୀକ୍ଷାବେଳ ଯେତେ ପାଖେଇ ଆସୁଥାଏ, ମୋ ପରୀକ୍ଷା ଦେବାର ସମ୍ଭାବନା ସେତେ କ୍ଷୀଣ ବୋଧ ହେଉଥାଏ । ତଥାପି ଇନ୍‍ସପେକ୍ଟର ସାହେବଙ୍କ ଚିଠି ଓ ବୈଦ୍ୟନାଥ ବାବୁଙ୍କ ଭରସା ପରେ ଅସମ୍ଭବ ସମ୍ଭବ ହେବାର ଆଶା ଧରି ମୁଁ ଚତୁର୍ଥଦିନ ସଂଜରେ ବସାକୁ ଫେରୁଥାଏ ।

 

ଡ: ଶ୍ରୀ ରାମଚନ୍ଦ୍ର ଦାଶଙ୍କ ବାସଭବନ (କୁକୁରିଆପଦା) କଡ଼ଦେଇ ଆଗକୁ ମାଡ଼ି ଚାଲିଥିଲାବେଳେ ଦେଖିଲି ଯେ ତାଙ୍କ ଦୃଷ୍ଟି ପ୍ରାୟ ମୋ ଉପରେ ପଡ଼ିଛି । ତିନିବର୍ଷର ବ୍ୟବଧାନ (୧୯୫୩ ୫୬) ପରେ ପରମାରାଧ୍ୟ ଗୁରୁଦେବଙ୍କୁ ସାକ୍ଷାତ କରି ମୋ ଦୁଃଖ ଜଣାଇବାର ଲୋଭ ସମ୍ବରଣ କରି ପାରିଲିନାହିଁ ।

 

ସାର ମୋଠାରୁ ସବୁ ହାଲ୍ ହକତ୍ ଶୁଣି ସାରିବା ପରେ ମୁଁ ଆଉ ଏବର୍ଷ ପରୀକ୍ଷା ଦେଇ ପାରିବି ନାହିଁ ବୋଲି ରୋକଠୋକ୍ ଜଣାଇଦେଲେ । ଇନ୍‍ସପେକ୍ଟର ଅଫିସ୍‍ର ଚିଠି ମଧ୍ୟ କିଛି କାମ ଦେବନାହିଁ ବୋଲି ତାଙ୍କ ଠାରୁ ଖବର ଶୁଣିଲି । ବୁଡ଼ି ଯାଉଥିବା ଲୋକ କୁଟାଖିଅକୁ ଆଶ୍ରା କରି ବଂଚିବାକୁ ଚେଷ୍ଟାକରେ । ମୁଁ ତେଣୁ ସମ୍ମୁଖରେ ମହାଦ୍ରୁମକୁ ପାଇ ଛାଡ଼ନ୍ତି କିପରି ? ଏ ସଙ୍ଗୀନ୍ ପରିସ୍ଥିତିରୁ ରକ୍ଷା ପାଇବା ଲାଗି ତାଙ୍କ ସାହାଯ୍ୟ ଭିକ୍ଷା କଲି । ଘଡ଼ିକପରେ ସ୍ମିତ ହସଟିଏ ହସି ସେ ମୋତେ ଭରସା ଦେଲେ ।

 

ପରଦିନ ସକାଳେ ସେ ଓ ମୁଁ ବିଶ୍ଵବିଦ୍ୟାଳୟ କାର୍ଯ୍ୟାଳୟକୁ ଗଲୁ । ସତକୁ ସତ ଇନ୍‍ସପେକ୍ଟର ଅଫିସରୁ ଯାଇଥିବା ଚିଠି ତଳମହଲାରେ ଡାଇରୀ ହୋଇ ପଡ଼ିଥିବାର ଦେଖିଲୁ । ଓଡ଼ିଆ ଏମ୍.ଏ. ର କଣ ଗୋଟିଏ ପ୍ରଶ୍ନପତ୍ର ଆସି ପାରିନଥିବାରୁ ପରୀକ୍ଷା ପନ୍ଦର କୋଡ଼ିଏ ଦିନ ଘୁଞ୍ଚିଗଲା ବୋଲି ସେଦିନ ଶୁଣିଲୁ । ମୋତେ ସଙ୍ଗରେ ଧରି ଡ: ଦାଶ ବଗୁଇ ସାହେବଙ୍କୁ (ଡି.ପି. ବରାଇ) ସାକ୍ଷାତ କଲେ । ତାଙ୍କୁ ମୋର ଏ ଦୁର୍ଘଟଣା ଜଣାଇବା ପରେ ଡ: ଦାଶଙ୍କର ବ୍ୟକ୍ତିଗତ ପ୍ରଭାବ ଯୋଗୁଁ ସେ ମୋତେ ପ୍ରତୀକ୍ଷା ଦେବାକୁ ସଙ୍ଗେ ସଙ୍ଗେ ଅନୁମତି ଦେଲେ ଓ ଯଥାସମୟରେ ମୁଁ ମୋର୍ ଆଡମିଟ୍ କାର୍ଡ ପାଇଲି । ଗୁରୁଦେବଙ୍କର ଆଶ୍ରା ଓ ଭଗବାନଙ୍କର ସୁଦୃଷ୍ଟି ପାଇନଥିଲେ ମୁଁ ହୁଏତ ସେ ବର୍ଷ ପରୀକ୍ଷା-ବୈତରଣୀଟା ପାର ହୋଇ ପାରି ନଥାନ୍ତି ।

 

ଏମ୍.ଏ. ପାଶ୍ ପୂର୍ବରୁ ଆଉ ଗୋଟିଏ ଦୁର୍ଘଟଣା ଘଟିଯାଇଥାଏ । ତାହା ହେଲା ମୋର ଏକମାତ୍ର ସନ୍ତାନ ରବୀନ୍ଦ୍ରର ବିୟୋଗ । ବିବାହର ପ୍ରାୟ ଦୁଇବର୍ଷ ପରେ ଏ ପିଲାଟି ଜନ୍ମ ହୋଇ ଛ’ମାସ ପରେ ବାହୁଡ଼ିଗଲା । ଜାଗର ଅମେଇସା ଦିନ ମା’କୁ ବଡ଼ କଷ୍ଟ ଦେଇ ସେ ଆସିଥିଲା । ଗଲାବେଳେ ମଧ୍ୟ ମା’କୁ ତାହାର ଅଭୁଲା ଦୁଃଖ ଦେଇ ମାମୁ ଘରେ ସେ ଆରପୁରକୁ ଲେଉଟିଗଲା-। ତାକୁ ଥରଟିଏ କୋଳରେ ଧରିବାର ସୌଭାଗ୍ୟ ମୋର ଘଟିନଥିଲା । ଆଜିକାଲି ବାହାଘରର ବର୍ଷକ ପରେ ବା ବର୍ଷ ନପୁରୁଣୁ ପିଲାଏ ପୁଅଝିଅର ବାପ ମା’ ହୋଇ ଗୁରୁଜନଙ୍କ ଆଗରେ ତାଙ୍କୁ ଯେମିତି ଧେଇ ଧେଇ କରି ନଚାଉଛନ୍ତି, ଆମ ବେଳେ ଲଜ୍ଜାବଶତଃ ଆମେ ତାହା କରିପାରୁନଥିଲୁ-

 

ପୁଅ ମରିବାର ଖବର ଆମ ଗାଁରେ ପହଞ୍ଚିଲା ସକାଳ ସାତଟା କି ଆଠଟାବେଳେ । ମୋ ଆଖିରୁ ଲୁହ ଝରିଲା ନାହିଁ । କିନ୍ତୁ ଦାନ୍ତଘଷିବା ଜାଗାରେ ବାପା ଏ ଖବର ପାଇ ଲୋଟଣି ପାରା ଭଳି ଧୂଳିରେ ଲୋଟିଗଲେ । ତାହାଙ୍କର କୁରରୀବିଳାପ ଘଣ୍ଟାଘଣ୍ଟା ଧରି ବନ୍ଦ ହେଲା ନାହିଁ । ରବିର ବିୟୋଗ ତାଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଦୁଃଖୀ କରିଦେଇଗଲା ।

 

ରବିର ମୃତ୍ୟୁ ସଂବାଦ ପାଇବା ପରେ କିଛି ନ ଘଟିଥିଲା ପରି ମୁଁ ମୋ କର୍ତ୍ତବ୍ୟ ପାଳନ କରିବାକୁ ତା’ ମାମୁଁଘର ପାଖ ଦେଇ ସ୍କୁଲରେ ପହଞ୍ଚିଲି । ରୁଟିନ ବନ୍ଧା ନିୟମରେ ତଳ ଶ୍ରେଣୀରେ ଇଂରାଜୀ ପଢ଼ାଇସାରିବା ପରେ ଏକାଦଶ ଶ୍ରେଣୀର ସାହିତ୍ୟ ପଢ଼ାଇବାକୁ ଶ୍ରେଣୀକକ୍ଷ ମଧ୍ୟରୁ ଗଲି-। ସେଦିନ ପାଠ୍ୟ ଥାଏ ତ୍ୟାଗୀ ଗୋପବନ୍ଧୁ । ଅବଚେତନର ସବୁ କୋହକୁ ଚାପିଚୁପି ବିଷୟଟି ପଢ଼ାଇଦେଲି । ବ୍ୟାଖ୍ୟାସ୍ଥାନୀୟ ପଂକ୍ତିଗୁଡ଼ିକର ବିଶଦାର୍ଥ ବୁଝାଉ ବୁଝାଉ-“ଦୁଃଖକଷ୍ଟର ଅଗ୍ନିଦାହ ମଧ୍ୟରେ ମହାପୁରୁଷମାନଙ୍କର ଜୀବନ ଶୁଦ୍ଧ ସୁବର୍ଣ ତୁଲ୍ୟ ଜାଜ୍ୱଲ୍ୟମାନ ହୁଏ”-ଅଶଂଟି ବ୍ୟାଖ୍ୟା ମଧ୍ୟରେ ଆସିଲା । ଏହାର ପୂର୍ବାପର ସମ୍ବନ୍ଧରେ ଗୋପବନ୍ଧୁଙ୍କର ପୁତ୍ରବିୟୋଗର ସୂଚନା ଦେଉଦେଉ ମୋର ବାକ୍ରୋଧ ଘଟିଲା ଓ ଶ୍ରେଣୀକକ୍ଷ ମଧ୍ୟରେ ମୁଁ କାନ୍ଦି ପକାଇଲି । ଏହାପରେ ସଂକ୍ଷେପରେ ପିଲାମାନଙ୍କୁ ଏ କ୍ରନ୍ଦନର କାରଣ ଜଣାଇ ମୁଁ ଶ୍ରେଣୀଗୃହରୁ ବିଦାୟ ନେଲି ।

 

ପାଠିତ ବିଷୟ ସହିତ ଏକାମୂଢ଼ା ଓ ଭାବ-ସାମ୍ୟ (Association of ideas) ହେତୁ ଏହା ଘଟିଲା ବୋଲି ମୁଁ ପରେ ଅନୁଭବ କଲି । ଯାହା ହେଉ ଭଗବାନଙ୍କ ଦୟାରୁ କ୍ରମେ କ୍ରମେ ଏ ଦୁଃଖର ଦାଉକୁ ମୁଁ ଭୁଲିବାକୁ ଚେଷ୍ଟା କଲି । ଏହି ସମୟରୁ ମୂର୍ତ୍ତିପୂଜା ପ୍ରତି ମୋର ଶ୍ରଦ୍ଧା ତୁଟି ଆସିଲା ଓ ମୁଁ ଏକେଶ୍ୱରବାଦର ଉପାସକ ହୋଇ ଉଠିଲି । ଗାଉଁଲି ସମାଜରେ ଲୋକମାନେ ଏଇଥିପାଇଁ ପ୍ରଥମେ ପ୍ରଥମେ ମୋତେ ସନ୍ଦେହ ଦୃଷ୍ଟିରେ ଦେଖିଲେ ମଧ୍ୟ ମୋର ପୂଜ୍ୟସ୍ପଦ ଧର୍ମଗୁରୁ ମୋତେ ଏଥିପାଇଁ ଖୁବ୍ ତାରିଫ୍ କଲେ ।

 

ଏହାପରେ ଆସିଲା ସୀମା-ଆନ୍ଦୋଳନ । ପୁରୀ, କଟକ ଓ ବ୍ରହ୍ମପୁର ଇତ୍ୟାଦିରେ ବଡ଼ ଧରଣର ହଇଚଇ ଏବଂ ଗୁଳିକାଣ୍ଡ ଘଟିଗଲା । ମଫସଲି ଅନୁଷ୍ଠାନଟିରେ ଏହା ମୋ ଛାତିରେ ଚାଉଁ ଚାଉଁ ହୋଇ ବାଜୁଥାଏ । ନବ ବାବୁଙ୍କ ମନ୍ତ୍ରିମଣ୍ଡଳ କାଳରେ କଲେଜ ଦରମା ମାସିକ ଆଠଅଣା ବଢ଼ାଇ ଦିଆଯାଇଥିବାରୁ ଭାରୀ ଗୋଟାଏ ଗଣ୍ଡଗୋଳ ଉପୁଜିଥିଲା । ପୁଲିସ ଜୁଲମ୍, ଲାଠିଚାଳନା ଏବଂ ଗୁଳିଗୁଳାର ଭୟପରେ ଆମ ଆନ୍ଦୋଳନକୁ ଦବାଇବା ସମ୍ଭବ ନ ହେବାରୁ ପୂର୍ବାଞ୍ଚଳର ସୈନ୍ୟ ବାହିନୀକୁ ଡକାଯାଇଥିଲା । ପ୍ରାୟ ମାସେ ଦୁଇମାସଧରି ରେଭେନ୍‍ସା କଲେଜ ହତା ସୈନ୍ୟ ଛାଉଣୀରେ ପରିଣତ ହେଲା । ସେତେବେଳେ ଯେଉଁମାନେ ଆମ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ସେମାନେ ସମସ୍ତେ ଆଜି ଓଡ଼ିଶାରେ ସୁପ୍ରତିଷ୍ଠିତ । ଏ ଯୁଗରେ ଭଡ଼ାଟିଆ କର୍ମୀମାନେ ପଇସା ଲୋଭରେ ଶଏ ନେତା ଫେରବଦଳ କରି ପାରୁଛନ୍ତି, ଏବଂ ଆବଶ୍ୟକ ପଡ଼ିଲେ ଏକ ନେତା ଫେରବଦଳ କରି ପାରୁଛନ୍ତି, ଏବଂ ଆବଶ୍ୟକ ପଡ଼ିଲେ ଏକ ନେତା ବୁକୁରେ ଛୁରାଭୂଷି ଆଉ ଏକ ନେତାର ବାନାତଳେ ଆଶ୍ରୟ ନେଉଛନ୍ତି । ଆମ ସମୟରେ ଏହା କ୍ୱଚିତ୍ ଦେଖାଯାଉ ଥିଲା । ଦଳମତ ନିର୍ବିଶେଷରେ ଆମେ ଆମର ତତକାଳୀନ ନେତା ସର୍ବଶ୍ରୀ ରାଜେନ୍ଦ୍ର ପ୍ରସାଦ ଦାସ, ଅଖିଳ ମୋହନ ପଟ୍ଟନାୟକ, ପ୍ରବୀର ପାଲିତ ଓ ନେତ୍ରୀ ଶ୍ରୀମତୀ ନନ୍ଦିନୀ ପ୍ରାଣିଗ୍ରାହୀଙ୍କ ପ୍ରତି ସମାନ ଆନୁଗତ୍ୟ ଦେଖାଉଥିଲୁ । ଲାଠିଚାର୍ଜରେ ନନ୍ଦିନୀ ଦେବୀଙ୍କ ମୁଣ୍ଡ ଫାଟିଲା ପରେ ଓ ରାଜେନ୍ଦ୍ର ବାବୁ, ଅଖିଳବାବୁ ତଥା ପ୍ରବୀର ବାବୁଙ୍କୁ ଜେଲଭ୍ୟାମରେ ବସାଇ ନିରୁଦ୍ଦିଷ୍ଟ କରାଯିବା ପରେ ଆମ୍ଭେମାନେ ଜୀବନ ପଣ କରି ଆନ୍ଦୋଳନରେ ଲାଗିପଡ଼ିଲୁ । ମୋର କେତେକ ସହପାଠୀ ଜେଲ ଭୋଗିଲେ ।

 

ସେ ସୌଭାଗ୍ୟ ମୋର ଜୁଟିଲା ନାହିଁ । ରେଭେନ୍‍ସା କଲେଜରେ ଥିବା ଆସେମ୍ଲି ହଲ୍ ସାମନାରେ ଆମ୍ଭମାନଙ୍କୁ ଘଉଡ଼ାଇବା ପାଇଁ ପ୍ରଥମେ ହୋସ୍ ପାଇପାରେ ପାଣି ଛଡ଼ାଗଲା । ତାହାପରେ ଲାଠି ଚାଳନା ଓ ତାହାପରେ ଆରମ୍ଭ ହୋଇଗଲା ‘ବ୍ଲାଂକ ଫାୟାଚିଂ’ । ଆମେ ସବୁ ଛିନ୍‌ଛତର ହୋଇ ଦୌଡ଼ୁଥିବା କାଳରେ ମୋ ପିଉସାପୁଅ ଭାଇ କଟକ ଆସିଥିବାର ଦେଖିଲି । ତାଙ୍କୁ ମୁହଁଲୁଚା ଦେଇ ଆନ୍ଦୋଳନରେ ଅଧିକ ବାଟ ଆଗେଇବାକୁ ମୁଁ ଗାଁ’କୁ ଗଲି ନାହିଁ । ଛାତ୍ରସମାଜର ଦାବୀ ହାସଲ କରିବା ଲାଗି ଯେ କୌଣସି ମୂଲ୍ୟ ଦେବାକୁ ଆମେ ସବୁ ପ୍ରସ୍ତୁତ ଥାଉ-

 

ଇତି ମଧ୍ୟରେ ଏ ଆନ୍ଦୋଳନର ଗୋଟାଏ ସନ୍ତୋଷଜନକ ସମାଧ ନ ହୋଇଗଲା । ସାଙ୍ଗ ସାଥିମାନଙ୍କ ପରି ଜେଲଯିବା ଏବଂ ସମୂହ ସ୍ଵାର୍ଥ ସକାଶେ ଆହୁରି ଅଧିକ ନିର୍ଯ୍ୟାତନା ସହିବା, ମୋ କପାଳରେ ଘଟିଲା ନାହିଁ । ତେଣୁ ମନଭିତରେ ଗୋଟାଏ ଅବଶୋଷ୍ ରହିଗଲା ।

 

ସୀମା ଆନ୍ଦୋଳନରେ ସେ ଅବଶୋଷ ମେଣ୍ଟାଇବା ପାଇଁ ମୁଁ ସ୍ଥାନୀୟ ହାଟ ପଡ଼ିଆରେ ବେଶ୍ ଗରମାଗରମ ବକ୍ତୃତା ଦେଲି । ରମାନାଥ ବାବୁ ମୋତେ ସମର୍ଥନ କରୁଥାନ୍ତି । ମୋର ଅଜାଶୁର କାଶୀବାବୁଙ୍କୁ ଏହା ଚକ୍ଷଶୂଳ ହେବାରୁ ମୁଁ ଓ ରାମାନାଥ ବାବୁ ତତ୍କକ୍ଷଣାତ୍ ସ୍କୁଲର ଶିକ୍ଷକ ପଦରୁ ଇସ୍ତଫା ଦେଲୁ । ଆନ୍ଦୋଳନର ତାତି କମିଯିବା ପରେ ଆମେ ଆଉ ସ୍କୁଲକୁ ନଫେରି ସତ୍ୟବାଦୀ ବକୁଳବନ ଢାଞ୍ଚାରେ ଗୋଟିଏ ଆଦର୍ଶ ବିଦ୍ୟାଳୟ ଗଢ଼ିବା ଆଶାରେ ଏଠିକାର ଆଖପାଖ ଅଞ୍ଚଳରେ ଘୁରି ବୁଲିଲୁ । ମୋ ବାପାଙ୍କଠାରୁ ଏଥିନିମନ୍ତେ ସମ୍ମତି ମିଳିଥିଲେ ମଧ୍ୟ ରମାନାଥ ବାବୁଙ୍କର ଅଭିଭାବକମାନେ ଏ ଦିଗରେ ଆମକୁ ଆଦୌ ସମର୍ଥନ କଲେ ନାହିଁ । ଅପର ପାର୍ଶ୍ଵରେ ଆମ ଇସ୍ତଫାପତ୍ର ପ୍ରତ୍ୟାହାର କରିନେବା ପାଇଁ ସ୍କୁଲର ‘ପରିଚାଳନାକମିଟି’ ଆମ ଉପରେ ବେଶ ବନ୍ଧୁତ୍ୱପୂର୍ଣ୍ଣ ନୈତିକ ଚାପ ପକାଇଲେ । ସୁତରାଂ, ଅନିଚ୍ଛା ସତ୍ତ୍ଵେ ପୁଣି ଆମେ ଆମର ପୁରାତନ କର୍ମଭୂଇଁକୁ ଫେରିଆସିଲୁ ।

 

ଏଠିଥିବା ଅବସ୍ଥାରେ ବିନୋବାଙ୍କର ଭୂଦାନ ବିପ୍ଳବରେ ମୁଁ ମାସେ ଅଧେ କର୍ମୀ ହେବାର ସୁଯୋଗ ପାଇଥିଲି । ଏଥିରୁ ଯେଉଁ ଅନୁଭୂତି ମିଳିଲା, ତାହା ଭବିଷ୍ୟତ ଜୀବନରେ କମ୍ ସହାୟକ ହେଲା ନାହିଁ ।

 

ଆମ ତ୍ରୟୀ ମଧ୍ୟରୁ ପାଢ଼ୀବାବୁ ଏ ସମୟରେ B.Ed. ପାଇଁ ଆମକୁ ଛାଡ଼ି କଟକ ଚାଲିଲେ । ଫଳତଃ, ପ୍ରଧାନ ଶିକ୍ଷକ ପଦ ଖାଲି ପଡ଼ିଲା । ମୋତେ ତହିଁରେ ଭର୍ତ୍ତି କରିବାକୁ ବିଦ୍ୟାଳୟର ସଂପାଦକ ତଥା ମୋର ଅଜାଶୁର କାଶୀବାବୁ ଖୁବ୍ ବେଶୀ ଆଗ୍ରହୀ ଥିଲେ । କିନ୍ତୁ ‘କ୍ଷମତା’କୁ ମୁଁ ସବୁବେଳେ ଦୂରରୁ ଜୁହାର କରୁଥିବାରୁ ଗଲାଆଇଲାବେଳେ (ଅଧ୍ୟାପକ ହେବାର ବେଳ ପାଖେଇ ଆସୁଥିବାରୁ) ସେ ଦାୟିତ୍ଵ ନେବାକୁ ଅମଙ୍ଗ ହେଲି । ଉପରନ୍ତୁ, ଆସନ ଓ ଆସନରେ ବସୁଥିବା ଲୋକର ଭିନ୍ନ ଭିନ୍ନ କା’ ବିଷୟରେ ଏ ଦେଶର ଲୋକେ ଆଜିସୁଦ୍ଧା ଅବହିତ ନଥିବାରୁ ମୁଁ ଜାଣିଶୁଣି କଣ୍ଟାର ସେ ମୁକୁଟ ପିନ୍ଧିବାକୁ ଇଚ୍ଛା କରୁନଥିଲି । ଏହାଦ୍ୱାରା କାଶୀବାବୁ ଓ ମୋ ମଧ୍ୟରେ ଥିବା ବ୍ୟକ୍ତିଗତ ସଂପର୍କ କାଳକ୍ରମେ ତିକ୍ତହେବାର ଯେଉଁ ଆଶଙ୍କା ବିଷୟରେ ମୁଁ ତାଙ୍କୁ ସତର୍କ କରାଇ ଦେଇଥିଲି, ତାହା ବାସ୍ତବରେ ଘଟିଲା ବେଳେ ସେ ମୋର ଭବିଷ୍ୟତ୍ ବାଣୀର ଅର୍ଥ ବୁଝିଲେ ।

 

ଯାହାହେଉ ଅବସ୍ଥା ଚକ୍ରରେ ପଡ଼ି ମୁଁ ପ୍ରଧାନ ଶିକ୍ଷକ ଦାୟିତ୍ଵ ନେଲି । କିନ୍ତୁ ଏ ଦାୟିତ୍ଵରେ ରହିବାର କିଛି ଦିନପରେ ମୁଁ ଲକ୍ଷକଲି ଯେ ମୋର ଅନୁଜକଳ୍ପ ରମାନାଥ ଓ ମୋ ଭିତରେ ବ୍ୟବଧାନର ପ୍ରାଚୀର ଗଢ଼ିଉଠୁଛି । ସଂପାଦକଙ୍କର ମନମୁଖୀ କାରବାରରେ ବିଦ୍ୟାଳୟର ଆର୍ଥିକ ପରିସ୍ଥିତି ଦିନକୁ ଦିନ ଟଳମଳ ହେଉଛି । ପାଢ଼ୀବାବୁଙ୍କ ବେଳେ ଘଟିଥିବା ବହୁ ଅସଙ୍ଗତି, ବେନିୟମ ଓ ଆର୍ଥିକ ବିଶୃଙ୍ଖଳାକୁ ମୁଁ କାଗଜଚକ୍ରରେ ଦେଖିବାକୁ ପାଇ ଅତ୍ୟନ୍ତ ମର୍ମାହତ ହେଲି । ସଂପାଦକଙ୍କ ଅଜ୍ଞାତରେ ଯେ ଏହା ଘଟିନାହିଁ, ତାହାର ଭୂରି ଭୂରି ପ୍ରମାଣ ମଧ୍ୟ ମୁଁ ଦାୟିତ୍ଵ ନେବା ମାତ୍ରେ ଜାଣିପାରିଲି । ବିଶେଷତଃ ଏ ଅନୁଷ୍ଠାନଟିକୁ ଏକ ପୈତୃକ ମାହାଲ ବା ରାଜଗାଦୀ ଭାବରେ ବ୍ୟବହାର କରିବାକୁ କାଶୀବାବୁଙ୍କର ଯେଉଁ କାରସାଦି, ତାହା ମୋତେ ପ୍ରଧାନଶିକ୍ଷକ ଭାବରେ ତାଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ବାଧ୍ୟକଲା । ସ୍କୁଲଟିକୁ ସରକାରୀ ପରିଚାଳନାକୁ ଛାଡ଼ିଦେବାପାଇଁ ମୁଁ ସେତେବେଳେ ସମସ୍ତ ଉଦ୍ୟମ କରିଥିଲେହେଁ ସେ ଓ ତାଙ୍କ ଗୋଡ଼ାଣିଆ ଅଳ୍ପ କେତେଜଣ ମୁନାଫାଖୋର ବ୍ୟକ୍ତିଙ୍କର ଷଡ଼ଯନ୍ତ୍ର ଯୋଗୁଁ ତାହା ସମ୍ଭବ ହୋଇପାରିଲାନାହିଁ ।

 

ସର୍ବସାଧାରଣ ସଂପତ୍ତିର ଏ ମନମୁଖୀ ବ୍ୟବହାର ମୋତେ ବଡ଼ ବାଧିଲା । ତେଣୁ ପରିଚାଳନା କମିଟିର ପ୍ରତ୍ୟେକ ମିଟିଂରେ ମୁଁ ଏ ବିଷୟରେ ପ୍ରଶ୍ନକରି ତାଙ୍କର ଅସଲ ମୁଖା ଖୋଲି ଦେବାକୁ ବାଧ୍ୟହେଲି । ମୋ ପଛରେ ପରିଚାଳନାର ନବେଭାଗ ସମର୍ଥନ ରହିଥିବାରୁ ସେ ଶେଷକୁ ବଡ଼ ଅପ୍ରତିଭ ହୋଇ ମୋତେ ଏଠୁ ବିଦାୟ ଦେବାପାଇଁ ଦଳେ ନଷ୍ଟଚରିତ୍ର ବ୍ୟକ୍ତିଙ୍କୁ ମୋ ପଛରେ ଲଗାଇଲେ । କିନ୍ତୁ ତହିଁରେ କିଛି ଫଳ ନହେବାରୁ ପ୍ରଧାନଶିକ୍ଷକ ଆସନ ଛାଡ଼ିଦେବାକୁ ସେ ଦିନେ ଅତି ଅସହାୟ ଭାବରେ ମୋତେ ଅନୁରୋଧ ଜଣାଇଲେ । ପ୍ରଧାନ ଶିକ୍ଷକ ଆସନ ବାହାରେ ମୁଁ ଏଯାଏ ତାଙ୍କୁ ଅଜାଶୁରର ସମ୍ମାନ ଦେଇ ଆସୁଥିବାରୁ ତାଙ୍କୁ ମୋର ପୂର୍ବବାଣୀ ସ୍ମରଣ କରାଇଦେଲି, ଓ ମୁଁ ଏ ଅନୁଷ୍ଠାନର ଭବିଷ୍ୟତ ନିଷ୍କଣ୍ଟକ କରି ଖୁବ୍ ଶୀଘ୍ର ଏଠୁଁ ବିଦାୟ ନେଉଛି ବୋଲି ଶୁଣାଇଦେଲି ।

 

ଅଣଷଠୀର ଏକ କ୍ଳାନ୍ତ ସଂଧ୍ୟାରେ ମୁଁ ଏ ଅନୁଷ୍ଠାନ ଛାଡ଼ିଲି । ମୋ ପରେପରେ ଏହାର ପରିଚାଳନାରେ ଘୋର ପରିବର୍ତ୍ତନ ଘଟିଲା । ବସ୍ତୁତଃ, ଏହା ଆଉ ମୋ ଅଜାଶୁର ବଂଶର ଜାୟଗିରି ବା ଜମିଦାରୀ ନହୋଇ ଏକ ସର୍ବସାଧାରଣ ଅନୁଷ୍ଠାନରେ ପରିଣତ ହେଲା, ଏବଂ ଯେ କେହି ବ୍ୟକ୍ତି ଏହାର ସଂପାଦକ ହୋଇପାରିଲେ । ସ୍ଥୂଳତଃ, ଆଦର୍ଶର ହୁରି ପକାଇବା ଓ ବ୍ୟକ୍ତିଗତ ସଂପର୍କ ଭୁଲି ଆଦର୍ଶ ପାଳନ କରିବା, କେଡ଼େ କଷ୍ଟକର ତାହା ଏହି କାଳରେ ମୁଁ ମର୍ମେ ମର୍ମେ ଅନୁଭବ କଲି ।

Image

 

ନୂଆ ଜୀବନର ଡାକରା

 

ଜୟରାମ ଉଚ୍ଚବିଦ୍ୟାଳୟ ଛାଡ଼ିବା ପରେ ମାସେ ଅଧେ ମୁଁ ଗାଁରେ ରହିଲି । ଗାଁ’ ରହଣି ପୂର୍ବରୁ କଟକର ଖ୍ରୀଷ୍ଟକଲେଜ ଓ ଢେଙ୍କାନାଳ କଲେଜରେ ଓଡ଼ିଆ ଅଧ୍ୟାପକ ପଦ ପାଇଁ ଦରଖାସ୍ତ ପକାଇଥାଏ । ଢେଙ୍କାନାଳ କଲେଜର ଇଣ୍ଟରଭିଉ ମଧ୍ୟ ବଢ଼ିଥାଏ । କୁଆଡ଼ୁ କିଛି ନଆସିଥିବାରୁ ମନଟା ଗୋଳେଇ ଘାଣ୍ଟି ହେଉଥାଏ । ବାପା କିନ୍ତୁ ଭବିଷ୍ୟତ୍‍ଦର୍ଶୀ । ସେ ଠୋ’ ପଡ଼ିଲାପରି ଅନେକ କଥା କହିଦିଅନ୍ତି ଯାହା ସତକୁ ସତ ବାଜିଯାଏ । ମୋର ବିମର୍ଷତା ଲକ୍ଷ୍ୟକରି ସେ ଅଶ୍ଵାସନା ଦିଅନ୍ତି–“ଚିନ୍ତା କାହିଁକି କରୁଛୁ ବାପ ! ଏତେଆଡ଼ୁ ଏକାବେଳକେ ଚାକିରି ପାଇଁ ଡାକରା ଆସିବ ଯେ ତୁ କେଉଁଠିକି ଯିବୁ କିଛି ଠିକ୍ କରିପାରିବୁ ନାହିଁ ।”

 

ତାହାହିଁ ହେଲା । ଢେଙ୍କାନାଳ କଲେଜରେ ଯୋଗଦେବାପାଇଁ ଜୁଲାଇ ଶେଷ ଆଡ଼କୁ ଏକ ତାରବାର୍ତ୍ତା ଓ ପତ୍ର ପାଇଲି । ଏହାର ମାସକ ପରେ ଖ୍ରୀଷ୍ଟ କଲେଜରୁ ଅନ୍ୟ ଏକ ପତ୍ର । ଢେଙ୍କାନାଳ କଲେଜର ଡାକରା ମାସକ ଆଗରୁ ହୋଇଥିବାରୁ ସେଠି ଯୋଗଦେଲି ।

 

ଢେଙ୍କାନାଳରେ ବିଭିନ୍ନ ପଞ୍ଚାୟତ ଓ ସ୍ଥାନୀୟ ଆଇନଜୀବୀ ମାନଙ୍କର ପ୍ରବଳ ଉତ୍ସାହ ମଧ୍ୟରେ ୧୯୫୯ ମସିହାରେ ଏ କଲେଜ ନୂଆକରି ଖୋଲିଥାଏ । ଏ କଲେଜର ଏକମାତ୍ର ଓଡ଼ିଆ ଅଧ୍ୟାପକ ପଦଲାଗି କଟକର ଏକ ବର୍ଷଣାତୁର ଅପରାହ୍ନରେ ୪୮ଜଣ ପ୍ରାର୍ଥୀ ମେଳରେ ମୋତେ ଇଣ୍ଟରଭିଉ ଦେବାକୁ ହୋଇଥିଲା । ସେତେବେଳେ ଏହା ପାଇବାର ଆଶା ମୋର ଅଦୌ ନଥିଲା । କାରଣ କଲେଜ ସେକ୍ରେଟାରିଙ୍କର ମନୋନୀତ ପ୍ରାର୍ଥୀ ଆମ ସଙ୍ଗରେ ଇଣ୍ଟରଭିଉରେ ଯୋଗ ଦେଇଥାନ୍ତି । ଭୂତପୂର୍ବ ଡି.ପି.ଆଇ. ଶ୍ରୀଯୁକ୍ତ ବାମାଚରଣ ଦାସଙ୍କର ଅଧ୍ୟକ୍ଷତାରେ ତାହାଙ୍କର ସରକାରୀ ବାସ ଭବନରେ ଏ ଇଣ୍ଟରଭିଉ ଅନୁଷ୍ଠିତ ହୋଇଥିଲା । ଜୟରାମ ଉଚ୍ଚ ବିଦ୍ୟାଳର ଭବିଷ୍ୟତ୍ ନିଷ୍କଣ୍ଟକ କରିବାକୁ ଯାଇ ମୁଁ ଏହାର ବାହାର ଭିତର ଶିକ୍ଷା ବିଭାଗର ତଦାନୀନ୍ତନ ସମସ୍ତ ଉଚ୍ଚ କର୍ମକର୍ତ୍ତାଙ୍କୁ ଗୋପନୀୟ (Confidential) ପତ୍ର ମାଧ୍ୟମରେ ଜଣାଇ ଦେଇଥିଲି । ସେ ଜରିଆରେ ବାମା ବାବୁ ମୋତେ ମନେ ରଖିଥୁବାର ପରିଚୟ ମୁଁ ପରେ ପାଇଲି ।

 

ପୂର୍ବରୁ କହିଛି ଢେଙ୍କାନାଳ କଲେଜ ଆରମ୍ଭ ହୋଇଥିଲା ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ । ଅଧ୍ୟାପକ ମାନେ କଲେଜରେ ଯୋଗ ଦେବାକୁ ଆସିଲାବେଳେ ଅନ୍ତରିକ ସଂବର୍ଦ୍ଧନା ସହ ସେମାନଙ୍କୁ ରେଳ ଷ୍ଟେସନରୁ ପାଛୋଟି ନିଆଯାଉଥିଲା । କଲେଜ ତରଫରୁ ବ୍ୟବସ୍ଥିତ ଗୃହରେ ସେମାନଙ୍କୁ ଆଶ୍ରୟ ଦିଆଯାଉଥିଲା ଓ ସଂପାଦକ ସୁରବାବୁ (ସ୍ଥାନୀୟ ବିଖ୍ୟାତ ଆଇନଜୀବି) ସଞ୍ଜେ ସକାଳେ ସେମାନଙ୍କର ସୁବିଧା ଅସୁବିଧାର ଖବର ନେଉଥିଲେ । ଅଧ୍ୟାପକମାନଙ୍କୁ ଅଗ୍ରୀମ ବେତନ ଦେବାର ସୌଜନ୍ୟରେ ଢେଙ୍କାନାଳ କଲେଜ ହୁଏତ ଅଦ୍ୱିତୀୟ । ଏହା ଭିନ୍ନ, ମୌସୁମୀ ଆରମ୍ଭରେ ଭୂରୁ ଭୂରୁ ଗନ୍ଧଭରା, ମାଳତୀ-ନିବିଡ଼ ଢେଙ୍କାନାଳ ରେଳ ଷ୍ଟେସନରେ ମନ ମତାଣିଆ ପରିବେଶ, ‘କୁଞ୍ଜକାନ୍ତ’ର ଆକର୍ଷଣ ଏବଂ ଢେଙ୍କାନାଳ ସହରର ବୁଦ୍ଧିଜୀବୀ ମହଲର ଅତିଥେୟତା ଓ ଛାତ୍ର ଛାତ୍ରୀ ମାନଙ୍କର ଆଗ୍ରହ, ଆନ୍ତରିକତା ତଥା ସ୍ନେହ-ସଂପ୍ରୀତି ମୋତେ ଉକ୍ତ କଲେଜ ସହିତ ଏକାତ୍ମ କରିଦେଇଥିଲା । ତେଣୁ ମାତ୍ର ଅଣତିରିଶଟି ଦିନ ଅବସ୍ଥାନ (୨୭-୭-୫୯ ରୁ ୨୪-୮-୫୯ ମଧ୍ୟରେ ସରକାରୀ ଚାକିରି ପାଇ ମଧ୍ୟ ମୁଁ ଉକ୍ତ କଲେଜ ଛାଡ଼ିବାକୁ ରାଜି ନଥିଲି । ଅବଶ୍ୟ ମୁଁ ସେ କଲେଜରୁ ବିଦାୟ ନେବାର ଅଳ୍ପ କେତୋଟି ମାସ ପରେ ଏ ପରିସ୍ଥିତି ବଦଳିଗଲା ଓ ଆଜିକାଲିର ଘରୋଇ କଲେଜରେ ଦେଖାଯାଉଥିବା ଭୟଙ୍କର ବାୟୁମଣ୍ଡଳ ଏବଂ କୁତ୍ସିତ ରାଜନୀତିର ପଶାପାଲି ସେଠି ଆରମ୍ଭ ହୋଇଥିଲା ।

 

ଯାହାହେଉ ଏହି ଅଳ୍ପ ଦିନର ସଂପର୍କ ମଧ୍ୟରେ ସୁରବାବୁ ଆମ୍ଭମାନଙ୍କର ଅତ୍ୟନ୍ତ ପ୍ରିୟ ହୋଇଉଠିଥିଲେ । ଦିନେ ସାଂଧ୍ୟଭ୍ରମଣ ସମୟରେ ସେ ଓଡ଼ିଆ ଅଧ୍ୟାପକ ଇଣ୍ଟରଭିଉ ଦିନ ମୋ ନେଇ ବୋର୍ଡରେ ହୋଇଥିବା ଗୋପନୀୟ ଆଲୋଚନାର ସମସ୍ତ ବିଷୟ ମୋ ଆଗରେ ପ୍ରକାଶ କରିଦେଲେ । ଏଥିରୁ ମୁଁ ଯାହା ଜାଣିଲି, ବାମାବାବୁ ମୋତେ ପଚାରିଥିବା ସଂକ୍ଷିପ୍ତ ପ୍ରଶ୍ନ ଗୁଡ଼ିକର ସଂକ୍ଷିପ୍ତ ଉତ୍ତରରୁ ସୁରବାବୁ ଓ ଢେଙ୍କାନାଳ ଜିଲାପାଳଙ୍କର ମୋ ବିଷୟରେ ଏକ କିଂଭୁତକିମାକାର ଧାରଣା ଜନ୍ମିଥିଲା । ତେଣୁ ମୁଁ ସାକ୍ଷାତକାର-କକ୍ଷ ଛାଡ଼ିବା ପରେ ଜିଲ୍ଲାପାଳ ମହୋଦୟ ଡି.ପି. ଆଇ.ଙ୍କୁ ମୋ ସମ୍ଭନ୍ଧରେ ‘‘Why that youngman is so frustrated ?” (ସେ ଯୁବକଟି କାହିଁକି ଏତେ ବ୍ୟର୍ଥମନା ?) ବୋଲି ପ୍ରଶ୍ନ କରିଥିଲେ । ଶ୍ରୀଯୁକ୍ତ ଦାସ (ଡି. ପି. ଆଇ.) ପୂର୍ବୋକ୍ତ ପତ୍ରରୁ (Confidential) ମୋର ଅତୀତ ଜୀବନର ପରିଚୟ ପାଇଥିବାରୁ ତତ୍‍କ୍ଷଣାତ୍ ଉତ୍ତର ଦେଇଥିଲେ–‘No, No, you do not know him. He is a highly prospective youngman.’ ଇତ୍ୟାଦି । ଏହା ଭିତରେ ମୋର ଅଜାଶୁର ସଂପର୍କୀୟ ଜଣେ ସଂପାଦକ ନିକଟ ଅତୀତରେ ମୋତେ କିପରି ଧୋକ୍କା ଦେଇଛନ୍ତି ଏବଂ ଗତ ଛ’ଅଟି ବର୍ଷର କର୍ମ-ନିଷ୍ଠାର କିଭଳି ପୁରସ୍କାର ମୁଁ ପାଇଛି ପ୍ରଭୃତର ସଂକ୍ଷିପ୍ତ ବୃତ୍ତାନ୍ତ ସେ ତାଙ୍କୁ ଜଣାଇ ଦେବା ପରେ ସାକ୍ଷାତକାର କାଳରେ ଦେଇଥିବା ଉତ୍ତରର ଅସଲ ଇଙ୍ଗିତ ସେ ଦୁହେଁ (ସୁରବାବୁ ଓ ଜିଲାପାଳ । ବୁଝିବାକୁ ସମର୍ଥ ହୋଇଥିଲେ । ଉପରନ୍ତୁ ମୋତେ ମନୋନୀତ କରିବା ସଙ୍ଗେ ସଙ୍ଗେ ସେ (ଡି:ପି:ଆଇ: ମହୋଦୟ) ସୁରବାବୁଙ୍କୁ ସତର୍କବାଣୀ ଶୁଣାଇ କହିଥିଲେ–“Please see that the bitter chapter he has gone through at Karilopatana, is not repeated in your institution.”

 

ଢେଙ୍କାନାଳ କଲେଜରେ ଅଣତିରିଶିଦିନ ରହଣି, ସେଥିରେ ପୁଣି ଏକ ସାକ୍ଷାତକାରର ଅଭିଜ୍ଞତା, ଏ ସ୍ଥଳରେ ଉଲ୍ଲେଖ କରିବା ପରେ ମୋର ଯେଉଁ ଉତ୍ତରଗୁଡ଼ିକ ସେଦିନ ଇଣ୍ଟର୍ଭିଉ ବୋର୍ଡର ଦୁଇତୃତୀୟାଂଶ ସଭ୍ୟଙ୍କ ମନରେ ମୋ ନେଇ ଏକ ବିଚିତ୍ର ଧାରଣା ସୃଷ୍ଟି କରିଥିଲା, ତାହା ଜାଣିବାକୁ ମୋର ପାଠକପାଠିକାମାନେ କୌତୁହଳୀ ହେବା ସ୍ଵାଭାବିକ । ସେମାନଙ୍କର ଅବଗତି ପାଇଁ ସ୍ମୃତିର ସେ ଫର୍ଦ୍ଦଟି ଏଠାରେ ଉଦ୍ଧାର କରୁଛି :–

 

ଡି:ପି: ଆଇ: ମହାଶୟ ମୋତେ ପ୍ରଶ୍ନ କରିଥିଲେ–

 

“Well, youngman, I think you are a Headmaster in some high school ?”

 

ମୋର ଉତ୍ତର: “No Sir, I was. Now I have relinguished that chair.”

 

ଡି.ପି.ଆଇ. “Relinguished ! Why ? Are you sure of getting this job ?”

 

ମୋର ଉତ୍ତର : “Not at all. Still I think it is better to die once than to die in grains.”

 

ଏଠାରେ ଏ ସବୁର ବିସ୍ତୃତ ସୂଚନା ଦେବାର ଏକ ତାତ୍ପର୍ଯ୍ୟ ରହିଛି । କର୍ମନିଷ୍ଠାର ମୂଲ୍ୟ କେଉଁ ବାଟେନା କେଉଁ ବାଟେ ଆସେ–ଏ ଘଟଣାରୁ ଏଭଳି ଏକ ଧାରଣା ମୋ ମନରେ ଉପୁଜିଥିଲା । ଅଧିକନ୍ତୁ, ମୋ ସ୍ମୃତିର ଢେଙ୍କାନାଳ ଓ ଏବର ଘରୋଇ କଲେଜ ମଧ୍ୟରେ ଆକାଶ ପାତାଳର କି ପାର୍ଥକ୍ୟ ବିଦ୍ୟମାନ, ତାହା ଦର୍ଶାଇବା ମଧ୍ୟ ଏ ସୂଚନାର ଲକ୍ଷ୍ୟ । କର୍ମନିଷ୍ଠା କଥା କହିଲେ ଆଜିର ଏମ୍: ଏ:, ଏମ: ଏସ୍: ସି: ପାଶକରା ଯୁବକ-ଯୁବତୀମାନେ ହସି ଉଡ଼ାଇ ଦେଉଛନ୍ତି । କିନ୍ତୁ ଆଜିଠୁଁ ବାଇଶି/ତେଇଶି ବର୍ଷ ତଳେ ରାଜାରାଜୁଡ଼ା ଶାସନରେ ନିର୍ଯ୍ୟାତିତ, ତଥାକଥିତ ଅନ୍ଧାରିମୁଲକ ଢେଙ୍କାନାଳର ଏକ ଶିଶୁ ଅନୁଷ୍ଠାନରେ ଯାହା ମୋତେ ସଭିଙ୍କ ନିକଟରେ ଅତି ଆପଣାର କରିଦେଇଥିଲା, ତାହା କେବଳ କର୍ମତନ୍ମୟତା ବ୍ୟତୀତ ଅନ୍ୟ କିଛି ନୁହେଁ ଏ ଯୁଗରେ ତାହା ସ୍ଵପ୍ନ ହେଲାଣି ସରକାରୀ ଚାକିରି ଛାଡ଼ିବାପରେ ମୋ ଅଞ୍ଚଳର ଏକ ଘରୋଇ କଲେଜରେ ଛ’, ସାତମାସ ଅଧ୍ୟକ୍ଷତା କରି ଯେଉଁ ବିଚିତ୍ର ସ୍ମୃତି ନେଇ ଫେରିଲି, ସେ କଥା ଯଥା ସ୍ଥାନରେ କହିବି ।

Image

 

ଯାଯାବରର ଡାଇରୀ

 

ସତେଇଶି-ଆଠ-ଊଣେଇଶ ଅଣଷଠୀରେ ମୁଁ ସରକାରୀ ଚାକିରିରେ ଯୋଗଦେଲି । ଇଂରେଜ ଅମଳର ପ୍ରତାପଶାଳୀ ଷ୍ଟେଟ୍ ମୟୁରଭଞ୍ଜର ବାରିପଦାରେ ମୁଁ ସରକାରୀ ତକମା ପିନ୍ଧିଲି-। ବୟସ ସେତେବେଳକୁ ତିରିଶି । ମନଟା ବେଶ୍ ଭାବପ୍ରବଣ ଥାଏ । ଢେଙ୍କାନାଳ କଲେଜର ବହୁ ସ୍ନେହାଦ୍ର ଅନୁଭୂତି, ଢେଙ୍କାନାଳ ଷ୍ଟେସନରେ ବର୍ଷାଭିଜା ମାଳତୀର କେତେ କେଜାଣି ରୋମଞ୍ଚକର ସ୍ମୃତି ଓ ବାପାଙ୍କର ଲୁହବତୁରା ଆଖି ତୁହାଇ ତୁହାଇ ମୋର ମନେପଡ଼ୁଥାଏ-। ବାରିପଦାରେ ଯୋଗଦେବାର ମାସକ ପରେ ବାପା ଜାଣିଲେ । ଅତି କଷ୍ଟରେ ସେ ମୋତେ ଢେଙ୍କାନାଳ ଛାଡ଼ିଥିଲେ । ଏଥି ମଧ୍ୟରେ ମୁଁ ତାଙ୍କୁ ନଜଣାଇ ବାରିପଦା ଚାଲିଆସିଥିଲି-। ଜାଣିଥିଲେ ଏତେ ଦୂରକୁ ସେ ମୋତେ ଛାଡ଼ି ନଥାନ୍ତେ । ଆଗରୁ କହିଛି, ବୋଉ ମରିଯିବାପରେ ସେ ମୋର ବାପାବୋଉର ସ୍ଥାନ ଦଖଲ କରିଥିବାରୁ ତାଙ୍କ ନିକଟରେ ମୁଁ ଅତ୍ୟନ୍ତ ଦୁର୍ବଳ ଥିଲି । ଏ ହେତୁ ତାଙ୍କ ଇଚ୍ଛା ବିରୁଦ୍ଧରେ କୌଣସି କାର୍ଯ୍ୟ କରିବା, ମୋ ପକ୍ଷେ ଆଦୌ ସମ୍ଭବ ନଥିଲା ।

 

କେତେ ବୁଝାଇ ସିଝାଇ ଢେଙ୍କାନାଳ ଯିବା ସମୟରେ ସେ ତାଙ୍କର ସ୍ଵାଭାବିକ ରୀତିରେ ଆମ ଗାଁ’ର ଉତ୍ତରରେ ଥିବା ଲୁଣାନଦୀର ବନ୍ଧ ପର୍ଯ୍ୟନ୍ତ ମୋତେ ବଳେଇ ଦେବାକୁ ଆସିଥିଲେ । ଚାକିରି ଅନୁରୋଧରେ ମୁଁ ତାଙ୍କ ଠାରୁ ଦୂରକୁ ଚାଲିଯାଉଥିବାରୁ ସେ କି ମର୍ମନ୍ତୁଦ ଯନ୍ତ୍ରଣା ଲଭୁଛନ୍ତି, ତାହା ଅତି ନିଛଳ ଭାବରେ ସେ ମୋ ନିକଟରେ ପ୍ରକାଶ କରିଥିଲେ । ‘ଯେଉଁଠିକି ଯାଏ ସେ ସ୍ଥାନ ଛାଡ଼ିଲା ବେଳେ ସଭିଙ୍କ ଆଖିରୁ ମୋ ଲାଗି ସୋହାଗାର ଲୁହ ଝରିବା ଭଳି କାର୍ଯ୍ୟ କରିବାକୁ ସେ ମୋତେ ବାରମ୍ବାର ଉପଦେଶ ଦେଇଥିଲେ । ଚାକିରି ଜୀବନ ଶେଷଯାଏ ମୁଁ ତାଙ୍କର ସେ ଉପଦେଶରେ ଖିଲାପ କରିନାହିଁ ବୋଲି ମୋର ଧାରଣା । ହେଲେହେଁ ତାଙ୍କ ଭାଷାରେ ଜୀବନଟା ସାରା ସେ ରାମାୟଣର ଦଶରଥ ଓ ମୁଁ କୁଆଡ଼େ ରାମଚନ୍ଦ୍ର (?) ହୋଇ ରହିଗଲି । “ହା’ରାମ” ଶବ୍ଦ ତାଙ୍କ ତୁଣ୍ଡରୁ କେବେ ଛାଡ଼ିଗଲା ନାହିଁ । ମୋର ‘ଜୀବନ-ଯମୁନାରେ’ ଇତ୍ୟାଦି ଗଳ୍ପର ଅନ୍ତଃସ୍ଵରରେ ତାହାଙ୍କର ଅଶ୍ରୁଜର୍ଜର ଜୀବନର ପ୍ରତିଛବି ଲକ୍ଷ୍ୟ କରାଯାଇପାରେ ।

 

ମୋ ସ୍ଵୀକୃତି ଅନୁଯାୟୀ ଅନ୍ୟ କେଉଁ ଗୁଣରେ ନହେଲେ ମଧ୍ୟ ବାପାଙ୍କର ସଦାସର୍ବଦା ଚିନ୍ତାର କାରଣ ହେବାରେ ମୁଁ ରାମଚନ୍ଦ୍ରଙ୍କୁ ଟପିଗଲି ଓ ଆଦ୍ୟରୁ ପ୍ରାନ୍ତଯାଏ ମୋ ଜୀବନଟା ରାମଙ୍କ ତୁଲ୍ୟ ଅଶ୍ରୁପଖଳା ହୋଇ ଉଠିଲ । ଅବଶ୍ୟ ଏ ଅଶ୍ରୁ, ମୋତେ କର୍ତ୍ତବ୍ୟ କରିବାକୁ ପ୍ରେରଣ ଦେଲା, ସଭ୍ୟ ଲାଗି ସଂଗ୍ରାମ କରିବାକୁ ଶକ୍ତି ଦେଲା । ମୋ ଲେଖନୀରେ ଏହା ଗଳ୍ପ, ନାଟକର ରୂପନେଇ ଫୁଟି ଉଠିଲା । ବିଶେଷତଃ, ମୋ ପରି କ୍ଷୁଦ୍ର ମଣିଷଟିଏ ଆଜିସୁଦ୍ଧା ଜୀବନର ଶରଶଯ୍ୟାରେ ଯାହାକୁ ନେଇ ବଞ୍ଚିପାରିଲା, ତାହା ଏକ ଅଶ୍ରୁ-ଉତ୍ତଳା ପୁରବୀ ଭିନ୍ନ ଆଉ କିଛି ନୁହେଁ ।

 

ରବି ଚାଲିଯିବାପରେ ତା’ ମା’ ବୁକୁ ଫଟାଇ କାନ୍ଦିଲା; କିନ୍ତୁ ମୋର ଅବ୍ୟକ୍ତ ଅଶ୍ରୁ, ଝରିଲା ମୋ ଲେଖନୀରେ । ‘ଗଲାପୁତ୍ର ବାହୁଡ଼ି ନଇଲା’ (ଗଳ୍ପ) ଓ ‘କଳିଙ୍ଗ କବି’ (କାବ୍ୟ-ନାଟିକା, ପ୍ରଭୃତି ଏହି ପର୍ଯ୍ୟାୟର ସୃଷ୍ଟି, ଯେତେବେଳେକି ରିକ୍ତ ହୃଦୟରେ ମୁଁ ସାହିତ୍ୟକୁ ବଞ୍ଚିବାର ଏକମାତ୍ର ସମ୍ବଳ ରୂପେ ଧରି ନେଇଥିଲି ।

 

ଏ ଦୁଃଖ ଦୁର କରିବାକୁ ମୋ ପୁଅ କରିବାର ଅଳ୍ପ କେତୋଟି ବର୍ଷ ପରେ ଭଗବାନ ‘ଶେଲି’କୁ (ଶେଫାଳୀ) ଆମ ସଂସାରକୁ ପଠାଇଲେ । ମୋ ଅଧ୍ୟାପକ ଜୀବନର ଦଶ ଏଗାର ମାସ ପୂର୍ବରୁ ସେ ଏ ଧରଣୀକୁ ଆସିଲା । ଆମପାଇଁ ନିଶ୍ଚିତ ଭାବରେ ସେ ଦୈବାନୁଗ୍ରହର ଫଳ । ମୋର ଏକମାତ୍ର ଭଉଣୀର ବିବାହ ପରେ ଜାଗର ମେଳାକୁ ବାପାଙ୍କ ସଙ୍ଗରେ ମୁଁ କପିଳାସ ଯାଇଥିଲି । ସେଠି ଶିବଙ୍କ ଶିରରେ ବେଲପତ୍ର ଓ ପଳାଶଫୁଲ ଚଢ଼ାଉ ଚଢ଼ାର ମୋ ମନକୁ କାହିଁକି ଆସିଲା–‘‘ପ୍ରଭୁ ମହାକାଳ ! ମୋତେ ଭାଣିଜୀଟିଏ ଦିଅ ।”

 

ଯଥା ସମୟରେ ମୋର ବାଞ୍ଛା ପୂର୍ଣ୍ଣ ହେଲା । ଜନ୍ମର ତିନିମାସ ପରେ ଶେଲୀ ତା ମା’ ସଙ୍ଗରେ ଆମ ଘରକୁ ଆସି ଆମର ଝିଅ, ଭାଣିଜୀ ଓ ସବୁକିଛି ହୋଇ ରହିଗଲା । ତା’ ଜନ୍ମ ପରେ ମୁଁ ମୋର ବହୁ ଇପ୍‍ସିତ ଅଧ୍ୟାପନା ବୃତ୍ତିରେ ପ୍ରବେଶ କଲି । ତାହାର ଆଗମନରେ ଆମେ ରବି-ବିୟୋଗର ଶୂନ୍ୟତା ଏବଂ ଯନ୍ତ୍ରଣାକୁ ପ୍ରାୟ ଭୁଲିଗଲୁ କହିଲେ ଚଳେ ।

 

ଏ ବ୍ୟକ୍ତିଗତ ସଂଗତି ଛାଡ଼ି ନିରୋଳ ଚାକିରି ଜୀବନର କଥା କହିବସିଲେ, ପହିଲେ ପହିଲେ ଏ ବୃତ୍ତିଟା ଭାରୀ ପ୍ରାଣଛୁଆଁ ଲାଗୁଥିଲା । ଛାତ୍ର-ଛାତ୍ରୀ ଓ ବନ୍ଧୁ, ଗହଣରେ ବୁଡ଼ିଯିବାର ପ୍ରଚୁର ଉପାଦାନ ଥିଲା ଏ ପେଷାରେ । ଉପରନ୍ତୁ ଗ୍ରନ୍ଥାଗାର ବା ପାଠାଗାରକୁ ପଶିଗଲା ବେଳେ ପ୍ରାଣ ପୁରି ଉଠୁଥିଲା । ଆଜିକାଲି ପରି ଆଡହକ୍, ସେକେଣ୍ଡ୍, ଇଂକ୍ରିମେଣ୍ଟ୍, ଇ.ବି. ଲିଡ଼ରସିପ୍ ଓ ଜୁନିୟର, ସିନିଅରର ଭୂତ ଏତେ ଘାରୁ ନଥିଲା ଅଧ୍ୟାପକ ମାନଙ୍କୁ । ଛାତ୍ର-ଛାତ୍ରୀମାନେ ‘ବେକାରି’’ବେକାରି’ ଚିତ୍କାର କରି ପାଠଶାଠ ଏବଂ ପୂଜା ପୂଜାରେ ବ୍ୟତିକ୍ରମ କରୁନଥିଲେ । ତେଣୁ କଲେଜ ପରିସର, ଖେଳପଡ଼ିଆ, ସଭାସମିତି ଓ କଲେଜ-ମଂଚ, ସବୁ ଯେମିତ ଥିଲା ତାରୁଣ୍ୟରେ ଭରପୂର ।

 

ସରକାରଙ୍କର ବଦଳି-ନୀତିରେ ‘ମାରିନେଉଥିବେ ମହାପାତ୍ରେ, ଚାହିଁ ରହିଥିବେ ଜଳକା’ ମୋତେ ଯାହାକିଛି ଅସୁବିଧାରେ ପକାଇଥିବ । ଏହା ଭିନ୍ନ ଅଧ୍ୟାପାନାର ପ୍ରଥମ ଦଶକଟି ଆଉ ସବୁ ଦିଗରୁ ବେଶ୍‍ସ୍ଵଚ୍ଛନ୍ଦ ଥିଲା । ମାସକୁ ମାସ ଓଡ଼ିଶାର ରାଜକୋଷରୁ ନେଉଥିବା ଅର୍ଥରୁ ଦେଶର ତରୁଣ ସମାଜକୁ ମୁଁ କିଛି ଅଧିକା ଦେଉଛି, ଏ ଧାରଣା ସେତେବେଳେ ମୋ ଭଳି ଅନେକ ଅଧ୍ୟାପକଙ୍କର ଜନ୍ମିଥିବ ।

 

କିନ୍ତୁ ଦ୍ୱିତୀୟ ଦଶକଟି ବାସ୍ତବରେ ଯନ୍ତ୍ରଣାମୟ । ‘‘ଲଣ୍ଡନ୍‍ ବ୍ରିଜ ଫଲିଂ, ଫଲିଂ’’ର ବିପର୍ଯ୍ୟସ୍ତ ସ୍ଵର ସଙ୍ଗକୁ ଧ୍ୱଂସର (ଡେକାଡେନସ) ଭ୍ରୁକୁଟି ମୋତେ ଚୌଦିଗରେ ତୀବ୍ରବୋଧ ହେଲା-। ଶାନ୍ତି କାହିଁ, ସତ୍ୟ କାହିଁ, ଶକ୍ତି କାହିଁ ? -ଏ ଭାବନା ମୋତେ ଅହରହ ଅସ୍ଥିର କଲା । ପ୍ରୀୟାପ୍ରୀତି ତୋଷଣ, ତୋଷାମଦି ଓ ବ୍ୟଭିଚାର ଏତେବେଳକୁ କର୍ମନିଷ୍ଠାର ସ୍ଥାନ ଦଖଲ କରିଗଲାଣି ।

 

ପ୍ରଥମ ଦଶକରେ ଏହା ଯେ ଅଦୌ ନଥିଲି କହିବା ମୁସ୍କିଲ । ସରକାରୀ ଚାକିରି ଆରମ୍ଭର ମାତ୍ର ଦୁଇବର୍ଷ ଭିତରେ ମୁଁ ନିଜେ ଏହାର ଶିକାର ହୋଇ ଓଡ଼ିଶାର ଏକ ପ୍ରାନ୍ତରୁ (ବାରିପଦା) ଅନ୍ୟ ପ୍ରାନ୍ତକୁ (ପାରଳାଖେମୁଣ୍ଡି) ଯାତ୍ରା କରିଥିଲି । ଚାକିରିରେ ଜ୍ୟେଷ୍ଠ ମୋର ବନ୍ଧୁମାନେ ଏଭଳି ବଦଳିର ପ୍ରତିବାଦ ସ୍ୱରୂପ ଛୁଟିରେ ରହିବା ପାଇଁ ମୋତେ ପରାମର୍ଶ ଦେଇଥିଲେ । ମୁଁ କିନ୍ତୁ ଏହା ଉଚିତ ମନେକଲିନାହିଁ । ଶଗଡ଼ ଗୁଳା ଛାଡ଼ି ନୁଆରାସ୍ତା ଫିଟାଇବା, ମୋ ରୁଚିକୁ ବେଶ୍ ସୁହାଉଥିଲା । ମାନୁଛି, ଏଥିପାଇଁ ବହୁମୂଲ୍ୟ ଦେଇ ଚାଲିଛି ଆଜିଯାଏ । ଗୁଲାଧରି ଭୁଲିଥିଲେ ମଖମଲର ପାହାଡ଼ ଉପରେ ଜୀବନଟା ବେଶ୍ ଗଡ଼ି ଗଡ଼ି ଯାଇଥାନ୍ତା ସୁଖର ସମୃଦ୍ଧିରେ । ମୋ ସୃଷ୍ଟିଛଡ଼ା ସ୍ଵଭାବ, ଏହା କରାଇଦେଇ ନଥିଲେ । ଅଧିକନ୍ତୁ, ମୋ ଅଲକ୍ଷ୍ୟରେ ମୋର ବାସ୍ତବ ହତକାମୀ ଏବଂ ଗୁଣଗ୍ରାହୀ ଶ୍ରୀଯୁକ୍ତ ବ ମାଚରଣ ଦାସ (ତତ୍ କାଳୀନ ଡି: ପି: ଆଇ:) ଚାକିରୀ ଜୀବନରେ ଅବସ୍ଥା ସହିତ ସାମିଲ୍ ବା ‘ଆଡ଼ଜଷ୍ଟମେଣ୍ଟକୁ’ ଖୁବ୍ ତାରିଫ କରୁଥିଲେ-। ତାଙ୍କୁ ସନ୍ତୁଷ୍ଟ କରିବାପାଇଁ ନହେଲେ ମଧ୍ୟ ତାହାଙ୍କର ଏହି ଆଦର୍ଶର ଅନ୍ତର୍ନିହିତ ମାଧୁର୍ଯ୍ୟରେ ମୁଁ ବିଶେଷ ପ୍ରଭାବିତ ହୋଇଥିଲି ।

 

ଢେଙ୍କାନାଳ କଲେଜ ଇଣ୍ଟରଭିଉ କାଳରୁ ଆଜିଯାଏ ତାଙ୍କ ସହିତ କେବେ କେଉଁଠି ଦେଖା ହୋଇଗଲେ ସେ ତାଙ୍କର ପରିଚିତ ସ୍ଵରରେ “How are you, youngman” ? ବୋଲି ମୋତେ ପ୍ରଶ୍ନ କରନ୍ତି । ମୁଁ ଉତ୍ତର ଦିଏ–”Not yet out of the woods”–

 

“That is life, enjoy”–ଏ ହୁଏ ମୋ ପ୍ରତି ତାହାଙ୍କର ଅମର ଉପଦେଶ ।

 

ଏ ସବୁ ଦୃଷ୍ଟିରୁ ସାମାନ୍ୟ ବଦଳିଟାରେ ଦବିଯିବାକୁ ମୁଁ ମୋର ଆଯୋଗ୍ୟତା ବୋଲି ବିଚାରିଲି । ଦୂର ପଥର ମୋପାଇଁ ଏକ ସ୍ଵତନ୍ତ୍ର ଆକର୍ଷଣ ଥିଲା । କୌଣସି ସ୍ଥାନରେ ଦୁଇ ତିନି ବର୍ଷରୁ ଅଧିକ ସମୟ ରହିଗଲେ ଜୀବନଟା ମୋର ଚିଟଳ ଓ ଗତିହୀନ ବୋଧହେଉଥିଲା । ସୁତରାଂ ଏ ବଦଳିକୁ (ହେଉପଛେ ଏହା କୌଣସି ବିଭାଗୀୟ ବଂଧୁଙ୍କର ବହୁ ଦୌଡ଼ାଦୌଡ଼ିର ଫଳ ମୁଁ ଅନେକାଂଶରେ ସ୍ଵାଗତ କଲି । ଡେଲକାର-ନିଜ୍‍ଙ୍କର ଅମୂଲ୍ୟ ଉପଦେଶ ମଧ୍ୟ (*ଭାଗ୍ୟଦେବତା ଲେମ୍ବୁଟିଏ ଧରାଇଲେ ତାହାକୁ ଲେମୋନେଡରେ ପରିଣତ କରିବାକୁ ଚେଷ୍ଟାକର, ଅର୍ଥାତ ନିହାତି ଖରାପ ପରସ୍ଥିତିରୁ ଭଲ ବାହାର କରିବାକୁ ଚେଷ୍ଟାକର, ଅର୍ଥାତ ନିହାତି ଖରାପ ପରିସ୍ଥିତିରୁ ଭଲ ବାହାର କରିବାକୁ ଚେଷ୍ଟିତ ହୁଅ ।) ମୋତେ ଦକ୍ଷିଣା ପଥକୁ ବାଟ କଢ଼ାଇବାରେ ସହାୟକ ହେଲା ।

 

* “When fate hands us a lemon, let’s try to make a lemonade”–Dalecaracgie

 

ଦକ୍ଷିଣା ପଥରେ ପାରଳାଖିମୁଣ୍ଡି ଓ ଜୟପୁରକୁ ସେତେବେଳେ ନାର୍ବାସନର ସ୍ଥଳ ବୋଲି ମନେକରାଯାଉଥିଲା । ଆଜିସୁଦ୍ଧା ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ଖଲ୍ଲିକୋଟ ସମେତ ଏ କଲେଜ ଦୁଇଟିକୁ ଚାକିରିଆମାନେ ଆଦୌ ଶ୍ରଦ୍ଧାଳୁ ଦୃଷ୍ଟିରେ ଦେଖନ୍ତି ନାହିଁ । କଟକ, ଭୁବନେଶ୍ୱର ଛାଡ଼ିଲେ ବାଲେଶ୍ଵର, ବାରିପଦା, ଭଦ୍ରକ, ପୁରୀ ଏବଂ ଯାଜପୁର ମଧ୍ୟ ସେମାନଙ୍କ ପାଇଁ ଆମ୍ବଡ଼ା ଫଳ । କିନ୍ତୁ ସରକାରୀ କଳର କାର୍ସାଦି ବା ଭାଗ୍ୟଦେବତାଙ୍କର ନିର୍ଦ୍ଦେଶ ମୋତେ ଯେତେବେଳେ ସେହିପରି ଆମ୍ବଡ଼ା ଫଳଟିଏ ବଢ଼ାଇ ଦେଲା, ମୁଁ ତହିଁରୁ ଖଟା ଟିକିଏ ପ୍ରସ୍ତୁତ କରିବାରେ ଲାଗିପଡ଼ିଲି ।

 

୧୯୬୧ରୁ ୬୬ ଯାଏ ମୋତେ ପାରଳାରେ ରହିବାକୁ ହେଲା । ପାରଳା, ଜୟପୁର ଓ ବଲାଙ୍ଗୀର ହେଉଛି ରୂପକଥାର ସେହି ବିଚିତ୍ର ପୋଖରୀ–ଯେଉଁଠି କେବଳ ଯିବା ପାଦ ଚିହ୍ନ ଆଖିରେ ପଡ଼େ, କିନ୍ତୁ ଫେରିବା ପଦଚିହ୍ନର ପ୍ରଶ୍ନ ଉଠେ ନାହିଁ । ଆର୍ଯ୍ୟ-ଦ୍ରାବିଡ଼ ସଂସ୍କୃତିର ମିଳନ ପୀଠ ଏ ଉପାନ୍ତକୁ ଚାହିଁ ଗବେଷଣାର ବିଷୟବସ୍ତୁଟିଏ ସ୍ଥିର କରିନେଲି–THE INFLUENCE OF DRAVIDIAN ESPECIALLY TELUGU ON THE ODIA LANGUAGE (ଓଡ଼ିଆ ଭାଷା ଉପରେ ଦ୍ରାବିଡ଼, ବିଶେଷତଃ ତେଲୁଗୁ ଭାଷାର ପ୍ରଭାବ) । ଏହାର ଫଳାଫଳ କଣ ହେଲା ପରେ କହିବି ।

 

ପାରଳା-ଅବସ୍ଥାନର ପ୍ରଥମ ଦୁଇତିନି ବର୍ଷ ମୋ ପାଇଁ ଖୁବ୍ ସୁଖ କରଥିଲା । ହେଲେହେଁ ଥୋଡ଼ାଏ ଲୋକଙ୍କୁ କଟକ, ଭୁବନେଶ୍ୱରରେ ରଖାଇବା ଲାଗି ତାଙ୍କଠାରୁ ଯୋଗ୍ୟତର ବହୁ ବ୍ୟକ୍ତିଙ୍କୁ ବର୍ଷବର୍ଷଧରି ରାମଗିରିରେ ନିର୍ବାସିତ କରାଯିବା ନୀତିର ମୁଁ ତୀବ୍ର ବିରୋଧୀ ଥିଲି । ନାଲି-ଫିତାର ଏ କାରସାଦିର ପ୍ରତିବାଦ କରି ୧୯୬୪ରୁ ୬୬ ଯାଏ ମୁଁ ସରକାରଙ୍କୁ ବହୁ ଆବେଦନ ନିବେଦନ କରିଥିଲି । ତହିଁରେ କିଛି ଫଳ ନ ହେବାରୁ ୧୯୬୬ରେ ମୁଁ ଚାକିରିରୁ ଇସ୍ତଫା ଦେଇ ରାଜନୀତି କରିବାକୁ ସିଦ୍ଧାନ୍ତ ନେଲି । ଏ ବିଷୟରେ ଡ : ମହତାବଙ୍କ ସହିତ ମୋର ପତ୍ରାଳାପ ହୋଇଥିଲା ।

 

ଏ ସିଦ୍ଧାନ୍ତକୁ କାର୍ଯ୍ୟକାରୀ କରିବାର ଠିକ୍ ପୂର୍ବରୁ ଅର୍ଥାତ୍ ୧୫ । ୭ । ୬୬ରେ ମୋତେ ପୁରୀ ବଦଳି କରାଯାଇ ଥିବାର ଆଦେଶ ଆସିଲା । ଆଦେଶ ମିଳିଲା ସିନା, କିନ୍ତୁ ଯାଇପାରୁଛି କିପରି ? ପୁରୀ କଲେଜରେ ଥିବା ମୋର ଜଣେ ବିଭାଗୀୟ ବନ୍ଧୁ ତାଙ୍କ କରିତ୍‍କର୍ମାପଣିଆର ପରୀକ୍ଷାଦେଇ ମୋତେ ପ୍ରାୟ ଆହୁରି ମାସେ ପାରଳାରେ ବସାଇଦେଲେ । ଦକ୍ଷିଣା ଓ ପଶ୍ଚିମାପଥର ବହୁ ନିର୍ବାସିତଙ୍କ ଅବସ୍ଥା ସେଥର ମୋପରି ହୋଇଥିଲା ।

 

ଏ ତ୍ରିଶଙ୍କୁ ଅବସ୍ଥାରେ ତିନି ସପ୍ତାହ ବସିବା ପରେ ୮ । ୮ । ୬୬ରେ ସରକାରଙ୍କ ନିକଟକୁ ମୁଁ ମୋର ଚରମପତ୍ର ପଠାଇଥିଲି । ତଦାନୀନ୍ତନ ଡି.ପି.ଆଇ.ଡ: ସାମନ୍ତରାୟ ୩ । ୮ । ୬୬ରେ ଏ କଲେଜ ପରିଦର୍ଶନକୁ ଆସିଥିଲାବେଳେ ଏଭଳି ଏକ ପତ୍ରର ଆଗାମୀ ସୂଚନା ମୋଠାରୁ ପାଇଥିଲେ । ଏ ପତ୍ରର ଭାଷା ସରକାରୀ ଚାକିରିଆର ବଶଂବଦତା-ବର୍ଜିତ ହୋଇ ନଥିଲେ ମଧ୍ୟ କେତେକ ରୋକ୍‍ଠୋକ୍ ଶବ୍ଦର ନିଛଳ ବ୍ୟବହାର ଯୋଗୁ ଏହାକୁ ଅପରିବର୍ତ୍ତିତ ଭାବେ ଡିରେକ୍ଟରଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ପିଲାଇ ଦ୍ଵିଧାଗ୍ରସ୍ତ ଥିଲେ । ଉପରିକ ତଥା ଶୁଭେଚ୍ଛୁ ସୁଲଭ ଭଙ୍ଗୀରେ ପତ୍ରର ଯେଉଁ ଛତ୍ରଟିକୁ ବଦଳାଇ ଦେବାଲାଗି ସେ ମୋତେ ବାରମ୍ବାର ଅନୁରୋଧ କରିଥିଲେ ତାହା ହେଉଛି :–X X X

 

But I regret to mention that even after a five years of service in a place like paralakhemundi, my representations made on grounds of health and research facility have been ignored due to the capricions and apathetic attitude of the Government, and I have been left to mourn over my sad fate at the desolate corner of Orissa.

 

ପିଲାଇ ସାହେବଙ୍କର ବନ୍ଧୁତ୍ୱପୂର୍ଣ୍ଣ ଅନୁରୋଧର ପ୍ରତ୍ୟନୁରୋଧରେ ପତ୍ରଟି ଅପରିବର୍ତ୍ତିତ ଭାବେ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇଦେବା ନିମନ୍ତେ ମୁଁ ତାଙ୍କୁ ଅନୁରୋଧ କଲି, ଏବଂ କାର୍ଯ୍ୟତଃ ତାହାହିଁ ହେଲା ।

 

୩ । ୮ । ୬୬ରେ ଏ କଲେଜ ପରିଦର୍ଶନ କାଳରେ ମୁଁ ଓ ମୋର ସମଦଶାପନ୍ନ ସମସ୍ତ ଅଧ୍ୟାପକ ମିଳିତ ଭାବରେ ଡିରେକ୍ଟର ମହାଶୟଙ୍କୁ ଆମ୍ଭମାନଙ୍କର ଅସନ୍ତୋଷ ଜଣାଇଥିଲୁ । କିନ୍ତୁ ସେ ତାହାଙ୍କର ସ୍ୱାଭାବିକ ରୀତିରେ ଆମ୍ଭମାନଙ୍କୁ ଦବାଇ ଦେଇ ପରିସ୍ଥିତିକୁ ଏଡ଼ାଇ ଦେବାକୁ ଚେଷ୍ଟା କରୁଥିଲେ । ଏଥିରୁ ଏତିକି ଭଲ ଫଳ ବାହାରିଲାଯେ ବର୍ଷ ବର୍ଷ ଧରି ଓଡ଼ିଆ ଅଧ୍ୟାପକମାନଙ୍କୁ ପଚାରିଥିବା କେତେକ ବ୍ୟାକରଣଗତ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ସେ ପ୍ରଥମ ଥର ପାଇଁ ମୋଠାରୁ ପାଇଲେ ବୋଲି ତାଙ୍କ ଗହଣରେ ଆସିଥିବା ଗଞ୍ଜାମର ଜିଲାପାଳ, ବିଧାନସଭା ସଦସ୍ୟ ଓ ଅଧ୍ୟକ୍ଷ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମ୍ମୁଖରେ ସ୍ୱୀକାର କଲେ । ତାହାଙ୍କର ଏ ସ୍ଵୀକୃତିରେ କିଛିଟା ଆନ୍ତରିକତା ଥିବାର ପ୍ରମାଣ ମୁଁ ୧୨ । ୮ । ୬୬ରେ ପାଇଲି; ଯେଉଁ ଦିନକି ତାହାଙ୍କର ଜରୁରୀ ଆଦେଶ କ୍ରମେ ମୋ ରିଲିଭର୍ ପାରଳାଖେମୁଣ୍ଡିରେ ପହଞ୍ଚିଲେ ଏବଂ ସଙ୍ଗେ ସଙ୍ଗେ ମୋତେ ରିଲିଭ୍ କରିବା ନିମନ୍ତେ ବ୍ୟତିବ୍ୟସ୍ତ ହୋଇଉଠିଲେ ।

 

ସ୍ଥାନାନ୍ତରିତକାଳୀନ ଏହିଭଳି କେତେକ ଅସ୍ୱସ୍ତିକର ଅନୁଭୂତିକୁ ଛାଡ଼ିଦେଲେ, ଦ୍ଵିତୀୟ ଦଶକର ଯନ୍ତ୍ରଣା-ଦଗଧ ଶୂନ୍ୟତା ପ୍ରଥମ ଦଶକରେ ପ୍ରାୟ ନଥିଲା କହିଲେ ଚଳେ ।

 

ପାରଳାରୁ ପୁରୀ ଆସିଲି । ପୁରୀରେ ପାଞ୍ଚୋଟି ବର୍ଷ ରହିବା ଭିତରେ ହିପପୀ-ସଭ୍ୟତା ପୁରୀର ବେଳାଭୂମିରେ ଚରିବୁଲୁଥାଏ । ଅନୁଶାସନ, କର୍ତ୍ତୃତ୍ୱ ଏବଂ ଶୃଙ୍ଖଳାକୁ ବେଖାତିର କରିବାର ଉଦ୍ଦଣ୍ଡଭାବ ଏତେବେଳକୁ ବିଦ୍ୟାର୍ଥୀ ବିଦ୍ୟାର୍ଥିନୀମାନଙ୍କ ମଧ୍ୟରେ ପ୍ରବେଶ ଲାଭ କଲାଣି । ପ୍ରଭୁଙ୍କ ଦୟାରୁ ଚାକିରିଜୀବନ ଶେଷଯାଏ ଛାତ୍ର ସମାଜର ସ୍ନେହ, ସୌଜନ୍ୟ ଓ ବାଧ୍ୟତାରୁ ମୁଁ କେବେ ବ୍ୟକ୍ତିଗତ ଭାବେ ବଞ୍ଚିତ ହୋଇ ନଥିଲେ ମଧ୍ୟ ମୋ ସମାଜର ବାରପଣଙ୍କ ଭାଗ୍ୟରେ ଏହା ଜୁଟୁନଥିବାରୁ କାଳକ୍ରମେ ଶିକ୍ଷା-ବୃତ୍ତି ଅତ୍ୟନ୍ତ ବିଭତ୍ସ ଓ ନାରକୀୟ ହୋଇ ଉଠୁଛି ।

 

ଏଥିପାଇଁ ସମୟ ବା ବିଦ୍ୟାର୍ଥିମାନଙ୍କୁ କେବଳ ଦୋଷ ଦିଆଯାଇପାରିବ ନାହିଁ । ମୋର ଯାହା ହୃଦବିଶ୍ଵାସ ହୋଇଛି, ଏ ଦେଶର ଅଧିକାଂଶ ଶିକ୍ଷକ ଏଥିପାଇଁ ଦାୟୀ । ଏହା କହିଲାବେଳେ ଯାଯାବରର ଏ ଡାଇରୀରେ କେତେକ ଅପ୍ରିୟ ସତ୍ୟ ଲିପିବଦ୍ଧ କରିବି, ଯେଉଁଥିପାଇଁ ମୋର ସତିର୍ଥ ଓ ସମଧର୍ମାମାନଙ୍କଠାରୁ ମୁଁ ଆଗୁଆ କ୍ଷମାଭିକ୍ଷା କରିନେଇଛି । ଓଡ଼ିଶାର ଏକାଧିକ ସାସ୍କୃତିକ ସମାବେଶରେ ମୁଁ ଏହି ଅପ୍ରିୟ ସତ୍ୟଗୁଡ଼ିକୁ ଏ ଦେଶର ଗୁରୁକୁଳର ଚେତାବନୀ ରୂପେ ବ୍ୟବହାର କରିଛି । ଏଠାରେ ତାହା ମଧ୍ୟ ସେହି ଉଦ୍ଦେଶ୍ୟରେ ବ୍ୟୟତ । ସତ୍ୟକୁ ସତ୍ୟ ଭାବରେ (ହେଉପଛେ ତାହା ନିଷ୍ଠୁର) ପ୍ରକାଶ କରିବାକୁ ଯାଇ ମୋ ଜାତିର କୌଣସି ଶିକ୍ଷକପ୍ରତି ସମ୍ମାନ ବୋଧରେ ମୁଁ ତ୍ରୁଟି କରୁଛି ବୋଲି ମୋର ବିଶ୍ଵାସ ନୁହେଁ । ତଥାପି ସତ୍ୟର ସ୍ୱର ଚିର ନିର୍ମମ ହୋଇଥିବାରୁ ଏହା ସ୍ଥଳବିଶେଷରେ କେତେକଙ୍କୁ ପିଡ଼ାଦାୟକ ବୋଧ ହୋଇପାରେ ।

 

ଛାତ୍ର-ଶିକ୍ଷକ ସଂପର୍କରେ ଅବନତି ଲେଖାଯିବାର ପ୍ରଧାନ କାରଣ ହେଲା ଶିକ୍ଷା-ବୃତ୍ତିକୁ ଭଲ ନପାଉଥିବା ଅନେକ ବ୍ୟକ୍ତି ଜୀବନର ବହୁ ଘାଟରେ ନିରାଶ ହୋଇ ଏଠି ଭିଡ଼ ଜମାଉଛନ୍ତି । ଶିକ୍ଷକ-ସୁଲଭ ସଂକଳ୍ପ, ତ୍ୟାଗ, ନୈତିକତା, ଧୈର୍ଯ୍ୟ, ସହିଷ୍ଣୁତା ଏବଂ ଅଧ୍ୟୟନ, ଅଧ୍ୟାପନ ଅଭାବରୁ ସେମାନେ ଚମତ୍କାର ଶିକ୍ଷା-ସୌଦାଗର ହୋଇ ପାରୁଛନ୍ତି ସତ୍ୟ, କିନ୍ତୁ ଶିକ୍ଷକ ହେବାର କୌଣସି ଯୋଗ୍ୟତା ନାହିଁ ସେମାନଙ୍କର । ତେଣୁ ମୋର ଜଣେ ବିଶିଷ୍ଟ ସାହିତ୍ୟକ ବନ୍ଧୁ ଓ ଜଣେ ପୂର୍ବତନ ଡି.ପି. ଆଇ.ଙ୍କ ଭାଷାରେ ‘ଦେଶରେ ବର୍ତ୍ତମାନ କର୍ମଚାରୀର ଅଭାବ ନାହିଁ, ଅଭାବ ରହିଛି କର୍ମୀର; ଶିକ୍ଷା-ବ୍ୟବସାୟୀର ଅଭାବ ନାହିଁ, ରହିଛି ସୁ ଶିକ୍ଷକର ।’ ଏଭଳି ଶିକ୍ଷା ବଣିକଙ୍କଠାରୁ ଛାତ୍ର-ଛାତ୍ରୀ କିଛି ନପାଇ କେଉଁ ଚିତ୍ର-ତାରକା, କେଉଁ ରାଜନୈତିକ ଧପପାବାଜ୍, କେଉଁ ଡାକ ସର୍ଦ୍ଦାର ଅଥବା କେଉଁ ନରହନ୍ତାକୁ ସେମାନଙ୍କର ନେତା ବିଚାରୁଥିବା ଆଦୌ ବିଚିତ୍ର ନୁହେଁ । ସ୍ଥୂଳତଃ, ଶିକ୍ଷାୟତନଗୁଡ଼ିକରେ ଛାତ୍ରମାନଙ୍କର ଆଗରେ କେହି ନାହିଁ ନା ପଛରେ କେହି ନାହିଁ । ନିଭରସୀ ଅବସ୍ଥାରେ ଯେତେବେଳେ ଯାହାର ଆଶ୍ରୟ କରି ସେମାନେ ଜାଇତାଇ ବଞ୍ଚି ପାରିବେ ବୋଲି ଭାବୁଛନ୍ତି, ସେତେବେଳେ ସେ ହେଲେ ସେମାନଙ୍କର ସାମୟିକ ନେତା ବା ଆଦର୍ଶ ।

 

କର୍ତ୍ତବ୍ୟ-ପରାୟଣତା, ନୈତିକ ଦୃଢ଼ତା ଓ ଶୀଳ, ସୌଜନ୍ୟରେ ଛାତ୍ର-ଛାତ୍ରୀମାନଙ୍କର ହୃଦୟ ଜୟ କରି ନପାରି ସେମାନଙ୍କର ବେଶଭୂଷା, ବାଣୀ-ବୋଲି, କୁଢ଼ଙ୍ଗ ଏବଂ କଦାଚାରଗୁଡ଼ିକୁ ହନୁକରଣ କରି ଏ ଦେଶର ବହୁ ଶିକ୍ଷକ ଛାତ୍ର-ଛାତ୍ରୀମାନଙ୍କର ପ୍ରିୟ ହେବାକୁ ଚେଷ୍ଟା କରୁଛନ୍ତି । ଫଳତଃ, ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ର-ଛାତ୍ରୀ ଏବଂ ଛାତ୍ର-ଶିକ୍ଷକମାନଙ୍କ ମଧ୍ୟରେ ଭେଦ-ସୃଷ୍ଟିରେ ମୂଳ କାରଣ ହେଲେ ଏହି ଶିକ୍ଷା-ବ୍ୟବସାୟୀଗଣ । ଏଥିରୁ ବେଶ୍ ଫାଇଦା ଉଠାଇଥାନ୍ତି ସେମାନେ-। ଦଳବଦ୍ଧ ଭାବରେ କାହାକୁ ଚଢ଼ାଉ କରିବା, କର୍ତ୍ତବ୍ୟ-ତୃଟିକୁ ଘୋଡ଼ାଇବା, ଶିକ୍ଷକ ଛାତ୍ର ଏକତ୍ର ମଦ୍ୟପାନ କରିବା, ବଦଳି ବନ୍ଦ ବା ବଦଳି ରଦ୍ଦ କରାଇବା ଲାଗି ଛାତ୍ରମାନଙ୍କୁ ମନ୍ତ୍ରୀ କିମ୍ବା ବିଧାନସଭା ପ୍ରତିନିଧିଙ୍କ ପାଖକୁ ଦୌଡ଼ାଇବା ଇତ୍ୟାଦି ଯାବତୀୟ ଅସାମାଜିକ କାର୍ଯ୍ୟରେ ଏଭଳି ହାତବାରିସିଗୁଡ଼ିକୁ ଲଗାଇ ଦଳସର୍ଦ୍ଦାରମାନେ ପାରିଲାବାଲାର ଗୌରବ ନେଇଥାନ୍ତି ।

 

ଏହାର ପ୍ରତିଦାନ ସ୍ୱରୂପ ପରୀକ୍ଷା ହଲରେ ନିଜ ଦଳର ପିଲାଙ୍କ ନିମନ୍ତେ ସୁବିଧା ଜାଗାରେ ସିଟଟିଏ ଯୋଗାଡ଼ କରିଦେବା, ଉତ୍ତର ଯୋଗାଇବା ଏବଂ ପରୀକ୍ଷକଙ୍କ ଦୁଆରେ ଲଣ୍ଡଭଣ୍ଡ ହୋଇ ସେମାନଙ୍କର ନମ୍ବର ବଢ଼ାଇବା ପ୍ରଭୃତି ନୀଚ କର୍ମରେ ଏମାନଙ୍କର ପୌରୁଷର ପରିପ୍ରକାଶ ଘଟେ । ଏମାନେ ଯାହାକଲେ ମଧ୍ୟ ଏମାନଙ୍କ ପଛରେ ରୀତିମତ ଗୋଟାଏ ଦଳ ଥିବାରୁ ସହଜରେ କେହି କିଛି କରିପାରନ୍ତି ନାହିଁ ଏମାନଙ୍କର । ଧୂଆମୂଳା ଓ ଅଧୂଆମୂଳା ସମାନ ଯୁଗରେ ଏମାନେ ତେଣୁ ବେଶ୍ ନିଷ୍କଣ୍ଡକ ଭାବରେ ରାଜୁତି କରନ୍ତି ।

 

ଏହାଭିନ୍ନ, ଖଣିଖାଦାନ୍ ଓ ଶିଳ୍ପଶାଳାର ‘ଟ୍ରେଡ୍ ଇଉନିୟନ’ ମନୋବୃତ୍ତି ଆଜିକାଲି ଶିକ୍ଷକଗୋଷ୍ଠୀ ଏବଂ ଶିକ୍ଷାକ୍ଷେତ୍ରକୁ କଳୁଷିତ କରିଦେଲାଣି । ଏହା କହିଲାବେଳେ ମୋର କେହି ଶିକ୍ଷକ ବନ୍ଧୁ ଭୁଲରେ ଭାବିବେ ନାହିଁ ଯେ ମୁଁ ସେମାନଙ୍କୁ ମୁନିଋଷି ହେବାକୁ ଉପଦେଶ ଦେଉଛି । ଭୌତିକ ଆବଶ୍ୟକତା ସେମାନଙ୍କର ରହିବ ହିଁ ରହିବ । କାଞ୍ଚନ-ମୁକ୍ତି ଯଜ୍ଞର ପୁରୋଧା ହେବାକୁ କେହି ତାଙ୍କୁ ବାଧ୍ୟ କରୁନାହିଁ । ହେଲେହେଁ ପେଷାଦାର ଓ ଶିକ୍ଷକ ମଧ୍ୟରେ ରହିଆସିଥିବା ମୌଳିକ ପାର୍ଥକ୍ୟକୁ ଯେ କୌଣସି ଅବସ୍ଥାରେ ବା ଯେ କୌଣସି କାଳରେ ଅସ୍ଵୀକାର କରିହେବ ନାହିଁ ।

 

କାଳର ଗତିରେ ଏହା ଘଟୁଛି କହି ଶିକ୍ଷକକୁଳ ସେମାନଙ୍କର ନୈତକ ତ୍ରୁଟିକୁ ଯେତେ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟାକଲେ ବା ଲାଞ୍ଚମିଛର ଆଶ୍ରୟ ନେଇ ସେ ସପକ୍ଷରେ ଯେତେ ମନଗଢ଼ା ନୀତି ବୟାନ କଲେ ମଧ୍ୟ କାଳର ଉର୍ଦ୍ଧ୍ୱକୁ ଗତିକରିବା ଓ କରାଇବା ଯେ ସେମାନଙ୍କର ଧର୍ମ ଏହା ସେମାନେ ଫାଙ୍କି ଦେଇ ପାରବେକି ? ପୃଥିବୀ ଇତିହାସରେ ଯେ କୌଣସି ବିପ୍ଳବୀର ଏହାହିଁ ଧ୍ୟେୟ । ସୁକ୍ଷ୍ମ ଦୃଷ୍ଟିରୁ ବିଚାରକଲେ ପ୍ରତ୍ୟେକ ବିପ୍ଳବୀ ଯେ ଜଣେ ଜଣେ ସୁଶିକ୍ଷକ, ଏଥିରେ କୌଣସି ସନ୍ଦେହ ନାହିଁ ।

 

ହଁ’ କେଉଁଠୁ ଆସି କେଉଁଠି ପହଞ୍ଚିଲିଣି । ଦ୍ଵିତୀୟ ଦଶକର ଯନ୍ତ୍ରଣା-ଦଗ୍ଧ ପରିବେଶ କଥା କହୁ କହୁ ପ୍ରସଙ୍ଗ କ୍ରମେ ମୋ ଦେଶର ଶିକ୍ଷକକୂଳର ଅଧୋପତନ ବିଷୟରେ ଦି’କଥା କହିଦେଲି । ମୋ ମତରେ ଯେ କୌଣସି ପରସ୍ଥିତିରେ ହେଲେ ମଧ୍ୟ ଚଳନ୍ତି ଅବସ୍ଥାର ଆମୂଳଚୂଳ ପରିବର୍ତ୍ତନ ଲାଗି ସେମାନଙ୍କୁ ସବୁମନ୍ତେ ସାଧନା କରିବାକୁ ହେବ । ନଚେତ୍ ଦେଶ ଭାଗ୍ୟରେ ଯେଉଁ କିଟିମିଟି ଅନ୍ଧକାର ଘୋଟି ଆସୁଛି, ଶିକ୍ଷକ ଭିନ୍ନ କେହି ଏ ଦେଶକୁ ତହିଁରୁ ରକ୍ଷା କରିପାରିବେ ନାହିଁ ।

 

ପୁରୀରୁ ପୁଣି ବାରିପଦା, ବାରିପଦାରୁ ରିଡର୍ ଭାବରେ ବ୍ରହ୍ମପୁର ଓ ବ୍ରହ୍ମପୁରରୁ ଯାଜପୁର, ଏମିତି ଦ୍ଵିତୀୟ ଦଶକଟି କଟିଗଲା । ବାରିପଦାରେ ମୁଁ ଦିବାଲୋକ ଦେଖିଥିଲି । ଏଥର ରାତ୍ରି କଲେଜକୁ ଯାଇ ଦିବାଲୋକ ଦେଖିଲି ।

 

ଦ୍ଵିତୀୟଥର ବାରିପଦା ଆସିବା ପୂର୍ବରୁ ପୁରୀ କଲେଜର ଓଡ଼ିଆ ଅନର୍ସ ପିଲାଙ୍କ ଅନୁରୋଧରେ ‘‘କଥାକାର ସୁରେନ୍ଦ୍ର ମହାନ୍ତି” ଲେଖିଥିଲି । ସୁରେନ୍ଦ୍ର ମହାନ୍ତିଙ୍କର ଗଳ୍ପଗୁଡ଼ିକରେ ଚିତ୍ରିତ ଏକାନ୍ତ ନିଃସ୍ୱ ମଣିଷ ଓ ତାହାର ଚତୁର୍ଦିଗର ବିଭଙ୍ଗ ପୃଥିବୀକୁ ତୀବ୍ର ଭାବରେ ଅନୁଭବ କରିବାକୁ ଏହି ସମୟର କେତୋଟି ଘଟଣା ବିଶେଷ ଭାବେ ସହାୟକ ହୋଇଥିଲା । ତନ୍ମଧ୍ୟରୁ ଗୋଟିଏ ମାତ୍ର ଘଟଣା ମୁଁ ଏ ସ୍ଥଳରେ ଉଲ୍ଲେଖ କରୁଛି ।

 

ପୁରୀ ‘ବ୍ରାହ୍ମଣ ସମିତି’ ହଲରେ ଅରବିନ୍ଦଙ୍କ ଦର୍ଶନ ସମ୍ବନ୍ଧରେ ଏକ ଆଲୋଚନା ସଭାର ଆୟୋଜନ ହୋଇଥାଏ ବେଶ ଜାକଯମକରେ । ଅରବିନ୍ଦ ଓ ଶ୍ରୀମା’ଙ୍କର ଫଟୋ ସମ୍ମୁଖରେ ଯଥେଷ୍ଟ ନୀଳ ଆଲୁଅ ଓ ପ୍ରଚାର ଅଗରବତୀ ଲଗା ଯାଇଥାଏ । ମୁଁ ଓ ଆଉ କେତେକ ବକ୍ତା ଖୁବ୍ କମରେ ଆମ୍ଭମାନଙ୍କ ଭାଷଣ ଶେଷ କଲୁ । କିନ୍ତୁ ସ୍ବେଦ, ରୋମାଞ୍ଚ, ବେପଥ୍ୱେ, ସ୍ଵରଭଙ୍ଗ ଓ ପ୍ରାୟ ମୂର୍ଚ୍ଛାବସ୍ଥାରେ ଯେଉଁ କେତେଜଣ ବିଶେଷ ଅରବିନ୍ଦପ୍ରେମୀ ସେଠି ସେମାନଙ୍କର ‘ଅତିମାନସ’ ତତ୍ତ୍ଵ ବଖାଣିଗଲେ, ସଭା ଭଙ୍ଗ ହେବା ମାତ୍ରେ ସେ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ମୋ ସଙ୍ଗରେ ମୋ ବସାକୁ ଆସିଲେ । ‘ଅତିମାନସ’ର ଉତ୍ତାପ ସେତେବେଳକୁ ତାଙ୍କ ଦେହରୁ କମି ନଥାଏ । ସେ ଅବସ୍ଥାରେ କୌଣସି ଏକ ତୁଚ୍ଛ ସ୍ଵାର୍ଥ ପାଇଁ ସେ ଯେ ମୋ ପଛରେ ଗୋଡ଼ାଇଛନ୍ତି, ଏହା ଚିନ୍ତା କରିବା ମୋର କଳ୍ପନା ବହିର୍ଭୁତ ଥିଲା ।

 

ଯାହାହେଉ ଅତି ନିଃସଂକୋଚ ଭାବରେ ସେ ତାଙ୍କର ଅନୁରୋଧଟି ବାଢ଼ିଲେ । ଓଡ଼ିଆ ଟ୍ୟଟୋରିୟାଲରେ ଶତକଡ଼ା ଷାଠିଏରୁ କମ୍ ଉପସ୍ଥାନ ରଖିଥିବା ତାହାଙ୍କର ଜଣେ ଆତ୍ମୀୟଙ୍କର ଚାରିପାଞ୍ଚୋଟି ଉପସ୍ଥାନ ବଢ଼ାଇ ଦେବା, ତାଙ୍କ ଅନୁରୋଧର ବିଷୟଥିଲା । ନୀତି ଦୃଷ୍ଟିରୁ ଏହା ମୁଁ କେବେ କରେ ନାହିଁ ବୋଲି ତାଙ୍କୁ ଜଣାଇଦେଲି ଓ ମୋର ଅସାମର୍ଥ୍ୟ ଲାଗି ତାଙ୍କ ନିକଟରେ କ୍ଷମା ଭିକ୍ଷା କଲି । ହେଲେହେଁ ଏ ସବୁରେ କିଛି ଫଳ ହେଲା ନାହିଁ । ଶେଷରେ ଶୋକାତୁର କଣ୍ଠରେ ମୋତେ ତାଙ୍କୁ ପ୍ରଶ୍ନ କରିବାକୁ ପଡ଼ିଲା–“ଆଚ୍ଛା, ଆପଣ ବନ୍ଧୁ ଭାବରେ ମୋତେ ଚାହାନ୍ତିନା, ଯେନକେନ ଉପାୟରେ ଆପଣଙ୍କର କାର୍ଯ୍ୟ ହାସଲ କରିବାକୁ ଚାହାନ୍ତି ?

 

“ଉଭୟ”–ସେ ବନ୍ଧୁ ଉତ୍ତର ଦେଇଥିଲେ । ମୁଁ ପୁଣି ତାଙ୍କୁ ଚେତାଇ ଦେଲି–‘ଏ ଉଭୟ ମଧ୍ୟରୁ ଯେ କୌଣସି ଗୋଟିକୁ ଆପଣଙ୍କୁ ବାଛିନେବାକୁ ହେବ ଥରେ ଆପଣଙ୍କ ପାଇଁ ମୁଁ ମୋର ହସ୍ତକୁ କଳଙ୍କିତ କରି ସାରିବା ପରେ ଆପଣ ଆଉ ମୋର ବନ୍ଧୁ, ହୋଇ ରହିପାରିବେ ନାହିଁ ।”

 

ସେ ନିରବ ରହିଲେ । ରାତି ସେତେବେଳକୁ ବାରଟା ବାଜିଲାଣି । ‘‘–ଆଚ୍ଛା ଯାଆନ୍ତୁ । କାଲି କେବଳ ଆପଣଙ୍କ ପିଲାର କାହିଁକି, ମୋ ଟ୍ୟୁଟୋରିୟାଲରେ ନିର୍ଦ୍ଧାରିତ ଉପସ୍ଥାନ ନଥିବା ପିଲାଙ୍କର ଉପସ୍ଥାନ ବଢ଼ାଇ ଦେବି । କାରଣ ଆପଣଂକ ପରି ଅନ୍ୟାୟ ଅନୁରୋଧ କରିବାକୁ ନ ଆସିବା କଣ ସେମାନଂକର ଅପରାଧ ?” –ଏତିକି ଶୁଣିବା ପରେ ବନ୍ଧୁ ଜଣଂକ ବିଦାୟ ନେଲେ । ହେଲେହେଁ ରାତିସାରା ମୋତେ ନିଦ ହେଲା ନାହିଁ । ବିଛଣାରେ ପଡ଼ି ମୁଁ ଅନୁଭବ କଲି, ଏତେ ବଡ଼ ବିଶ୍ଵରେ ଆଜି କେଡ଼େ ସାଥୀ-ସହାୟହୀନ ମୁଁ । ମୋ ମାନସିକ ସଂଘାତ ବୁଝିବାକୁ ମୋ’ ଚୌଦିଗରେ କେହି ନାହାନ୍ତି । ମୋ ଭାବରାଜ୍ୟରେ ମୋର କ୍ଷୁଦ୍ର ପରିବାର ଠାରୁ ବି ମୁଁ ନିର୍ବାସିତ । ମୋ କଳାପାଣିର ଦ୍ୱୀପ ମୋ ଭିତରେ କି ଯନ୍ତ୍ରଣାପିଣ୍ଡିତ ହୋଇ ଗଢ଼ି ଉଠୁଛି ?

 

କ୍ଷେତ୍ରରାଜ ପୁରୀରେ ନାନାଦିଗରୁ ନାନା କିସମର ଲୋକମାନଙ୍କର ମେଳହୁଏ । ଧର୍ମ, କର୍ମ, ସଭାସମିତି, ଦାନଖୈରାତ, ପ୍ରେମ ଓ ବନ୍ଧୁତା, ସବୁଥିରେ ସେମାନଙ୍କର ଛଳନାଢ଼ଙ୍କା ଶୂନ୍ୟତା, ମୋତେ କ୍ରମେ ସିନିକ ସଜାଉଥିବାର ମୁଁ ଅନୁଭବ କଲି । ମହାମାନବର ସାଗରତୀରରେ ରଙ୍ଗବେରଙ୍ଗ ବହୁଜାତିର ପକ୍ଷୀର କାକଳି ଶୁଣିଲି । ହେଲେହେଁ ସେଥିରେ ପ୍ରାଣର ପରଶ ନଥିଲା, ସଙ୍ଗୀତ ବା ପ୍ରେମର ଆତ୍ମା ନଥିଲା । ମାନବିକ ମର୍ଯ୍ୟାଦାର ରଥଚକ୍ର ଭାଙ୍ଗି ପଡ଼ିଥିଲା ଶରଧାବାଲିର ଧୁ ଧୁ ଅପନ୍ତରା ମଧ୍ୟରେ । ମହାମାନବର ଶ୍ମଶାନଭୂମିରେ ନୀଚସ୍ଵାର୍ଥର ଗଳିତ ଶବ ପାଇଁ କାମୁଡ଼ାକାମୁଡ଼ି ହେଉଥିବା ଅସଂଖ୍ୟ ବିଲୁଆ, କୁକୁର, ଶାଗୁଣା ଓ କାଉମାନଙ୍କୁ ମୁଁ ଦେଖିଲି ମଣିଷର ଭେଜରେ । ସବୁଠୁଁ ବିଚିତ୍ର ଭାରତ ଓ ଓଡ଼ିଶାର ଗଳିକନ୍ଦିରୁ ଆସିଥିବା ଏ ବୁଭୁକ୍ଷୁ ଜୀବଜନ୍ତୁଗୁଡ଼ିକ ବହୁମୁଖ ଏବଂ ବହୁ ରଙ୍ଗର ଏକ ଏକ କିମ୍ଭୁତ କିମାକାର ସୃଷ୍ଟି । ଦ୍ଵିତୀୟ ବିଶ୍ଵଯୁଦ୍ଧ ପୂର୍ବରୁ ଏହିପରି ଦଳେ ଜନ୍ତୁଙ୍କୁ ମନିଷୀ ଟ୍ରୋଣ୍ଡ ରସେଲ, ବିଲାତର ଏକ ପ୍ରେକ୍ଷାଳୟରେ ଆବିଷ୍କାର କରିଥିଲେ । ସେମାନେ ଆଜି ଯେ ବିଶ୍ଵସାରା ବିଶେଷତଃ ଓଡ଼ିଶା ଓ ଭାରତର ପ୍ରତି ଗଳିକନ୍ଦିରେ ସଭ୍ୟ, ଶିକ୍ଷିତ, ବଦାନ୍ୟ ଓ ବିଚଷଣର ମୁଖାପିନ୍ଧି ଘୁରିବୁଲୁଛନ୍ତି, ଏହା ଲକ୍ଷ୍ୟକରି ମୁଁ ଆଶ୍ୱସ୍ତି ମଧ୍ୟରେ ପହଁରିବୁଲିଲି । ଏହାଠାରୁ ଅଧିକ ତୀବ୍ରବୋଧ ହେଲା ଏ ସ୍ଵାର୍ଥଲେହୀ ଜୀବମାନଙ୍କର ନିତ୍ୟନୂତନ କିଳିକିଳା ଧ୍ଵନି ଯେଉଁଥିରେ ପ୍ରାଣର ସ୍ପନ୍ଦନ ଓ ସତ୍ୟର ଝଲକ ନଥିବାରୁ ଛଳନାର ପାରମ୍ପରିକ ଟେପରେକର୍ଡିଂ ଭଳି ନିତାନ୍ତ ଅଜବ, ଅଥର୍ବ ଓ ଅପ୍ରୀତିକର ଏହାର ପ୍ରତିଟି ସ୍ୱରଗ୍ରାମ । ମାନବିକ ଘୋଷ-ଯାତ୍ରାର ଏ କ୍ଳାନ୍ତିକର ଧାରାବିବରଣୀ, କେବଳ ପୁରୀଠାରେ କାହିଁକି ଦ୍ୱିତୀୟ ଦଶକର ଚାକିରିଜୀବନରେ ଓଡ଼ିଶାର ସର୍ବତ୍ର ଶୁଣିବାକୁ ପାଇଲି । ସ୍ଵୀକାର କରୁଛି, ୨ୟ ମହାଯୁଦ୍ଧୋତର ବିଶ୍ଵରେ ଏହା ଏକ ସାଧାରଣ କଥା । ଜୀବନର ‘ଗଜଦ୍ଵାରେ, ଶ୍ମଶାନେ’ ଏହା ବିଦ୍ୟମାନ । ଏହା ସହିତ ସାଲିସ୍ କରିବା ବ୍ୟତୀତ ଅନ୍ୟପନ୍ଥା ନାହିଁ । କିନ୍ତୁ ମୋର କାହିଁକି ଧାରଣା ହେଲା ଯେ ଓଡ଼ିଶାର ଉଚ୍ଚରୁ ଉଚ୍ଚତର ଶିକ୍ଷାକ୍ଷେତ୍ରରେ ଏହାର ରୂପ ଅତ୍ୟନ୍ତ ବିଭତ୍ସ ଓ ବିକଟ । ମଣିଷ ମନର ସଯତ୍ନ ଉଦ୍ୟାନରେ ଉଚ୍ଚବେତନଭୋଗୀ ମାଳୀମାନଂକର ଗହଣରେ ଏ ବ୍ୟଭିଚାରର ନୀରବ ଦ୍ରଷ୍ଟା ହେବାକୁ ମୁଁ ପସନ୍ଦ କଲିନାହିଁ । ତେଣୁ ଦିନାକେତେ ଏହା ବିରୁଦ୍ଧରେ ସ୍ଵର ଉତ୍ତୋଳନ କଲି । ଯେତେବେଳେ ଦେଖିଲି ପୌନପୌନିକ ଆଦିମତାର ଏ ନରକ ଗ୍ରାସରୁ ମୋ ଛାତ୍ରଛାତ୍ରୀଙ୍କୁ ବା ମୋର ବନ୍ଧୁ ମହଲକୁ ରକ୍ଷା କରିବାକୁ ମୁଁ ଅସମର୍ଥ, ସେତେବେଳେ ଓଡ଼ିଶାବାସୀଙ୍କର ଲୁହଲହୁର ରାଜକୋଷରୁ ମାସକୁ ମାସ ହଜାର ହଜାର ଟଙ୍କା ବେତନ ଆକାରରେ ନେବାର ନୈତିକ ଅଧିକାର ମୋର ଅଛି ବୋଲି ମୁଁ ଚିନ୍ତା କରିପାରିଲି ନାହିଁ । ଏହି ଅବସ୍ଥାରେ ସ୍ଵେଚ୍ଛାକୃତ ଅବସର ପାଇଁ ବାରମ୍ବାର ମୋ ମନରେ ସଂକଳ୍ପ ଜାଗିଉଠିଲା ଓ ୧୯୭୯ ମସିହା ମହାବିଷୁବ ସଂକ୍ରାନ୍ତି ରାତି ପ୍ରାୟ ୧୨ଟା ବେଳେ ଏହା ସ୍ପଷ୍ଟ ସିଦ୍ଧାନ୍ତର ରୂପ ନେଲା । ଏ ସିଦ୍ଧାନ୍ତ ନ ନେବା ପର୍ଯ୍ୟନ୍ତ ବର୍ଷ ବର୍ଷ ଧରି ମୁଁ ମୋ ଭିତରେ ପୂର୍ଣ୍ଣ ପ୍ରାଣରେ ରହିପାରିଲି ନାହିଁ । ଅପର ପକ୍ଷରେ ମୋଟା ବେତନ ଲୋଭରେ ନୀରସ ଯାଂତ୍ରିକତାକୁ ସାଥୀକରି ଯନ୍ତ୍ରର ହସହସିବା ମୋତେ କିଭଳି ଅବାସ୍ତବ ବୋଧ ହେଲା ।

 

ସ୍ଥୂଳତଃ ଯାଯାବର ଡାଇରୀର ଏ ସଂକ୍ଷିପ୍ତ ପୃଷ୍ଠାଟି କେବଳ ଯନ୍ତ୍ରଣାଦୀର୍ଣନୁହେଁ; ସ୍ଥିତିର ସଂଘର୍ଷରେ ଏହା ଲହୁଲୁହାଣ ମଧ୍ୟ ।

Image

 

Unknown

ଭବିଷ୍ୟତ୍, ହିଁ ଉତ୍ତରଦେଉ

 

ଗୋ+ଏଷଣା=ଗବେଷଣା । ବୈଦିକ କାଳରେ ଗୋ-ସଂପଦ ସମ୍ଭଳ ଆର୍ଯ୍ୟ ହଜିଯାଇଥିବା ଗୋରୁର ଅନୁସଂଧାନ ବା ଅନ୍ଵେଷଣ କରୁକରୁ ଏଭଳି ଏକ ଶବ୍ଦ ସୃଷ୍ଟି ହୋଇଥାଇପାରେ । ଏହାର ଭାଷାତାତ୍ତ୍ୱିକ ବିକାଶକ୍ରମେ ଯାହା ହୋଇଥାଉନା କାହିଁକି ମୋର ପରମପ୍ରିୟ ସ୍ଵର୍ଗତ ସିଦ୍ଧେଶ୍ୱର ହୋତା ଓ ମୁଁ ଗବେଷଣାକୁ ମଜାରେ ‘ଗୋରୁଖୋଜା’ ନାଁ ଦେଇ ଡାକୁ । ଏ ଦୃଷ୍ଟିରୁ ମୋ ଗବେଷଣାର ଶୋଚନୀୟ ଇତିହାସକୁ ‘ଗୋରୁଖୋଜା’ର ଯନ୍ତ୍ରଣାଜର୍ଜର ଅଧ୍ୟାୟ ଖାଇବା, ଅଧିକ ଯୁକ୍ତିଯୁକ୍ତ । ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରୀ କରାଯାଇଥିବା ବେଳେ ମୁଁ ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟରୁ ବିଚାର ଚାହିଁଥିଲି (ଦ୍ରଷ୍ଟବ୍ୟ : ୫ । ୭ । ୭୬ର ‘ସମାଜ’) । ସେହି ସମୟରେ ଓଡ଼ିଶାର ଉତ୍ତର, ଦକ୍ଷିଣ ଓ ପୂର୍ବ, ପଶ୍ଚିମରୁ ଅଗଣିତ ବନ୍ଧୁ ଏ ବିଷୟରେ ବାସ୍ତବ ତଥ୍ୟ ଜାଣିବାପାଇଁ କୌତୁହଳୀ ହୋଇଉଠିଥିଲେ । ଭବିଷ୍ୟତ୍ ହିଁ ତଥ୍ୟର ଉଦ୍‍ଘାଟକ ହେଉ-ଏ ଲକ୍ଷ୍ୟରଖି ମୁଁ ସେମାନଙ୍କ ନିକଟରେ ମୋ ତରଫରୁ କୌଣସି ରହସ୍ୟ ଉଦ୍‍ଘାଟନ କରିନଥିଲି । ଆଜି କିନ୍ତୁ ପ୍ରସଙ୍ଗ କ୍ରମେ ସେଥିରୁ ପଦେ ଅଧେ କହିବାକୁ ମନ ବଳୁଛି ।

 

ଆଗରୁ କହିଛି ପାରଳା-ଅବସ୍ଥାନକୁ ସଫଳ କରିବା ଲାଗି ମୁଁ ଉକ୍ତ ସ୍ଥାନ ଓ ଏହାର ମିଶ୍ର ସଂସ୍କୃତିକୁ ଚାହିଁ ଗବେଷଣାର ବିଷୟବସ୍ତୁ ସ୍ଥିର କରିଥିଲି । ଏହିଠି ଆଉ ଟିକେ ପରିଷ୍କାର କରିଦେବାର କଥା ଏହି ଯେ, ପାରଳା ଯିବା ପୂର୍ବରୁ ’ଓଡ଼ିଶୀ ବୈଷ୍ଣବ ଧର୍ମରେ ଦୈତାହୈତବାଦ’ ଉପରେ ଗବେଷଣା କରିବାକୁ ମୋର ତତ୍ତ୍ୱାବଧାରକ (Guide) ହେବା ପାଇଁ ସ୍ଵର୍ଗତ ଡ଼: ଆର୍ତ୍ତବଲଭ ମହାନ୍ତି ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କୁ ଅନୁରୋଧ ଜଣାଇଥିଲି । ସେ ଦୁହିଁଙ୍କ ଠାରୁ ନାସ୍ତିବାଣୀ ପାଇବା ପରେ ମୁଁ ମୋର ପୂଜାସ୍ପଦ ଗୁରୁ ଡ଼: କୁଞ୍ଜବିହାରୀ ତ୍ରିପାଠୀଙ୍କୁ ଏ ଦିଗରେ ସହାୟତା କରିବାକୁ ଅନୁଯୋଗ କଲି ।

 

ସେ ମହାଶୟ ଦୁଇଟି ସର୍ତ୍ତରେ ସମ୍ମତି ଦେଲେ–

 

(୧) ‘Paralleliism between Dravidian and odia Language’ ବା ‘The Influence of Dravidian especially Telugu on the Odia Language’ ଉପରେ ଗବେଷଣା କଲେ ସେ ମୋର ଗାଇଡ୍ ହୋଇପାରିବେ ।

 

(୨) ଯେ କୌଣସି ଏକ ଦ୍ରାବିଡ଼ ଭାଷାର ବର୍ଣ୍ଣମାଳା ଓ ‘ଆ’କାର ‘ଇ’କାର ଇତ୍ୟାଦି ଶିଖି ତହିଁରେ ଅନ୍ତତଃ ମୋ ନାମ ଲେଖିବାର ସାମର୍ଥ୍ୟ ହାସଲ କଲେ ସେ ମୋତେ ବିଶ୍ଵବିଦ୍ୟାଳୟ ଲାଗି ଉଦ୍ଦିଷ୍ଟ ସମ୍ମତି ପତ୍ର ଦେବେ ।

 

ମୁଁ ବିନା ଆପତ୍ତିରେ ଏ ସର୍ତ୍ତ ଦୁଇଟିକୁ ଗ୍ରହଣ କରିନେଲି ଏବଂ ଦ୍ୱିତୀୟୋକ୍ତ ବିଷୟବସ୍ତୁ ଉପରେ ଗବେଷଣା କରିବାକୁ ସିଦ୍ଧାନ୍ତ ନେଇ ରାତାରାତି ତେଲୁଗୁ ବର୍ଣ୍ଣମାଳା ଓ ‘ଆ’କାର ‘ଇ’କାର ଇତ୍ୟାଦି ଶିଖିପକାଇଲି । ତହିଁରେ ନାଁ ଲେଖିବାର ଦକ୍ଷତା ହାସଲକରି ପାରଳାରୁ କଟକ ଆସିଲି । ରେଭେନ୍ସା କଲେଜ ଓଡ଼ିଆ ପ୍ରଫେସର ଚାମ୍ବରରେ ସେ ତାଙ୍କ ସାମ୍ନାରେ ମୋତେ ତେଲୁଗୁରେ ମୋର ପୁରା ନାଁ ଲେଖିବାକୁ କହିଲେ ଓ ମୁଁ ତାହା କରି ସାରିବାପରେ ସେ ମୋତେ ଆବଶ୍ୟକ ସମ୍ମତି ପତ୍ର ଦେଲେ । ଏହାପରେ ତାମିଲ୍, ମାଲୟାଲମ, କନ୍ନାଡ଼ୀ ଇତ୍ୟାଦି ଭାଷାରେ ପ୍ରାଥମିକ ଜ୍ଞାନ ଅର୍ଜନକଲି ।

 

ସ୍ଥୂଳତଃ, ମୋ ‘ଗୋରୁଖୋଜା’ ଆରମ୍ବରୁ ରୀତିମତ ଦ୍ରୋଣଗୁରୁଙ୍କର କଠିନ ପରୀକ୍ଷାରେ ମୋତେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଲା । ପ୍ରବଳ ଉତ୍ସାହ ଓ ଆଗ୍ରହ ଥିବାରୁ ମୋତେ ଏହା ଦୁଃଖଦାୟକ ବୋଧ ହେଲାନାହିଁ । ଜାଣିଶୁଣି କିଟିମିଟିଆ ବିଷୟ ବସ୍ତୁଟି ବାଛି ନେଇଥିବାରୁ ଏଭଳି ଗୁରୁକୁଳୀୟ ପରୀକ୍ଷା ମୋ ପାଇଁ ଯେ ଅପରିହାର୍ଯ୍ୟ ଏହାଭାବି ମୁଁ ଆନନ୍ଦିତ ହେଲି ।

 

ମୋର କେତେକ ସୃଷ୍ଟିଛଡ଼ା ସ୍ଵଭାବ ବିଷୟ ପୂର୍ବେ ବର୍ଣ୍ଣିତ ହୋଇଅଛି । ତା ସାଙ୍ଗକୁ ମୋର ଆଉ ଏକ ବଦଗୁଣ ହେଉଛି, ଯାହାକୁ ଅଧିକାଂଶ କଷ୍ଟକର ବା ଦୁର୍ଗମ କହନ୍ତି, ତାହାକୁ ମୋର କର୍ତ୍ତବ୍ୟ ଭାବରେ ବାଛିନେବା ଓ ଆବଶ୍ୟକ ହେଲେ ତାହା ପାଇଁ ପ୍ରାଣପାତ କରିବା; ନଚେତ୍ ଆର୍ଯ୍ୟଭାଷାଗୋଷ୍ଠୀଠାରୁ ଭିନ୍ନ ଏକ ଭାଷା ପରିବାରର କ, ଖ, ଗ, ଘ, ରୁ ଆରମ୍ଭ କରି ତାହାର ଭାଷାତାତ୍ତ୍ୱିକ ରହସ୍ୟ ସମ୍ବନ୍ଧରେ ଏକ ଗବେଷଣା ସଂଦର୍ଭ ଲେଖିବାର ଦୁଃସାହସ ମୁଁ କରିନଥାନ୍ତି । ଅପରନ୍ତୁ ଏମ୍: ଏ: ପରବର୍ତ୍ତୀ ଏପରି ଏକ ଡିଗ୍ରୀ ପାଇଁ ଏଭଳି ଏକ କଠିନ କାର୍ଯ୍ୟରେ ମୋର ଶକ୍ତିପରୀକ୍ଷା କରିବା ଉଚିତ୍ ବୋଲି ମୁଁ ମନେକରିଥିଲି ।

 

୧୮୬୧/୬୨ ବେଳକୁ ଓଡ଼ିଶାର ଗବେଷଣା-କ୍ଷେତ୍ର ଆଜିଠାରୁ ଅଧିକ ସଂକୁଚିତ । ଗବେଷଣା ଉଦ୍ଦେଶ୍ୟରେ ଓଡ଼ିଶା ଛାଡ଼ି ମାସେ ଅଧେ ବାହାରେ ରହିବା, ବାପାଙ୍କ ଯୋଗୁଁ ମୋ ପକ୍ଷେ ସମ୍ଭବ ନଥିଲା । ତେଣୁ ଏଭଳି ଏକ ବିଷୟନେଇ ମୁଁ ବହୁ ଦୁରନ୍ତ ସମସ୍ୟାର ସମ୍ମୁଖୀନ ହେବି, ଏ ଚିନ୍ତା ମୋ ମନକୁ ଆସିଥିଲେ ମଧ୍ୟ ତହିଁରେ ମୁଁ ଦୁର୍ବଳ ହୋଇନଥିଲି ।

 

ଭାରତ ଏବଂ ଭାରତ ବାହାରେ ଦ୍ରାବିଡ଼ ଓ ଓଡ଼ିଆ ଭାଷାର ତୁଳନାତ୍ମକ ଅଧ୍ୟୟନ କ୍ଷେତ୍ରରେ ଏହା ପ୍ରଥମ କୃତୀ ହୋଇଥିବାରୁ ମୋ ମାତୃଭାଷାର ସୂରୁପକୁ ଦେଶୀ ତଥା ବିଦେଶୀଙ୍କୁ ଦେଖାଇବା ଓ ଟାଇପଟପାର ସୁବିଧା ଲାଗି ଇଂରାଜୀ ଭାଷା ମାଧ୍ୟମରେ ଏ କାର୍ଯ୍ୟଟି କରିବାକୁ ମୁଁ ମନସ୍ଥ କଲି । ଏହା ମୋ ଦେଶର ଚାରି/ପାଞ୍ଚଜଣ ଓଡ଼ିଆଙ୍କୁ ଆରମ୍ଭରୁ ଶେଷଯାଏ ମୋର ଶତ୍ରୁ ସଜାଇଲା । କାର୍ଯ୍ୟଟି ସୁରୁଖୁରୁରେ ସରିଗଲେ ମୁଁ କାଳେ ଭରତସାରା ନାଁ କମେଇ ସେ ଅଯୋଗ୍ୟମାନଙ୍କର ଦାନା କନାରେ ପ୍ରତିବନ୍ଧକ ହୋଇ ଠିଆ ହେବି, ଏ ଆଶଙ୍କାରେ ସେମାନେ ଆରମ୍ଭରୁ ଈର୍ଷାକାତର ହୋଇଉଠିଲେ । ଉକ୍ତ ଈର୍ଷାକ୍ରମେ ହୀନ ଚକ୍ରାନ୍ତରେ ପରିଣତ ହେଲା । ମୋ ନିଜ ସ୍ଵଭାବ ବଶତଃ ଓ ମୋ ଗାଇଡ୍ ଙ୍କ ଭଳି ଦ୍ରୋଣଗୁରୁଙ୍କର ଧାରାବାହିକ ବିଷମ ପରୀକ୍ଷା ଏବଂ ରାଜଧାନୀଠାରୁ ମୋର ଦୂର ଅବସ୍ଥାନ ହେତୁ ଯଥା ସମୟରେ ମୁଁ ଏହାର ସଟ୍ଟ । ସମ୍ବନ୍ଧ ପାଇପାରିଲି ନାହିଁ । ଏହାର ଭୀଷଣ ସ୍ୱରୂପ ମୋ ଦୃଷ୍ଟିକୁ ଆସିଲାବେଳକୁ ଏ ଚକ୍ରବ୍ୟୂହର ପରିସର ଓଡ଼ିଶା ଭୁଇଁରେ ସୀମାବନ୍ଧ ନଥିଲା । ହେଲେହେଁ ମୋ ଗବେଷଣାର ସତ୍ୟକୁ ଚାପିବା ଲାଗି ଓ ମୋ ସନ୍ଦର୍ଭକୁ ଦିବାଲୋକ ଦେଖାଇ ନଦେବା ପାଇଁ ଯେଉଁମାନେ ଦୀର୍ଘ ଚଉଦବର୍ଷ ଧରି (୧୯୬୩-୭୬) ମିଳିତ ଷଡ଼ଯନ୍ତ୍ର କଲେ ସେମାନେ କେହି ଅଣଓଡ଼ିଆ ନୁହନ୍ତି । ସେମାନେ ସମସ୍ତେ ଓଡ଼ିଆ ଓ ଓଡ଼ିଶା ଭୁଇଁର । ବରଂ ମୋ ସନ୍ଦର୍ଭର ବାଚନିକ ଓ ଲିଖିତ ପ୍ରଶଂସାରେ ଯେଉଁମାନେ ଅନ୍ତତଃ ମୋ ଶ୍ରମକୁ ସାର୍ଥକ କରିଛନ୍ତି ସେମାନେ ସମସ୍ତେ ଅଣଓଡ଼ିଆ । ଅବଶ୍ୟ ଓଡ଼ିଶା ଇତିହାସରେ ଓଡ଼ିଆମାନଙ୍କର ଏ ଗୋତ୍ରମରା ନୀତି ଆଦୌ ନୂଆ ନୁହେଁ । ତେଣୁ ଇତିହାସର ଏ ପୁନରାବୃତ୍ତି ଲଜ୍ଜାଜନକ ହେଲେ ମଧ୍ୟ ଆଦୌ ବିଚିତ୍ର ନୁହେଁ ।

 

ତେବେ ସେ ଯାହାହେଉ ପାରଳା ଯିବାମାତ୍ରେ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ, ବିଶ୍ଵବିଦ୍ୟାଳୟରେ ଏହାର ରେଜିଷ୍ଟ୍ରେସନ୍ ହେଉ ହେଉ ତେଷଠୀ ମସିହା ହୋଇଗଲା । ଦ୍ରାବିଡ଼, ପ୍ରାକ୍-ଦ୍ରାବିଡ଼ (ଶବର:ଅଷ୍ଟ୍ରିକ୍), ଓଡ଼ିଆର ଦକ୍ଷିଣୀ ଉପଭାଷା (dialect) ଏବଂ ରେଲି, ମେଦ୍ରି ପ୍ରଭୁତି ବହୁ ଜାତିଆଣ ଉପଭାଷା (caste-dialect) ଘାଣ୍ଟିବା ପାଇଁ ଗୁଡ଼ିଏ ପୋଥିପତ୍ର, ସଂଗ୍ରହକାରୀ ଓ ଶିକ୍ଷକ ଆବଶ୍ୟକ ପଡ଼ିଲେ । ଏହେତୁ ମୋର ବ୍ୟୟ ମୋ ହାତ ପାଆନ୍ତାରେ ରହିଲା ନାହିଁ । ମୋ ଗାଇଡ୍‍ଙ୍କ ପରାମର୍ଶକ୍ରମେ ଉତ୍କଳ-ବିଶ୍ୱବିଦ୍ୟାଳୟର ‘ଜ୍ଞାନ-ବିଜ୍ଞାନ ପରିଷଦ’ ପକ୍ଷରୁ କିଛି ସାହାଯ୍ୟ ପାଇବା ଲାଗି ଗବେଷଣାର ସାରସଂକ୍ଷେପ ଆବଶ୍ୟକ ଉପାଦାନର ଟିକିନିକି ବିବରଣୀ ସହ ଯଥା ସମୟରେ ଆବେଦନପତ୍ର ପଠାଇଲି । ମୋ ଗାଇଡ଼୍ ସେ ପରିଷଦର ଚେୟାରମେନ୍ । ଗବେଷଣା ନାଁରେ ଏଠୁ ସାହାଯ୍ୟ ନେଇ ମୋଟେ କାର୍ଯ୍ୟ ନକରି ଅର୍ଥ ଗଫଲତ୍ କରିଥିବାରୁ ନିଜର ମଧ୍ୟ ଏଠି ବିରଳ ନୁହେଁ; କିନ୍ତୁ ମୋ କପାଳକୁ ମୋ ସାରସଂକ୍ଷେପ (Synopsis) ଓ ଆବଶ୍ୟକ ଉପାଦାନର ତାଲିକା ବିଶେଷଜ୍ଞମାନଙ୍କର ମତପାଇଁ ପୃନା ପଠାଗଲା । ସେଠୁ ତାହା ଫେରିନି ଶୁଣି କାନ ତାବଦା ହୋଇଗଲା; ଅଥଚ ସାହାଯ୍ୟ ମିଳିଲା ନାହିଁ-

 

‘ଶ୍ରେୟାଂସି ବହୁ ବିଘ୍ନାନି’–ଏ ଶାସ୍ତ୍ର ବଚନକୁ ଆଶ୍ଵାସନାର କବଚ କରି ମୁଁ କର୍ମ ପଥରେ ଆଗେଇ ଚାଲିଲି । ଏଠାରେ ଏହା ସ୍ମରଣୀୟ ଯେ ମୋ ଗବେଷଣାର ବିଷୟ ବସ୍ତୁଟି ଭାଷାତାତ୍ତ୍ଵିକ ହୋଇଥିଲେ ମଧ୍ୟ ଓଡ଼ିଆ ସାହିତ୍ୟର (ଓଡ଼ିଆ ଭାଷା ଓ ସାହିତ୍ୟ) ପି.ଏଚ.ଡ଼ି. ସନ୍ଦର୍ଭଟିଏ ପ୍ରସ୍ତୁତ କରିବା ଲାଗି ମୋ ନାମ ରେଜିଷ୍ଟ୍ରିଭୁକ୍ତ କରାଯାଇଥିଲା । ଉତ୍କଳ ବିଶ୍ଵବିଦ୍ୟାଳୟରେ ଭାଷାତତ୍ତ୍ଵରେ ସ୍ନାତକୋତ୍ତର ଶିକ୍ଷା ବ୍ୟବସ୍ଥା ନଥିବାରୁ ସେମାନେ ନିରୋଳ ଭାଷାତତ୍ତ୍ଵ ସଂବଧୀୟ ସନ୍ଦର୍ଭ ଉପରେ ଡକ୍ଟରେଟ୍ ଡିଗ୍ରୀ ଦେବାକୁ ଯେ ଅକ୍ଷମ, ଏହା ବର୍ଷ ବର୍ଷ ଧରି ଏ ଦେଶର କଥାକଥିତ କୃତବିଦ୍ୟଙ୍କୁ ମୋ ସନ୍ଦର୍ଭର ଜଣେ ବହିର୍ପରୀକ୍ଷକ ତାଙ୍କ ରିପୋର୍ଟରେ ବୁଝାଇ ଥିଲେ ମଧ୍ୟ ସେମାନେ ଏହାର ସୂକ୍ଷ୍ମ ପାର୍ଥକ୍ୟ ବୁଝିବାକୁ ଚେଷ୍ଟା କଲେନାହିଁ । ଦୁର୍ଦ୍ଦାନ୍ତ ‘କପଟପାଶା’ର ଭୟଙ୍କର ଅନ୍ଧପୁଟୁଳି ତଳେ ୧୯୭୦ ଓ ୧୯୭୫ ମସିହାରେ ବାସ୍ତବ ସତ୍ୟକୁ ଅତି ନିର୍ମମ ଭାବରେ ହତ୍ୟା କରାଗଲା । ଏହା ସତ୍ତ୍ଵେ ଜୀବନ-ଦେବତାଙ୍କର ଅମିତ ଦୟାରୁ ଅର୍ଥ ସାଙ୍ଗକୁ ପ୍ରାୟ ଦଶ ବର୍ଷର କୃଜ୍ର ସାଧନା ଓ ଚଉଦ ବର୍ଷର ମାନସିକ ନିର୍ଯ୍ୟାତନା ମୋତେ ବିବୃତ କରି ପାରି ନଥିଲା । ତେଣୁ ୧୯୬୦ରେ ମୋତେ ଡକ୍ଟରେଟ୍ ଦେବା ପରିବର୍ତ୍ତେ ଯେତେବେଳେ ପ୍ରଥମଥର ପାଇଁ ଅନ୍ଧ କୂପରେ ନିକ୍ଷେପ କରାଗଲା, ଏହାର ଆଫିସିକ ସଂବାଦ ମୁଁ ପାଇଲି ପୁରୀ କଲେଜରେ ଦିନ ପ୍ରାୟ ୧୨ଟା ବେଳେ । ଛାତିତଳେ ସାମାନ୍ୟ ଟିକିଏ ବ୍ୟଥା ଲାଗିଲା ପାଞ୍ଚ ମିନିଟ୍ ପାଇଁ । କିନ୍ତୁ ତାହା ପରେ ପରେ କିଛି ଘଟିଥିଲା ପରି ମୁଁ ମୋର ସେଦିନର କର୍ତ୍ତବ୍ୟ ଶେଷ କଲି । ପ୍ରାୟ ଏକ ସପ୍ତାହ ଧରି ମୋର ବନ୍ଧୁମାନେ ଏ ଧକ୍କାର କୌଣସି ସୂଚନା ପାଇ ନ ଥିଲେ । ମୋ ମୁଖମଣ୍ଡଳରେ ମଧ୍ୟ କୌଣସି ଭାବାନ୍ତର ଲକ୍ଷ୍ୟ କରି ନଥିଲେ ବୋଲି ସେମାନେ ପରେ ସ୍ଵୀକାର କଲେ । ଏହା ମୋ ପାଇଁ ପ୍ରଭୁଙ୍କର ନିଶ୍ଚିତ ଆଶୀର୍ବାଦ । ଦୁଃଖରେ ଯାହାର ଜୀବନ ଗଢ଼ା, ତା’ପାଇଁ ଆଉ ଅଧିକ ଦୁଃଖ କଣ-?-–ଏହାର ରୀତିମତ ଗୋଟାଏ ପରୀକ୍ଷା ହୋଇଗଲା ଏହି ସମୟରେ । ତେଣୁ ମୁଁ ଦବି ନ ଥିଲି । ଭାଙ୍ଗି ପଡ଼ିବାର ତ ପ୍ରଶ୍ନ ଉଠୁନାହିଁ । ବରଂ ଏ ସମ୍ବାଦ ମିଳିବାର ପରଦିନ ମୁଁ ମୋର ସର୍ବପ୍ରଶଂସିତ କୃତୀ ‘କଥାକାର ସୁରେନ୍ଦ୍ର ମହାନ୍ତି’ର ଶୁଭ ଦେଇଥିଲି ବେଶ୍ ଆଗ୍ରହ ଓ ଉତ୍ସାହ ମଧ୍ୟରେ ।

 

ପାଠକ ପାଠିକାମାନଙ୍କର ଅବଗତ ପାଇଁ ମୋ ଗବେଷଣା ସନ୍ଦର୍ଭର ବହିର୍ପରୀକ୍ଷକ ଦ୍ୱୟଙ୍କର ୧୯୭୦ରେ ପ୍ରଦତ୍ତ ରିପୋର୍ଟରୁ କିଛି ଅଂଶ ଏଠାରେ ଉଦ୍ଧାର କରୁଛି-

 

ଡ: ସୁକୁମାର ସେନ୍, ଅବସର ପ୍ରାପତ ପ୍ରଫେସର, କଲିକତା ବିଶ୍ୱବିଦ୍ୟାଳୟ–

 

(୧) The Pavallelism between Oriya and Dravidian (Telugu), is thus studied in a systematic manner. The Bibliography is adequate and the index giving the List of Dravidian and Indo-Aryan vocables in the thesis have been given under Language heads.

 

The thesis embodies neat and careful research work, and I recommend that the thesis be accepted for the award of the degree of Ph. D.

 

I also recommend publication of the thesis by the university.

 

ଡ: ଏ ଚନ୍ଦ୍ରଶେଖର, ପ୍ରଫେସର୍, ଦିଲ୍ଲୀ ବିଶ୍ୱବିଦ୍ୟାଳୟ-

 

(୨) X X X it is not fit for the Ph. D. degree in the field of Linguistic by any standard. But since the degree is sought in the field of Oriya Language and Literature I recommend that the degree may be granted. X X X

 

ତିନି ଜଣିଆ ପରୀକ୍ଷକ ବୋର୍ଡର (ଗାଇଡଙ୍କ ସମେତ) ଚେୟାରମେନ୍ ମୋର ଗାଇଡ୍ ମଧ୍ୟ ତାଙ୍କ ରିପୋର୍ଟରେ ଉଲ୍ଲିଖିତ ଡିଗ୍ରୀ ପାଇଁ ସୁପାରିଶ୍ କରିଥିଲେ କହିବା ନିଷ୍ପ୍ରୟୋଜନ ।

 

ଏ ରିପୋର୍ଟଗୁଡ଼ିକରେ ମୋତେ ଡିଗ୍ରୀ ଦେବାର କେଉଁଠି ବାଧା ରହିଲା ତାହା ଏ ଦେଶର ଚିନ୍ତାଶୀଳ ବ୍ୟକ୍ତିମାନେ ବିଚାର କରିବେ । ତେବେ ସେ ଯାହାହେଉ ଏ ଅନ୍ଧକୂପର ଅସଲ ରୂପ ସଂପର୍ଣ୍ଣ ରିପୋର୍ଟ ନାହିଁ । ତେଣୁ ଦିବାଲୋକ ଭଳି ସ୍ପଷ୍ଟ, ସତ୍ୟ ଓ ବାସ୍ତବର ତୋଟି ଚିପା ଯାଇଥିଲେ ମଧ୍ୟ ନିରୀହ ଓ ସରଳ ବିଶ୍ଵାସରେ ମୋ ଗାଇଡ ମୋତେ ସନ୍ଦର୍ଭଟିକୁ ଆଉ ଟିକେ ମଜା ଘଷା କରି ପୁନର୍ଦାଖଲ କରିବାକୁ ବାରମ୍ବାର ପରାମର୍ଶ ଦେଲେ ।

 

ତାଙ୍କ ପରାମର୍ଶକ୍ରମେ ୧୯୭୦ ରୁ ୭୫ ଯାଏ ପୁଣି ଅକ୍ଳାନ୍ତ ପରିଶ୍ରମ କରି ୭ । ୩ । ୭୫ ମୋର ମାର୍ଜିତ ସନ୍ଦର୍ଭଟି ଦାଖଲ କଲି । କିନ୍ତୁ ଏଥର ସଂଗଠିତ ଷଡ଼ଯନ୍ତ୍ର ଆଉ ଓଡ଼ିଶା ଭୁଇଁରେ ସୀମାବଦ୍ଧ ହୋଇ ରହିଲା ନାହିଁ । ଏହା ଅନ୍ୟ ଭୂଇଁ ବାଟ ଦେଇ ପ୍ରକାଶ ପାଇଲା । ତେଣୁ ମାର୍ଜିତ ସନ୍ଦର୍ଭ ଉପରେ ମତ ଆସିଲା-

 

ପ୍ରଫେସର ଡ: ସେନ୍ (ତୁଳନୀୟ ପୂର୍ବପ୍ରଦତ୍ତ ଅଭିମତ)–

 

The Candidate has neither proved nor shown anything which can be remotely called original X X X I donot recommed that the thesis be accepted for the award of the degree.

 

ପ୍ରଫେସର୍, ଡ. ଚନ୍ଦ୍ରଶେଖର–

 

The thesis is substantially the same as it was when it was first submitted. X X X

 

In view of the fact that the candidate has put in considerable work and has, no doubt, made out a case for establishing the fact of influence of Dravidian (Telugu) on Odia, I recommend that be awarded the Ph. D. Degree.

 

ମୋ ତତ୍ତ୍ଵାବଧାରଙ୍କ ଅଭିମତ–

 

He has improved upon the thesis originally submitted.

 

The thesis embodies the result of sustained research and forms a valuable contribution to the meagre Literature on the subject.

 

I recommend that the degree of Ph. D. be awarded.

 

ଡ: ସେନଙ୍କ ରିପୋର୍ଟ ଭିତ୍ତିରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ମୋ ସଂଦର୍ଭ ଗୃହୀତ ହୋଇନାହିଁ ବୋଲି ମୋତେ ଓ ବୋର୍ଡର ଚେୟାରମେନ ଡ: ତ୍ରିପାଠୀଙ୍କୁ ଜଣାଇଦେଲେ । ଡ: ତ୍ରିପାଠୀ ପୂର୍ବପରି ଆଉ ସରଳ ବିଶ୍ୱାସରେ ପ୍ରତାରିତ ହେବା ଉଚିତ ମନେ ନ କରି ୧୯୭୦ ଓ ୭୫ର ପୂର୍ଣ୍ଣାଙ୍ଗ ରିପୋର୍ଟ ମଗାଇଲେ । ଉର୍ଦ୍ଦିଷ୍ଟ ରିପୋର୍ଟଗୁଡ଼ିକର ପ୍ରାପ୍ତି ପରେ ୧୯୭୦ରୁ Ph.D. ଡିଗ୍ରୀ ପାଇବାକୁ ମୁଁ ଯେ ହକ୍‍ଦାର ଏହା ତାଙ୍କୁ ଅବିଦିତ ରହିଲା ନାହିଁ । ଏକ ଓ ଅଭିନ୍ନ କାର୍ଯ୍ୟ ଉପରେ ଡ. ସେନଙ୍କର ପୂର୍ବମତ ଓ ପରବର୍ତ୍ତୀ ମତ ତାହାଙ୍କୁ ଅତ୍ୟନ୍ତ ରହସ୍ୟଜନକ ବୋଧହେବାରୁ ବିଶ୍ୱ ବିଦ୍ୟାଳୟଙ୍କ ଜ୍ଞାତସାରରେ ଚେୟାରମେନର ଅଧିକାର ନେଇ ସେ, ଡ: ସେନଙ୍କ ନିକଟକୁ ପତ୍ର ଲେଖିଥିଲେ ଓ ତାଙ୍କ ପତ୍ର ପାଇବା ମାତ୍ରେ ଡ: ସେନ କଥା ଥେସିସ୍‍କୁ ଅନୁମୋଦନ କରିଥିଲେ ଓ ତାହାଙ୍କର ପରିବର୍ତ୍ତିତ ମତ ଡ: ତ୍ରିପାଠୀଙ୍କ ମାଧ୍ୟମରେ ବିଶ୍ୱବିଦ୍ୟାଳୟକୁ ପଠାଇଥିଲେ । ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସକ (ଆଡ୍ମିନିଷ୍ଟ୍ରେଟର) ବିଶ୍ୱବିଦ୍ୟାଳୟର ପ୍ରାୟ ସର୍ବେସର୍ବା ଥିବାରୁ ଡ: ସେନଙ୍କର ଅନୁମୋଦନ ଦୃଷ୍ଟିରୁ ମୋତେ ଜଣାଇଦେଇଥିବା ଫଳାଫଳର ପୁନର୍ବିଚାର କରିବାକୁ ମୁଁ ଓ ମୋର ଗାଇଡ୍ ତାହାଙ୍କର ଦୃଷ୍ଟି ଆକର୍ଷଣ କରିଥିଲୁ । ସଂପୃକ୍ତ ବିଶ୍ୱବିଦ୍ୟାଳୟରେ ଏଭଳି ନଜିର ବିରଳ ନୁହେଁ ବୋଲି ଦର୍ଶାଇ ମୁଁ ଓ ଡ: ତ୍ରିପାଠୀ ନିକଟ ଅତୀତର ଦୁଇଟି ଜ୍ୱଳନ୍ତ ଦୃଷ୍ଟାନ୍ତକୁ (ଗୋଟିଏ ଅର୍ଥନୀତି ବିଭାଗ ଓ ଅନ୍ୟଟି ଦର୍ଶନ ବିଭାଗରେ) ତାହାଙ୍କର ଦୃଷ୍ଟି ଆକର୍ଷଣ କରିଥିଲୁ । କିନ୍ତୁ ସେ ତାହାଙ୍କର ମତ ଉପରେ ଅଟଳ ରହିବାକୁ ୧୯୭୦ ରୁ ୭୫ ଯାଏ ମୋ ଉପରେ କରାହୋଇ ଆସୁଥିବା ଅନ୍ୟାୟର ପ୍ରତିରୋଧ ନିମିତ୍ତ ମୁଁ ମାନ୍ୟବର ହାଇକୋର୍ଟଙ୍କର ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲି । ଡିଗ୍ରୀ ବା ଉଚ୍ଚାଧିକାରର ପ୍ରଲୋଭନ ତ ମୋର କେବେ ନଥିଲା ବା ଆଜି ନାହିଁ । ଏହା କହିବାବେଳେ ମୁଁ ମୋର ଆତ୍ମପ୍ରଶସ୍ତି ଅପେକ୍ଷା ସତ୍ୟ-କଥନ ଉପରେ ଅଧିକ ଆସ୍ଥାବାନ ବୋଲି ମୋର ଦୃଢ଼ ବିଶ୍ୱାସ ।

 

ତେଣୁ ଭବିଷ୍ୟତରେ ଏଭଳି ଅନ୍ୟାୟର ପୁନରାବୃତ୍ତି ନହେଉ ଏହାହିଁ ଥିଲା ମୋର ଆଇନ୍ ଅଦାଲତକୁ ଦୌଡ଼ିବାର ପ୍ରଧାନ ଉଦ୍ଦେଶ୍ୟ । ତାହା ପୂରଣ ହେଲାକି ନାହିଁ ସେ ଜବାବ୍ ମୁଁ ନଦେଇ ଭବିଷ୍ୟତ ହିଁ ତାହାର ଜବାବ୍ ଦେଉ ।

 

ମୋଟାମୋଟି ଏହାହିଁ ହେଉଛି ମୋ ଗବେଷଣାର ନିର୍ଭୁଲ ଆତ୍ମଲିପି । ଉଚ୍ଚନ୍ୟାୟାଳୟରେ ମୋ ନିଜ ସ୍ଵୀକୃତିଭିନ୍ନ ମୋର ତିନିନମ୍ବର ବିପକ୍ଷବାଦୀ (Opposite Party No.3.) ପ୍ରଫେସର ଡ: ତ୍ରିପାଠୀଙ୍କର ନିମ୍ନାଙ୍କିତ ସ୍ୱୀକୃତିରୁ ଏହାର ସତ୍ୟତା ଅନୁମେୟ-:–

 

On perusal of the reports of the examiners (in 1970 and 1975) this deponent found out that all the three examiners had in 1970 recommended award of the degree to the petitioner, but the Syndicate without convening a meeting of the Board of Examiners, published an incorrect result of the petitioner.

 

The thesis had been prepared under the deponent’s guidance and supervision and it was his right to find out why the reports of the same examiner differed. Dr Sen in reply approved the thesis and his approval and reply were delivered by the deponent to the Deputy Registrar on 1.9.1975 X X X
 

Finally as the guide of the candidate and as the chairman of the Board of Examiners of the thesis of the petitioner, the deponent feels that justice has not been done either to the candidate or to his guide as is appareht on the facts of the record. X X X

Image

 

ଏଥିଭିତରେ ଓ ଏହାପରେ

 

ଏଥି ଭିତରେ ଓ ଏହାପରେ ଜୀବନର ବହୁ ଦହନ ଓ ଜ୍ଵାଳା ମଧ୍ୟରେ ଯାହା ମୋତେ ଆଜିଯାଏ ବଞ୍ଚାଇ ରଖିଛି ତାହା ହେଉଛି ସାହିତ୍ୟ । ସେ ବିଷୟରେ ଏଠି କିଛି କହିବା ଅସଂଗତ ହେବ ନାହିଁ । ମୋତେ ୧୫ ବର୍ଷ ହେଲାବେଳକୁ ମୁରଲୀଭାଇଙ୍କ ଟୁଙ୍ଗୀଘରେ କିଭଳି ପରିସ୍ଥିତିରେ ଆମ ଦୁହିଁଙ୍କର ସାହିତ୍ୟ-ସେବା ଆରମ୍ଭ ହୋଇଥିଲା, ତାହା ନବମ ପରିଚ୍ଛେଦରେ କୁହାଯାଇଛି । ୧୯୪୩-୪୪ରୁ ଆଜି ପର୍ଯ୍ୟନ୍ତ ସେମିତି ସାହିତ୍ୟସେବକ ହୋଇ ରହିଯାଇଛି । ନିଜକୁ ସାହିତ୍ୟକ କହିବାର ଦମ୍ଭ ମୋର ଆସିନାହିଁ । ଶ୍ରୀରାମପୁରୀ ବାଲିକାଗଜର ସେ ଚୁଟିବନ୍ଧା ଖାତା, ଆଜିବି ମୋତେ ପ୍ରେରଣା ଦିଏ ଆଗେଇଯିବାକୁ-ଦୁଃଖସୁଖର ଯାହା କାହାଣୀ, କାଳିକଲମରେ ଗାଇ ଯିବାକୁ ।

 

ସନ ୧୯୪୮ ମସିହା । ମୋର ସେତେବେଳକୁ ଏକାଦଶ ଶ୍ରେଣୀ । କ’ଣ ଗୋଟିଏ ପ୍ରବନ୍ଧ ‘ଚତୁରଙ୍ଗ’ରେ ପ୍ରକାଶ ପାଇଁ ବଲାଙ୍ଗୀର ପଠାଇଥିଲି ।

 

ମାସ ମାସ ଧରି ଅପେକ୍ଷା କରିବାପରେ ପ୍ରବନ୍ଧ ପ୍ରକାଶ ନପାଇବାରୁ ମୁଖ୍ୟ ସଂପାଦକଙ୍କ ନିକଟକୁ ମୁଁ ଏକ ଅଭିମାନିଆ ଚିଠି ଲେଖିଥିଲି । ଏ ଅଭିମାନ ସମ୍ଭବତଃ ସବୁଲେଖକ ଲେଖିକା ଓ ସାହିତ୍ୟସେବଙ୍କର ଥାଏ । ଯାହାହେଉ ଚିଠିଟି ପଠାଇଦେଇ ମୁଁ ସ୍ଵସ୍ତିର ନିଃଶ୍ୱାସ ମାରିଲି । ଉତ୍ତର ପାଇବି ବୋଲି ଆଶା ନଥାଏ ।

 

କିନ୍ତୁ ସେ ଯୁଗର କଥା ଭିନ୍ନ । ଆଜିକାଲି କେତେକ ପତ୍ର-ପତ୍ରିକାର ସଂପାଦକ ଉତ୍ତର ନଦେବାକୁ ଯେପରି ବଡ଼ପଣିଆ ବୋଲି ଭାବୁଛନ୍ତି, ତାହା ପ୍ରାୟ ସେତେବେଳେ ନଥିଲା । ‘ଚତୁରଙ୍ଗ’ ଭଲ ନାଁ କମେଇଥିଲେ ମଧ୍ୟ ଅସୌଜନ୍ୟକୁ ଏହାର ପରିଚାଳନା କର୍ତ୍ତୃପକ୍ଷ ମହତ୍ତ୍ଵର ମାନଦଣ୍ଡ ଭାବରେ ଗ୍ରହଣ କରିନେଇ ନଥିଲେ । ତେଣୁ ନାଁ ବାଳିକି ଛାଡ଼ିନଥିବା ଲେଖକ ଲେଖିକାଠାରୁ ପୋଖତ ଲେଖକ ଲେଖିକା ଯାଏ ସଭିଙ୍କୁ ସାହିତ୍ୟସେବୀର ସମ୍ମାନ ଦିଆଯାଉଥିଲା ଓ ସେମାନଙ୍କର ସଂଦେହମୋଚନ ପାଇଁ ସଂପାଦକମାନେ ସଦାସର୍ବଦା ଜାଗତିଆର ଥିଲେ । ଏହି ଦାୟବଦ୍ଧତାର ନିର୍ଦ୍ଦେଶମାନ ‘ଚତୁରଙ୍ଗ’ର ମୁଖ୍ୟସଂପାଦକଙ୍କ ପକ୍ଷରୁ ଶ୍ରୀ ଜୟବିହାରୀ ମିଶ୍ର ୨୦ । ୬ । ୪୮ ରେ ମୋ ଚିଠିର ବେଶ୍ ସୌହାର୍ଦ୍ଦପୂର୍ଣ୍ଣ ଉତ୍ତରଟିଏ ପଠାଇଥିଲେ–

 

“ପ୍ରିୟ ମହାଶୟ,

 

ଆପଣଙ୍କ ପତ୍ର ପାଇଁ ଆନ୍ତରିକ ଧନ୍ୟବାଦ । ପ୍ରବନ୍ଧାଦିର ବିଚାର କଲାବେଳେ ଉପାଧି ପ୍ରତି ଦୃଷ୍ଟି ଦିଆଯାଏ ନାହିଁ–ଦୃଷ୍ଟି ଦିଆଯାଏ ପ୍ରବନ୍ଧର ଗୁରୁତ୍ଵ ପ୍ରତି । ଛାତ୍ର ସାଧାରଣଙ୍କୁ ‘ଚତୁରଙ୍ଗ’ ଖୁବ୍ ଉତ୍ସାହ ଦେଇଆସିଛି, ଭବିଷ୍ୟତର ସାହିତ୍ୟକ ଗଠନ କରିବାକୁ ।”

 

ଏଭଳି ସ୍ନେହ ସୌଜନ୍ୟ ଓ ଦାୟବଦ୍ଧତା ଏ ଯୁଗରେ ଦୁର୍ଲଭ ହୋଇ ଆସିଲାଣି । ଏହାର ଅଭାବରୁ କେବଳ ପତ୍ରପତ୍ରିକାର ସଂପାଦକ ଓ ଲେଖକ କ’ଣ, ଲେଖକ ଓ ପ୍ରକାଶକ, ଲେଖକ ଓ ଲେଖକ ମଧ୍ୟରେ ସ୍ନେହ ଶ୍ରଦ୍ଧା ପରିବର୍ତ୍ତେ ତିକ୍ତ ରଣ ଧନ୍ଦୋଳ ଦେଖାଯାଉଛି । ଏହେତୁ ସାହିତ୍ୟ ଆଖଡ଼ାଗୁଡ଼ିକରେ ଗୋଷ୍ଠୀବିବାଦ, ଜାତି ବିବାଦ ଓ ଚିହ୍ନା ଅଚିହ୍ନା ଭେଦ କୁତ୍ସିତ ରାଜନୀତିର ବେଶପଟା ଭିଡ଼ି ମାଙ୍କଡ଼ ନାଚ ଆରମ୍ଭ କରିଦେଲାଣି ।

 

ଏହା ସମୟେ ସମୟେ ଅତି ଉତ୍କଟ ଓ ନିଃଶ୍ୱାସରୁନ୍ଧା ହୋଇ ଉଠୁଛି । ଅତୀତରେ ‘ବିଜୁଳୀ’ ଏବଂ ‘ଇନ୍ଦ୍ରଧନୁ’ର ସଂଘର୍ଷ କାଳରେ ଏହିଭଳି ଏକ ଅମର୍ଯ୍ୟାଦାକର ପରିସ୍ଥିତି ସୃଷ୍ଟି ହୋଇଥିଲେ ହେଁ, ଏହାର ଫଳଶ୍ରୁତି ମସି-ଯୁଦ୍ଧରୁ ଅସି-ଯୁଦ୍ଧରେ ପରିଣତ ହୋଇନଥିଲା ବା ସାହିତ୍ୟର ସିଂହାସନ ତଳେ ଗୁଣ୍ଡାମି, ଜଳାପୋଡ଼ା ଓ ଚାପାଚାପିର କଳଙ୍କିତ ଇତିହାସକୁ କେହି କେବେ ସାହିତ୍ୟର ମର୍ଯ୍ୟାଦା ଦେଉନଥିଲେ ।

 

ବେଶୀ ଦିନ ତଳର କଥା ନୁହେଁ, ଆଜିକୁ ପଚିଶି ସତେଇଶି ବର୍ଷ ତଳେ ସାହିତ୍ୟକମାନଙ୍କର ଯେଉଁ ଦିବ୍ୟ ହୃଦୟବତ୍ତା, ସାହିତ୍ୟ ଏବଂ ସାହିତ୍ୟସେବୀ ନିମନ୍ତେ ପ୍ରେରଣାପ୍ରଦ ହେଉଥିଲା, ତାହା ଆଜି ସ୍ୱପ୍ନ ହୋଇଛି । ମୋ ସାହିତ୍ୟସେବାର ଦ୍ୱନ୍ଦ୍ଵସଂକଟ କାଳରେ ଏ ଦେଶର ଅନେକ ସାହିତ୍ୟକ ବନ୍ଧୁ ଓ ଶୁଭକାମୀଙ୍କଠାରୁ କିଭଳି ଉତ୍ସାହ ଓ ପ୍ରେରଣା ପାଇଛି, ତାହା ନିମ୍ନୋଦ୍ଧୃତ କେତୋଟି ପତ୍ରାଂଶରୁ ସହଜରେ ଲକ୍ଷ୍ୟ କରାଯାଇପାରେ ।

 

ସାଗର ସେପାରିରୁ ଫେରିବାପରେ ୮ । ୫ । ୫୨ରେ ଗଞ୍ଜେଇଡ଼ିହରୁ ଲେଖିଥିଲେ ସ୍ୱର୍ଗତ ଶ୍ରୀ ଗୋଲାକ ବିହାରୀ ଧଳ–

 

ପ୍ରିୟ ପୀତାମ୍ବର,

 

ପର୍ଯ୍ୟଟକଙ୍କୁ ଯେଉଁ ପୂଜା ଅର୍ଘ୍ୟ ଦେଇଛ, ସେ ତାର ଯୋଗ୍ୟ କି ନୁହଁନ୍ତି, ନିଜେ ବି ଜାଣି ନାହାନ୍ତି । ତଥାପି ତମର ଏହି ସସ୍ନେହ ଦୟାପାଇଁ ମୁଁ ଆନ୍ତରିକ ଧନ୍ୟବାଦ ଜଣାଉଛି X X X X ସ୍ଵଦେଶକୁ ଫେରି ନିଜ ଲୋକଙ୍କର ଅନାଗ୍ରହ, ଅନିଚ୍ଛା, ଅକର୍ମପ୍ରବଣତା ଦେଖି ମଣିଷ ଆଶ୍ଚର୍ଯ୍ୟ ହୁଏଯେ ଏହି ଦେଶର ଭବିଷ୍ୟତ କଣ ? ଏହାର ଭବିଷ୍ୟତ ତମମାନଙ୍କ ଭଳି ଉତ୍ସାହୀ ତରୁଣମାନଙ୍କ ଉପରେ ନିର୍ଭର କରେ । ଦେଶକୁ ଉଠାଇ ଦେବାଲାଗି ଏକମାତ୍ର ଅସ୍ତ୍ର ବହି । ସେଥିପାଇଁ ଲେଖକମାନଙ୍କୁ ମୁଁ ସବୁବେଳେ ସମ୍ମାନ ଦେଇଥାଏ । ତମକୁ ବି ସେହି ସମ୍ମାନ ଦେଉଛି, ନେବ ।

 

ତମର ବନ୍ଧୁ,

ଗୋଲୋକ

 

ଆଉ ଦୁଇଟି ପତ୍ରାଂଶରେ କାନ କବିଙ୍କର ଯୋଗ୍ୟତମ ଦାୟାଦ ଶ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କୁ ଦେଖନ୍ତୁ-

 

କଟକ

୨୫ । ୭ । ୫୭

 

X X X X ଆପଣ ଗୋଟାଏ ମୋଫସଲରେ ପଡ଼ିଛନ୍ତି ବୋଲି ଦୁଃଖ କରିବା ସ୍ଵାଭାବିକ; ମାତ୍ର ସହରରେ ମଧ୍ୟ ପଙ୍କର ଅଭାବ ନାହିଁ । ଆପଣଙ୍କ ଜୀବନରେ ଧକ୍‍କା ଯେତେ ମାର ଉଣା ନୁହେଁ । X X X ଆପଣ ଅସ୍ଥିର ହୁଅନ୍ତୁ ନାହିଁ । ଲେଖିଯାନ୍ତୁ । ଲେଖୁଁ ଲେଖୁଁ ଏକ ନୂତନ ଆଲୋକ ମିଳିବ । ଲେଖିଯିବା ଗୋଟାଏ ସାଧନା । ମନ୍ତ୍ର ଜପ ପରି । X X X ଆମେ ସବୁ ତୁଫାନରେ ତୃଣ । ଆମର ପୁଣି ହେଲା ନହେଲାରେ କି ଯାଏ ଆସେ ।

 

କଟକ/ ୨୪ । ୨ । ୫୮

 

ସ୍ନେହର ବନ୍ଧୁ,

 

ଆପଣଙ୍କ ପତ୍ର ପାଇ ବିସ୍ମିତ ହେଲି । କାରଣ ସାହିତ୍ୟରୁ କେହି ବିଦାୟ ନିଏନାହିଁ । ବରଂ ଠିକ୍ ଓଲଟାଟା ହୁଏ-ଯାହା ମୋର ହୋଇଛି-ଅର୍ଥାତ୍ ସାହିତ୍ୟ ମୋଠାରୁ ବିଦାୟ ନେଇଯାଇଛି । କାରଣ ସାହିତ୍ୟ ବଡ଼ Jealous wife. ସେ ଅନ୍ୟ ଆନୁଗତ୍ୟ ଚାହେଁନା X X X ଆପଣ ଯଦି ଦେଖୁଥାନ୍ତି ସେଭଳି କିଛି ଘଟୁଛି ତେବେ be. more sincere to her. ଦେଖିବେ ସବୁ ଠିକ୍ ହୋଇଯିବ । X X X

 

ଆଉ ଦୁଇଟି ପତ୍ରାଂଶରେ ସ୍ଵର୍ଗତ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କର ସ୍ନେହସିକ୍ତସ୍ୱର ଆହୁରି ପ୍ରାଣସ୍ପର୍ଶୀ ।

 

୩ । ୧ । ୫୭

 

ପରମ କଲ୍ୟାଣୀୟେଷୁ !

ନୂଆ ରାଜଧାନୀ ଭୁବନେଶ୍ୱର

 

ଆୟୁଷ୍ମାନ ଶ୍ରୀମାନ୍ ପୀତାମ୍ବର ।

 

ତୁମ୍ଭ ସାଧନାର ପକ୍ଵ ଫଳ XXX କଳିଙ୍ଗ କବି XXX ର ପାଣ୍ଡୁଲିପି ଦେଖିବାକୁ ମୁଁ ବିଶେଷ ଆଗ୍ରହୀ । XXX

 

ଭଞ୍ଜ ପ୍ରତିଭାର ତୁମ୍ଭଭଳି ଜଣେ ନିଷ୍ଠାପର ଉପାସକ ଏ ପର୍ଯ୍ୟନ୍ତ ଲୋକଲୋଚନର ଅଗୋଚରରେ କିପରି ରହିଲେ ଭାବି ମୁଁ ବିସ୍ମିତ ହେଉଛି । XXX

 

“କଲ୍ୟାଣୀୟେଷୁ,

୧୩ । ୨ । ୫୮

ଆୟୁଷ୍ମାନ ଶ୍ରୀ ପୀତାମ୍ବର ବାବୁ

କଟକ

 

ତୁମ୍ଭର ପତ୍ରପାଇ ଅତ୍ୟନ୍ତ ବ୍ୟଥିତ ହେଲି । ତୁମ୍ଭଙ୍କୁ ଏ ପ୍ରତ୍ୟାଖ୍ୟାନ ବହୁତ ବାଧିଅଛି । ସଂସାରଟା ନାନା ବାଧାବିଘ୍ନ ଓ ବିପର୍ଯ୍ୟୟର ସ୍ଥାନ । ଧୈର୍ଯ୍ୟଧରି ବାଟ କାଟିବାକୁ ହେବ ।

 

X X ତୁମ୍ଭେ ଯୋଗ୍ୟହୋଇ ଅଯୋଗ୍ୟ ବ୍ୟକ୍ତିଙ୍କ ପ୍ରତ୍ୟାଖ୍ୟାନରେ ଏତେ ଦୂର ମୃହ୍ୟମାନ ହେବାର କାରଣ ନାହିଁ । ମଫସଲରେ ରହିଥିବାରୁ ଅଧିକ ଅସହାୟ ବୋଧ କରୁଛ । ସହରରେ ଥିଲେ ପଥପଥାନ୍ତର ଅବଶ୍ୟ ପାଉଥାନ୍ତ । X X

 

X Xଏତିକିବେଳୁ ଚେଷ୍ଟାରେ ଡୋରି ବାନ୍ଧିଦେଇ ନୈରାଶ୍ୟ ସାଗର ମଝିକୁ ଡେଇଁପଡ଼ିବା ଉଚିତ ହେବନାହିଁ । X X ବ୍ୟର୍ଥତାର କଣ୍ଟକ ବନ ମଧ୍ୟରେ ପଦକୁ କ୍ଷତ ବିକ୍ଷତ ଓ ରୁଧିରାକ୍ତ କରିଛିସେମାନେ (ବଡ଼ ଲୋକମାନେ) ସିଦ୍ଧି ମନ୍ଦିରକୁ ଗତି କରିଅଛନ୍ତି । ତାଙ୍କ ପାଇଁ କେହି ମଖମଲର ପାହାଡ଼ା ପାରି ଦେଇନଥିଲେ ।

 

ଆଶା ତୁମ୍ଭର ପାଥେୟ ହେଉ । ହତାଶା ବିଷବତ୍ ପରିବର୍ଜିତ ହେଉ ।” XX

 

ଏମିତି ବହୁପତ୍ର, ବହୁ ଆଶା ଓ ଉନ୍ମାଦନାର ଝଙ୍କାର-ଶୁଣାଇଛନ୍ତି ମୋର ପରମାରାଧ୍ୟ ମହତାବ ବାବୁ, କାଳିନ୍ଦୀ ବାବୁ, ସୁରେନ୍ଦ୍ର ବାବୁ (ମହାନ୍ତି), ଗୋପାଳ ବାବୁ, ରାଜକିଶୋର ବାବୁ (ରାୟ) ରାଧାମୋହନ ବାବୁ (ଗଡ଼ନାୟକ) ଓ ଅନ୍ୟ କେତେକ ପୋଖତ ସହିତ୍ୟକ ବନ୍ଧୁ । ସେସବୁକୁ ଉଦ୍ଧାର କରି ବସିଲେ ମୋ ପାଠକ ପାଠକାମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟିବାର ଆଶଂକା ରହିଛି । ତେଣୁ ଅଳ୍ପରେ କହିଲେ ମୋର ନିତାନ୍ତ ଦୁର୍ଦ୍ଦିନରେ, ତୀବ୍ର ମାନସିକ ସଂଘାତରୁ ଏହା କେବଳ ମୋତେ ରକ୍ଷା କରିନାହିଁ, ବରଂ ଆଗାମୀ ସାହିତ୍ୟ ସେବା ପାଇଁ ଏହା ମୋତେ ଯଥେଷ୍ଟ ବଳ ଦେଇଛି । ତରୁଣ ସାହିତ୍ୟକମାନଙ୍କର ମଧ୍ୟରେ ଏ ସମ୍ବେଦନା ଓ ସଂପ୍ରିତିର ଅଭାବ ଦେଖାଯାଉଥିବାରୁ ଆଜିର ସାହିତ୍ୟ କ୍ଷେତ୍ର ସବୁଆଡ଼ୁ କିମିତି ଦିଗହୀନ ସାହାରା ପରି ଧୁ, ଧୁ ହୋଇ ଜଳିଉଠୁଛି ।

 

ମୋ ସାହିତ୍ୟକ ଫସଲର ଚୁମ୍ବକ୍ ସୂଚନା ଦେବାକୁଯାଇ କୁହାଯାଇପାରେ ଯେ, ହାଇସ୍କୁଲ ପୂର୍ବରୁ ଓ ମ୍ୟାଟ୍ରିକ ପରୀକ୍ଷା ପରେ ଲିଖିତ ‘ପଲୀପଥେ’ ବହୁତ ଡେରୀରେ ଲୋକଲଚନକୁ ଆସିଲା ମୁଁ ବି: ଏ: ପଢ଼ୁଥିବାବେଳେ (୧୯୫୩) । ଏହା ମୋତେ କିଛିଟା ଆତ୍ମପ୍ରତ୍ୟୟ ଦେଇଥିଲେ ମଧ୍ୟ ୧୯୫୮ ଯାଏ ମୋର ସାହିତ୍ୟ-ସେବା କିପରି କକ୍ଷ୍ୟଚ୍ୟୁତ ପ୍ରୟାସୀ, ତାହା ମୋର ହିତେଷୀମାନଙ୍କର ପତ୍ରରୁ ସୁସ୍ପଷ୍ଟ । ତେବେ ସେ ଯାହାହେଉ କଲମଚାଷ ମୁଁ ବନ୍ଦକରିନଥାଏ । କାବ୍ୟ-ନାଟିକା ‘କଳିଙ୍ଗକବି’ ଏହି ବେଳର (୧୯୫୬) ସୃଷ୍ଟି । ୧୯୬୧-୬୨ ମଧ୍ୟରେ ଏହା ‘ନବଜୀବନ’ର ଧାରାବାହିକ ସଂଖ୍ୟାରେ ପ୍ରକାଶିତ ହୋଇଥିଲେ ମଧ୍ୟ ଗ୍ରନ୍ଥାକାରରେ ଏହା ପ୍ରକାଶ ପାଉ ପାଉ ୧୯୭୭ ହୋଇଗଲା । ୧୯୫୬ରୁ ୭୬ ଯାଏ ଏହା ବହୁ ପ୍ରକଳ୍ପପରେ ଏହାର ଭାଗ୍ୟ ପରୀକ୍ଷା ଦେଇ ସବୁଠିଁ ନିରାଶ ହୋଇଛି । ସୁତରାଂ ନବାଟି ନଘଷି ପୋଡ଼ପିଠା ଖାଇବା, ମୋ କପାଳରେ କେବେ ଘଟିନାହିଁ । ଯାହାହେଉ ଏ କୃତିଟିର ପ୍ରକାଶ ପରେ ମୋତେ ମୋର ଶ୍ରମର ମୂଲ୍ୟ ମିଳିଛି ବହୁବାଟରେ । ଗ୍ରନ୍ଥାକାରରେ ଓ ବେତାର ନାଟକ ଆକାରରେ ଏହା ବେଶ୍ ପ୍ରଶଂସିତ ହୋଇଛି ।

 

ଏହାସତ୍ତ୍ୱେ ୧୯୪୩-୪୪ରୁ ପ୍ରାୟ ୫୫ ଯାଏ ଏ ବାର ତେରୋଟି ବର୍ଷ ମୋ ପାଇଁ ପିଣ୍ଡଳା ଗଢ଼ିବାର ସମୟ କହିଲେ ଚଳେ । କାରଣ ଏ ସମୟ ଭିତରେ ବେଶି କିଛି ମୂର୍ତ୍ତି ଗଢ଼ାହୋଇ ପାରିନି । ଯାହା ବା ଗଢ଼ା ହୋଇଛି ତାହା ଅଦ୍ୟାପି ଅପ୍ରକାଶିତ (‘ବିପଞ୍ଚୀ’ ଓ ‘ରକ୍ତର ଦାଉ’ ପ୍ରଭୃତି) । ଆଇ. ଏ.ର ଛାତ୍ର ଥିବାବେଳେ ‘ଗୋରାକବର’ ଶୀର୍ଷକ ଖଣ୍ଡକାବ୍ୟ ଲେଖି ଅଧ୍ୟାପକ ଶ୍ରୀଯୁକ୍ତ ରାୟଙ୍କୁ ସମର୍ଥନ କରିଥିଲି । କୌଣସି ଲେଖାକୁ ଛାପା ଆକାରରେ ଦେଖିବା ନିମନ୍ତେ ବ୍ୟଗ୍ର ନ ହେବାକୁ ସେ ମୋତେ ସେ କାଳରେ ଉପଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଲିଖିତ ‘ବିପଞ୍ଚୀ’ରେ ଅଭିମତ ଦେଇ ୫ । ୮ । ୧୯୫୭ରେ କାଳିନ୍ଦୀ ବାବୁ ଲେଖିଥିଲେ-:–“ବିପଞ୍ଚୀ’ର କତିପୟ କବିତା ପାଠ କରି ଆନନ୍ଦିତ ହେଲି । ଭାବ, ଭାଷା ଓ ଛନ୍ଦର ସମାବେଶରେ କବିତାର ସୃଷ୍ଟି ହୋଇଥାଏ । ରଚୟିତାଙ୍କ କୃତିରେ ରସାଭାବ ଅଛି । ସ୍ଥଳେ ସ୍ଥଳେ ଛନ୍ଦ ଦୋଷ ଥିଲେ ମଧ୍ୟ ଭାଷା ଓ ଭାବର ବଳିଷ୍ଟତା ସୂଚିତ ହୁଏ । ସରଳ ଗ୍ରାମ୍ୟ-ଭାଷାରେ କବିତା ରଚନା କରିବାର ଦକ୍ଷତା ତାଙ୍କଠାରେ ଅଧିକ ପରିସ୍ଫୁଟ । କବି ଏବଂ ସାହିତ୍ୟକ ହେବାଲାଗି ଯେଉଁ ସାଧନାର ଆବଶ୍ୟକ, ତାହା ଏହି ନବୀନ ସାଧକଙ୍କୁ ସମ୍ପୂର୍ଣ୍ଣ ରୂପେ ଲବ୍‍ଧ ହେଉ, ଏହାହିଁ ମୋର ଏକାନ୍ତ କାମ୍ୟ ।”

 

ସ୍ଵା: କାଳିନ୍ଦୀ ଚରଣ ପାଣିଗ୍ରାହୀ

କଟକ–୫ । ୮ । ୧୯୫୭

 

ସ୍ଥୂଳତଃ, ୧୯୫୭ରୁ ୧୯୮୧ ମୋ ସାହିତ୍ୟ ସେବା ପାଇଁ ସବୁଦୃଷ୍ଟିରୁ ପ୍ରଶସ୍ତ କାଳ । ଏ କାଳରେ ପତ୍ର ପତ୍ରିକାରେ ପ୍ରକାଶିତ ମୋର ଗଳ୍ପ ଓ ପ୍ରବଂଧ ବ୍ୟତୀତ ଗ୍ରନ୍ଥାକାରରେ ଚିଲିକା ପରିକ୍ରମା (୧୯୬୦)/କବିତା କଲ୍ଲୋଳ ଓ ଭୁଲିଆ କବି ମେହେର (୧୯୬୧)/ପ୍ରଂବଧ ପୀୟୁଷ (ସଂକଳନ) ୧୯୬୨/ଆକାଶର ଆହ୍ଵାନ (୧୯୬୩)/ନଷ୍ଟ ଦିଗ୍‍ବଳୟ (ଏକାଂକିକା ଅପ୍ରକାଶିତ)/ ସାତଦୀପ (ଏକାଂକିକା : ଅପ୍ରକାଶିତ)/ଆମ କଥା ସାହିତ୍ୟ (ସଂକଳନ) ୧୯୬୪/ଇଟିକିଲି ମିଟିକିଲି (ଶିଶୁ ସାହିତ୍ୟ)୧୯୬୫/ମନ ପବନ ଘୋଡ଼ାରେ ଚଢ଼ି (ଶିଶୁ ସାହିତ୍ୟ) ୧୯୬୭ (ଉଭୟ ରାଜ୍ୟ ସରକାରଙ୍କ ଶିଶୁ-ସାହିତ୍ୟ ସଂସ୍ଥା ଦ୍ୱାରା ପୁରସ୍କୃତ)/କଥାକାର ସୁରେନ୍ଦ୍ର ମହାନ୍ତି (୧୯୭୧)/ଆଧୁନିକ ଔପନ୍ୟାସିକ କଳା ଓ ଝଂଜା (୧୯୭୫)/ପକ୍ଷୀ ରାଇଜର ମଜା କଥା (ଶିଶୁ-ସାହିତ୍ୟ : ରାଜ୍ୟ ସରକାରଙ୍କ ହାରା ପୁରସ୍କୃତ) (ଯନ୍ତ୍ରସ୍ଥ)/ନେପଥ୍ୟ ତରଂଗ (୧୯୭୮)/ଭଂଜ ସାହିତ୍ୟ: ଏକ ଅନ୍ତର୍ଦୃଷ୍ଟି (୧୯୮୧, ଯନ୍ତ୍ରସ୍ଥ) ଇତ୍ୟାଦି ଜନ୍ମ ନେଇଛନ୍ତି । ଅପ୍ରକାଶିତ ଓ ଯନ୍ତ୍ରସ୍ଥ କୃତି କେତୋଟିକୁ ବାଦ୍ ଦେଲେ ଅନ୍ୟଗୁଡ଼ିକ ସୂଚିତ ସମୟରେ ଦିବାଲୋକ ଦେଖିଛନ୍ତି ।

 

ଜୟରାମ ଉଚ୍ଚ ବିଦ୍ୟାଳୟର ମୁଖପତ୍ର ’ଝରାଶ୍ରୀ’ର ଜନ୍ମ କାଳରୁ ସଂପାଦନାର ଯେଉଁ ଗୁରୁ ଦାୟିତ୍ଵ ମୋ ଉପରେ ଲଦା ଯାଇଥିଲା, ତାହା ପୁରୀ ଅବସ୍ଥାନ କାଳରେ ‘ଶୋଣିତ କନ୍ୟା’ (୧୯୭୦) ଓ ‘ମହାଦୀପ’ (୧୯୭୨)ର ସମ୍ପାଦନାରେ ମଧ୍ୟ ଛୁଟଣ ଗଲା ନାହିଁ । ୧୯୭୦ ଯାଏ ପୁରୀ ଜିଲ୍ଲାରେ ଏକମାତ୍ର ରେଜିଷ୍ଟାର୍ଡ଼ ସାହିତ୍ୟ ସଂସ୍ଥା ‘ଲୋହିତ ସାହିତ୍ୟ ସଂସଦ’ ଓ ତାହାର ଏ ଦୁଇଟି ମୁଖପତ୍ର ମୋ ପୁରୀ ରହଣି କାଳରେ ଶ୍ରୀ ମନ୍ଦିର ବେଢ଼ାରୁ ଜନ୍ମ ନେଇଥିଲା ମୋର କେତେଜଣ ଛାତ୍ରବନ୍ଧୁଙ୍କ ଉତ୍ସାହରେ । ମୁଁ ସାତ ଆଠ ବର୍ଷକାଳ ଉକ୍ତ ସଂସଦର ସଭାପତି ଥିଲି । ଏହା ପୂର୍ବରୁ ପାରଳା ମାଟିରେ ସର୍ବଶ୍ରୀ ଗୋପୀନାଥ ପାଢ଼ୀ (ଆଡଭୋକେଟ) ସତ୍ୟନାରାୟଣ ରାଜଗୁରୁ, ସତ୍ୟନାରାୟଣ ପଣ୍ଡା, ରଘୁନାଥ ପଟ୍ଟନାୟକ ପ୍ରମୁଖ ସ୍ଥାନୀୟ ସାହିତ୍ୟ ଓ ସଂସ୍କୃତିପ୍ରେମୀ ବଂଧୁଗଣ ତଥା ମୁଁ ଓ ମୋର କେତେକ ସହକର୍ମୀଙ୍କ ଚେଷ୍ଟାରେ ‘ହିତୈଷିଣୀ’ର ନବକଳେବର ସମ୍ଭବ ହୋଇଥିଲା । ଆମ ପୂର୍ବରୁ ସାହିତ୍ୟକ ବନ୍ଧୁ ଶାନ୍ତନୁ ବାବୁ ଓ ନୀଳମଣି ବାବୁ ବହୁ କଷ୍ଟ କରି ଏହାର ଜୀର୍ଣ୍ଣ-ସଂସ୍କାର କରିଥିଲେ । ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ଥାପନା ପୂର୍ବରୁ ଏଭଳି ଏକ ପ୍ରବନ୍ଧ ଅନୁଷ୍ଠାନର ଭୂମି ଓ ଭୂମିକା କ’ଣ ଥିଲା ତାହା ଭୁକ୍ତଭୋଗୀମାନେ ଜାଣନ୍ତି । ଏହାରି ମାଧ୍ୟମରେ ଆମ୍ଭେମାନେ ଗୋପାଳକୃଷ୍ଣ, ହରିବନ୍ଧୁ(ବେବର୍ତ୍ତା) ଓ ପଣ୍ଡିତ ଗୋପୀନାଥ ନନ୍ଦଙ୍କର ପ୍ରତିଭା ପୂଜା କରିବାକୁ ବେଶ୍ ଗୋଟିଏ ଶକ୍ତିଶାଳୀ ସାମ୍ମୁଖ୍ୟ ସୃଷ୍ଟି କରି ପାରିଥିଲୁ । ଏହା ଫଳରେ ନିଃସନ୍ତାନ ପଣ୍ଡିତଜୀଙ୍କର ସ୍ଵଗୃହରେ ‘ଗୋପୀନାଥ ପାଠାଗାର’ ସ୍ଥାପିତ ହୋଇଥିଲା ସେହି ସମୟରେ । ମୋର ପାରଳା-ଅବସ୍ଥାନ ଏହିଭଳି କେତେକ କାର୍ଯ୍ୟ ଯୋଗୁଁ ମୋତେ ବିଶେଷ ସାର୍ଥକ ବୋଧ ହେଉଥିଲା ।

 

ମୋଟ କଥା, ଅଧ୍ୟାପନା ମୋର ବେଉସା ଥିଲେ ମଧ୍ୟ ସାହିତ୍ୟ ବା ସାହିତ୍ୟିକ ଉଦ୍ୟୋଗ ଗୁଡ଼ିକ ମୋର ପ୍ରାଣ ଥିଲା । ଏ ଉଦ୍ୟୋଗର ପ୍ରାଣ ସ୍ପନ୍ଦନ ଯେଉଁଠି ଯେତେ ବେଶି ଜୀବନଟା ସେଠି ସେତେ ଚଳଚଞ୍ଚଳ ମନେ ହେଉଥିଲା । ମୋ ଚାକିରିକାଳ ମଧ୍ୟରେ ଯାଜପୁର ଅବସ୍ଥାନ ଏହି କାରଣରୁ ମାନ୍ଦା ଲାଗିଲା । ଟାଉନ୍ ଠାରୁ ଦୁଆରେ ଏକ ଆବଦ୍ଧ ପରିସର ଭିତରେ ଆମେ ପଡ଼ି ରହିଲୁ । ସହରକୁ କେବେ କେମିତି ଗୋଡ଼ ବଢ଼ାଇଲେ ସାହିତ୍-ଆସର ଗୁଡ଼ିକ ସେପରି ପ୍ରାଣବନ୍ତ ହେଉ ନଥିଲା । ଜମାନା ବଦଳିଥିବାରୁ ଛାତ୍ରଛାତ୍ରୀଙ୍କ ପ୍ରାଣରେ ଆଉ ପୂର୍ବର ସେ ଉନ୍ମାଦନା ଦେଖାଯାଉ ନଥିଲା । ବନ୍ଧୁ ଶ୍ରୀ ଚନ୍ଦ୍ରମଣି ପଣ୍ଡା (ଆଡଭୋକେଟ୍) ଏବଂ ସ୍ଥାନୀୟ କେତେକ ସାହିତ୍ୟ ଦେବୀ ସେ ପ୍ରାଣହୀନ ଶିଖାକୁ ଯେତେ ତେଜୁଥିଲେ ମଧ୍ୟ ତାହା ଆଉ ସେପରି ଉର୍ଜସ୍ଵଳ ହେଉଥିବାର ମୁଁ ଲକ୍ଷ୍ୟ କଲି ନାହିଁ । ମୁଁ ସ୍ଵେଚ୍ଛାକୃତ ଅବସର ନେବାର କେଇମାସ ପରେ ପରମପ୍ରିୟ ଚନ୍ଦ୍ରମଣି ବାବୁ ତେଣୁ ପରୋକ୍ଷରେ ଏହା ସ୍ଵୀକାର କରି ପତ୍ର ଲେଖିଥିଲେ–

 

ଯାଜପୁର / ୩୧-୩-୮୦

 

ପ୍ରିୟ ବରେଷୁ,

 

ଆମେ ସବୁ ଏଠିକାର କଥାକୁହା ନେତା

ନିତି ଖୋଜୁଁ ସମ୍ଭାଦର ଶିରୋନାମା ଛାପା

କାମ କଥା ପଡ଼ିଗଲେ

ଶୋଇ ଯାଉଁ ଘରେ

ବାହା ବାହା ନେଇ ଯାଉଁ ଉପରେ ଉପରେ ।

ଭଗବାନ ଆମପାଇଁ ଭାରି ଶସ୍ତା ଚିଜ

ଯେଣୁ ଆମେ ଅପଦାର୍ଥ

କରିଅଛୁ ଆପଣାକୁ

ହୋଇଛୁ ନିର୍ଲଜ ।

ଅତୀତକୁ ଘାଣ୍ଟି ଘାଣ୍ଟି

କଚେରୀ ପିଣ୍ଡାରେ

ଯାଜପୁର ମରେ ଆଜି

ଠକାମିର ଜାତୀୟ ଧନ୍ଦାରେ ।

 

X X X

 

ସଂକ୍ଷେପରେ ଏହାହିଁ ହେଲା ମୋର ସାହିତ୍ୟିକ-ପ୍ରତିଶ୍ରୁତିର ନିଜ ସ୍ୱର । ତେପନ ବର୍ଷଯାଏ ଏମିତି ଚାଲିଛି । ଏଣିକି ଏ ସ୍ୱରଗ୍ରାମର ଗତି କୁଆଡ଼େ ତାହା ଭଗବାନଙ୍କୁ ଜଣା ।

Image

 

ବାପା ଚାଲିଗଲେ

 

୧୯୭୪ ମସିହା ମାର୍ଚ୍ଚ ମାସରେ ମୁଁ ରିଡ଼ର୍ ପଦକୁ ଉନ୍ନୀତ ହେଲି । ପଦୋନ୍ନତି ହେବା ସଙ୍ଗେ ସଙ୍ଗେ ବାରିପଦା ସାନ୍ଧ୍ୟ-କଲେଜରୁ ମୋର ବଦଳି ହେଲା ଖଲ୍ଲିକୋଟ କଲେଜ, ବ୍ରହ୍ମପୁରକୁ-। ମୟୁରଭଞ୍ଜରୁ ଗଞ୍ଚାମ ସତେ ଯେପରି ମୋ ପାଇଁ ବିଧାତାର ଗାର । ତଥାପି ଦୁଃଖ ନଥିଲା-। ପୁଣିଥରେ ଦକ୍ଷିଣ ପଥର ଯାତ୍ରୀ ହେଲି । ପଲ୍ଲୀଭୂଇଁ ଓ ବାପାଙ୍କର ପିତୃପିତାମହର ମାଟି ତାଙ୍କୁ ଭଲ ଲାଗୁଥିବାରୁ ସେ ଖୁବ୍ କମ୍ ସମୟ ମୋ ସହିତ ସହରରେ ରହୁଥିଲେ । ବିପତ୍ନୀକ ଜୀବନ ଓ ବର୍ଷୀୟାନ୍ ଅବସ୍ଥାରେ ଗାଁରେ ରହିବାର ଅଦ୍‍ଭୁତ ଖିଆଲ ହେତୁ ତାହାଙ୍କର ବୋହୂ ଅଧିକାଂଶ ସମୟ ତାଙ୍କ ସଙ୍ଗେ ଗାଁ’ରେ ରହୁଥିଲେ । ଏହା ମୋତେ କେତେକ ଅସୁବିଧାର ବଶବର୍ତ୍ତୀ କରାଉଥିଲେ ମଧ୍ୟ ଏହାକୁ ମୁଁ ଚଳାଇ ନେଉଥିଲି । ତେଣୁ ଦକ୍ଷିଣାପଥକୁ ଏକଲା ଯାତ୍ରୀ ହୋଇଯିବାରେ କିଛି ନୂତନତା ନଥିଲା ।

 

ବାରିପଦାରେ ଥିଲାବେଳେ ‘ରାଣୀବାଗ୍’କୁ ବହୁଥର ବୁଲିଯାଇଛି । ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ସମାଧି-ଫଳକରେ ଇଂରାଜୀ ଭାଷାରେ ଖୋଦିତ ଉକ୍ତିଟି ମୋତେ ସବୁ ସମୟରେ ବେଶ୍ ଶିକ୍ଷଣୀୟ ବୋଧ ହୋଇଥାଏ ।

 

‘ମୋ ଜୀବନ ଥିଲା ଜୀବନ୍ତ ସନ୍ନ୍ୟାସ’-ଖୋଦିତ ଲିପିର ଏ ମର୍ମ ମୋତେ ନିତାନ୍ତ ଏକାନ୍ତ ଏବଂ ନିଃସଙ୍ଗ ଜୀବନରେ ଆଗେଇ ଯିବାପାଇଁ ଖୁବ୍ ବଳ ଦେଇ ଆସିଛି । ତେଣୁ ଦ୍ୱିତୀୟ ଥରପାଇଁ ଦକ୍ଷିଣା ପଥର ଯାତ୍ରୀ (ପ୍ରଥମର ପାରଳାଖେମୁଣ୍ଡି) ହେବା କାଳରେ ନିଃସଙ୍ଗ ଜୀବନ ମୋତେ ଆଦୌ ପୀଡ଼ା ଦେଉ ନଥିଲା ।

 

ବ୍ରହ୍ମପୁରରେ ଦୁଇ ତିନିମାସ କଟାଇ ଗ୍ରୀଷ୍ମ ଛୁଟିରେ ଗାଁକୁ ଫେରିଲି । ବାପାଙ୍କର ଦେହ କ୍ରମେ ଅସୁସ୍ଥ ହେଉଥାଏ । ଛୁଟି ଶେଷକୁ ତାହାଙ୍କର ଅସୁସ୍ଥତା ବଢ଼ିଲା ସିନା, କମିଲା ନାହିଁ । ପାଖରେ ରଖି ଉପଯୁକ୍ତ ଚିକିତ୍ସା କରାଇବାକୁ ମୁଁ ତାଙ୍କୁ ବ୍ରହ୍ମପୁର ନେଇଯିବାକୁ ନିଷ୍ପତ୍ତି କଲି । କିନ୍ତୁ ଏ ଅବସ୍ଥାରେ ସେ ତାହାଙ୍କର ପ୍ରିୟ ଜନ୍ମମାଟିକୁ ଛାଡ଼ି ବ୍ରହ୍ମପୁର ଯିବାକୁ ମୋଟେ ରାଜି ହେଉ ନଥିଲେ । ‘ବ୍ରହ୍ମପୁରରେ ତାହାଙ୍କର ଆଶଙ୍କା ଅନୁଯାୟୀ କିଛି (ଦେହାନ୍ତ) ଘଟିବ ନାହିଁ, ଶେଷ କାଳରେ ଭଗବାନ ତାହାଙ୍କର ପ୍ରିୟ ପୁତ୍ରକୁ ନିଶ୍ଚୟ ତାହାର ପ୍ରୀୟଭୂମିକୁ ଆଣିବେ’ ଇତ୍ୟାଦି ବହୁ ବୁଝାସୁଝା କରିବାପରେ ମୋ ସହିତ ବ୍ରହ୍ମପୁର ଯିବାପାଇଁ ରାଜି ହେଲେ ।

 

କଟକରୁ ଟାକ୍‍ସିଟିଏ ରିଜର୍ଭ କରି ମୁଁ ମୋର ଛୋଟିଆ ସଂସାରଟି ସହ ବ୍ରହ୍ମପୁର ଚାଲିଲି । ଘରୁ ବାହାରିବାକୁ ବାପା ସିନା ଏତେ କୁନ୍ଥୁ କୁନ୍ଥୁ ହୁଅନ୍ତି, କିନ୍ତୁ ପାହାଡ଼, ପର୍ବତ ଓ ନଦୀ ଝରଣା ରାଜ୍ୟରେ ଚାଲିଥିଲା ବେଳେ ତାହାଙ୍କର ଆନନ୍ଦ କହିଲେ ନସରେ । “ଆମ ସମତଳ ଭୂଇଁରେ କିଛିନାହିଁ, ଖୋଦ୍ ପ୍ରଭୁ ମୋର ଏ ଭୂଇଁରେ ବିଜେ କରୁଛନ୍ତି”-ତାହାଙ୍କର ଚିରଦିନିଆ ଏ କଥାଟି ସେଦିନ ମଧ୍ୟ ଟିକେ ନିସ୍ତେଜ ଭାବରେ ବାଟରେ କହି କହି ଚାଲି ଥାଆନ୍ତି ।

 

ବେଶ୍ ଭଲରେ ବ୍ରହ୍ମପୁରରେ ପହଞ୍ଚିଲେ ଏବଂ ପୂଜାଛୁଟିଯାଏ ସେଠି କଟାଇଲେ । ତାଙ୍କୁ ସୁସ୍ଥ କରାଇବା ପାଇଁ ମୋର ଆପ୍ରାଣ ଚେଷ୍ଟା ସେଠି କ୍ରମେ କ୍ରମେ ବିଫଳ ହେଉଥିବାରୁ ମୁଁ ଲକ୍ଷ୍ୟକଲି । ତାଙ୍କୁ ଗାଁକୁ ନେଇଯିବା ପାଇଁ ଡାକ୍ତର ବନ୍ଧୁଗଣ ପରାମର୍ଶ ଦେଲେ ଏବଂ ପୂଜାଛୁଟିରେ ପୁଣି ଖଣ୍ଡେ ରିଜର୍ଭ ଗାଡ଼ିରେ ମୁଁ ତାଙ୍କୁ ଭୁବନେଶ୍ଵର ଠାରୁ ଗାଁକୁ ଆଣିଲି ।

 

ଗାଁରେ ପହଞ୍ଚିଲାବେଳକୁ ତାଙ୍କର କିଛି ରୋଗ ନଥିଲେ ମଧ୍ୟ ଶରୀର କ୍ରମେ କ୍ରମେ ଅଚଳ ହୋଇ ଆସୁଥାଏ । ଆମ ବିନା ସାହାଯ୍ୟରେ ସେ ଉଠି ବସି ପାରୁ ନଥାନ୍ତି । ତଥାପି ଗାଁରେ ଯେଉଁ ଛ’ ସାତଦିନ ବଞ୍ଚିଲେ ସେ ସମୟ ମଧ୍ୟରେ ତାହାଙ୍କର କିଛି ଦୁଃଖ ନଥିଲା । ଗାଁ ଭୂଇଁକୁ ଫେରି ଆସି ଥିବାରୁ ଅନ୍ୟ ଭୂଇଁରେ ଆଖି ବୁଜିବାର ଆଶଙ୍କା ତାହାଙ୍କର ଦୂର ହୋଇଥିଲା ଏବଂ ଗାଁ ମାଟିରେ ଏଣିକି ମଲେ ବା ବଂଚିଲେ ସେ ଶାନ୍ତି ପାଇବେ ବୋଲି ମୁକ୍ତ କଣ୍ଠରେ ସ୍ୱୀକାର କରୁଥିଲେ-। ଖଇ ଓ ହର୍‍ଲିକ୍‍ସ ପାଣିରେ ଜୀବନ ରହିଥିଲେ ବି ମୋତେ ସଦୁପଦେଶ ଦେବା ଓ ବନ୍ଧୁ ବାନ୍ଧବଙ୍କ ସଙ୍ଗେ ସଂସ୍କୃତଚର୍ଚ୍ଚା କରିବାର ବିରତି ନଥାଏ ।

 

ସପ୍ତମୀଦିନ ରାତିରେ ପାଗଟା ଟିକେ କୋହଲିଆ ଥାଏ । ବାପା ଭଲ ଅଛନ୍ତି ଭାବି ଆମେ ସବୁ ଦୁଇ ତିନି ମାସର ଅନିଦ୍ରା କଟାଇବାକୁ ଟିକେ ନିଶ୍ଚିତରେ ଶୋଇଗଲୁ । ଆମ ଶୋଇବାପରେ ରାତି ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ସେ ଗୁରୁଦତ୍ତ ନାମ ଜପ କରୁଥିଲେ ବୋଲି ଆମ ସାହି ଭାଇର ଲୋକେ କହିଲେ ।

 

ରାତି ପ୍ରାୟ ଚାରିଟା ବେଳକୁ ହଠାତ୍ ନିଦ ଭାଙ୍ଗିଗଲା । ପ୍ରତିଦିନର ଅଭ୍ୟାସକ୍ରମେ ବାପାଙ୍କ ଶଯ୍ୟା ନିକଟକୁ ଯାଇ ଦେଖିଲି ଶରୀର ତାଙ୍କର ସେତେବେଳକୁ ‘ଅଣଚାଶ ଲୀଳାସ୍ଥଳୀ’ ହୋଇଗଲାଣି । ଏତେବେଳଯାଏ ମୁଁ ବାପାଙ୍କର ମାୟା ଛାଡ଼ି ନଥାଏ ବା ସେ ଏତେ ଶୀଘ୍ର ମୋତେ ‘ବାପା’ ଡାକରୁ ବଂଚିତ କରିବେ ବୋଲି ଭାବି ନଥାଏ । କିନ୍ତୁ ଏ ବେଳେ ମୃତ୍ୟୁର ନିଶ୍ଚିତ ପୂର୍ବାଭାସ ପାଇ ମୁଁ ଆର୍ଦ୍ର କଣ୍ଠରେ ମୋ ପରିବାର ଓ ଭାଇ ପଡ଼ିଶା ଘରକୁ ‘ବାପା ଆଉ ହେବେନି” ବୋଲି ଜଣାଇ ଦେଲି ।

 

ଆକାଶରେ ପାହାନ୍ତିଆ ତାରା ଜଳି ଉଠିଲା । ଫର୍ଚ୍ଚା ହେବାକୁ ଆଉ ଅଳ୍ପ ସମୟ ବାକୀ-। ମହା ସପ୍ତମୀ ଯାଇ ମହାଷ୍ଟମୀ ଆରମ୍ଭ ହେଲା । ଶୀତଳ ପବନରେ ଖେଳି ବୁଲିଲା ମହାମାୟାଙ୍କର ଆଶିଷ ଧାରା । ଆମ ସବଂଶ ଗଙ୍ଗା ଜଳ ଓ ନିର୍ମାଲ୍ୟ ଦେଇ ସାରିବାପରେ ବାପା ଆଖି ବୁଜିଲେ । ମା’ଙ୍କର ଶୁଭ ଆଗମନୀ ତାହାଙ୍କର ଗୋଟାଏ ଦରବୁଢ଼ା ପୁଅକୁ ନିମିଷକ ମଧ୍ୟରେ ବାପମା’ହୀନ କରାଇଲା ।

 

ମା’ ମରିବାର ଦୁଃଖକୁ ମୁଁ ଅକ୍ଳେଶରେ ସହି ନେଇଥିଲି, କିନ୍ତୁ ବାପାଙ୍କର ମୃତ୍ୟୁକୁ ମୁଁ ଏତେ ସହଜରେ ଗ୍ରହଣ କରିପାରିଲି ନାହିଁ । ତେଣୁ ଅନ୍ତ୍ୟେଷ୍ଟି କ୍ରିୟା ଶେଷଯାଏ ମୁଁ ଅତ୍ୟନ୍ତ ଧୈର୍ଯ୍ୟହରା ହୋଇପଡ଼ିଲି ।

 

ମୋର ବ୍ୟକ୍ତିଗତ ପତ୍ର ଓ ସମ୍ବାଦ ପତ୍ରରୁ ତାହାଙ୍କର ମୃତ୍ୟୁ ସମ୍ବାଦ ପାଇ ଯେଉଁମାନେ ଏ ଦାରୁଣ ଦୁଃଖରେ ଭାଙ୍ଗି ନ ପଡ଼ିବା ପାଇଁ ମୋତେ ନାନାମତେ ଆଶ୍ଵାସନା ଦେଇଥିଲେ, ସେମାନଙ୍କ ମଧ୍ୟରେ ବାପାଙ୍କର ଶେଷ ଜୀବନର ପ୍ରିୟ ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ପାଣିଗ୍ରାହୀ ଏବଂ ଆଜୀବନ ଦରଦୀ ଶ୍ରୀଯୁକ୍ତ ଗୋପାଳଚନ୍ଦ୍ର ମିଶ୍ରଙ୍କର ନାମ ଉଲ୍ଲେଖ ଯୋଗ୍ୟ । ସେମାନଙ୍କ ଭଳି ଶୁଭ କାମିମାନଙ୍କର ସାନ୍ତ୍ଵନା ନ ପାଇଥିଲେ ପିତୃଶୋକର ଝଂଜା ଏ ମୁହୂର୍ତ୍ତରେ ମୋ ଜୀବନ ନୌକାକୁ ହୁଏତ ଓଲଟାଇ ଦେଇଥାନ୍ତା । ଏହେତୁ ଏ ଉଭୟଙ୍କ ନିକଟରେ ମୁଁ ଚିରକୃତଜ୍ଞ ।

Image

 

ଚଲାବାଟରେ

 

ବାପା ଚାଲିଗଲେ । ତାହାଙ୍କର ଶେଷକୃତ କରୁଥିବାବେଳେ ଛାୟା ମାୟାରେ ତାଙ୍କୁ ଆଉଥରୁଟିଏ ଦେଖିବାକୁ ଚେଷ୍ଟା କରି ନିଷ୍ଫଳ ହେଲି । ସେ ଶବ୍ଦ-ବାରିଧି ତଟରେ ବସି ଅମରକୋଷ, ସାରସ୍ଵତ ଓ ସିଦ୍ଧାନ୍ତ ଚନ୍ଦ୍ରିକାର ନାନାସୁତ୍ର, ଅଶେଷ ଛାନ୍ଦ ଚୌପଦୀ, ପୁରାଣ ଶାସ୍ତ୍ର ଓ ତାହାଙ୍କର ସ୍ଵରଚିତ ଶତ ଓ ସହସ୍ର ଜଣାଣ ତାଙ୍କ କଣ୍ଠରୁ ଆଉ ଶୁଣିବାର ସୌଭାଗ୍ୟ ଘଟିଲା ନାହିଁ-। ଘଡ଼ିକ ଭିତରେ ଆମ ବଂଶର ଶ୍ମଶାନ ‘ସାହାଡ଼ା କୁନ୍ଦ’ରେ ମୁଠିଏ ପାଉଁଶରେ ପରିଣତ ହେଲା ତାହାଙ୍କର ଷାଠିଏ ସତୁରୀ ବର୍ଷର ନିରନ୍ତର ସାଧନାର ବହୁ ଅମୂଲ୍ୟ ଫଳ । ତାହାଙ୍କ ରଚିତ ଜଣାଣ-ମାଳା, ‘ପୁତ୍ରକୁ ଉପଦେଶ’ ଏବଂ ଓଡ଼ିଆ ଅଭିଧାନର ପାଣ୍ଡୁ ଲେଖକୁ ସମ୍ବଳ କରି ମୁଁ ତେଣିକି ବଞ୍ଚି ରହିବାକୁ ଚେଷ୍ଟା କଲି ।

 

ଆଜି କେବେ କେମିତି ମନଟା ଯଂନ୍ତ୍ରଣାରେ ଅଧୀର ହେଉଥିବା ବେଳେ ତାଂକ ରଚିତ ଜଣାଣରୁ ପଦେ ଅଧେ ଭିତରେ ପ୍ରତିଧ୍ୱନିତ ହୋଇ ଉଠେ:-

 

“ଭାବୁଛି ମନରେ ମୋହର ମହୋଦଧି କୁଳରେ

ବଂଧୁ ଜଣେ ମୋର ଅଛଂତି ସୁଖେ ବଡ଼ ଦେଉଳେ ।

ଯା’ ମାଗିବି ତାହା ଦେବେ ସେ ବଂଧୁ ସୁଦୟା ବହି

ତାଂକପରି ଦୟାସାଗର ତିନିପୁରରେ ନାହିଁ ।”

 

ଅଥବା ‘ପୁତ୍ରଙ୍କୁ ଉପଦେଶ’ ଗ୍ରଂଥର ପ୍ରତିଟି ପଦରେ ମୂର୍ଚ୍ଛିତ ହୋଇଉଠେ ତାହାଙ୍କର ରସାତୁର ହୃଦୟର ବହୁ ଅବ୍ୟୟ ଆଳାପନୀ:-

 

‘ପରନାରୀ ମାଆ ପରି

ଭାବୁଥିବୁ ବାବୁ ଦିବା ଶର୍ବରୀ

ନୋହିଲେ ତୁଟିବ ଶୀର ମୋ ଧନରେ ।।

 

X X X

 

ଅସତ ପଥକୁ ପାଦ

ନ ଦେବୁଟି ବାପ, ବଡ଼ ପ୍ରମାଦ,

ଦେଲେ ପଡ଼ିବ ବିପଦ ମୋ ଧନରେ ।।’

 

ପିତୃସ୍ନେହର ଏ ଅମ୍ଳାନ ସ୍ମୃତି ବ୍ୟତୀତ ଜୀବନ ଦେବତାଂକ ଦୟାରୁ ମୋ ଚଲାବାଟରେ ବହୁ ସ୍ନେହ ପୀରତିର କରବୀ ଝରି ପଡ଼ିଛି । ଶତ ସହସ୍ର ପତ୍ରରେ ଲାଗିରହିଛି ସେ ସୁବାସର ଛିଟା-। ସେ ସବୁକୁ ଏ ସ୍ଥଳରେ ଉଦ୍ଧାର କରିବା ନିଷ୍ପ୍ରୟୋଜନ । ସତ କହିଲେ, ବସ୍ତୁ ଜଗତରେ ଯେତେବେଳେ ମୁଁ ଅଣନିଶ୍ୱୋସୀ ହୋଇ ପଡ଼ିଛି, ସେତେବେଳେ ମୋ ଛାତ୍ରଛାତ୍ରୀ, ମୋ ଗୁରୁ ଓ ମୋର ହିତକାମିମାନଙ୍କର ସେହି ପତ୍ରଗୁଡ଼ିକ ପ୍ରେମର ଗୋଟିଏ ଗୋଟିଏ କଲ୍ଲୋଳ ଭାବରେ ମୋତେ ବଞ୍ଚାଇ ରଖିଛି । ଅଥଚ ଏ ପତ୍ରର ଲେଖକ ଲେଖିକାମାନଙ୍କ ମଧ୍ୟରୁ ଜନ୍ମଗତ ସମ୍ବନ୍ଧ ବା ବୈବାହିକ ସମ୍ବନ୍ଧରେ କେହି ମୋର ଆପଣାର ନୁହନ୍ତି । ହୃଦୟର ବନ୍ଧନରେ ସେମାନେ ସମସ୍ତେ ମୋର ଆପଣାରମାନଙ୍କଠାରୁ ଅତି ଆପଣାର । ବୋଧହୁଏ ସେମାନଙ୍କ ସହିତ ମୋର ସଂପର୍କ କେଉଁ ଜନ୍ମଜନ୍ମାନ୍ତରର ।

Image

 

ଅଜ୍ଞାତବାସରୁ ପଦେ

 

ଏକତିରିଶି । ବାର । ଉଣେଇଶ ଅଣାଅଶୀ (ଅପରାହ୍ନ)ରେ ମୁଁ ସ୍ଵେଚ୍ଛାକୃତ ଅବସର ଗ୍ରହଣ କଲି । ଏଥିପାଇଁ ଦୀର୍ଘ ଅଠର ମାସ କାଳ ମୋତେ ସରକାରୀ କଳ ପଛରେ ଲାଗିବାକୁ ପଡ଼ିଲା । ଏହି ସମୟ ଭିତରେ ସରକାରୀ କଳ ସହିତ ସଂପୃକ୍ତ ମୋର ଶୁଭେଚ୍ଛୁଗଣ ମୋତେ ବହୁବାଟରେ ମୋର ସିଦ୍ଧାନ୍ତରୁ ଟଳାଇବାକୁ ଚେଷ୍ଟାକଲେ । ସରକାରୀ ଫାଇଲରେ ଖାସ୍ ଏଥିପାଇଁ ମାସ ମାସ ଧରି ମୋର କାଗଜପତ୍ରକୁ ବିଳମ୍ବିତ କରାଗଲା ମୋ ମନ ପରିବର୍ତ୍ତନ ଏ ସବୁର ଲକ୍ଷ୍ୟ ଥିଲା । ହେଲେହେଁ, ଏହା ମୋ ଉପରେ କୌଣସି କାମ ଦେଲା ନାହିଁ ।

 

ଅଗତ୍ୟା ଅଠେଇଶି । ବାର । ଅଣାଅଶୀରେ ସରକାର ତାହାଙ୍କର ଆଦେଶ ପଠାଇଲେ-। ଏ ଆଦେଶ କ୍ରମେ ଊଣେଇଶ ଅଶୀ ଜାନୁଆରୀ ପହିଲାରୁ ମୋର ଆତ୍ମନିର୍ବାସନ ବା ଅଜ୍ଞାତବାସ ପର୍ବ ଆରମ୍ଭ ହେଲା ।

 

ସ୍ୱଇଚ୍ଛାରେ ବାରିନେଇଥିବା ଏ ଅବସରକୁ ଏ ନାଁ’ରେ ଡାକିବାରେ ଗୋଟାଏ ତାତ୍ପର୍ଯ୍ୟ ରହିଛି । ଆଗରୁ କହିଛି, (ଦ୍ରଷ୍ଟବ୍ୟ: ତେଇଶି ପରିଚ୍ଛେଦ) ବିଭିନ୍ନ ସୂକ୍ଷ୍ମକାରଣବଶତଃ ମୁଁ ସରକାରୀ ଚାକିରିରୁ ବିଦାୟ ନେବାର ସିଦ୍ଧାନ୍ତ ନେଇଥିଲି । କିନ୍ତୁ ଏ ସିଦ୍ଧାନ୍ତ କାର୍ଯ୍ୟକାରୀ ହେବାପରେ ‘ପଥଛାୟା’ରେ (ମୋର ପଲ୍ଲୀବାସଭବନର ନାମ) ମୋର ରହଣୀକୁ ଶାନ୍ତିପୂର୍ଣ୍ଣ ଆତ୍ମ-ନିର୍ବାସନ ଅଥବା ଅଜ୍ଞାତବାସ କହିବା ଅଧିକ ସମୀଚୀନ । ସହରର କୋଳାହଳ ଛାଡ଼ି ‘ପଥଚ୍ଛାୟା’କୁ ଫେରିବାବେଳେ ଏହା ମଧ୍ୟ ମୋର କାମନାର ବିଷୟ ଥିଲା । ହାଇସ୍କୁଲରେ ପଢ଼ିଲାବେଳୁଁ ଇଂରେଜ କବିଙ୍କର ସେଇ ପରିଚିତ ବାଣୀଟି :–

 

–Let me Live unknown

unseen let me die,

Steal from the World not a stone

tell where I die ?–

 

ମୋତେ ବେଶ୍ ପ୍ରାଣସ୍ପର୍ଶୀ ବୋଧ ହେଉଥିଲା । ତେଣୁ ମୋଭଳି ଧୂଳିଧୁଆଁର ପାନ୍ଥପାଇଁ ଆଉ ଅଧିକ ହଇଚଇ ଏବଂ ହଟ୍ଟଚମଟ୍ଟର ଆବଶ୍ୟକତା ନଥିଲା ।

 

ଏହେତୁ ପଲ୍ଲୀ-ନିବାସର ଆଶ୍ରମିକ ପରିବେଶରେ ବାହାର ଜଗତର କୋଳାହଳଠାରୁ ମୁଁ ବହୁତ ଦୂରରେ ରହିଯାଉଥିବାର ଅନୁଭବ କଲି । ସଂସାରୀ ଭାଷାରେ ଏହାକୁ ଆତ୍ମ-ନିର୍ବାସନ ବା ଅଜ୍ଞାତବାସ ବ୍ୟତୀତ ଆଉ କଣ କୁହାଯାଇପାରେ ? ଯାହାହେଉ ଏହା ମୋତେ ଶାନ୍ତି ଦେଉଛି-। ଚାକିରି ଜୀବନର ଭୂତଗ୍ରାସଟା ଆଉ ମୋତେ ‘ଅକ୍ଷାଂଶର ନାମ ଦ୍ରାଘିମା’ (ଦ୍ରଷ୍ଟବ୍ୟ : ମାର୍ଚ୍ଚ ୧୯୭୯ରେ ଝଙ୍କାରରେ ପ୍ରକାଶିତ ଏହି ନାମିତ ମୋର କ୍ଷୁଦ୍ରଗଳ୍ପ) ବୋଲି ଶିକ୍ଷା ଦେଉନାହିଁ-। ରାତ୍ରିର ନିସ୍ତବ୍ଧତା ମଧ୍ୟରେ ମୁଁ ଆଦିମ ଆକାଶ ଓ ଧରଣୀର ନିତ୍ୟନୁତନ ରୂପାଭିସାର ଦେଖି ତନ୍ମୟ ହୋଇପାରୁଛି । ବସ୍ତୁଜଗତର ଦାଉ ଯେତେ ନିଷ୍ଠୁର ହେଲେବି ଏହା ମୋତେ ଆଉ ଜଡ଼ବାଦୀ କରି ପାରୁନାହିଁ । ସବୁ ଜଡ଼ବାଦର ମଢ଼ୁଆ-ଶାଙ୍କୁଳି ଭିତରୁ ମୁଁ ଅସଂତର୍ପିତ ଭାବେ ପରମେଲି ଉଡ଼ିଯାଇପାରୁଛି ମୋର ସେ ଜନ୍ମ ଜନ୍ମର ପ୍ରିୟ ଆକାଶ, ଓ ଆକାଶ-ପୃଥିବୀର ସେ ଚିରନ୍ତନ ମିଳନ ବଳୟକୁ-ଯେଉଁଠି ଜୀବନ ଖାଲି ‘କଳ୍ପ’ରେ ମପାଯାଏ ମନର ଗଭୀରତା ଦେଖାଯାଏ ମନନର ମାଧୂର୍ଯରେ ।

 

ତେଣୁ ଆତ୍ମ-ନିର୍ବାସନ ହେଲେ ମଧ୍ୟ ଏହା ମଧୁର । ଏହା ଭଗବାନଙ୍କ ବିଚାରରେ ମୋ ପାଇଁ ଗଢ଼ା ଆନ୍ଦାମାନ୍‍-ନିକୋବର (କଳା ପାଣିର ଦ୍ଵୀପ) ବା ଜୁଆନ୍ ଫର୍ଣାଣ୍ଡେଜ (ଆଲେକ୍‍ଜାଣ୍ଡର ସେଲକାର୍କର ନିର୍ବାସନ ସ୍ଥଳ) ହୋଇପାରେ । ହେଲେହେଁ ଏଥିରେ ଗୋଟାଏ ପ୍ରାକୃତିକତା ଅଛି, ସ୍ଵଚ୍ଛନ୍ଦତା ଅଛି–ହେଉପଛେ ଏ ସ୍ଵଚ୍ଛନ୍ଦତା ଆଦିମର, ଅସଭ୍ୟର, ମନୁ ଏବଂ ଶତରୂପାର ଅଥବା ଆଦାମ୍ ଓ ଇଭ୍‍ର ।

Image

 

ଗୁରୁଚରଣ ଓ ମୁଁ

 

‘ପଥଚ୍ଛାୟା’ରେ ଗୋଡ଼ ଦେଇ ମୁଁ ସିନା ସଂସାର ଦାଢ଼ରୁ ଦୂରରେ ରହିବାର ସ୍ଵପ୍ନ ଦେଖୁଥିଲି, କିନ୍ତୁ ସଂସାର ମୋତେ ଛାଡ଼ିଲା କେଉଁଠି ? ଏ ସଂସାରରେ ନିଜ ମନ ନିଜର ନୁହେଁ-କବି ବାଣୀରେ ଏହା କେଉଁ କାଳୁଁ ସ୍ଵୀକୃତ । ତେଣୁ ସଂସାରୀ ସୋଦରଙ୍କ ଦାଉରୁ ଉବୁରିବାର ଶକ୍ତି କାହିଁ ମୋର ? ବନ୍ଧୁ ବାନ୍ଧବ ଓ ସଖାସୋଦରଙ୍କର ମାୟାରେ ବାନ୍ଧିହୋଇ ପୁଣି ଲଢ଼େଇ ପାଇଁ ପାଗ ଭିଡ଼ିଲି । ଅବସର ଗ୍ରହଣ ପୂର୍ବରୁ କର୍ମାଭିମୁଖୀ ଶିକ୍ଷାଦାନ ଓ ଗ୍ରାମ ସଂଗଠନ ଇତ୍ୟାଦିର ଯେଉଁ ସ୍ଵପ୍ନ ମୋ ଅବଚେତନରେ ବଳବତ୍ତର ଥିଲା, ତାହା ଏତେବେଳକୁ ପ୍ରକାଶ୍ୟ ହୋଇଉଠିଥାଏ-। ଏହାର ସୁଯୋଗ ନେଇ ମୋର କେତେକ ଆପଣାର ଲୋକେ ଗାଁ ପାଖରୁ ପ୍ରାୟ ସାତ ଆଠ କିଲୋମିଟର ଦୂରବର୍ତ୍ତୀ ଏକ ଘରୋଇ କଲେଜରେ ମୋତେ ଅଧ୍ୟକ୍ଷ ଆସନରେ ଥାପି ମୋ ମଥାରେ ତଥାକଥିତ ଗୌରବର ମୁକୁଟ ପିନ୍ଧାଇ ଦେଲେ । ମୁଁ କିନ୍ତୁ ଏଥିରେ ଆଦୌ ସନ୍ତୁଷ୍ଟ ନଥାଏ-। କାରଣ ଏ କଣ୍ଟକ ମୁକୁଟ ଓ ଫୁଲମାଳ ଭିତରେ ଯୁଗ ଯୁଗର ସେ ଅତନ୍ଦ୍ର ତକ୍ଷକଟା କିପରି ଆତ୍ମଗୋପନ କରିଥାଏ, ତାହା ମୋତେ ଅଜଣା ନଥିଲା । ଜୟରାମ ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହେବାଦିନୁଁ ମୁଁ ତାହାକୁ ଭଲକରି ଚିହ୍ନେ । ତେଣୁ ମୋ କଥିତ ଅଜ୍ଞାତବାସରୁ ଇନ୍ଦ୍ରପ୍ରସ୍ଥର ସେ ଐଶ୍ୱର୍ଯ୍ୟ ଆଡ଼କୁ ଆଉ ମୋତେ ନଟାଣିବା ଲାଗି ସରକାରୀ ଚାକିରି ଛାଡ଼ିବାର ଛଅମାସ ଆଗରୁ ଓ ସାତମାସ ପର ଯାଏ ମୁଁ ମୋର ସେହି ବନ୍ଧୁମାନଙ୍କୁ ବାରମ୍ବାର ଅନୁରୋଧ ଜଣାଇଲି । ଅତ୍ୟଧିକ ଭାବପ୍ରବଣତାବଶତଃ ସେମାନେ ମୋ କଥାରେ ଆଦୌ କର୍ଣପାତ କଲେ ନାହିଁ । ସୁତରାଂ ଆଜି ଯେଉଁ ଅଗଷ୍ଟ ପହିଲାରେ ମୁଁ ଏ ଅଧ୍ୟାୟକୁ ରୁପରେଖ ଦେବାପାଇଁ କାଳି କଲମ ଧରି ବସିଛି, ଠିକ୍ ବର୍ଷକ ତଳେ ଅଶୀ ମସିହାର ସେହି ଅଗଷ୍ଟ ପହିଲାରେ ମୁଁ ଲୋକନାଥ ମହାବିଦ୍ୟାଳୟ, କୋରୁଆରେ ଛ’ମାସ ପାଇଁ ଅବୈତନିକ ଅଧ୍ୟକ୍ଷର ଦାୟିତ୍ଵ ନେଲି । କଲେଜ ତରଫରୁ ମୋର ଯାତାୟତ ପାଇଁ ଖଂଡ଼ିଏ ରିକ୍ସା ଓ ମୋ ପଡ଼ୋଶୀ ଗାଁରୁ ଜଣେ ରିକସାଚାଳକ ଯୋଗାଇ ଦିଆଗଲା-। ରିକ୍ସାଚାଳକ ଗୁରୁଚରଣକୁ ଧରି ମୁଁ, ଏହି ଅଗଷ୍ଟରେ ପୁଣି ସଂଗ୍ରାମର ଶପଥ ନେଲି ।

 

ଏହି ସମୟକୁ ହଲାଣ୍ଡ ନା ଡେନ୍‍ମାର୍କ ସରକାରଙ୍କ ଆର୍ଥିକ ସହାୟତାରେ ‘ଗ୍ରାମ ପୁନର୍ଗଠନ ସଂସ୍ଥା’ (VRO : Village Reconstruction Organisation) ନାମକ ଏକ ଅନୁଷ୍ଠାନ ଆନ୍ଧ୍ର ରାଜ୍ୟରେ ଦିନକେ ଗୋଟାଏ ଲେଖାଏଁ ଆଦର୍ଶ ଗ୍ରାମ ବସାଇ ଦେଉଥିବାର ଖବର ପାଇଲି । ଓଡ଼ିଶାରେ ଉକ୍ତ ଯୋଜନାର ବାସ୍ତବ ରୂପାୟନ ପାଇ ସେ ସଂସ୍ଥାର କର୍ତ୍ତୃପକ୍ଷ ଜଣେ ନିଷ୍ଠାପର ସୁପରଭାଇଜର ଖୋଜୁ ଥାଆନ୍ତି । ଏ ସଂବଂଧରେ ସେ ଆମ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ (D.P.I., H.E.) ସହିତ ସଂଯୋଗ ସ୍ଥାପନ କରିଥିଲେ । ଉଚ୍ଚ ଶିକ୍ଷାନିର୍ଦ୍ଦେଶକ ଓ ଉପଶିକ୍ଷା ନିର୍ଦ୍ଦେଶକଙ୍କ (D.D.P.I.) ବିଚାରିଲେ ମୁଁ କୁଆଡ଼େ ସେଥିପାଇଁ ଉପଯୁକ୍ତ ବିବେଚିତ ହୋଇଥିବାରୁ ଉପଶିକ୍ଷା ନିର୍ଦ୍ଦେଶକ ଏ ବିଷୟରେ ମୋର ମତାମତ ଜାଣିବାକୁ ମୋ ସହିତ ବ୍ୟକ୍ତିଗତ ପତ୍ରାଳାପ କରିଥିଲେ ।

 

ଓଡ଼ିଶାର ସମସ୍ତ ଗାଁ’ଗଣ୍ଡାକୁ ସେବା କରିବାର ସୁବର୍ଣ୍ଣ ସୁଯୋଗ ଥିବାରୁ ଏ ଯୋଜନା ମୋତେ କେତେକାଂଶରେ ଆକୃଷ୍ଟ କରିଥିଲା । ହେଲେହେଁ ସ୍ଥାନୀୟ ଶିକ୍ଷାନୁଷ୍ଠାନଟିର ଅଧ୍ୟକ୍ଷ ଦାୟିତ୍ଵ ଏବଂ ବନ୍ୟା-ମରୁଡ଼ି-ଗ୍ରସ୍ତ ଚିରଅବହେଳିତ ଲୁଣା-କରାଣ୍ଡିଆ ମଧ୍ୟବତୀ ଗ୍ରାମଗୁଡ଼ିକର ସର୍ବାଙ୍ଗୀନ ଉନ୍ନତିକଳ୍ପେ ୧୯୮୦ ମାର୍ଚ୍ଚ ମାସରେ ମୋ ସଭାପତିତ୍ଵରେ ଗଡ଼ାଯାଇଥିବା ଉନ୍ନୟନ ପରିଷଦର କାତର ଦୃଷ୍ଟିକୁ ଏଡ଼ାଇ ଦେଇ ଆଉ କେଉଁଠିକି ଯିବା, ମୋ ପକ୍ଷେ ସମ୍ଭବ ନୁହେଁ ବୋଲି ମୁଁ ବିବେଚନା କଲି । ଏହି ମର୍ମରେ ଉପଶିକ୍ଷାନିର୍ଦ୍ଦେଶକଙ୍କୁ ମୋର ସିଦ୍ଧାନ୍ତ ଜଣାଇଦେବା ପରେ ଏ ଦିଗରେ ସେ ଆଉ ମୋତେ ବଳାଇଲେ ନାହିଁ ।

 

ଅଗଷ୍ଟ ପହିଲାରୁ ପ୍ରତିଦିନ ସକାଳ ସାଢ଼େସାତରେ କୋରୁଆ ଯାଇ ସଂଧ୍ୟା ପ୍ରାୟ ସାଢ଼େ ସାତରେ ଘରେ ପହଞ୍ଚେ । ଧକଡ଼ ଚକଡ଼ ଗାଉଁଲି ରାସ୍ତା, ଖାଲଢ଼ିପ, ବଢ଼ିବତାସ, ଶ୍ରାବଣର ଧାରା, ଲଟା ବିଜୁଳି ଓ କାନଫଟା ଘଡ଼ଘଡ଼ି ସାଙ୍ଗକୁ ବସ୍ତା ଉପରେ ବଳାଗଣ୍ଠିଏ କାଦୁଅ ବା ପାଣି, କାହିଁରେ ଆମେ ଦବୁନା । କେତେବେଳେ ରିକ୍‍ସାର ହୁଡ୍ ଭାଙ୍ଗେତ, କେତେବେଳେ ପାଦାନି ମଡ଼ମଡ଼ ଡାକେ । କାଦୁଅ ପଙ୍କରେ ରିକ୍‍ସା ପେଲି ମୋ ନୂତନ ସଂଗ୍ରାମର ସାରଥି ଗୁରୁଚରଣ ଧଇଁ ସଇଁ ହୋଇ ଉଠେ । ବେଳେବେଳେ ତା ପାଟିରୁ ବାହାରେ–“ସାର୍, ଏ ଜୀବନଟା ଆପଣଙ୍କୁ ଦେଇ ଦେଇଛି, ଆପଣ ମାରିଲେ ମାରିବେ, ରଖିଲେ ରଖିବେ ।’’

 

ମୁଁ ତାକୁ ବୁଝାଏ–“ନାହିଁରେ ଗୁରୁ, ଆମ ଦି’ଟା ଜୀବନ ମୁଁ ଭଗବାନଙ୍କୁ ଦେଇଦେଇଛି । ସେଇ ଏକା ମାରିଲେ ମାରିବେ, ରଖିଲେ ରଖିବେ । ମୁଁ କଣ ମାରିବା, ରଖିବାକୁ ଭାଜନ ? ବଂଚିଲେ ଆମ ରକ୍ତରେ ଆମ ଅଂଚଳରେ ଗୋଟାଏ ଅନୁଷ୍ଠାନ ଗଢ଼ିଉଠିବ, ମଲେ ମଧ୍ୟ ଆମେ ତା’ ପାଇଁ ମାରିବା । ଦୁଃଖ କଣ ?”

 

ଗୁରୁ ବୁଝେ । ଉଠାଣି, ପକାଣି ଓ ପନ୍ତା, କାଦୁଅ ଭିତରେ ଯାତ୍ରୀମାନେ ବଳଦେବଙ୍କ ଗୁଣ୍ଡିଚା ରଥକୁ ଭିଡ଼ି ଭିଡ଼ି ମାଉସୀମା’ ଘରକୁ ନେବାପରି ସେ ମୋ ତିନିଚକିଆ ରଥଟିକୁ ଘୋଷାଡ଼ି କଲେଜ ଯାଏ ଚାଲେ ଏବଂ ଫେରେ ମଧ୍ୟ ସେହି ରୀତିରେ । ଗତ ବର୍ଷା ଋତୁର ଏଇ ବିଚିତ୍ର ଅଭିଯାନ ମୋର ବହୁ ପୁରାତନ ଛାତ୍ର ଓ ଚିହ୍ନା ପରିଚୟ ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟଜନକ ଲାଗେ । କୁତୂହଳୀ ହୋଇ ବାଟଘାଟରେ ସେମାନେ ପଚାରନ୍ତି–‘ଏ ବୟସରେ ଏ ସାଧନା କାହିଁକି ସାର୍ ?

 

–“ବୁଦ୍ଧତ୍ଵ ପାଇଁ ନୁହେଁ........ଅକୂଳ ଦରିଆ ମଝିରେ ‘ୟୁଲିସେସ୍’ର ନବଦିଗନ୍ତକୁ ଆବିଷ୍କାର କରିବା ପାଇଁ’-ମୁଁ ଉତ୍ତର ଦିଏ । ସେମାନେ ଏହାର ଇଂଗିତ ବୁଝନ୍ତି କି ନାହିଁ, ତାହା ସେମାନଙ୍କୁ ଜଣା ।

 

ଏତ ଗଲା ମୋ ଯାତାୟତ ପଥର ସଂଗ୍ରାମ କଥା । କିନ୍ତୁ ଅନୁଷ୍ଠାନିକ ଜୀବନର ସଂଗ୍ରାମ ବିଷୟ ଏତେବେଳେ ଯାଏ କହିନାହିଁ । ଏ ସଂଗ୍ରାମର ପ୍ରକାର ଓ ପରିମିତି ସଂପୂର୍ଣ୍ଣ ଭିନ୍ନ । ଏହାକୁ ଜଟିଳ ମାନସିକ ସଂଘର୍ଷର ଏକ ମର୍ମନ୍ତୁଦ ଇତିହାସ କୁହାଯାଇ ପାରେ । ବହୁ ଘରୋଇ ଅନୁଷ୍ଠାନ ତୁଲ୍ୟ ଏ ଅନୁଷ୍ଠାନଟି କୁତ୍ସିତ ରାଜନୀତିର ଏକ ବ୍ୟାୟାମଶାଳା ବୋଲି ପ୍ରଥମରୁ ମୁଁ, ଜାଣିଥିଲି । ଅଧ୍ୟାପକ ଓ ଅଧ୍ୟାୟୀମାନଙ୍କ ମଧ୍ୟରେ ସହଯୋଗ ଓ ବୁଝାମଣା ଅଭାବରୁ ଶିଶୁ ଅନୁଷ୍ଠାନଟି କାତକେରୁଆଳହୀନ ନୌକାପରି, ତା ବାଟରେ ସେ ଚାଲିଥାଏ । କଲେଜ୍ କହିଲେ ଯାହା ବୁଝାଯାଏ, କାର୍ଯ୍ୟରେ ଅଥବା କାଗଜପତ୍ରରେ ଅଥବା ଆନୁଷ୍ଠାନିକ ମର୍ଯ୍ୟାଦାରେ ତାହାର କୌଣସି ସଟ୍ଟାସମ୍ବନ୍ଧ ମୁଁ ସେଠି ପାଇଲି ନାହିଁ । ଜନସାଧାରଣଙ୍କର ଏହା ଏକ ଅନୁଷ୍ଠାନ-ମାସ ମାସ ଧରି ଏହା ମଧ୍ୟ ମୁଁ ଅନୁଭବ କରି ପାରିଲି ନାହିଁ । ମୋ ଅବସ୍ଥାନ କାଳରେ ଉପଶିକ୍ଷା ନିର୍ଦ୍ଦେଶକ ରାଜେନ୍ଦ୍ର ବାବୁ ଘଡ଼ିକ ପାଇଁ ଏ ଅନୁଷ୍ଠାନ ପରିଦର୍ଶନରେ ଯାଇ ଠିକ୍ ମୋ ପରି ଅନୁଭବ କରିଥିଲେ । ପିଲାମାନଙ୍କର ଭାଗ୍ୟ ସହିତ ଖେଳ ଖେଳି ଯେତେକିଛି ଅସଂଗତି, ଅସାଧୂତା, ଧୂର୍ତତ୍ତା ଓ କର୍ତ୍ତବ୍ୟ ଖିଲାପ୍‍କୁ ଅନୁଷ୍ଠାନରେ ଏତେ ମାତ୍ରାରେ ପ୍ରବେଶ କରାଯାଉଥିଲା ଯେ ମୁଁ ଅଧ୍ୟକ୍ଷ ଦାୟିତ୍ଵ ନେବାପରେ ପରିଚାଳନା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ପିଲାମାନଙ୍କୁ ମତାଇବା, ସେଠାରେ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଦୈନନ୍ଦିନ କାର୍ଯ୍ୟ ଥିଲା ବୋଲି ଲକ୍ଷ୍ୟ କଲି । ମୋ ଅନୁପସ୍ଥିତିରେ ଅଧ୍ୟାପକ ଓ ଅଧ୍ୟାପକ ମଧ୍ୟରେ କଳିତକରାଳ ବେଳେବେଳେ ଉତ୍କଟ ଆକାର ଧାରଣ କରି ମାର୍‍ଧରରେ ପରିଣତ ହେଉଥିଲା ।

 

ଏଭଳି ଏକ ପରିବେଶକୁ ବଦଳାଇବା ପାଇଁ ମୋତେ ପାଞ୍ଚ ମାସରୁ ଅଧିକ ସମୟ ଲାଗିଗଲା । ଲୋକଦେଖାରେ ମୋ ସହକର୍ମୀ ବନ୍ଧୁ ଗଣ ଷୋଳପଣି ମୋ ସହିତ ସହଯୋଗ କରୁଥିଲେ ମଧ୍ୟ ଶୃଙ୍ଖଳା ଓ କର୍ତ୍ତବ୍ୟନିଷ୍ଠାର ପ୍ରଶ୍ନ ଉଠିଲେ ସେମାନଙ୍କ ମଧ୍ୟରୁ ଅନେକ ରାଗରେ ନିଆଁ ବାଣ ହୋଇ ଉଠୁଥିଲେ । କାରଣ ମୋ ଯିବାପୂର୍ବରୁ ଧର୍ମଘଟ ବା ଘେରାଉପରି କିଛି ଗୋଟାଏ କାଣ୍ଡ ଘଟାଇ ଦେଇ ପରିଚାଳନା କର୍ତ୍ତୃପକ୍ଷର ମୁଖପାତ୍ର ଯୁଗ୍ମ ସମ୍ପାଦକଙ୍କୁ ଅପମାନିତ କରାଇ ଦେବାରେ ସେମାନଙ୍କର ଆନନ୍ଦ ଥିଲା । ଏଥିପାଇଁ ସଂକୀର୍ଣ୍ଣ ରାଜନୀତିର ଖୋଳପିନ୍ଧା ଲୋକେ ତାଙ୍କୁ ପଛରୁ ସାହାଯ୍ୟ ସମର୍ଥନ ଦେଉଥିଲେ । କର୍ତ୍ତବ୍ୟ ଓ ଶୃଙ୍ଖଳାର ବାଡ଼ ଭିତରେ ଏଗୁଡ଼ିକ ମାନ୍ଦା ପଡ଼ିଆସିବା, ସେମାନଙ୍କର ଦୁଃଖର କାରଣ ହୋଇଥିଲା । ଏହା ସତ୍ତ୍ୱେ ମୋ ରହଣିର ପାଞ୍ଚମାସ ଭିତରେ ସେପରି କିଛି ଅପ୍ରୀତିକର କାଣ୍ଡ ଘଟିନଥିଲା । ଅବରୁଦ୍ଧ ଅବସ୍ଥାରେ ଏସବୁର ପ୍ରସ୍ତୁତି ପର୍ବ ଚାଲିଥିଲା ଭିତରେ ଭିତରେ ।

 

ଡିସେମ୍ବର ଶେଷ ହେବାକୁ ଆଉ ଦୁଇମାସ ବାକୀ । କେତେକ ବି : ଏ : ପରୀକ୍ଷାର୍ଥିଙ୍କ ନାହିଁ ନଥିବା ଜିଦ୍‍ରୁ ମୁଁ ଏହାର ଫଳିତ ରୂପର ପୁର୍ବାଭାସ ପାଇଲି । ଏଥିରେ ବିଚଳିତ ନହୋଇ ଚତୁରତା ସହିତ ଏହାର ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ମୁଁ ଦୁଇଦିନ ଧରି ଛାତ୍ରମାନଙ୍କ ସହିତ ଆଲୋଚନା ଚଳାଇଥିଲି । ହେଲେହେଁ ୩ । ୧ । ୮୧ ରେ ଯୁଗ୍ମ-ସମ୍ପାଦକଙ୍କ ଉପସ୍ଥିତିରେ ଏହା ଉଗ୍ରରୂପ ଧାରଣ କଲା । ପରିସ୍ଥିତିକୁ ଆୟତ୍ତ କରିବା ଲାଗି ମୁଁ ତାଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ସେ ସେଥିପ୍ରତି ଆଦୌ ଧ୍ୟାନ ଦେଲେ ନାହିଁ । ଜିଦ୍‍ର ଜବାବ ଜିଦରେ ଓ ଢୋଲ ଭିତର ମୂଷାମାନଙ୍କର ପ୍ରାୟଶ୍ଚିତ୍ତ ଠେଙ୍ଗାବାଡ଼ିରେ କରିବାକୁ ଯାଇ ସେ ଯେଉଁ କଳଂକିତ ଅଧ୍ୟାୟ ସୃଷ୍ଟି କରିଗଲେ, ତହିଁରେ ମୁଁ ନିଜକୁ ଲଜ୍ଜିତ ମନେକଲି ।

 

୧୯୮୧ ମସିହା ଜାନୁଆରୀ ୩ ତାରିଖରୁ ପ୍ରାୟ ଫେବୃୟାରୀ ଅଧାଯାଏ ପରିସ୍ଥିତି ନିତାନ୍ତ ନାରକୀୟ ହୋଇ ଉଠିଲା । ପାଟକୁରାବାସୀ ଏ ଅବସ୍ଥାରେ ମୋର ଆହ୍ୱାନ ଚାହିଁଥିଲେ ମଧ୍ୟ ଶିଶୁ ଅନୁଷ୍ଠାନଟିର ଅସ୍ତିତ୍ଵ ଦୃଷ୍ଟିରୁ ମୁଁ ୩୧ ରୁ ‘ମେଡିକାଲ୍ ଲିଭ୍’ରେ ରହିବା ଉଚିତ ମନେକଲି-। ପରିଚାଳନା କର୍ତ୍ତୁପକ୍ଷ ଏବଂ ଅଧିକାଂଶ ଅଧ୍ୟାପକ ଏ ଘଟଣା ପରେ ମୋତେ ସେଠାରେ ଅଧିକକାଳ ରହିବାକୁ ଅନୁରୋଧ କରୁଥିଲେ । କିନ୍ତୁ ମୋର ପୂର୍ବନିର୍ଦ୍ଧାରିତ ଛ’ମାସ ଜାନୁଆରୀରେ ପୂରିଯାଇ ଫେବୃୟାରୀକୁ ସାତମାସ ଚାଲୁଥିବାରୁ ଏ ଆଦିମ; ସ୍ଵେରାଚାରୀ ପରିବେଶରେ ଆଉ ଅଧିକ କାଳ ରହିବା ମୋ ପକ୍ଷେ ସମ୍ଭବ ନୁହେଁ ବୋଲି ମୁଁ ରୋକ୍ ଠୋକ୍ ଜଣାଇଦେଲି । ଏପରି ସିଦ୍ଧାନ୍ତର ଆଉ ଏକ ମୁଖ୍ୟ କାରଣ ଥିଲା ଯେ ଯେଉଁ କର୍ମାଭିମୁଖୀ ଶିକ୍ଷାର ସ୍ଵପ୍ନ ଦେଖି ମୁଁ ସେଠିକି ଯାଇଥିଲି ସେ ଶିକ୍ଷାତ ଦୂରର କଥା, ପାରଂପରିକ ଶିକ୍ଷାର ମୂଳଦୁଆ ଯେଉଁଠି ବିଭତ୍ସ ଚକ୍ରାନ୍ତରେ ଟଳମଳ, ସେଠି ସେ ଦୁରାଶାର ଭୂତଗ୍ରାସରେ ଆଉ ଆବିଷ୍ଟ ହେବାର ପାଗଳାମି ମୋର ନ ଥିଲା-। ତେଣୁ ବହୁ ପ୍ରବର୍ତ୍ତନାକୁ ଉପେକ୍ଷା କରି ୧୯୮୧ ମସିହା ଫବୃୟାରୀ ୨୭ ତାରିଖରେ ମୁଁ ମୋର ନୂତନ କର୍ମକ୍ଷେତ୍ରରୁ ବିଦାୟ ନେଲି । ଏ ସାତ ମାସର ରହଣି ମୋତେ ଯେଉଁ ଅନୁଭୂତି ଦେଲା, ତାହା ବାହାରୁ ଯେତେ ତିକ୍ତ ହେଲେ ମଧ୍ୟ ସୁକ୍ଷ୍ମ ଦୃଷ୍ଟିରେ ଏହାକୁ ତିକ୍ତ ମଧୁର କହିବାରେ କୌଣସି ଆପତ୍ତି ନାହିଁ । କାରଣ ଜୀବନ-ଗ୍ରନ୍ଥର ଏହାବି ଏକ ଅଧ୍ୟାୟ । ଏହା ବ୍ୟତିରେକ ଉଦ୍‍ବର୍ତ୍ତନର କେଉଁ ଫର୍ଦ୍ଦଟା ହୁଏତ ଫାଙ୍କା ପଡ଼ିବାର ଆଶଂକା ଥିବାରୁ ଜୀବନ ଦେବତାଙ୍କର ବରାଦରେ ଏହା ପାଇଁ ପୂର୍ବକଳ୍ପିତ ।

 

ତେଣୁ ମୁଁ ଏଥିରୁ ଅନେକ ଶିଖିଲି । କିନ୍ତୁ ମୋ ସଂଗ୍ରାମର ସାଥୀ ଗୁରୁଚରଣ ପାଇଁ ଏଥିରୁ କିଛି ମିଳିଲା କି ନାହିଁ ତାହା ହୁଏତ ସେ ତାହାର ଭବିଷ୍ୟତ ଜୀବନର ହିସାବ୍ ନିକାଶରେ ସ୍ଥିର କରିବ ।

Image

 

ଏ ଡାକରା ଶେଷ କେଉଁଠି ?

 

‘ନିଜକଥା’ର ଶେଷ ପର୍ବରେ ପହଞ୍ଚି ଆଜି ମଧ୍ୟପର୍ବକୁ ମୁଁ ଫେରି ଚାହୁଁଛି । ମୁଲାୟାମ୍ ସ୍ୱପ୍ନର ଦୁର୍ବାକ୍ଷତଭରା ସେ ବାହୁଡ଼ା-ବାଟ ଠାରୁ ସତେ କେଡ଼େ ନିଷ୍ଠୁର ଏ ବାସ୍ତବତା ! ‘ସ୍ଵପ୍ନ’ ଓ ‘ବାସ୍ତବ’ର ମୋ ପାଇଁ କିଛି ସ୍ଵତନ୍ତ୍ର ମୂଲ୍ୟ ନଥିଲେ ମଧ୍ୟ ମୁଁ ସ୍ଵପ୍ନ ଦେଖିଲି । ପ୍ରତି ମଣିଷର ଏହା ବୋଧହୁଏ ପ୍ରକୃତି । ଏହା ବ୍ୟତୀତ ଜୀବନରେ କିଛି ଅର୍ଥ ନଥାଏ । କିନ୍ତୁ ଦୈବୀ-ବାସ୍ତବତାରେ ମୋର ସେ ସଲଜ୍ଜ ସ୍ୱପ୍ନର ପକ୍ଷାଘାତ ଘଟିଛି । ବହୁ ରଚନାତ୍ମକ କର୍ମର ଯୋଜନା ନେଇ ମୋତେ ଶେଷରେ ଅସ୍ଵସ୍ତିର ଦୀର୍ଘ ନିଃଶ୍ୱାସ ଛାଡ଼ିବାକୁ ହୋଇଛି ।

 

ପୁରୁଷକାରର ଗର୍ବ କେବେ ମୁଁ କରିନାହିଁ । ମହାଭାରତର କେଉଁ କର୍ଣ୍ଣକୁ ଏହା ହୁଏତ ସାଜିପାରେ, କିନ୍ତୁ ଘସଫୁଲ ଜୀବନରେ ଏହା ହାସ୍ୟାସ୍ପଦ । ଦୈବ ହାତର ଖେଳନାଟିଏ ମୁଁ । କି ଆୟତ୍ତ ଅଛି ମୋର ? –ଏହା ବାରମ୍ବାର ଘଟଣା ଚକ୍ରରେ ମୋ ଭିତରେ ବଳବତ୍ତର ହୋଇ ଉଠିଛି-

 

ପୌରୁଷର ଅଭିମାନରେ ଉନ୍ନତ ଆଜିର ଏ ବିଶ୍ୱରେ ମୋର ଏ ଦୈବବାଦିତା ଅନେଙ୍କକୁ ବିସ୍ଵାଦୁକର ବୋଧ ହୋଇପାରେ । ହେଲେହେଁ ମିଛକୁ ସତକରି ପୌରୁଷର ବୃଥା ଆସ୍ଫାଳନ କରିବି କାହିଁକି ? ମୋ ଜୀବନରେ ମୁଁ ଯାହା ଅନୁଭବ କରିଛି, ଯାହା ଅଙ୍ଗେ ଲିଭାଇଛି, ତାହା ପୁରୁଷକାରର ଦାତ୍ମିକତା ବର୍ଜିତ ଏକ ନିରୀହ ଆତ୍ମୋତ୍ସର୍ଗ ବ୍ୟତୀତ ଆଉ କିଛି ନୁହେଁ । ସତ କହିଲେ ଏଥିପାଇଁ ମୋର ପ୍ରସ୍ତୁତ ଓ ସାଧ୍ୟ ସାଧନା ଅପେକ୍ଷା ଜୀବନ-ଦେବତାଙ୍କର ଟଣା ଓଟରା ମୋତେ ସବୁ କ୍ଷେତ୍ରରେ ଦୈବବାଦୀରେ ପରିଣତ କରିଛି । ‘ବିଶ୍ଵ-ଜୀବନ’ଙ୍କର ଏ ଅପାର କରୁଣା ଲାଗି ମୁଁ ତାଙ୍କ ନିକଟରେ ଚିର କୃତଜ୍ଞ ।

 

ଏ ଦୈବବାଦିତା ସତ୍ତ୍ଵେ ମନଟା ବେଳେ ବେଳେ ଅସମ୍ଭାଳ ହୁଏ । ଗାଁ ଗଣ୍ଡା, ବନବିଲ ଓ ବାଟଘାଟକୁ ଚାହିଁ ହତାଶାରେ ଭାଙ୍ଗିପଡ଼େ । ଜୀଅନ୍ତା ମଣିଷକୁ ଖୋଜି ଖୋଜି ତାହାର ପତ୍ତା ମିଳେନା । ସବୁଠିଁ ମଣିଷ ଆଜି ମରିଛି ଅମଣିଷ ପଣିଆରେ ଗରଳ ଗ୍ରାସରେ । ମୋର ଅତି ଆଦରର ପଡ଼ାଭୂଇଁ ଗୁଡ଼ିକରେ ପୋଡ଼ାଭୂଇଁର ପ୍ରେତନୃତ୍ୟ ଚାଲିଛି । ଲାଞ୍ଚ, ମିଛ, ଧପ୍‍ପାବାଜି ଏବଂ ଟାଉଟରରେ ପଲ୍ଲୀର ସେ ପୂର୍ବ ସରଳ ସୁନ୍ଦର ମୁଖମଣ୍ଡଳ ଆଜି ବିଶ୍ରୀ । ଶଠତାର ଉପଦଂଶ ବ୍ୟାଧିରେ ଏହା ଜ୍ଵାଳାମୟ ।

 

ମୁଁ ବହୁ ଚେଷ୍ଟା କରି ମଧ୍ୟ ଅସତ୍ୟ, ଅନ୍ୟାୟ ଏବଂ ଦୁର୍ନୀତିର ଦାଉରୁ ମୋର କର୍ମ ପରିସରଟିକୁ ସଂପୂର୍ଣ୍ଣ ଭାବେ ମୁକ୍ତ କରିପାରିଲି ନାହିଁ । ଏ ଅବସ୍ଥାରେ ପୂର୍ବାଶ୍ରମକୁ (ନୀରୋଳ ସାହିତ୍ୟଚର୍ଚ୍ଚା) ଫେରିଯିବାକୁ ଡାକରା ସୁଭୁଛି । ଏହା ସମ୍ଭବତଃ ମୋ ଲାଗି ବିଶ୍ୱେଶ୍ଵରଙ୍କର ଶେଷ ଡାକରା (last call) । ଜନ୍ମ ଜନ୍ମ ଧରି ଏହାକୁ ମୁଁ ଶୁଣିଛି ଓ ଶୁଣିବି । ଏହା ଯେଉଁ ଆକାର ପ୍ରକାର ନେଇ ଆସୁ ପଛେ ।

 

ଏଥି ଭିତରେ ସ୍ଥାନୀୟ ଏକ କଲେଜର ସ୍ନାତକୋତ୍ତର ବିଭାଗ ପକ୍ଷରୁ ନିମନ୍ତ୍ରଣ ମିଳିଛି ଜ୍ଞାନ ବିତରଣ କରିବାପାଇଁ । ‘ହୁଁ’ କି ‘ଚୂଁ’ କିଛି କହିନାହିଁ ଏ ନିମନ୍ତ୍ରଣର ଉତ୍ତରରେ । ମନକୁମନ ଭାବୁଛି ବସି–ଆଜିଯାଏତ ଅଜ୍ଞାନ ବିତରଣ କରି ଦିନ ଗଲା । ପୁଣି ଏ ବୟସରେ, ଏ ବିଶ୍ୱରେ ଜ୍ଞାନର ସେ ପ୍ରହସନ କାହିଁକି । ଜ୍ଞାନ, ଅଜ୍ଞାନର ଗ: ସା: ଗୁ: ନିର୍ଣ୍ଣୟ କରି ନପାରିତ ଚାକିରି ଛାଡ଼ିଲି-। ପୁଣି ସେ ଅଜବ୍ ଜ୍ଞାନର ଏ ଅଲୋଡ଼ା ଡାକରା କାହିଁକି ? ମୋର’ ଅନୁଜ କଳ୍ପ ଡକ୍ଟର ହେମଂତ କୁମାର ଦାସଙ୍କ ଭାଷାରେ–

 

କଟକ / ୩୧ । ୩ । ୮୦

 

“କପିଳବାସ୍ତୁର ସନ୍ନ୍ୟାସୀ ରାଜପୁତ୍ର ନିମନ୍ତେ ପୁନର୍ବାର ପାର୍ଥିବ ଯଶ ଅପଯଶର ସୁନା ସିଂହାସନ କେହି ପାତେନାହିଁ । ବିଶ୍ଵର ଯେଣେ ତେଣେ ଦରଦୀ ଜନତାର ହୃଦୟ ସିଂହାସନରେ ତାହାର ସମ୍ମାନିତ ଆସନ-ଏକଥା ସମସ୍ତେ ଜାଣନ୍ତି ।”

 

ଭାଇ ହେମଂତ କୁମାରଂକର ଏ ଭାବ ପ୍ରବଣ ଉକ୍ତିଟି ମୋ ପକ୍ଷରେ କେତେଦୂର ସତ୍ୟ ସେ ନେଇ ମୁଁ ସନ୍ଦିହାନ । ମୋତେ ଅତି ନିକଟରୁ ଦେଖିଥିବା ଜଣେ ବନ୍ଧୁଙ୍କର ମତ ଭାବରେ ଏହା ଏଠାରେ ଉଲ୍ଲେଖ କଲି ।

 

ତେବେ ସେ ଯାହାହେଉ ଅନର୍ଥକ ଏକ ଜୀବନ ନିକଟରେ ଜ୍ଞାନ ବିତରଣର ଏ ପ୍ରଶ୍ନ ଆଜି ଉତ୍ତର ଉପତ୍ୟକାର ନିଝୁମ୍ ରାତି ଭିନ୍ନ ଆଉ କ’ଣ ହୋଇପାରେ । ନିଶୁତୀ ରାତିର ସେ ନିଶବ୍ଦ ପ୍ରହର ଗୁଡ଼ିକରେ ମୁଁ ଏତିକି ବୁଝେ-‘ଆମର ସବୁ ଜ୍ଞାନ ଗାରିମାର ପରିଣତି କେବଳ ଅଜ୍ଞାନରେ’ (All our knowledge leads us to ignorance) । ତେଣୁ ଜ୍ଞାନ ନାଁ’ରେ ଅଜ୍ଞାନ ବାଣ୍ଟି ତକ୍ଷକର ଦଂଶନ ସହିବାକୁ ଆଉ ମନ ଡାକୁନାହିଁ ।

 

ଉପରନ୍ତୁ, ଘାସଫୁଲ ଜୀବନରେ ଯଶ ଅପଯଶର ପ୍ରଶ୍ନ ଅତି ଗୌଣ । ପ୍ରଶଂସା ଓ ପ୍ରତିଷ୍ଠାର ତାଆସୀ ଦୁର୍ଗ (Castle of playing cards) କେବେ ତାହାର ଲକ୍ଷ୍ୟ ନଥିଲା ବା ଆଜି ନାହିଁ । ମଲା ଲୋକମାନେ ଯଶ ଓ ପ୍ରଶଂସାର ସେ ଖାଦାନ ଉପରୁ ଜୀଇଲା ଲୋକର ସ୍ଲୋଗାନ ଦିଅନ୍ତି । ମଲାମଣିଷର ସେ ସ୍ଲୋଗାନରେ କି ଲାଭ ଅଛି ଏ ଘାସଫୁଲର । ‘ପଥଚ୍ଛାୟା’ରେ ଦୋଳି ଦୋଳି ସେ ଖାଲି ଜ୍ୟାୟନ୍ ସୂର୍ଯ୍ୟଙ୍କୁ ପ୍ରତୀକ୍ଷା କରେ ଏବଂ ମନ ପ୍ରେମରେ କେବେ କେଜାଣି ଗାଇଉଠେ–

 

“Fame is a food that dead men eat,

I have no stomach for such meat.”

 

[FAME & FRIENDSHIP, Henry Austin Dobson]

Image

 

ପରିଶେଷରେ

 

ଏ ଗ୍ରନ୍ଥର ପ୍ରକାଶକ, ବନ୍ଧୁ ଗୋବିନ୍ଦ ବାବୁ ଏଥିରେ ପରିଶିଷ୍ଟଟିଏ ଯୋଡ଼ିବାକୁ ମନ ବଳାଇଛନ୍ତି । ତାହାଙ୍କର ଆନ୍ତରିକତା ପାଇଁ କୃତଜ୍ଞତା ଜଣାଉଛି । ହେଲେ ଜୀବନ ବା ଜୀବନୀର ସତେ କ’ଣ ପରିଶେଷ ଅଛି ? ଜୀବନର ଏକ ଅସରନ୍ତି ଧାରା-ରାତି ଏହାର ଧର୍ମ । କେବେ କେବେ ଏହା ଥକିପଡ଼େ; ଅଚଳ ହୋଇଯାଏ ଏ ପୁରୁଣା ପ୍ରଭାବଟା । ଏଇଠି ଜୀବନରେ ଯାହା କିଛି ବ୍ୟବଧାନ ଦେଖାଦିଏ । ‘ମଧ୍ୟାନ୍ତର’ (Interval) ପରେ ପୁଣି ଅଜଣା ଦିଗନ୍ତର ଆଉ କେତେ ଛନ୍ଦ ବାଜିଉଠେ । ପୁରୁଣା ଧାରାର ନୂଆ ପରିଚୟ ଘଟେ ଆପାତ ନୂତନ କେତେ କଳକଳ, ଛଳଛଳ ସ୍ଵରରେ ।

 

ଏହାକୁ ଆମେ ‘ମୃତ୍ୟୁ’ ଓ ‘ଜନ୍ମ’ ନାଁ’ରେ ଡାକୁ-ଜୀବନର ଚଳନ୍ତି ସୁଅରେ ଗୋଟିଏ, ଗୋଟିଏ ନିଶାଣ ଖୁଣ୍ଟ ସୃଷ୍ଟି କରୁ । ଦାର୍ଶନୀକ ଦୃଷ୍ଟିରେ ଏହାକୁ ଯେତେ ଅସ୍ଵୀକାର କଲେ ମଧ୍ୟ ସାଧାରଣ ସଂସାରୀର ପରିଭାଷାରେ ଏହାକୁ କାଟିଦେଇ ହେବନାହିଁ । ତେଣୁ ତଥାକଥିତ ‘ପରିଶେଷ’ରେ ଆଉ ଦି’ପଦ କହୁଛି । ତାହା ସେଇ ସଂଗ୍ରାମର ଅଙ୍ଗେଲିଭା କଥା ଓ ଲହୁଲୁହାଣ ଜୀବନର ଆତ୍ମ-କାହାଣୀ ।

 

ମୁଁ ସିନା ସଂଗ୍ରାମରୁ ଦୂରେଇ ଯିବାକୁ ‘ପଥଛାୟା’ରେ ଆଶ୍ରୟ ଖୋଜିଥିଲି, କିନ୍ତୁ ସଂଗ୍ରାମ ମୋତେ ଛାଡ଼ିଲା କେଉଁଠି ? ମୋର ପୁରାତନ କର୍ମକ୍ଷେତ୍ର, କରିଲୋପାଟଣାର ଜୟରାମ ଉଚ୍ଚବିଦ୍ୟାଳୟ ମୋତେ ପୁଣି ଡାକ ଦେଲା । ଗତ ବାଇଶି, ତେଇଶି ବର୍ଷ ଧରି ଏ ଅନୁଷ୍ଠାନକୁ ମୁଁ ଗୋଡ଼ ବଢ଼ାଇନଥିଲି । କରିଲୋପାଟଣା ପ୍ରସ୍ତାବିତ କଲେଜ ପାଇଁ କାମ କରୁ କରୁ ସର୍ବସାଧାରଣଙ୍କ ଅନୁରୋଧରେ, ଇଚ୍ଛା, ଅନିଚ୍ଛା ଭିତରେ ସେ ଡାକ ଶୁଣିବାକୁ ବାଧ୍ୟହେଲି ।

 

ଏ ଅନୁଷ୍ଠାନର ପରିସ୍ଥିତି ଏତେବେଳକୁ ଉଦବେଗଜନକ ହୋଇ ଉଠିଥାଏ । ଶିକ୍ଷା ବିଭାଗୀୟ କର୍ତ୍ତୃପକ୍ଷ ବହୁ କାରଣବଶତଃ ଏହାର ପରିଚାଳନା କମିଟିକୁ ଭାଙ୍ଗିଦେଇ ନୂଆ କମିଟିଟିଏ ଗଠନ କରିବାର ପଦକ୍ଷେପ ନେଲାବେଳେ ଦୁଇଜଣ ଶିକ୍ଷାବିତ୍ ତହିଁରେ ସଭ୍ୟ ରହିବା ଦରକାର ପଡ଼ିଲା । ତାହା ମଧ୍ୟରୁ ଜଣକର ସ୍ଥାନ ପୂରଣ କରିବା ନିମନ୍ତେ ସମ୍ମତି ଦେବାପାଇଁ ସର୍ବସାଧାରଣ ମୋ ଉପରେ କ୍ରମାଗତ ପ୍ରଭାବ ପକାଇଲେ । ଆଧୁନିକ ସମାଜର ହିଂସ୍ର ପରିବେଶରେ ‘ଭୀଷ୍ମର ସେ ଶରଶଯ୍ୟା’ କରିବାକୁ ମୁଁ ବାରମ୍ବାର କୁଣ୍ଠା ପ୍ରକାଶ କଲି । କିନ୍ତୁ ସମାଜରେ ଆପଣାର ମନଟାତ ଆପଣାର ନୁହେଁ । ଭାଇ, ବନ୍ଧୁ ଓ ସଖା ସୋଦରଙ୍କ କଥାରେ ଶେଷକୁ ସଭ୍ୟଟିଏ ହେବାକୁ ‘ହଁ’ ଭରିଲି ।

 

ସଭ୍ୟ ହେଉଁ ହେଉଁ ସଂମ୍ପାଦକ (ସେକ୍ରେଟାରୀ) ନିର୍ବାଚିତ ହେଲି । ଯେଉଁ କଣ୍ଟାର ମୁକୁଟକୁ କୋରୁଆରେ ମୁଁ ଶେଷ ବିଦାୟ ଦେଇ ଆସିଥିଲି ତାହା ଗୋଡ଼ାଇ ଗୋଡ଼ାଇ ମୋ ମଥାରେ ଲାଗିଲା । ଏହା ହାତୀ ଥୋଡ଼ର ସୁନାକଳସ ନୁହେଁ, କାତି ମୁହଁର ବୀଭତ୍ସ ସମର-ପତ୍ର ବୋଲି ସେଦିନୁଁ ମୁଁ ଜାଣିଥିଲି । ହେଲେହେଁ ସଂସାରୀ ସୋଦରମାନେ ଏହା ବୁଝିଲେ ନାହିଁ । ଅସତ୍ୟ ଓ ଅନ୍ୟାୟର ବିଲୋପ ପାଇଁ ସେଠି ମୋ’ ଥାପନା, ଅପରିହାର୍ଯ୍ୟ ଥିବାର ସେମାନେ ମନେକଲେ । ମୁଁ ଶେଷକୁ ସଂସାରର ଏ ଆଦେଶକୁ ମାନିନେଲି । ମୋ ହାତଗଢ଼ା ଅନୁଷ୍ଠାନରେ ଗତ ବାଇଶି ତେଇଶି ବର୍ଷ ଧରି ଚାଲିଥିବା ସ୍ଵୈରାଚାର ଓ ଦୁର୍ନୀତି ଲୋପ କରିବା ନିମନ୍ତେ ମୁଁ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ହେଲି । ‘ସତ୍ୟ ଓ ନ୍ୟାୟର ଜୟହେଉ’ ଏହାହିଁ ଥିଲା ମୋ ଥାପନାକାରୀମାନଙ୍କୁ ମୋର ନିର୍ବାଚନ ଦିନର ବାର୍ତ୍ତା ।

 

ପୁରୁଣା ପରିଚାଳନା କମିଟିକୁ ଭାଙ୍ଗିଦେବା ସଙ୍ଗେ ସଙ୍ଗେ ସରକାର ଏ ଅନୁଷ୍ଠାନର ପ୍ରଧାନ ଶିକ୍ଷକଙ୍କୁ ‘ରହିତାଦେଶ’ ବଳରେ (Suspension order) କାର୍ଯ୍ୟଭାର ହସ୍ତାନ୍ତର କରିବାକୁ ବାଧ୍ୟ କରୁଥାନ୍ତି । ପ୍ରଧାନ ଶିକ୍ଷକ ତାହାଙ୍କର ଦାୟିତ୍ଵ ହସ୍ତାନ୍ତର କରୁନଥିବାରୁ ବିଦ୍ୟାଳୟ ପରିଚାଳନାରେ ଘୋର ବାଧା ସୃଷ୍ଟି ହେଉଥାଏ । ଏ ଅଚଳ ଅବସ୍ଥାରୁ ଅନୁଷ୍ଠାନଟିକୁ ରକ୍ଷାକରିବା ଲାଗି ପରିଚାଳନା କମିଟି ପକ୍ଷରୁ ସଭାପତି ମାନ୍ୟବର ହାଇକୋର୍ଟର ବିଚାର ଭିକ୍ଷା କଲେ ଓ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ପ୍ରଧାନଶିକ୍ଷକ ତାହାଙ୍କର ଅନିଚ୍ଛା ସତ୍ତ୍ୱେ ଦାୟିତ୍ଵ ହସ୍ତାନ୍ତର କରିବାକୁ ବାଧ୍ୟ ହେଲେ । ଏଥିରୁ ଯେଉଁ ପରିସ୍ଥିତି ଉପୁଜିଲା, ତାହା ଭବିଷ୍ୟତର ମହାଭାରତ ସୃଷ୍ଟି ପାଇଁ ବେଶ୍ ଖୋରାକ୍ ଯୋଗାଇଲା । ସତ୍ୟ, ନ୍ୟାୟ ଓ ନୀତିକୁ ତୋଟି ଚିପି ମାରିଦେବାକୁ ତେଣିକି ଚକ୍ରାନ୍ତ ଚାଲିଲା । ଦିନେ ଯେଉଁମାନେ ସତ୍ୟର ମୁଖାପିନ୍ଧି ଆମ ପଛରେ ଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଠିକଣା ବେଳରେ ବେଶ୍ ପଛଘୁଞ୍ଚା ଦେଇ ପାରିଲେ । ଆଦିମ ସଭ୍ୟତାର ରେ’ ରେ’କାର ଧ୍ଵନୀରେ ସେମାନେ ସତ୍ୟକୁ ଆଖିମିଟିକା ମାରି, ‘ପାରିଲାବାଲା’ର ଯେଉଁ ଅଭିନୟ କରି ପାରିଲେ ତାହା ବାସ୍ତବରେ ବିଚିତ୍ର । ଇତିହାସ ପୃଷ୍ଠାରେ ଏହା ନୂତନ ନ ହୋଇଥିଲେ ମଧ୍ୟ ପ୍ରବଞ୍ଚନାର ଏ ନୂତନ ପ୍ରସ୍ଥରେ ଆମ୍ଭେମାନେ ସ୍ତମ୍ଭିତ ହେବା ବ୍ୟତୀତ ଆମ୍ଭମାନଙ୍କର ଆଉ ଅନ୍ୟ ଉପାୟ ନଥିଲା । ଏହା ସତ୍ତ୍ଵେ ଗାନ୍ଧିଜୀଙ୍କର ପ୍ରଦର୍ଶିତ ଅହିଂସକ ଆନ୍ଦୋଳନ, ଆମର ପନ୍ଥା ହୋଇଥିବାରୁ ଆଇନ୍ ଶୃଙ୍ଖଳାକୁ ହାତକୁ ନ ନେଇ ମୁଁ ଓ ମୋର ସମଧର୍ମମାନେ ଅଦ୍ୟାପି ଆଗେଇ ଚାଲିଛୁ । ହିଂସାକାଣ୍ଡ ଆଶ୍ରୟରେ ତା ୨୦ । ୯ । ୮୨ରେ ହେବାକୁଥିବା ପରିଚାଳନା କମିଟିର ଅଧିବେଶନକୁ ବନ୍ଦ କରି ଦିଆଯାଇ ପାରିଥିଲେ ମଧ୍ୟ ଅସତ୍ୟର ଏକ କଳଙ୍କିତ ଅଭିଯାନ ଭାବରେ ଭବିଷ୍ୟତ୍ ଗର୍ଭରେ ଏହା ନିଶ୍ଚୟ ନିନ୍ଦିତ ହେବ । ଅଦ୍ୟାବଧି ଦଳନିରପେକ୍ଷ ଜୀବନଯାପନ କରୁଥିଲେ ମଧ୍ୟ ସତ୍ୟ ଓ ନ୍ୟାୟ ଅନୁରୋଧରେ ମୁଁ ଦଳେ ସ୍ଵାର୍ଥାନ୍ୱେଷିଙ୍କ ସହ ସାଲିସ୍ କରିପାରୁ ନଥିବାରୁ ସେମାନେ ମୋତେ ନିଶ୍ଚୟ ନିର୍ଦ୍ଦିଷ୍ଟ ଦଳ ବା ଗୋଷ୍ଠୀର ଅନ୍ତର୍ଭୁକ୍ତ କରିବେ, କରନ୍ତୁ ଏଥିରେ ମୋର ଦୁଃଖ ନାହିଁ, ସତ୍ୟର ପ୍ରକାଶ ଦିନେ ଘଟିବ । ବନ୍ୟା ମରୁଡ଼ିଗ୍ରସ୍ତ ଉତ୍କଳ ପଲ୍ଲୀର ଏକ କ୍ଷୁଦ୍ରାନୁଷ୍ଠାନକୁ ନେଇ ଏ ଦୁର୍ଦ୍ଦିନରେ ଅସାମାଜିକତା ଓ ବର୍ବରତାରେ ଯେଉଁ ଅନ୍ଧବତାସୀ ପିଟି ଚାଲିଛି, ଅଚିରେ ତାହାର ଅବସାନ ଘଟିବ । ‘ସତ୍ୟମେବ ଜୟରେ’–ଏହାହିଁ ହେବ ତେଣିକି ନ୍ୟାୟ ଓ ଅହିଂସକ ସଂଗ୍ରାମର ଚରମ ଉଦଘୋଷଣା ।

Image